Categories: ଖେଳ

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌: ଦୀପକ ପୁନିଆଙ୍କୁ ରୌପ୍ୟ ପଦକ

ଅଲମାଟି (କାଜାଖସ୍ତାନ), ୧୯ା୪ (ପି.ଟି.)-ଏଠାରେ ଚାଲିଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ର ଅନ୍ତିମ ଦିବସରେ ଭାରତର ଦୀପକ ପୁନିଆ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲରେ ସେ ତାଙ୍କ ଆଦର୍ଶ ତଥା ଇରାନିଆନ୍‌ କିମ୍ବଦନ୍ତୀ ହସନ ୟାଜଦାନିଚାରାତିଙ୍କଠାରୁ ହାରିଯାଇଛନ୍ତି। ସେହିପରି ସଞ୍ଜିତ ଦେଶ ପାଇଁ ଏକ ବ୍ରୋଞ୍ଜ ପଦକ ଆଣିଦେଇଛନ୍ତି। ୮୬କେଜି ଶ୍ରେଣୀ ଫାଇନାଲରେ ଇରାନିଆନ୍‌ ରେସ୍‌ଲରଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନ ଆଗରେ ଦୀପକ ତିଷ୍ଠି ପାରି ନ ଥିଲେ। ୨୦୧୬ ଅଲିମ୍ପିକ ଚାମ୍ପିୟନ ତଥା ଦୁଇଥର ବିଶ୍ୱ ଚାମ୍ପିୟନଙ୍କ ସହିତ ଦୀପକଙ୍କ ଏହା ଥିଲା ଦ୍ୱିତୀୟ ମୁକାବିଲା। କିନ୍ତୁ ଏଠାରେ ସେ ପ୍ରଥମ ଥର ତାଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। କାରଣ ଗୋଡ଼ରେ ଇଞ୍ଜୁରି ଯୋଗୁ ଏହି ଇରାନିଆନ ରେସ୍‌ଲରଙ୍କ ବିପକ୍ଷ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ ଫାଇନାଲରୁ ଦୀପକ ଓହରିଯାଇଥିଲେ। ରବିବାର ପୋଡିୟମ ଫିନିଶ କରିଥିବା ଅନ୍ୟ ଜଣେ ଭାରତୀୟ ରେସ୍‌ଲର ହେଲେ ସଞ୍ଜିତ (୯୨କେଜି)। ବ୍ରୋଞ୍ଜ ପ୍ଲେ-ଅଫ୍‌ରେ ସେ ଉଜବେକିସ୍ତାନର ରୁସ୍ତମ ଶୋଦିଭଙ୍କୁ ୧୧-୮ରେ ହରାଇ ଦେଇଥିଲେ। ପୁରୁଷ ଫ୍ରିଷ୍ଟାଇଲ ଇଭେଣ୍ଟରେ ଓଭର ଅଲ୍‌ ଭାରତ ୭ ପଦକ ଜିତିଥିଲା। କେବଳ ଦୀପକ ଡାହିୟା (୫୭କେଜି) ଏକ ସ୍ବର୍ଣ୍ଣ ଜିତିବାରେ ସଫଳ ରହିଥିଲେ। ରବିନ୍ଦର (୬୧କେଜି) କିରଗିଜସ୍ତାନର ଇକ୍ରୋମଝୋନ୍‌ ଖାଦିମଉରୁଦୋଭ୍‌ଙ୍କ ବିପକ୍ଷ ତାଙ୍କ ବ୍ରୋଞ୍ଜ ପ୍ଲେ-ଅଫ୍‌ ଟେକ୍‌ନିକାଲ ସୁପରିଅରିଟିରେ ହାରିଯାଇଥିଲେ।

Share