ଆଶା ଆଶଙ୍କାରେ ଆଶାୟୀ

ଡ.ପ୍ରଫୁଲ୍ଲ କୁମାର ସାହୁ

 

ରାଜ୍ୟରେ କ୍ଷମତାସୀନ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ଏଥର ବୁଝାମଣାଭିତ୍ତିରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବୋଲି ଜୋର୍‌ ଧରିଛି ଚର୍ଚ୍ଚା। ଗଣତନ୍ତ୍ରରେ ଶାସକ ଦଳ ହେଉଛି ଏକ ମତ୍ତହସ୍ତୀ। ତାକୁ ଆୟତ୍ତ କରିବା ପାଇଁ ଯେଉଁ ଅଙ୍କୁଶ ଦରକାର, ତାହା ହେଉଛି ବିରୋଧୀ ଦଳର ସମାଲୋଚନା। ବିରୋଧୀ ଦଳର ସମାଲୋଚନା ଡରରେ କୌଣସି ଜନବିରୋଧୀ କାର୍ଯ୍ୟ କରିବାକୁ ସାହସ କରେନି ଶାସକଦଳ। କିନ୍ତୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଯଦି ଶାସକଦଳ ସହ ଭାଗୁଆଳି ହୋଇ କ୍ଷମତାର ମହୁ ଚାଖିବା ପାଇଁ ଚାହିଁବ, ତେବେ କିଏ ଖୋଜିବ ସରକାରଙ୍କ ଦୋଷତ୍ରୁଟି? ବିରୋଧୀ ଦଳ ନ ଥାଇ ସଂସଦୀୟ ଗଣତନ୍ତ୍ର ସଫଳ ହେବ କେମିତି? ସଂସଦରେ ଶାସକ ଓ ବିରୋଧୀ ଦଳର ଭୂମିକା ସମ୍ପୂର୍ଣ୍ଣ ଅଲଗା। ଏପରି ସ୍ଥଳେ ଦୁଇ ପକ୍ଷ ନିର୍ବାଚନରେ ମେଣ୍ଟ କରିବା ଅର୍ଥ ଦେଢଶୁର ଭାଇବୋହୂ ମଧ୍ୟରେ ପୀରତି । ଯୁକ୍ତି ଛଳରେ କୁହାଯାଇପାରେ ଯେ ରାଜ୍ୟରେ ବିଜେଡି-ଭାଜପାର ପୀରତି କିଛି ଆକସ୍ମିକ ନୁହେଁ, ବରଂ ଏ ସମ୍ପର୍କ ବେଶ୍‌ ପୁରୁଣା ଓ ଗହିରିଆ। ପ୍ରବାଦପୁରୁଷ ବିଜୁବାବୁଙ୍କ ଦେହାନ୍ତ ପରେ କେନ୍ଦ୍ରୀୟ ଭାଜପାର ଉଦ୍ୟମରେ ହିଁ ଜନ୍ମ ନେଇଥିଲା ବିଜେଡି। ମହାବାତ୍ୟା(୧୯୯୯)ପରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ(୨୦୦୦) ଉଭୟ ଦଳ ମେଣ୍ଟ କରି କଂଗ୍ରେସକୁ ହରାଇଲେ ଏବଂ ୨୦୦୯ ପର୍ଯ୍ୟନ୍ତ କ୍ଷମତା ଉପଭୋଗ କଲେ ମିଳିତ ଭାବରେ। ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ଦ୍ଦିଷ୍ଟ କିଛି କାରଣରୁ ମେଣ୍ଟରେ ଫାଟ ସୃଷ୍ଟି ହେବାରୁ ଦୁଇଦଳ ନିଜ ନିଜ ଶକ୍ତିରେ ନିର୍ବାଚନ ଲଢିଲେ ଏବଂ ଏକୁଟିଆ କ୍ଷମତା ଦଖଲ କରିବାକୁ ସକ୍ଷମ ହେଲା ବିଜେଡି। ସେବେଠାରୁ ଦୁଇ ଦଳ ମଧ୍ୟରେ ଆଉ ମେଣ୍ଟ ହୋଇ ନ ଥିଲେ ମଧ୍ୟ ପରସ୍ପର ସମ୍ପର୍କ ଥିଲା ମଧୁର ଏବଂ ସ୍ବର ବି ଥିଲା