ଟିକେଟ ପାଇଁ ବ୍ୟାକୁଳ

ସାମ୍ପ୍ରତିକ ନିର୍ବାଚନ ସ୍ଥିତି ଦେଖିଲେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁରରେ ଆସନ୍ତା ମାସ ବିଧାନସଭା ଭୋଟ୍‌ ହେବାକୁ ଯାଉଛି। ଏବେ ଦଳଡିଆଁ, ଟିକେଟ ନ ମିଳିବାରୁ କାନ୍ଦିବା ଓ ଆତ୍ମହତ୍ୟା ଉଦ୍ୟମ ଭଳି ଆଶାୟୀ ନେତାଙ୍କ ବିଚିତ୍ର ଘଟଣାସବୁ କୌତୂହଳ ପାଲଟିଯାଇଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଫଳାଫଳ କ୍ୱାର୍ଟର ଫାଇନାଲ ହେବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି। ଏହି ରାଜ୍ୟ ନିର୍ବାଚନଗୁଡ଼ିକର ଗୁରୁତ୍ୱ କେବଳ ଉତ୍ତରପ୍ରଦେଶ ଯୋଗୁ ବୃଦ୍ଧି ପାଉଛି। କାରଣ ଉତ୍ତରପ୍ରଦେଶରୁ ସର୍ବାଧିକ ସାଂସଦ ପାର୍ଲାମେଣ୍ଟକୁ ଯାଇଥାଆନ୍ତି। ଏହି ରାଜ୍ୟରେ ଭାଜପା ପୁଣି କ୍ଷମତାକୁ ଯେଭଳି ଫେରିପାରିିବ ସେଥିପାଇଁ ଦଳ ଜୋରଦାର ପ୍ରୟାସ କରିଚାଲିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ଥର କିଏ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ, ତାହା ଆଜି ପର୍ଯ୍ୟନ୍ତ ଭାଜପା କେନ୍ଦ୍ରୀୟ ନେତୃତ୍ୱ ଦ୍ୱାରା ସ୍ପଷ୍ଟ କରାଯାଇ ନାହିଁ। କୁହାଯାଉଥିଲା ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରୁ ଲଢ଼ିବେ ବୋଲି ଇଚ୍ଛୁକ ଥିଲେ। କିନ୍ତୁ ତାଲିକାରେ ତାଙ୍କ ନାମ ଗୋରଖପୁରରୁ ଉଠିଛି। ଏହା ଏକ ଦଳୀୟ ନିଷ୍ପତ୍ତି ହେଲେ ମଧ୍ୟ ତାହା ରାଜନୈତିକ ଗୁରୁତ୍ୱ ଧାରଣ କରୁଛି। ଅନ୍ୟପଟେ ସମାଜବାଦୀ ପାର୍ଟି (ଏସ୍‌ପି), ବହୁଜନ ସମାଜପାର୍ଟି (ବିଏସ୍‌ପି) ଏବଂ କଂଗ୍ରେସ ପୃଥକ୍‌ ଭାବେ ଲଢ଼ୁଥିବାରୁ ଭାଜପା ବିରୋଧୀ ଭୋଟ୍‌ ବିଭାଜିତ ହେବାର ସମ୍ଭାବନା ରହିଛି। ଏହି ବିଭାଜନ ଭାଜପାକୁ କେତେଦୂର ସାହାଯ୍ୟ କରିବ, ତାହା କୌଣସି ଜାତୀୟ ଗଣମାଧ୍ୟମରୁ ସ୍ପଷ୍ଟ ଜଣାପଡ଼ୁ ନାହିଁ। କିନ୍ତୁ ନିର୍ବାଚନମଣ୍ଡଳୀଗୁଡ଼ିକରେ ଘଟୁଥିବା ବିଭିନ୍ନ ଘଟଣା ତୃଣମୂଳ ସ୍ତର ସ୍ଥିତି ସମ୍ପର୍କରେ କିଛିଟା