ଏବେ ବି ଟିକା ନେଇନାହାନ୍ତି ୨୭ ଲକ୍ଷ

ଭୁବନେଶ୍ୱର,୬।୧(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବାକୁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ସମସ୍ତ ଲୋକେ ଯେପରି ସୁବିଧାରେ ଟିକା ନେଇପାରିବେ ସେ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି।

ଏହାସତ୍ତ୍ୱେ ରାଜ୍ୟରେ ପ୍ରାୟ ୨୭ଲକ୍ଷ ଲୋକ ପ୍ରଥମ ଡୋଜ୍‌ ଟିକା ନେଇ ନ ଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟର ୨୬ ଲକ୍ଷ ଲୋକେ ଦ୍ୱିତୀୟ ଡୋଜ୍‌ ଟିକା ନେଇ ନାହାନ୍ତି। ସେମାନଙ୍କୁ ତୁରନ୍ତ ଉଭୟ ଡୋଜ୍‌ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି। ରାଜ୍ୟରେ ଜାନୁଆରୀ ୩ ତାରିଖରୁ ୧୫ରୁ ୧୮ବର୍ଷ ବୟସ ବର୍ଗଙ୍କ ଟିକାକରଣ ଆରମ୍ଭ ହୋଇଛି। ବୁଧବାର ୧ହଜାର ୧୨୫ଟି ସ୍ବତନ୍ତ୍ର କେନ୍ଦ୍ରରେ କିଶୋରଙ୍କୁ ଟିକାକରଣ କରାଯାଇଥିଲା। ଗୋଟେ ଦିନରେ ୮୦ହଜାରରୁ ଊର୍ଦ୍ଧ୍ୱ କିଶୋର ଟିକା ନେଇଛନ୍ତି। ଏହାକୁ ମିଶାଇ ମୋଟ୍‌ ୨ଲକ୍ଷ ୬୪ହଜାର କିଶୋରଙ୍କ ଟିକାକରଣ କରାଯାଇଛି। ଅପରପକ୍ଷେ ବୟସ୍କ ଓ ସ୍ବାସ୍ଥ୍ୟକର୍ମୀଙ୍କୁ କେଉଁ ପ୍ରକାର ଟିକାର ବୁଷ୍ଟର ଡୋଜ ଦିଆଯିବ ସେ ନେଇ କେନ୍ଦ୍ରରୁ ଏଯାବତ୍‌ କୌଣସି ଲିଖିତ ଚିଠି ଆସି ନ ଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।