କଳା କଳଙ୍କ-କଳହ

ରଞ୍ଜନ କୁମାର ଦାସ

କଳାର ସୃଷ୍ଟି ଯେ କାଳେକାଳେ କଳାକାରର ଜ୍ୱଳନ, ପୀଡ଼ନ, ବ୍ୟଥା ଓ ବେଦନାରୁ ଜାତ ଏକଥା ସର୍ବଜନସ୍ବୀକୃତ। ବୋଧହୁଏ ଏ ନିରବିଧି ଜ୍ୱଳନର ଅଗ୍ନିରୁ ଜାତ ଅଙ୍ଗାର ହିଁ ତା’ର କଳା। ସେ ଅଗ୍ନିରୁ ଜାତ ପାଉଁଶ ହିଁ ତା’ କଳଙ୍କର ଟିକା, ଯାହାକୁ ସେ ମଥାରେ ବୋହି ଅନ୍ତୁଡ଼ିରୁ ମଶାଣିଯାଏ ଘୂରି ବୁଲୁଥାଏ। କଳା ଓ କଳଙ୍କ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି। କଳାକାରମାନେ ତେଣୁ କାଳେକାଳେ ସନ୍ଦେହର ଘେରରେ। ଘରେ, ବାହାରେ, ସବୁଠି। ଲୋକେ ଭାବନ୍ତି କଳାକାରମାନେ ଏକ ଅଣପାରମ୍ପରିକ ବୋହେମିଆନ୍‌ ଜୀବନ ଜିଅନ୍ତି। ସେମାନଙ୍କ ଚିନ୍ତା ଚେତନା, ଜୀବନଚର୍ଯ୍ୟା ସବୁ ଭିନ୍ନ। ସେମାନଙ୍କ ସମ୍ପର୍କ, ଚାଲିଚଳନ, ଆଚାର ବ୍ୟବହାର ଆଦି ସବୁବେଳେ ଯବକାଚର ନିରୀକ୍ଷଣ ତଳେ ଥାଏ। ତାଙ୍କ ଭିତରୁ କିଏ ନିଶାସକ୍ତ ହେବାର, କେହି ପରକୀୟା ପ୍ରେମରେ ପଡ଼ିବାର, କେହି ସଂସାର ବିମୁଖ ହେବାର ନିନ୍ଦା ଓ କଳଙ୍କ ବୋହିଥାଆନ୍ତି। ସେମାନେ ଯେତିକି ଭଲପାଇବା ଲୋକଙ୍କଠାରୁ ପାଇଥା’ନ୍ତି ତାଠୁ କାହିଁ କେତେ ଗୁଣା ଅଧିକ ସନ୍ଦେହ, ଈର୍ଷା, ଘୃଣା ଓ ପରଶ୍ରୀକାତରତା ଆଦି ଭୋଗିଥା’ନ୍ତି। କେବେ ତାଳି ମିଳିଥାଏ ତ କେବେ ଗାଳି। ଏସବୁକୁ ଛାଡ଼ି କଳାକାର କେବେ ତା’ର ସମ୍ପୂର୍ଣ୍ଣ ଏକାକୀ ନିଃସଙ୍ଗ, ନିସ୍ତରଙ୍ଗ, ନିରୁପଦ୍ରବ ଜୀବନଟିଏ ଜିଇପାରେ ନାହିଁ। ଅସହିଷ୍ଣୁ ଏ ସଂସାରରେ ଲେଖକଙ୍କ ବହି ପୋଡ଼ା ହୁଏ। ତାଙ୍କୁ ପାଗଳ କୁହାହୁଏ। ଅପଦାର୍ଥ ମଣାଯାଏ। ଧର୍ମାନ୍ଧ ଦୁନିଆରେ ଚିତ୍ରକରଙ୍କ ମୁଣ୍ଡ ଉପରେ ଫତୱା ଜାରି କରାଯାଏ। ଛିଦ୍ରାନ୍ବେଷୀ ଜଗତରେ ଗାୟିକା ଓ ନାୟିକାଙ୍କ ଚରିତ୍ର ସଂହାର କରାହୁଏ। ନାୟକ ଓ ଗାୟକ ବାସନ୍ଦ ହୁଅନ୍ତି। ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ହୁଏ। କେବେ ସେମାନେ ତାଙ୍କ କଳା ପାଇଁ ଚର୍ଚ୍ଚିତ ହୁଅନ୍ତି, କେବେ ପୁଣି ତାଙ୍କ କଳଙ୍କ ପାଇଁ। କଳଙ୍କ ସହି ନପାରି କିଛି ଲୋକ ଭାଙ୍ଗିପଡ଼ନ୍ତି। ମାତ୍ର ଅନେକ ସେଇ କଳଙ୍କଙ୍କୁ ଟିକା କରି ଜୀବନ ଯୁଦ୍ଧରେ ଆଗକୁ ବଢ଼ନ୍ତି। ପାଉଁଶ ଭିତରୁ ନିଆଁ ଖୋଜିଲା ପରି, ସେମାନେ କଳଙ୍କ ଭିତରୁ ଖୋଜି କାଢ଼ନ୍ତି ତାଙ୍କ କଳାର ପସରା। ଗାଳିର ଗଞ୍ଜଣାକୁ ଖାତିର ନ କରି ଖୋଜିବସନ୍ତି ତାଳିର ତର୍ପଣ। ତମାମ ତପସ୍ୟା ଭିତରେ ପ୍ରତ୍ୟେକଥର ବିଜୟ ହୁଏ କଳାର, ଚିରଞ୍ଜୀବୀ ହୁଏ କଳାକାର। କଳା କେବେ ମରେନି।
ମାତ୍ର କଳାକୁ ବା କଳାକାରକୁ ମାରିବାକୁ କ’ଣ ସମାଜ ଏକାକୀ ଚେଷ୍ଟା କରେ? ଅନେକ ସମୟରେ ଦେଖାଯାଏ କଳାକାରର ପ୍ରଥମ ଶତ୍ରୁ, ପ୍ରଥମ ଅସହିଷ୍ଣୁ ସାଧାରଣ ଲୋକ ନୁହେଁ, ବରଂ ଆଉ ଜଣେ କଳାକାର। ଜୀବନଜଗତର ଛୋଟ ସାପକୁ ଖାଏ ବଡ଼ ସାପ, ଛୋଟ ମାଛକୁ ଗିଳେ ବଡ଼ ମାଛ। ଏପରିକି ଜଙ୍ଗଲ ରାଜା ବାଘ ବା ସିଂହଙ୍କୁ ମଧ୍ୟ ବେଳେବେଳେ ଡାହାଳ କୁକୁର ଦଳ ଆକ୍ରମଣ କରି ମାରିଦିଅନ୍ତି। ବେଳେବେଳେ ବାହାର କେହି ମାରିବା ଲୋକର ଆବଶ୍ୟକତା ମଧ୍ୟ ପଡ଼େନି। ନିଜ ନିଜ ଭିତରେ କଳହ, ଈର୍ଷା, ପରଶ୍ରୀକାତରତା, ହୀନମନ୍ୟତା ଆମକୁ ନିଜକୁ ମାରେ। ଇଏ ହେଲା କଳାକ୍ଷେତ୍ରର ନୂତନ କଳଙ୍କ। ଯଦୁବଂଶର ଶେଷ ବେଳକୁ ଯେମିତି ଯାଦବମାନେ ପରସ୍ପର ମଧ୍ୟରେ କଳହ କରି ସେମାନଙ୍କ ବଂଶନାଶ ହେଲା, ସେହିପରି ପ୍ରକ୍ରିୟା ସତେ ଯେମିତି ଆରମ୍ଭ ହେଇଗଲାଣି। କଳାକାରମାନଙ୍କ ଆଖିରେ ଆଉ ସେ ନିରୀହ ଅଧ୍ୟାତ୍ମ ଭାବଟି ନାହିଁ। ନିଜକୁ ଦ୍ୱିତୀୟ ଈଶ୍ୱର