Categories: ଖେଳ

ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌: ଭାରତୀୟ ଦଳରେ ସ୍ନେହା, ଝିଲ୍ଲୀ

ତାସକେଣ୍ଟ, ୧୬।୪(ପି.ଟି.)-
ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ଭାଗ ନେବାକୁ ଯାଉଥିବା ୪ ଜଣିଆ ମହିଳା ଭାରତୀୟ ଦଳରେ ଓଡ଼ିଶାର ସ୍ନେହା ସୋରେନ ଓ ଝିଲ୍ଲୀ ଦଳବେହେରା ସ୍ଥାନ ପାଇଛନ୍ତି। ସ୍ନେହା ୪୯ କେଜି ଓ ଝିଲ୍ଲୀ ୪୫ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଭାରତରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଅନ୍ୟ ୨ ମହିଳା ଭାରୋତ୍ତୋଳିକା ହେଲେ ମୀରାବାଇ ଚାନୁ (୪୯ କେଜି) ଓ ପି.ଅନୁରାଧା (୮୭ କେଜି)। ସେହିପରି ପୁରୁଷ ଦଳରେ ଜେରେମି ଲାଲରିନୁଙ୍ଗା (୬୭ କେଜି), ଅଚିନ୍ତ ଶେଉଲି (୭୩ କେଜି) ଓ ସତୀଶ ଶିବଲିଙ୍ଗମ୍‌ (୮୧ କେଜି) ଭାଗ୍ୟ ପରୀକ୍ଷା କରିବେ। ପୂର୍ବତନ ବିଶ୍ୱ ଚାମ୍ପିୟନ ଚାନୁ ଆଗାମୀ ପ୍ରତିଯୋଗିତାରେ ପ୍ରଦର୍ଶନର ଛାପ ଛାଡ଼ିବାକୁ ଦୃଢ଼ ଆଶାୟୀ ଅଛନ୍ତି। କୋଭିଡ୍‌-୧୯ ମହାମାରୀ ଯୋଗୁ ଭାରୋତ୍ତୋଳନ କାର୍ଯ୍ୟସୂଚୀ ପ୍ରଭାବିତ ହୋଇଥିଲା। ଫଳରେ ଚାନୁ ଶେଷଥର ପାଇଁ ୨୦୨୦ ଫେବୃୟାରୀରେ ଜାତୀୟ ଚାମ୍ପିୟନଶିପ୍‌ ଓ ୨୦୧୯ ଡିସେମ୍ବରରେ କାତାରଠାରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ମହାମାରୀ ଯୋଗୁ ଗତବର୍ଷ ଏସିଆନ ଚାମ୍ପିୟନଶିପ୍‌ ସ୍ଥଗିତ ରହିଥିଲା। ଅଲିମ୍ପିକ୍ସ କ୍ୱାଲିଫାଇଂ ଇଭେଣ୍ଟଭାବେ ପରିଚିତ ଏହି ପ୍ରତିଯୋଗିତାରେ ୨୬ ବର୍ଷୀୟା ଚାନୁ ଭାରତ ପାଇଁ ସ୍ବର୍ଣ୍ଣ ପଦକର ପ୍ରବଳ ଦାବିଦାର ଅଛନ୍ତି। ସେ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ (୨୦୩ କେଜି) ପ୍ରଦର୍ଶନରେ ଉନ୍ନତି ଆଣି ପୋଡିୟମ ଫିନିଶ୍‌ ଉପରେ ନଜର ରଖିଛନ୍ତି। ୨୦୧୯ ସଂସ୍କରଣରେ ସେ ଅଳ୍ପକେ ବ୍ରୋଞ୍ଜ ପଦକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ୨୦୧୮ରେ ପିଠି ଯନ୍ତ୍ରଣାରୁ ମୁକୁଳିବାପରେ ସେ ନିଜ ପ୍ରଦର୍ଶନରେ କ୍ରମାଗତ ଉନ୍ନତି ଆଣିବାରେ ସଫଳ ହୋଇଛନ୍ତି। ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଏହି ମଣିପୁରୀ ମହିଳା ୨୦୧ (୮୭ + ୧୧୪) କେଜି ଭାରୋତ୍ତୋଳନ କରିଥିଲେ। ଏହାପରେ ଜାତୀୟ ଚାମ୍ପିୟନଶିପ୍‌ରେ ସେ ୨୦୩ (୮୮ + ୧୧୫) କେଜି ଭାର ଉଠାଇ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ପୁରୁଷ ପ୍ରତିଯୋଗୀଙ୍କ ମଧ୍ୟରେ ସମସ୍ତଙ୍କ ନଜର ୨୦୧୮ ୟୁଥ୍‌ ଅଲିମ୍ପିକ୍‌ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ ଟିନ୍‌ଏଜର ଜେରେମି ଲାଲରିନୁଙ୍ଗାଙ୍କ ଉପରେ କେନ୍ଦ୍ରୀଭୂତ ହୋଇଛି। ଏହି ମିଜୋରାମ ଭାରୋତ୍ତୋଳକ ଗତ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ରେକର୍ଡ କରିଥିଲେ। ସେ ୩୦୬ (୧୪୦ + ୧୬୬) କେଜି ଭାରୋତ୍ତୋଳନ କରି ସ୍ନାଚ୍‌, କ୍ଲିନ୍‌ ଆଣ୍ଡ ଜର୍କ ଏବଂ ଓଭରଅଲ୍‌ରେ ନିଜ ୟୁଥ୍‌ ଓ୍ବାଲର୍‌ଡ ଏବଂ ଏସିଆନ ରେକର୍ଡ ଭଙ୍ଗ କରିଥିଲେ।

Share