ଭୁବନେଶ୍ୱର,୨୬ା୮(ରବିନାରାୟଣ ଜେନା): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ଯାଏ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ସମସ୍ତ ସଦସ୍ୟ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ବିଧାନସଭା ସଚିବ ସତ୍ୟବ୍ରତ ରାଉତ ସଂସଦୀୟ ବ୍ୟାପାର ବିଭାଗ ପ୍ରମୁଖ ସଚିବଙ୍କୁ ଅଗଷ୍ଟ ୨୪ରେ ପ୍ରଦାନ କରିଥିବା କ୍ୟାଲେଣ୍ଡର ଅନୁଯାୟୀ, ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବାକୁଥିବା ଏହି ମୌସୁମୀ ଅଧିବେଶନ ମାତ୍ର ୯ ଦିନ ଚାଲିବ। ୨୨ରୁ ୨୪ ପର୍ଯ୍ୟନ୍ତ ଗୃହରେ ସରକାରୀ କାର୍ଯ୍ୟଦିବସ ରହିଥିବାବେଳେ ୨୫ ତାରିଖ ଶୁକ୍ରବାର ବେସରକାରୀ କାର୍ଯ୍ୟ ଅର୍ଥାତ୍ ବିଲ୍ ଓ ପ୍ରସ୍ତାବ ଉପରେ ଆଲୋଚନା ହେବ। ୨୬ ଏବଂ ୨୭ ସରକାରୀ ଛୁଟି ରହିଛି। ୨୮ରୁ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟଦିବସ ରହିଥିବାବେଳେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଅକ୍ଟୋବର ୨ ଛୁଟି ରହିଛି। ଅକ୍ଟୋବର ୩ ବିଧାନସଭାର ଶେଷଦିନ ରହିଥିବା ଜଣାଯାଇଛି। ବିଧାନସଭାର ଏହି ବିଜ୍ଞପ୍ତିକୁ ନେଇ ଏବେ ଶାସକ ଓ ବିରୋଧୀଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗୋଟିଏ ପଟେ ବିରୋଧୀ ବିଜେଡି ଏବଂ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କ ଏମ୍ଏମ୍ଡିଆର୍ ବିଲ୍-୨୦୨୬କୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବା ପାଇଁ ଉଭୟ ଦଳର ନେତା ବାଚସ୍ପତିଙ୍କୁ ପତ୍ର ଲେଖି ଅବଗତ କରାଇଥିଲେ। ମାତ୍ର ସରକାରଙ୍କ ପକ୍ଷରୁ ଏହାକୁ ଅଗ୍ରାହ୍ୟ କରାଯାଇଥିଲା। ତେବେ ବିଧାନସଭାର ଆସନ୍ତା ଅଧିବେଶନଟି ସ୍ବଳ୍ପ ହୋଇଥିଲେ ମଧ୍ୟ ବହୁ ଗୁରୁତ୍ୱ ବହନ କରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର୍ ଧରିଛି।