ନୟାଗଡ, ୧୧।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ରଣପୁର ଥାନା ଅଞ୍ଚଳରେ ଜଣେ ଏଏସଆଇଙ୍କୁ ଅଟକ ରଖି ମାଡ଼ ମରାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଘଟଣାକୁ ନେଇ ଏପର୍ଯ୍ୟନ୍ତ ଥାନାରେ କୌଣସି ଲିଖିତ ଅଭିଯୋଗ ଦାଖଲ ହୋଇ ନ ଥିବା ସୂଚନା ମିଳିଛି।
ଏହାପୂର୍ବରୁ ଭାପୁର ଅଞ୍ଚଳରେ ଖଣ୍ଡପଡ଼ାର ପୂର୍ବତନ ଏସଡିପିଓ ମଦନ ମୋହନ ପ୍ରଧାନ ଏବଂ ଶରଣକୂଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସ ମହିଳାଙ୍କୁ ଫେବର ମାଗି ନିଲମ୍ବିତ ହୋଇଥିବା ବେଳେ, ରଣପୁରର ଏହି ଘଟଣା ପୁଣିଥରେ ପୋଲିସ ବିଭାଗକୁ ଚର୍ଚ୍ଚାରେ ଆଣିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ସମ୍ପୃକ୍ତ ଏଏସଆଇ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଘରକୁ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଅଟକ ରଖିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ମାଡ଼ ମରାଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
ଅନ୍ୟପଟେ, ସମ୍ପୃକ୍ତ ଏଏସଆଇ ନିଜ ସଫେଇରେ କହିଛନ୍ତି ଯେ, ସେ ମହିଳାଙ୍କୁ ଔଷଧ ଦେବା ପାଇଁ ସେହି ଘରକୁ ଯାଇଥିଲେ। ତେବେ ଜଣେ ପୋଲିସ ଅଧିକାରୀ ରାତି ଅଧରେ ଜଣେ ମହିଳାଙ୍କ ଘରକୁ କାହିଁକି ଯାଇଥିଲେ, ତାହାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଠିଛି।
ଘଟଣାର ପ୍ରକୃତ ସତ୍ୟାସତ୍ୟ କଣ, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ ଏହି ଘଟଣା ସମ୍ପର୍କରେ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା କିମ୍ବା ମାମଲା ରୁଜୁ ହୋଇଥିବା ସୂଚନା ମିଳିନାହିଁ।