ଆଲୋକପାତ କରୁଛି। ଗତ ଏକ ସପ୍ତାହ ମଧ୍ୟରେ ଯୋଗୀଙ୍କ ମନ୍ତ୍ରିମଣ୍ଡଳରୁ ୩ ଜଣ ମନ୍ତ୍ରୀ ଓ ଭାଜପାର ୫ ବିଧାୟକ ଦଳ ଛାଡ଼ି ଏସ୍‌ପିରେ ଯୋଗଦେଇଛନ୍ତି। ଓବିସିର ଟାଣୁଆ ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା ଭାଜପା ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିପାରେ ବୋଲି ଆଲୋଚନା ହେଉଛି। ୨୦୧୭ ନିର୍ବାଚନ ପୂର୍ବରୁ ସେ ବିଏସ୍‌ପିରେ ଥିଲେ ଓ ଦଳଡିଆଁ ଭାବେ ଭାଜପାରେ ଯୋଗଦେଇ ଯୋଗୀଙ୍କ ହାତମୁଠାକୁ ଟାଣ କରିପାରିଥିଲେ। ତାଙ୍କ ପଛରେ ଓବିସି ଭୋଟ ଥିବାରୁ ସେ ଏବେ ଏସ୍‌ପିରେ ଯୋଗଦେବା ଏକ ଭିନ୍ନ ଦିଗକୁ ଇଙ୍ଗିତ କରୁଛି। ସମ୍ଭବତଃ ସେ ଏସ୍‌ପିର ବିଜୟ ସମ୍ଭାବନାକୁ ମାପି ସାରିଲେଣି। ସେହିପରି ଅନ୍ୟ ଯେଉଁ ନେତା ଓ ମନ୍ତ୍ରୀ ଭାଜପା ପରିତ୍ୟାଗ କରି ଏସ୍‌ପିରେ ଯୋଗଦେଇଛନ୍ତି, ସେମାନେ ମଧ୍ୟ ଭାବିସାରିଲେଣି ଯେ ଏସ୍‌ପି ପ୍ରତି ଜନସାଧାରଣଙ୍କ ସମର୍ଥନ ବଢ଼ୁଥିବାରୁ ସେମାନଙ୍କ ନିଷ୍ପତ୍ତି ସକାରାତ୍ମକ ଫଳ ଦେବ। ଦେଖିବାକୁ ଗଲେ ଶାସକ ଦଳ ନିର୍ବାଚନ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ। ଯେତିକି କାର୍ଯ୍ୟ କରିବାର ଦକ୍ଷତା ବା ଇଚ୍ଛା ନ ଥାଏ, ତାହାଠାରୁ ବହୁ ଅଧିକ ପ୍ରତିଶ୍ରୁତି ଦିଆଯାଇଥାଏ। ସେଭଳି ଅପାରଗତାର ଉଦାହରଣ କୋଭିଡ୍‌ ପରିଚାଳନା ସମୟରେ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଥିଲା। ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସେଠାରେ ଅସମ୍ଭାଳ ହୋଇପଡ଼ିଥିବା ସମ୍ପର୍କରେ ବହୁବାର ଖବର ମିଳିଛି। ଏଭଳି ସ୍ଥଳେ ଉତ୍ତରପ୍ରଦେଶରେ ନିର୍ବାଚନ ଜିତିବ ବୋଲି ଭାଜପା କେନ୍ଦ୍ରୀୟ ନେତୃତ୍ୱ ସନ୍ଦେହରେ ଥିବା ସ୍ବାଭାବିକ। ପୂର୍ବରୁ ଯାହା କୁହାଯାଉଥିଲା, ଭାଜପାର ନିର୍ବାଚନ ରଥର ସାମ୍ନା କରିବା ପାଇଁ କୌଣସି ନେତୃତ୍ୱ ବା ସଙ୍ଗଠନ ଦେଶରେ ନାହିଁ; ପଶ୍ଚିମବଙ୍ଗରେ ସେହି ଭାବମୂର୍ତ୍ତି ଚୂରମାର ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବହୁଳ ମାତ୍ରାରେ ପ୍ରଚାର ସତ୍ତ୍ୱେ ଆଶାନୁରୂପ ଭୋଟ୍‌ ଆସିଲା ନାହିଁ କିମ୍ବା ସେଠାକାର ସରକାରରେ ପରିବର୍ତ୍ତନ ଘଟିଲା ନାହିଁ।
ଗତଥର ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଡିମନିଟାଇଜେଶନ ବା ବିମୁଦ୍ରୀକରଣ କରାଯିବା ଫଳରେ ବିରୋଧୀ ଦଳଗୁଡ଼ିକର ମନୋବଳ ଭାଙ୍ଗି ଦିଆଯାଇଥିଲା। ଅବଶ୍ୟ ସେତେବେଳେ ବିମୁଦ୍ରୀକରଣ କରାଯାଇ ନ ଥିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାବମୂର୍ତ୍ତିକୁ ନେଇ ଉତ୍ତରପ୍ରଦେଶରେ ଭାଜପା ସରକାର ଗଢ଼ିପାରି ନ ଥାଆନ୍ତା। ଏବେ ପୁନର୍ବାର ବିମୁଦ୍ରୀକରଣ ଭଳି ମାରାତ୍ମକ ଖେଳ ଖେଳିବାର ସମ୍ଭାବନା କ୍ଷୀଣ। ଅପରପକ୍ଷରେ ହିନ୍ଦୁତ୍ୱବାଦୀ ପ୍ରଚାରର ଭୋଟ୍‌ ଉପରେ କେତେ ପ୍ରଭାବ ପଡ଼ିବ ତାହାକୁ ମଧ୍ୟ ଅଣଦେଖା କରିହେବ ନାହିଁ।
ଏବର ସ୍ଥିତି ଦେଖିଲେ କେବଳ ଶାସକ ଦଳ ଭିତରେ ସମସ୍ୟା ରହିଛି ତାହା ନୁହେଁ, ବିରୋଧୀ ଶିବିରରେ ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ଦେଖାଦେଇଛି। ୧୪ ଜାନୁୟାରୀରେ ବିଏସ୍‌ପି ନେତା ଅର୍ସଦ ରାଣାଙ୍କୁ ଦଳ ଟିକେଟ ନ ଦେବାରୁ ସେ ପୋଲିସ ଆଗରେ କାନ୍ଦି କହିଥିଲେ ଯେ, ୬୭ ଲକ୍ଷ ଟଙ୍କା ଦେଇଥିବା ସତ୍ତ୍ୱେ ତାଙ୍କୁ ଗୁରୁତ୍ୱ ଦିଆଗଲା ନାହିଁ। ସେହିପରି ୧୬ ଜାନୁୟାରୀରେ ଅସନ୍ତୁଷ୍ଟ ନେତା ଆଦିତ୍ୟ ଠାକୁରଙ୍କୁ ଏସ୍‌ପି ଟିକେଟ ନ ଦେବାରୁ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଶୁଣିବାକୁ ମିଳିଛି। ‘ଭାତହାଣ୍ଡିରୁ ଗୋଟିଏ ଚିପିଲା’ ଭଳି ଇଚ୍ଛୁକ ପ୍ରାର୍ଥୀଙ୍କ ବ୍ୟାକୁଳତା ପ୍ରମାଣ କରୁଛି ଯେ, ଏସ୍‌ପି ଟିକେଟ ପାଇବା ମାତ୍ରେ ଜିତାପଟ ସୁନିଶ୍ଚିତ ବୋଲି ଏକ ଧରଣା ସୃଷ୍ଟି ହୋଇଛି।
୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଦେଖିଲେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଭାଜପା ସରକାର ଶାସନ କରୁଥିବା ବେଳେ ପଞ୍ଜାବରେ କଂଗ୍ରେସ ସରକାର ରହିଛି। ଉତ୍ତରପ୍ରଦେଶରେ ଯୋଗୀ ନିଜ ପାର୍ଟି ଭିତରୁ ବିରୋଧର ସମ୍ମୁଖୀନ ହୋଇଥିବା ବେଳେ ସାଧାରଣ ଲୋକେ ତାଙ୍କ ପ୍ରଶାସନକୁ ଭରସିପାରୁ ନାହାନ୍ତି। ଉତ୍ତରାଖଣ୍ଡରେ ଭାଜପା ଦୁଇଥର ନେତୃତ୍ୱ ପରିବର୍ତ୍ତନ କରିଥିବାରୁ ଦଳ ପ୍ରତି ଲୋକଙ୍କ ବିଶ୍ୱାସ କମିଥିବା ଆଲୋଚନା ହେଉଛି। ମଣିପୁରରେ ଭାଜପା ସାମାନ୍ୟ ଦୃଢ଼ ସ୍ଥିତିରେ ଥିଲେ ମଧ୍ୟ ଗୋଆରେ ଦଳୀୟ ନେତା ଓ ବିଧାୟକମାନେ ଦଳ ଛାଡ଼ୁଥିବାରୁ ତାହା ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି। ତେବେ ପଞ୍ଜାବରେ କଂଗ୍ରେସ ସର୍ବାଧିକ କ୍ଷତି ସହିବ ବୋଲି ଆକଳନ କରାଯାଉଛି। ଯେଉଁଭଳି ଢଙ୍ଗରେ ନିର୍ବାଚନ ପୂର୍ବରୁ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଦାୟିତ୍ୱରୁ ହଟାଇ ଦିଆଗଲା, ତାହା ଦଳ ପାଇଁ କ୍ଷତି ପହଞ୍ଚାଇବା ସିଧା ଦିିଶିଯାଉଛି। କେନ୍ଦ୍ରର ବିବାଦୀୟ କୃଷି ଆଇନ ନାଟକ ଯୋଗୁ ପଞ୍ଜାବରେ ଭାଜପା ବିପର୍ଯ୍ୟୟର ସମ୍ମୁଖୀନ ହେବା ଥୟ ବୋଲି ରାଜନୈତିକ ଚର୍ଚ୍ଚା ହେଉଛି। ତେଣୁ ପଞ୍ଜାବବାସୀ ଭାଜପା ପ୍ରତି ବିମୁଖ ହେବା ଓ କଂଗ୍ରେସକୁ ବିଶ୍ୱାସକୁ ନେଇପାରୁ ନ ଥିବାରୁ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆଡ଼କୁ ଲୋକଙ୍କ ସମର୍ଥନ ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଯଦି ଆଗାମୀ ଦିନରେ ଉତ୍ତର ଭାରତର ଅଧିକାଂଶ ରାଜ୍ୟ ଭାଜପାର ବିରୋଧୀ ଦଳଗୁଡ଼ିକ ହାତକୁ ଚାଲିଯିବ, ତେବେ ତାହାର ପ୍ରଭାବ ୨୦୨୪ ସାଧାରଣ ନିର୍ବାଚନ ଉପରେ ପଡ଼ିବା ସୁନିଶ୍ଚିତ। ଅନ୍ୟପଟେ ସେତେବେଳକୁ ରାଜ୍ୟଗୁଡ଼ିକର ଶାସକ ଦଳ ବିରୋଧରେ ଯଦି ମତ ସୃଷ୍ଟି ହୋଇଯାଇଥାଏ, ତେବେ ପାର୍ଲାମେଣ୍ଟରେ ଭାଜପାକୁ ତାହା ସହାୟକ ହୋଇପାରେ। ତେଣୁ ଆଗାମୀ ଦିନରେ କିଏ କେତେ ଲୋକାଭିମୁଖୀ ହେବେ ତାହା ଭାରତର ଭବିଷ୍ୟତକୁ ନିର୍ଣ୍ଣୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri