Categories: ଖେଳ

୯,୮୭୯ କୋଟିର ପୁଞ୍ଜି ଖର୍ଚ୍ଚକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପୁଞ୍ଜି ଖର୍ଚ୍ଚ ବାବଦ ୯,୮୭୯ କୋଟିର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ଶନିବାର ସ୍ପଷ୍ଟ କରିଛି। ଏ ନେଇ ୨୭ ରାଜ୍ୟ ପ୍ରସ୍ତାବ ଦେଇଥିଲେ। ରାଜ୍ୟଗୁଡିକୁ ପ୍ରଥମ କିସ୍ତିରେ ୪୯୩୯.୮୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ତାମିଲନାଡୁ ବାଦ ସବୁ ରାଜ୍ୟ ପୁଞ୍ଜି ଖର୍ଚ୍ଚର ସ୍ବତନ୍ତ୍ର ସହାୟତା ଭାବେ ଏଭଳି ଅର୍ଥ ଲାଭ କରିଛନ୍ତି। ଅକ୍ଟୋବର ୧୨ରେ ଘୋଷଣା ହୋଇଥିବା ଆତ୍ମ ନିର୍ଭର ଭାରତ ପ୍ୟାକେଜ ଅଧିନରେ ଏହି ରାଶି ପ୍ରଦାନ କରାଯାଉଛି। ରାଜ୍ୟଗୁଡିକର ପୁଞ୍ଜି ଖର୍ଚ୍ଚକୁ ବଢାଇବା ଏହି ସ୍କିମର ଲକ୍ଷ୍ୟ ରହିଛି। କୋଭିଡ ଯୋଗୁ ରାଜସ୍ବ ସଂଗ୍ରହ କମିଥିବାରୁ ରାଜ୍ୟଗୁଡିକର ବିତ୍ତୀୟ ସ୍ଥିତି ବିଗିଡିଛି। ଏହି ପୁଞ୍ଜି ଖର୍ଚ୍ଚ ଅର୍ଥ ବ୍ୟବସ୍ଥା ଲାଗି ଆଗାମୀ ଦିନରେ ଲାଭକାରୀ ହେବ ବୋଲି ମନ୍ତ୍ରଣାଳୟ ଆଶାବାଦୀ ରହିଛି। ଟିକସ ସଂଗ୍ରହ କ୍ଷେତ୍ରରେ କେନ୍ଦ୍ର ସରକାର ମଧ୍ୟ ସମସ୍ୟା ସାମ୍ନା କରୁଛନ୍ତି। ହେଲେ ରାଜ୍ୟଗୁଡିକର ଅଭିବୃଦ୍ଧିକୁ ଧ୍ୟାନରେ ରଖି ଏଭଳି ବ୍ୟବସ୍ଥା କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସ୍ବାସ୍ଥ୍ୟ, ଗ୍ରାମୀଣ ବିକାଶ, ଜଳ ଯୋଗାଣ, ଜଳସେଚନ, ଶକ୍ତି, ପରିବହନ ଏବଂ ଶିକ୍ଷା ଭଳି କ୍ଷେତ୍ରରେ ଏହି ଅର୍ଥ ରାଶି ଖର୍ଚ୍ଚ ହେବ। ଆତ୍ମ ନିର୍ଭର ଭାରତ ଯୋଜନାରେ ରାଜ୍ୟଗୁଡିକୁ ୧୨ ହଜାର କୋଟି ଟଙ୍କାର ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ।

Share