କେନ୍ଦୁଝରରେ ରେଡ୍‌ ହେଡେଡ୍‌ ଡକ୍‌ସ

କେନ୍ଦୁଝର,୨୯ା୧୨(ସ୍ବ.ପ୍ର.): ଶୀତ ଋତୁ ଆସିଲେ କେନ୍ଦୁଝର ଜିଲାର ବିଭିନ୍ନ ଜଳାଶୟରେ ଦେଶ ଓ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। ଚଳିତ ବର୍ଷ ଜିଲାକୁ ସୁଦୂର ଆମେରିକା ଓ କାନାଡ଼ାର ରେଡ୍‌ ହେଡେଡ ଡକ୍‌ସ ଆସିଥିବା ଦେଖିବାକୁ ମିଳିଛି। ବିଶେଷ କରି ଶାନ୍ତ ପରିବେଶ ମଧ୍ୟରେ ଥିବା ଜଳାଶୟ, ଡ୍ୟାମ, ପୋଖରୀ ଆଦିରେ ପକ୍ଷୀଙ୍କ କଳରବ ଶୁଣିବାକୁ ମିଳୁଛି।

କେନ୍ଦୁଝର ସହର ୬ ନମ୍ବର ଓ୍ବାର୍ଡର ବଡ଼ଶାସନ ପୋଖରୀରେ ଉକ୍ତ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ପ୍ରତ୍ୟେକ ବର୍ଷ ପକ୍ଷୀ ଏଠାକୁ ଆସିଥାନ୍ତି ଏବଂ ଜଳକ୍ରୀଡ଼ା କରିବା ସହ ବିଭିନ୍ନ ଗଛରେ ବସା କରିଥାନ୍ତି। ସେମାନଙ୍କୁ ଦେଖିବାକୁ ପରିବେଶ ତଥା ପକ୍ଷୀପ୍ରେମୀଙ୍କ ଭିଡ଼ ଜମେ। ଶୀତ ଋତୁ ପରେ ପକ୍ଷୀ ଫେରିଯାଆନ୍ତି ବୋଲି ସ୍ଥାନୀୟ ବାସିନ୍ଦା ସୁଧିର ନନ୍ଦ କହିଛନ୍ତି। ତେବେ ଏହି ପୁରାତନ ପୋଖରୀର କଂକ୍ରିଟ କରଣ କାମ ଚାଲିଥିବାରୁ ଆଗାମୀ ଦିନରେ ପକ୍ଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ ବୋଲି ପରିବେଶବିତ୍‌ ଡ. ବିମ୍ବାଧର ବେହେରା କହିଛନ୍ତି। ଏହା ଛଡ଼ା ଜିଲାର କୋଡ଼ିପଶା, ବଡ଼ଘାଗରା, କାନଝରୀ, ହଦଗଡ଼ ଆଦି ଡ୍ୟାମ, ବଡ଼ବଡ଼ ପୋଖରୀ, ନଦୀନାଳ ସମେତ ଜଳାଶୟକୁ ବହୁ ସଂଖ୍ୟାରେ ପକ୍ଷୀ ଆସିଥାନ୍ତି। ପ୍ରତ୍ୟେକ ବର୍ଷ ପକ୍ଷୀ ଗଣନା ହୋଇଥାଏ। ଚଳିତ ବର୍ଷ ଗଣନା ପରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା, ପ୍ରଜାତି ସମ୍ପର୍କରେ ସବିଶେଷ ସୂଚନା ମିଳିପାରିବ ବୋଲି ଡିଏଫଓ ଏଚ୍‌.ଡି.ଧନରାଜ କହିଛନ୍ତି।