ମଣୁଥିବା ସାହିତି୍ୟକ, ନିଜକୁ ପ୍ରଜାପତି ବ୍ରହ୍ମା ଭାବୁଥିବା ଚିତ୍ରକର, ନିଜକୁ ସରସ୍ବତୀ ଭାବୁଥିବା ସଙ୍ଗୀତକାର, ନିଜକୁ ନଟରାଜ ଭାବୁଥିବା ନର୍କ, ରମ୍ଭା ମେନକା ଉର୍ବଶୀ ଭାବୁଥିବା ନର୍ତ୍ତକୀ, ସମସ୍ତେ ନିଜ ନିଜ ଅହଂକୁ ନେଇ ଅଳଙ୍କୃତ। ସେମାନେ ଅନ୍ୟ କାହାକୁ ନିଜଠୁ ଅଧିକ ବୋଲି ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। ଯଦି ଅନ୍ୟ କେହି କିଛି ଭଲ କଲା, ତେବେ ତା’ର କଛା ଟାଣିବାକୁ ବା ତା’ର ଗୋଚ୍ଛି ହାଣିବାକୁ କାହା ମନ ଭିତରେ ଦ୍ୱିଧା ରହୁନାହିଁ। ଆମେ ନିଜକୁ କଳାକାର କହୁଚୁ, କଳାପ୍ରିୟ ବୋଲାଉଛୁ। ମାତ୍ର କଳା ଅପେକ୍ଷା କଳହ ଆମ ପାଇଁ ପ୍ରିୟତର। ଅନ୍ୟଠି କଳଙ୍କ ବୋଳିବା ଆମ ପାଇଁ ଲାଭଦାୟୀ ବୋଲି ଆମେ ଭାବୁଛୁ।
କଳାରେ ହଜାରେ ବାଟ ଅଛି। ଯିଏ ଯୋଉ ବାଟରେ ଯିବା କଥା ଯାଅ। ଜଣେ ଯଦି ଗୋଟିଏ ବାଟରେ ଯାଉଚି ଯାଉ, ତମେ ଅନ୍ୟବାଟରେ ଯାଅ ମନା କିଏ କରୁଚି? ମାତ୍ର ନା, ଆମ ଭିତରେ ତୀବ୍ର ପ୍ରତିଯୋଗିତା ଆମେ କାହାକୁ ଆଗକୁ ଯିବାକୁ ଦେବୁନି। ପରସ୍ପର ପରସ୍ପରର ଗୋହି ଖୋଳିବୁ, ଜଣେ ଅନ୍ୟ ଜଣଙ୍କ ନାଁରେ କଳଙ୍କ ବୋଳିବ। ଜଣେ ଯଦି କୌଣସିମତେ ଆଗକୁ ଚାଲିଗଲା, ଆମେ ତାକୁ ପଛରୁ ଭିଡ଼ି ଧରିବାକୁ ଯତ୍‌ପରୋନାସ୍ତି ଚେଷ୍ଟା କରିବୁ। ତାକୁ ପୁରସ୍କାର ବା ସମ୍ମାନ ଦିଏଇ ନ ଦେବାକୁ କୋର୍ଟ କଚେରି କରିବୁ। ଲୋକ ଲଗେଇ ଅଣ୍ଡା ମାରିବୁ, ଟମାଟୋ ଫିଙ୍ଗିବୁ, କାନ୍ଥରେ ଲେଖିବୁ, ତା’ର ଚରିତ୍ର ସଂହାର କରିବୁ। ସତରେ ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ ଯେ ଆମେ ଯେତେ କଳାପ୍ରିୟ ବୋଲି ଦାବି କରୁ, ତା’ଠୁ ବେଶି କଳହପ୍ରିୟ, ତା’ଠୁ ବେଶି କଳଙ୍କପ୍ରିୟ!
କୁଆଡ଼େ ଗଲା ଆମ ‘ସହିତ’ର ଭାବ କଥା କହୁଥିବା ସାହିତ୍ୟର ମର୍ମବାଣୀ? କୁଆଡ଼େ ଗଲା ‘ସମଗାୟନ’ର ମନ୍ତ୍ର ନେଇ ଉଚ୍ଚାରିତ ହେଇଥିବା ସଙ୍ଗୀତ? ସାହିତ୍ୟ ତ କହିଥିଲା ସମସ୍ତେ ସମସ୍ତଙ୍କ ସହିତ ରହିବା। ସଙ୍ଗୀତ ତ କହିଥିଲା ସାଙ୍ଗ ହେଇ ଗାଇବା। ଅଥଚ ସାହିତ୍ୟର ଧର୍ମ ପାଳନ କରୁଚି ବୋଲି କହୁଥିବା ଲୋକମାନେ କେହି କାହା ସହ ନାହାନ୍ତି। ପରସ୍ପର ପରସ୍ପର ସହ ବିରୋଧୀ। ସଙ୍ଗୀତର ସାଧନା କରୁଥିବା ଲୋକେ ସାଙ୍ଗ ହେଇ ସମତାଳରେ ଗାଇବା ଓ ଐକତାନରେ ବଜେଇବା କଥା ଚିନ୍ତା କରୁଛନ୍ତି ଆଉ? ନୃତ୍ୟରେ ଥିବା ଲୋକଙ୍କର ପାଦ ଆଉ ଏକାଠି ଉଠୁଚି? ଏକାଠି ପଡୁଚି? ବେଳେବେଳେ ଲାଗୁଚି ଆମେ ସଂସାରକୁ ପୂରା ସଜାଡ଼ିବା କ’ଣ ଅଧା ସଜଡ଼ା ସଂସାରକୁ ଉଜାଡ଼ିବା ପାଇଁ ବେଶି ପ୍ରତିଶ୍ରୁତିବଦ୍ଧ। ଅଧିକ ସୁନ୍ଦର ଓ ମଧୁର କରିବା କ’ଣ ଯୋଉଠି ଯେମିତି ପାରୁଚେ ଅଧିକ ବିକୃତ, ବିବର୍ଣ୍ଣ କରିବାରେ ଅବହେଳା କରୁନାହେଁ। ଈଶ୍ୱର ଯେତେବେଳେ କଳାକାରମାନଙ୍କୁ ସୃଷ୍ଟି କରିଥିଲେ, ସଂସାରର ସୌନ୍ଦର୍ଯ୍ୟ ଓ ସୌଷ୍ଠବ ପାଇଁ ନିଯୁକ୍ତ କରିଥିଲେ, ସେତେବେଳେ ସେ ଭାବିଥିବେ ଏଇମାନେ ମୋର ଦୂତ। ମୁଁ ତ ସବୁଠାରେ ଏଇମାନଙ୍କ ମାଧ୍ୟମରେ ପ୍ରକଟିତ ହେବି। ମୋର ଇଚ୍ଛାର ଦୁନିଆକୁ ଏଇମାନେ ତାଙ୍କ ଅଙ୍ଗୁଳି ଅଗରେ ରୂପରେଖ ଦେବେ। ମୁଁ ଆଙ୍କିଥିବା ଚିତ୍ରଟିକୁ ଏମାନେ ରଙ୍ଗ ଦେଇ ଅଧିକ ରୂପବନ୍ତ କରିବେ, ମୁଁ ରଚିଥିବା ଗୀତର ମୁଖଡ଼ାରେ ଏମାନେ ଯୋଡ଼ିବେ ଅନ୍ତରା, ମୁଁ ଆରମ୍ଭ କରିଥିବା କବିତାର ବାକିତକ ଧାଡ଼ି ପୂରଣ କରିବେ ଏଇମାନେ।
ଆଜିର ଏ ଅବସ୍ଥା ଦେଖି ଈଶ୍ୱର ବି ସତରେ ଆଜି କେତେ ଅସନ୍ତୋଷରେ ଥିବେ! ଜଳୁଥିବେ କେତେ ଅନ୍ତର୍ବେଦନାରେ! ପାଖରେ କେହି ନଥିଲା ବେଳେ ମନସ୍ତାପରେ କହୁଥିବେ କାହିଁକି ଗଢ଼ୁଥିଲି ଏ ନିଉଛୁଣାଗୁଡ଼ାଙ୍କୁ! କେହି ଜଣେ ଯେତେବେଳେ ଅଭିମାନରେ ଈଶ୍ୱରଙ୍କୁ ଶୁଣେଇ ଶୁଣେଇ ଗାଇ ଦଉଥିବ, ଦେଖ୍‌ ତେରେ ସଂସାର କି ହାଲତ୍‌ କ୍ୟା ହୋ ଗୟି ଭଗବାନ୍‌… କିତନା ବଦଲ ଗୟା ଇନ୍‌ସାନ… ଭଗବାନ୍‌ ବି ମୁହଁ ଲୁଚେଇ ଲୁଚେଇ ଅନୁତାପ କରୁଥିବେ ତାଙ୍କ ସର୍ଜନାର ବିଫଳତା ପାଇଁ ଆଉ କହୁଥିବେ, ମଣିଷ ଆଉ ଗା ନାରେ ଏଇ ଗୀତ ! ମୁଁ ତ ଲାଜରେ ମରିଯାଉଚି କ୍ଷଣକୁ କ୍ଷଣ!
ନିର୍ଦ୍ଦେଶକ, ସଂସ୍କୃତି ବିଭାଗ
ମୋ: ୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?