Categories: ଖେଳ

ଶୁଟ୍‌ ଆଉଟ୍‌ରେ ଆର୍ଜେଣ୍ଟିନାକୁ ହରାଇଲା ଭାରତ

ବୁଏନ୍ସଏୟାର୍ସ, ୧୨ା୪(ପି.ଟି.)-ଏଫ୍‌ଆଇଏଚ୍‌ ପ୍ରୋ-ହକି ଲିଗ୍‌ରେ ଅଲିମ୍ପିକ ଚାମ୍ପିୟନ ଆର୍ଜେଣ୍ଟିନାକୁ ୩-୨ ପେନାଲ୍ଟି ଶୁଟ୍‌ଆଉଟରେ ପରାସ୍ତ କରିଛି ଭାରତ। ରୋମାଞ୍ଚଭରା ଏହି ମ୍ୟାଚର ନିର୍ଦ୍ଧାରିତ ସମୟ ଖେଳ ୨-୨ ଗୋଲରେ ଅମୀମାଂସିତ ରହିଥିଲା। ଭାରତ ତରଫରୁ ହରମନପ୍ରୀତ ସିଂ ଦୁଇଟି ଗୋଲ ଦେଇଥିଲେ। ସେ ୨୧ତମ ମିନିଟ୍‌ରେ ପ୍ରଥମ ଗୋଲ ସ୍କୋର କରି ତାଙ୍କ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ପରେ ମାର୍ଟିନ ଫେରିରୋ (୨୮ତମ ଓ ୩୦ତମ ମିନିଟ) ଦୁଇଟି ଗୋଲ ସ୍କୋର କରି ଆର୍ଜେଣ୍ଟିନାକୁ ପ୍ରଥମମାର୍ଦ୍ଧ ଖେଳ ଶେଷ ସୁଦ୍ଧା ୨-୧ରେ ଆଗୁଆ କରାଇଥିଲେ। ହରମନପ୍ରୀତ ୬୦ତମ ମିନିଟ୍‌ରେ ଏକ ପେନାଲ୍ଟି କର୍ନରକୁ ଗୋଲ୍‌ରେ ପରିଣତ କରି ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ମ୍ୟାଚରେ ପି.ଆର. ଶ୍ରୀଜେସ ଚମତ୍କାର ଗୋଲକିପିଂ କରି ଭାରତ ପାଇଁ ବୋନସ ପଏଣ୍ଟ ଆଣିଦେଇଛନ୍ତି। ଇଭେଣ୍ଟର ନିୟମାନୁସାରେ ଶୁଟ୍‌ ଆଉଟରେ ବିଜୟ ଲାଭ କରିଥିବା ଦଳ ବୋନସ ପଏଣ୍ଟ ପାଇବା ଲାଗି ହକ୍‌ଦାର।
ଶ୍ରୀଜେସ ଶୁଟ୍‌ଆଉଟରେ ଲୁକାସ ଭିଲା, ମାର୍ଟିନ ଫେରିରୋ ଓ ଇଗ୍ନାସିଓ ଓରିଜ୍‌ଙ୍କୁ ଗୋଲକରିବା ଲାଗି ସୁଯୋଗ ଦେଇ ନ ଥିଲେ। ଦଲପ୍ରୀତ ସିଂଙ୍କ ଗୋଲ ଯୋଗୁ ଭାରତ ୩-୨ରେ ମ୍ୟାଚ ଜିତି ନେଇଥିଲା। ମ୍ୟାଚର ଫଳାଫଳ ଭିତ୍ତିରେ ଭାରତ ୭ ମ୍ୟାଚରୁ ୧୨ ପଏଣ୍ଟ ସହ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ଷ୍ଟାଣ୍ଡିଂରେ ଏହାର ୫ମ ସ୍ଥାନ ବଜାୟ ରଖିଛି। ଅନ୍ୟପକ୍ଷରେ ଆର୍ଜେଣ୍ଟିନା ସମାନ ସଂଖ୍ୟକ ମ୍ୟାଚରୁ ୧୧ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଛି। ହରମନପ୍ରୀତ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ସେ କହିଛନ୍ତି, ଆମେ ଶେଷ କ୍ଷଣ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲୁ। ବିପକ୍ଷ ଦଳକୁ କୌଣସି ସୁଯୋଗ ନ ଦେବା ଲାଗି ଆମର ପ୍ରୟାସ ଥିଲା। ଫଳସ୍ବରୂପ ଆମେ ମ୍ୟାଚରେ ଜିତିପାରିଥିଲୁ ବୋଲି ହରମନପ୍ରୀତ୍‌ କହିଛନ୍ତି। ସେ କହିଛନ୍ତି ମ୍ୟାଚରେ କେତେକ କ୍ଷେତ୍ରରେ ଆମର ଦୁର୍ବଳତା ପରିଲକ୍ଷିତ ହୋଇଥିଲା। ଦୁଇ ଦଳ ମଧ୍ୟରେ ହେବାକୁ ଥିବା ପରବର୍ତ୍ତୀ ମ୍ୟାଚରେ ଆମକୁ ଏଥିରେ ସୁଧାର ଆଣିବାକୁ ପଡ଼ିବ।

Share