ଡିଜିପି ଦାୟିତ୍ୱରେ ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ୱର,୩୦ା୧୨: ବରିଷ୍ଠ ଆଇପିଏସ୍‌ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଅରୁଣଙ୍କୁ ଅତିରିକ୍ତ ଦାୟିତ୍ୱ ନେଇ ଗୃହ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଅରୁଣ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି। ଏଥିସହ ସେ  ପୋଲିସ ବିଭାଗର ମୁଖ୍ୟ ଭାବେ କାମ କରିବେ।

ସୂଚନାଯୋଗ୍ୟ, ଡିସେମ୍ବର ୩୧ରେ ବର୍ତ୍ତମାନର ପୋଲିସ ଡିଜି ସୁନୀଲ କୁମାର ବଂଶଲ ଚାକିରିରୁ ଅବସର ନେବେ। ତେଣୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଡିଜିପି ଭାବେ ଅରୁଣ ଶପଥ ନେବେ। ନଭେମ୍ବର ୧୮ରେ ରାଜ୍ୟ ସରକାର ୧୯୮୭ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ସୁନୀଲ କୁମାର ବଂଶଲଙ୍କୁ ଅବସର ଅନୁମତି ପ୍ରଦାନ କରିଥିଲେ। ୨୦୨୧ ଡିସେମ୍ବରରେ ଓଡ଼ିଶା ପୋଲିସ ଡିଜି ଭାବେ ଦାୟିତ୍ୱ ନେଇଥିଲେ। ସେ ୧୯୮୮ରେ ପ୍ରଥମେ ଢେଙ୍କାନାଳର ଅତିରିକ୍ତ ଏସ୍‌ପି ହୋଇଥିଲେ। ଏହାପରେ ମୟୂରଭଞ୍ଜ ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ। ୧୯୯୪ରେ ସେ କେନ୍ଦ୍ରୀୟ ଡେପୁଟେଶନରେ ଯାଇଥିଲେ। ଦୀର୍ଘ ୨୭ ବର୍ଷ ପରେ ୨୦୨୧ରେ ଓଡ଼ିଶା ଫେରିବା ସହିତ ପୋଲିସ ବିଭାଗର ସବୁଠାରୁ ବଡ଼ ପଦବୀ ଗ୍ରହଣ କରିଥିଲେ।