ନରମ। ୨୦୧୯ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ଅବତୀର୍ଣ୍ଣ ହେଲା ପରେ ଶାସକ ବିଜେଡି ପ୍ରତି ଭାଜପାର ସ୍ବର କିଛି ମାତ୍ରାରେ ଆକ୍ରମଣାତ୍ମକ ହେଲା ସତ, କିନ୍ତୁ ଅସଲ ବେଳେ ଉଭୟ ହାତ ଟେକିଲେ ଉଭୟଙ୍କ ସପକ୍ଷରେ। ବିଶେଷକରି ଦିଲ୍ଲୀରେ ଆବଶ୍ୟକ ବେଳେ ଅକୁଣ୍ଠ ସହଯୋଗ ଯୋଗାଇ ଚାଲିଲା ବିଜେଡି। ଦୁଇଦଳ ମଧ୍ୟରେ ସମ୍ପର୍କକୁ ଦେଖି ଲାଗୁଥିଲା-‘କାଉ କୋଇଲିର ଏକା ବର୍ଣ୍ଣ, ରାବନ୍ତି ଖାଲି ଭିନ୍ନ ଭିନ୍ନ’।
ଆଶ୍ଚର୍ଯ୍ୟର ବିଷୟ ଦୁଇ ଦଳ ପରସ୍ପର ପ୍ରତି ଏତେ କୋମଳ ମନୋଭାବ ପୋଷଣ କରିବା ସତ୍ତ୍ବେ ତୃଣମୂଳ ସ୍ତରର ରାଜନୀତି ଥିଲା ସମ୍ପୂର୍ଣ୍ଣ ଭିନ୍ନ। ଉଭୟ ଦଳର କର୍ମୀଙ୍କ ଆଭିମୁଖ୍ୟ ଥିଲା ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ। ନିଜ ନିଜର ରାଜନୈତିକ କ୍ଷେତ୍ର ପ୍ରସ୍ତୁତ ପାଇଁ ନିଆଁରେ ଘିଅ ଢାଳୁଥିଲେ ଉଭୟ ଦଳର ଛାମୁଆ ନେତା। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କଲ୍ୟାଣକାରୀ ଯୋଜନାର ଶ୍ରେୟ ନେବା ପାଇଁ ଦୁଇଦଳ ମଧ୍ୟରେ ଚାଲୁଥିଲା କମର କଷାକଷି। ରାଜ୍ୟ ଦେଉ କି କେନ୍ଦ୍ର ଦେଉଛି- ଏହାକୁ ନେଇ ସ୍ଥାନୀୟ ନେତାଙ୍କ ଭିତରେ ଚାଲୁଥିଲା କାଦୁଅ ଫିଙ୍ଗାଫିଙ୍ଗି । ଲଢେଇ ପୂର୍ବରୁ ଷଣ୍ଢ ଛାଇ ପୋତାପୋତି ହେଲା ପରି ଦୁଇଦଳ ଭିତରେ ଚାଲିଥିବା ପାଗ ଭିଡ଼ାଭିଡ଼ି ଦେଖି ଲାଗୁଥିଲା ଏଥର ମଇଦାନରେ ଖୁବ ଜୋରଦାର ହେବ ଲଢ଼େଇ। ଆଶାୟୀ ପ୍ରାର୍ଥୀ ଓ କର୍ମୀଙ୍କ ଦ୍ବାରା କ୍ଷେତ୍ର ବି କର୍ଷଣ ସରିଥିଲା ଖୁବ୍‌ ବଢିଆ ଢଙ୍ଗରେ। ଯୁଦ୍ଧ ବିଗୁଲ ବାଜିବା ଆଗରୁ ଭିଡା ସରିଥିଲା ପାଗ। କିନ୍ତୁ ଯୁଦ୍ଧ ବଦଳରେ ଯେ ସନ୍ଧି ହେବ ଏକଥା ଜାଣିପାରି ନ ଥିଲେ କର୍ମୀ। ରଣରଙ୍କ ଦୁଇ ସେନାପତି ଯେ ଯୁଦ୍ଧ ପୂର୍ବରୁ ଅସ୍ତ୍ରଛାଡି ଏଭଳି ପାଣିଚିଆ ନିଷ୍ପତ୍ତି ନେବେ ତା’ର ଟେର ପାଇ ନ ଥିଲେ ପ୍ରତିପକ୍ଷ ବିରୋଧରେ ସିଂହରଡି ଛାଡୁଥିବା ଛାମୁଆ ନେତାମାନେ।
ମେଣ୍ଟର ଉଦ୍ଦେଶ୍ୟ ସେବା ହେଉ କି ସ୍ବାର୍ଥ ହେଉ ଏଥିରେ ଖୁବ୍‌ ଆଘାତପ୍ରାପ୍ତ ହୋଇଛି କର୍ମୀ। ଗାଁରେ କହନ୍ତି-‘ତେଲ ଓ ତେଲି ହୋଇଲେ ଏକା, ପିଡିଆ ଖଣ୍ଡକ ବାହାରେ ପକା।’ ଏବେ ସେଇ ଅବସ୍ଥା ହୋଇଛି କର୍ମୀର। କେହି ବୁଝିଲେନି ପରସ୍ପର ବିରୋଧରେ ପାଟିତୁଣ୍ଡ, ପିଟାପିଟି ଓ ଥାନା ପୋଲିସ ହୋଇ ଦୀର୍ଘଦିନ ଧରି ଯନ୍ତ୍ରଣା ଭୋଗୁଥିବା କର୍ମୀଙ୍କ ମନକଥା। ସୋସିଆଲ ମିଡିଆରେ ଅଜାଡି ହୋଇପଡୁଛି ତା’ର କ୍ଷୋଭ ଆଉ ଅବଶୋଷ। ମେଣ୍ଟ ନିଷ୍ପତ୍ତିକୁ ଆଦୌ ଗ୍ରହଣ କରି ପାରୁ ନ ଥିବା କର୍ମୀଟିର ଅନ୍ତତଃ ଏବେ ଏତିକି ଅଭିଜ୍ଞତା ହେଲା- ଉପରେ ରାଜନୀତି କରୁଥିବା ଲୋକ ଯେତିକି ଚତୁର, ତଳ ସ୍ତରରେ ସେମାନଙ୍କ ଜିନ୍ଦାବାଦ କରି ପରସ୍ପର ଭିତରେ ସମ୍ପର୍କ ଖରାପ କରୁଥିବା ଲୋକ ସେତିକି ବୋକା। କର୍ମୀଙ୍କ କଥା ଛାଡନ୍ତୁ ରାଜନୀତିରେ ସାମାନ୍ୟ ରୁଚି ରଖିଥିବା ଲୋକଙ୍କ ମନରେ ବି ପ୍ରଶ୍ନ-କାହା ବିରୋଧରେ ଏହି ମେଣ୍ଟ ? ସମସ୍ତେ ଜାଣନ୍ତି ଏବେ ଓଡ଼ିଶାରେ ଆଦୌ ଭଲ ନାହିଁ କଂଗ୍ରେସର ସ୍ଥିତି। କେହି କେହି କୁହାଳିଆ ନେତା ହୁଏତ ଆଗାମୀ ନିର୍ବାଚନରେ ତାଙ୍କ ଦଳ ଖୁବ୍‌ ଭଲ ପ୍ରଦର୍ଶନ କରିବ ବୋଲି ବାହୁସ୍ଫୋଟ ମାରିପାରନ୍ତି, କିନ୍ତୁ ଏଭଳି ମନ୍ତବ୍ୟର ବାସ୍ତବ ଆଧାର ହେଲା- ‘ସାହୁ କହିଛି, ପାଚିଲା ଧାନରେ ମଇ ଦେଉଛି’। କଂଗ୍ରେସ ଏତେ ଦୟନୀୟ ସ୍ଥିତିରେ ଥିବାବେଳେ ଆଉ କାହା ଭୟରେ ମେଣ୍ଟ? ଯଦି ତୁ ତ ମୂତୁରୀ ମୁଁ ତ ମୂତୁରୀ ହେଁସ କାହିଁପାଇଁ ଧୋଇବା’ ନ୍ୟାୟରେ ମେଣ୍ଟ ହେଉଥାଏ ତେବେ ଧରିନେବାକୁ ହେବ ଯେ ଅନ୍ୟ କେହି ରାଜନୈତିକ ପ୍ରତିପକ୍ଷ ବିରୋଧରେ ନୁହେଁ, ବରଂ ଏ ମେଣ୍ଟ ସାଧାରଣ ଲୋକଙ୍କ ବିରୋଧରେ। ପ୍ରସଙ୍ଗ କ୍ରମେ ଆଉ ଯେଉଁ କଥାଟି ଯଥେଷ୍ଟ ଗୁରୁତ୍ୱ ବହନ କରେ ତାହା ହେଲା- ଶାସକଦଳ ଓ ମୁଖ୍ୟ ବିରୋଧୀ ଦଳ ମଧ୍ୟରେ ଯଦି ମେଣ୍ଟ କରିବାର ଥିଲା, ତେବେ ନିଜ ଢୋଲ ନିଜେ ପିଟିବାକୁ ଯାଇ ବିଜ୍ଞାପନ ବାବଦରେ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଗଲା କାହିଁକି ? ଯେଉଁଠି ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ ହୋଇପାରୁନି, ସେଠାରେ ନିର୍ବାଚନକୁ ଆଖି ଆଗରେ ରଖି ବିକାଶକୁ ଏତେ ଜୋରରେ ଦୌଡେଇବାରେ କି ଲାଭ?
ରାଜନୀତିରେ ପଦକ୍ଷେପର ପ୍ରାୟତଃ ଦୁଇଟି ଦିଗ ଥାଏ -ଗୁଣ ଓ ଖୁଣ। ଏଭଳି ମେଣ୍ଟ ରାଜନୀତିର ଖୁଣ ତ ଅନେକ। କିନ୍ତୁ ଗୁଣ ବୋଲି ଯାହାକୁ କହିବା ସେ କଥାଟି ହେଲା- ଘର ପଛେ ପୋଡିଯାଉ, ଓଡ଼ଶ କେଞ୍ଚେ ପାଇବା ଦରକାର। ଆମ ଦେଶରେ ନିର୍ବାଚନ ଋତୁ ଆସିଲେ ପ୍ରାୟତଃ ସବୁ ଦଳ ପକ୍ଷରୁ ଆୟୋଜିତ ହୁଏ ମିଶ୍ରଣ ପର୍ବ। ଯେଉଁମାନେ ଅନ୍ୟ ଦଳରେ କୋଣଠେସା ହୋଇ ପଡିଥାନ୍ତି,ଟିକେଟ ପାଇବା ଆଶା ହରେଇ ଥାନ୍ତି କିମ୍ବା ଦୁର୍ନୀତିରେ ଛନ୍ଦିହୋଇ ନିରାପଦ ଆଶ୍ରା ଖୋଜୁଥାନ୍ତି,ସେମାନଙ୍କୁ ମିଳିଯାଏ ନୂଆ ଶିବିରରେ ଶରଣ ନେବାର ସୁଯୋଗ। ମଜାର କଥା ଏବେ ଅକଳରେ ପଡିଛନ୍ତି ସଦ୍ୟ ଶିବିର ପରିବର୍ତ୍ତନ କରିଥିବା କିଛି ଟିକେଟ ଆଶାୟୀ। କାରଣ ଏମାନେ ରଙ୍ଗ ବଦଳେଇବାର କେଇ ଘଣ୍ଟା ମଧ୍ୟରେ ରଙ୍ଗ ବଦଳେଇଲା ନିଜେ ରାଜନୀତି। ସମ୍ପ୍ରତି ଏମାନଙ୍କର ଦୁର୍ଦ୍ଦଶା କଥା ଭାବିଲେ ମନେପଡ଼େ ‘ସୋଲେ’ ଚଳଚ୍ଚିତ୍ରର ସେହି ସ୍ମରଣୀୟ ସଂଳାପ-‘ତେରା କ୍ୟା ହୋଗାରେ କାଲିଆ’। କେବଳ ଦଳଡିଆଁ ନୁହନ୍ତି, ନୂଆ ସମୀକରଣ ନେଇ ଘର ସଜାଡୁଥିବା ନେତାଙ୍କ ମୁଣ୍ଡ ବି ଗୋଲ। କେଉଁ ଆଧାରରେ ଆସନ ବୁଝାମଣା ହେବ, ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଉଛି ଭିନ୍ନ ଭିନ୍ନ ଗଣିତ। ସେହି ଆଧାରରେ ମନକୁ ଛୁଇଁଲାଣି- ‘ମୁଁ ଯାହାକୁ ଆଖେଇ ଥିଲି,ଆଉ କିଏ ତାକୁ କାଖେଇଲାଣି’ର ଭୟ। କେଉଁ ଆସନ କାହା ଭାଗରେ ପଡିବ ତା’ର ପୂର୍ବାନୁମାନ କରି ହେଉ ନ ଥିବାରୁ ଆଶାୟୀଙ୍କ ଏଭଳି ଆଶଙ୍କା ସ୍ବାଭାବିକ। କାରଣ ଆସନ ବୁଝାମଣାର ସୂତ୍ରଟି ହେଉଛି ତେଲିଆ ମୁଣ୍ଡରେ ତେଲ। ଅର୍ଥାତ୍‌ ଆସନକୁ ନେଇ ନୁହେଁ, ପ୍ରାର୍ଥୀଙ୍କ ପତିଆରାକୁ ଦୃଷ୍ଟିରେ ରଖି ଚୂଡାନ୍ତ ହୁଏ ଭାଗବଣ୍ଟା। ଏହା ଦ୍ବାରା ତୃଣମୂଳ ସ୍ତରର ନେତା ବଳି ପଡନ୍ତି ଓ ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟରେ ଚମକି ଉଠେ କିଛି ପ୍ରଭାବଶାଳୀ ନେତାଙ୍କ ଭାଗ୍ୟ। ଏହି ପରିପ୍ରେକ୍ଷୀରେ ଶେଷ କଥାଟି ହେଉଛି ପ୍ରକୃତ ଯୋଦ୍ଧା ପକ୍ଷରେ ବିଜୟ କିମ୍ବା ମୃତ୍ୟୁ ଶ୍ରେୟସ୍କର, କିନ୍ତୁ ସନ୍ଧି ନୁହେଁ।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri