ଆକାଂକ୍ଷୀ ପ୍ରଯୁକ୍ତିବିତ

ଜିତେନ୍ଦ୍ର କୁମାର ନାୟକ

ବିଶ୍ୱସ୍ତରୀୟ ଅନ୍‌ଲାଇନ୍‌ ଭିଡିଓ ଆଦାନପ୍ରଦାନକାରୀ ସାମାଜିକ ଗଣମାଧ୍ୟମ ଭାବେ ପରିଚିତ ୟୁଟ୍ୟୁବ୍‌ର ମୁଖ୍ୟାଳୟ ଆମେରିକାର କାଲିଫର୍ନିଆ ଅନ୍ତର୍ଗତ ସାନ୍‌ ବ୍ରୁନୋ। ୧୪ ଫେବୃୟାରୀ ୨୦୦୫ରେ ଷ୍ଟିଭ୍‌ ଚେନ୍‌, ଛାଦ୍‌ ହର୍ଲେ ଓ ଜାଓ୍ବେଦ କରିମ୍‌ଙ୍କ ଦ୍ୱାରା ଏହା ଆରମ୍ଭ ହୋଇଥିଲା। ଅକ୍ଟୋବର ୨୦୦୬ରେ ଏହା ଗୁଗଲ୍‌ ମାଲିକାନାକୁ ଯାଇଥିଲା। ବର୍ତ୍ତମାନ ପରିପ୍ରେକ୍ଷୀରେ ଗୁଗଲ୍‌ ସର୍ଚ୍ଚ ପରେ ଦ୍ୱିତୀୟ ସର୍ବାଧିକ ଲୋକ ୟୁଟ୍ୟୁବ୍‌କୁ ସର୍ଚ୍ଚ କରୁଥିବା ଓ୍ବେବ୍‌ସାଇଟ୍‌ ଭାବେ ପରିଣତ ହୋଇଛି। ମାସିକିଆ ବ୍ୟବହାରକାରୀଙ୍କ ସଂଖ୍ୟା ୨୫୦ କୋଟି ହୋଇଥିବାବେଳେ ପ୍ରତ୍ୟେକ ଦିନ ସାମୂହିକ ଭାବେ ୧୦୦ କୋଟି ଘଣ୍ଟାରୁ ଊର୍ଦ୍ଧ୍ୱ ଭିଡିଓକୁ ଦର୍ଶକ ଦେଖୁଛନ୍ତି। ଏତେବଡ଼ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଭାରତୀୟ ବଂଶୋଦ୍ଭବ ନିଲ୍‌ ମୋହନ ଏବେ ଦାୟିତ୍ୱ ନେବା ନିଶ୍ଚିତ ଭାବେ ଯୁବପିଢ଼ିଙ୍କ ପାଇଁ ଉତ୍ସାହ ଆଣିଦେଇଛି। ଉଲ୍ଲେଖଯୋଗ୍ୟ ଯେ, ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡାଲା, ଆଲ୍‌ଫାବେଟ୍‌ ସିଇଓ ସୁନ୍ଦର ପିଚାଇ, ଆଡୋବ ସିଇଓ ଶାନ୍ତନୁ ନାରାୟେନ୍‌ଙ୍କ ଭଳି ନିଲ୍‌ ପ୍ରଯୁକ୍ତି ବିଶ୍ୱରେ ପତିଆରା ରଖିଥିବା ଭାରତୀୟ ବଂଶୋଦ୍ଭବ ତାଲିକାରେ ସ୍ଥାନ ପାଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି। ୟୁଟ୍ୟୁବ୍‌ର ଦୀର୍ଘକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ରହିଆସିଥିବା ସୁସାନ୍‌ ଓ୍ବଜ୍‌ସିସିକ୍‌ ଦାୟିତ୍ୱ ଛାଡ଼ିବା ପରେ ନୂଆ ସିଇଓ ନିଲ୍‌ଙ୍କୁ ଜଣେ ପ୍ରତିଭାସମ୍ପନ୍ନ ତଥା ପ୍ରଯୁକ୍ତିର ଅନ୍ୟତମ ସୃଜନଶୀଳ ବ୍ୟକ୍ତି ଭାବେ ବର୍ଣ୍ଣନା କରିଛନ୍ତି।
ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ନିଲ୍‌ ୧୯୭୩ କିମ୍ବା ୧୯୭୪ରେ ଜନ୍ମଗ୍ରହଣ କରିଥିବା ତାଙ୍କ ଉଇକିପିଡିଆରୁ ସୂଚନା ମିଳିଛି। ଭାରତରେ ସ୍କୁଲ ଶିକ୍ଷା ଓ ସେଣ୍ଟ୍‌ ଫ୍ରାନ୍ସିସ୍‌ କଲେଜରେ ପଢ଼ିବା ପରେ ସେ ୧୯୯୦ରେ ଆମେରିକା ଚାଲିଯାଇଥିଲେ। ୧୯୯୬ରେ ସେ ସେଠାକାର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରୁ ଇଲେକ୍‌ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ପ୍ରଥମେ ପ୍ରଯୁକ୍ତି ସଂସ୍ଥା ଆସେନ୍‌ଚର୍‌ ଓ ୧୯୯୭ରେ ନେଟ୍‌ ଗ୍ରାଭିଟି ନାମକ ଷ୍ଟାର୍ଟ ଅପ୍‌ରେ ଯୋଗ ଦେଇଥିଲେ। ସେହି ବର୍ଷ ନେଟ୍‌ ଗ୍ରାଭିଟିକୁ ଇଣ୍ଟରନେଟ୍‌ ଆଡ୍‌ଭର୍ଟାଇଜିଂ କମ୍ପାନୀ ଡବ୍‌ଲକ୍ଲିକ୍‌ ନାମକ ସଂସ୍ଥା ଅଧିଗ୍ରହଣ କରିଥିଲା। ଫଳରେ ସେ କାଲିଫର୍ନିଆରୁ ନ୍ୟୁୟର୍କ ମୁଖ୍ୟାଳୟକୁ ଚାଲିଯାଇଥିଲେ। ସେଠାରେ କାର୍ଯ୍ୟ କଲାବେଳେ ସେ କମ୍ପାନୀର ଭାଇସ୍‌ ପ୍ରେସିଡେଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଥିଲେ। ତେବେ ଉଚ୍ଚଶିକ୍ଷା ପାଇଁ ନିଲ୍‌ ପୁଣି ୨୦୦୩ରେ ଷ୍ଟାନ୍‌ଫୋର୍ଡ ପଳାଇଆସିଥିଲେ। ଏହା ପରେ ଡବ୍‌ଲକ୍ଲିକ୍‌ ଅସୁବିଧାର ସମ୍ମୁଖୀନ ହୋଇଥିଲା। ଏମ୍‌ବିଏ ପଢ଼ା ପରେ ନିଲ୍‌ଙ୍କୁ ସଂସ୍ଥା ପୁଣି ଲୋଡ଼ିଥିଲା। ତେବେ ୨୦୦୭ରେ ଡବ୍‌ଲକ୍ଲିକ୍‌କୁ ଗୁଗଲ୍‌ ଅଧିଗ୍ରହଣ କରିବା ପରେ ନିଲ୍‌ ଟେକ୍‌ ଜାଏଣ୍ଟର ଏକ ଅଂଶବିଶେଷ ପାଲଟିଗଲେ। ଫଳରେ ତାଙ୍କୁ ଡିସ୍‌ପ୍ଲେ ଆଣ୍ଡ୍‌ ଭିଡିଓ ଆଡ୍ସର ସିନିୟର ଭାଇସ୍‌ ପ୍ରେସିଡେଣ୍ଟ କରାଯାଇଥିଲା। ଗୁଗଲ୍‌ ଭଳି ବଡ଼ ପ୍ଲାଟଫର୍ମ ପାଇବା ପରେ ନିଲ୍‌ ନିଜ ଦକ୍ଷତାକୁ ବଢ଼ାଇବାରେ ଆହୁରି ସୁଯୋଗ ପାଇଗଲେ। ସେହି ସମୟରେ ସୁସାନ୍‌ ୟୁଟ୍ୟୁବ୍‌କୁ ବ୍ୟାପକ କରିବା ଲାଗି ନିଲ୍‌ଙ୍କ ସହାୟତା ନେଇ କାର୍ଯ୍ୟ ପରିସର ବଢ଼ାଇଥିଲେ। ୟୁଟ୍ୟୁବ୍‌ରେ ନିଲ୍‌ଙ୍କ ଅଭିନବତ୍ୱ ଦେଖି ଟୁଇଟର ୨୦୧୩ରେ ତାଙ୍କୁ ଚିଫ୍‌ ପ୍ରଡକ୍ଟ ଅଫିସର ପଦବୀ ଯାଚିଥିଲା। ଏହି ବିଷୟ ଗୁଗଲ୍‌ ଜାଣିବା ପରେ ନିଲ୍‌ଙ୍କୁ ରଖିବା ଲାଗି ୧୦୦ ମିଲିୟନ ଡଲାର ଖର୍ଚ୍ଚ କରିଥିଲା। ସେତେବେଳେ ବିଜ୍‌ନେସ୍‌ ଇନ୍‌ସାଇଡର ରିପୋର୍ଟରୁ ଜଣାପଡ଼ିଥିଲା ନିଲ୍‌ଙ୍କ ଚାହିଦା କେତେ ଅଧିକ। ଗୁଗଲ୍‌ର ଜଣେ ପୂର୍ବତନ ଉଚ୍ଚପଦବୀଧାରୀ ତାଙ୍କୁ ‘ଇନ୍‌ସାଟିଏବଲ୍‌ ଟେକ୍ନୋଲୋଜିଷ୍ଟ’ ବା ଅଳ୍ପରେ ସନ୍ତୁଷ୍ଟ ହୋଇପାରୁ ନ ଥିବା ପ୍ରଯୁକ୍ତିବିତ୍‌ ବୋଲି ବର୍ଣ୍ଣନା କରିଥିଲେ। ସକାରାତ୍ମକ ବ୍ୟବସାୟିକ ରଣକୌଶଳ ପ୍ରୟୋଗ କରି ସଫଳତା ଆଣିବାରେ ନିଲ୍‌ ଉପଭୋକ୍ତାଙ୍କ ସହ ଭାବ ବିନିମୟକୁ ସର୍ବାଧିକ ଗୁରୁତ୍ୱ ଦେଇଥାଆନ୍ତି। ୨୦୧୫ରେ ୟୁଟ୍ୟୁବ୍‌ର ଚିଫ୍‌ ପ୍ରଡକ୍ଟ ଅଫିସର ହେବାଠାରୁ ଅଦ୍ୟାବଧି ସେ ୟୁଟ୍ୟୁବ୍‌ ମ୍ୟୁଜିକ୍‌, ୟୁଟ୍ୟୁବ୍‌ ଟିଭି, ୟୁଟ୍ୟୁବ୍‌ ପ୍ରିମିୟମ୍‌, ୟୁଟ୍ୟୁବ୍‌ ଶଟ୍‌ସ ଏବଂ ୟୁଟ୍ୟୁବ୍‌ ଏନ୍‌ଏଫ୍‌ଟିରେ ନୂଆ ସଫଳତାର ଫର୍ଦ୍ଦ ଯୋଡ଼ିଚାଲିଛନ୍ତି।
ନିଲ୍‌ଙ୍କ ପରିଚୟ ପ୍ରଯୁକ୍ତି ବଳୟ ବାହାରକୁ ସେତେବେଳେ ଯାଇଥିଲା, ଯେତେବେଳେ ୨୦୨୦ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଭଣ୍ଡୁର କରିବା ଲାଗି କାପିଟୋଲ ହିଲ୍‌ ଉପରେ ଆକ୍ରମଣର ଭିଡିଓ କଂଗ୍ରେସ ସମ୍ମୁଖରେ ସେ ପ୍ରଦର୍ଶନ କରିଥିଲେ। ୨୦୨୨ ସେପ୍ଟେମ୍ବରରେ ଅନୁଷ୍ଠିତ ହ୍ବାଇଟ୍‌ ହାଉସ୍‌ ସମିଟ୍‌କୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସେ ୟୁଟ୍ୟୁବ୍‌ ପ୍ଲାଟଫର୍ମରେ କରାଯାଉଥିବା ଉଗ୍ରପନ୍ଥୀମୂଳକ କାର୍ଯ୍ୟକୁ ପ୍ରତିହତ କରିବା ସକାଶେ କଠୋର ନିୟମାବଳୀ ମଧ୍ୟ ଘୋଷଣା କରିଥିଲେ। ୧୬ ଫେବୃୟାରୀ ୨୦୨୩ରେ ସୁସାନ୍‌ଙ୍କ ସ୍ଥାନରେ ନିଲ୍‌ଙ୍କୁ କମ୍ପାନୀ ଚୟନ କରିବା ପରେ ଆଉ ଜଣେ ଭାରତୀୟ-ଆମେରିକୀୟ ଟେକ୍‌ ଓ୍ବାର୍ଲଡକୁ ନୂଆ କିଛି ଭେଟି ଦେବାର ପ୍ରୟାସ କରିବେ ବୋଲି ପ୍ରଯୁକ୍ତି ବିଶେଷଜ୍ଞମାନେ ଆଶା ବ୍ୟକ୍ତ କରିଛନ୍ତି। ମାଇକ୍ରୋସଫ୍ଟ, ଷ୍ଟିଚ୍‌ ଫିକ୍ସ ଏବଂ ଜେନୋମିକ୍ସ ଆଣ୍ଡ୍‌ ବାୟୋଟେକ୍ନୋଲଜି କମ୍ପାନୀ 23 and Me ସଂସ୍ଥାରେ ମଧ୍ୟ ନିଲ୍‌ କାର୍ଯ୍ୟ କରିଥିବା ତାଙ୍କ ପ୍ରୋଫାଇଲ୍‌ରୁ ଜଣାପଡ଼ିଛି। ଆମେରିକାର ଏକ ସ୍ବାଧୀନ ଥିଙ୍କ୍‌ ଟାଙ୍କ ‘ଦି କାଉନ୍‌ସିଲ୍‌ ଅନ୍‌ ଫରେନ୍‌ ରିଲେସନ୍ସ’ର ସେ ସଦସ୍ୟ ଅଛନ୍ତି।
ନିଲ୍‌ଙ୍କ ବ୍ୟକ୍ତିଗତ ଜୀବନ କହିଲେ ତାଙ୍କ ସହଧର୍ମିଣୀ ହେଉଛନ୍ତି ହେମା ସରିନ୍‌ ମୋହନ। ସେ ଜନମଙ୍ଗଳ କାର୍ଯ୍ୟରେ ଅଭିପ୍ରେତ ଏକ ଅଣ-ଲାଭଦାୟକ ସଂସ୍ଥାରେ ଦୁଇ ଦଶନ୍ଧି ଧରି କାର୍ଯ୍ୟ କରିଆସୁଛନ୍ତି। ନ୍ୟୁୟର୍କଠାରେ ଡବ୍‌ଲକ୍ଲିକ୍‌ରେ କାର୍ଯ୍ୟ କରୁଥିବା ବେଳେ ନିଲ୍‌ଙ୍କର ହେମାଙ୍କ ସହ ବିବାହ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri