ଥୁଆମୂଳ ରାମପୁର/କାଶୀପୁର, ୨୫।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଓ ରାୟଗଡ଼ା ଜିଲାର ସୀମାନ୍ତରେ ଥିବା ପ୍ରାକୃତିକ ସମ୍ପଦକୁ ହାତେଇବା ପାଇଁ କର୍ପୋରେଟ୍ ସଂସ୍ଥାଙ୍କ ପ୍ରୟାସ ଏବେ ଦୁଇ ଜିଲାରେ ନିଆଁ ଜାଳିଛି। ନିକଟରେ ରାୟଗଡ଼ା ଜିଲାରେ ସିଜିମାଳି ଖଣି ପାଇଁ ଆପ୍ରୋଚ୍ ରୋଡ୍ ନିର୍ମାଣକୁ ବିରୋଧ କରି ପୋଲିସ ଏବଂ ଆଦିବାସୀଙ୍କ ମଧ୍ୟରେ ହୋଇଥିବା ଭୟାବହ ରକ୍ତାକ୍ତ ସଂଘର୍ଷର କ୍ଷତ ଏବେ ବି ଶୁଖିନାହିଁ। ଏହି ଘଟଣାରେ ପ୍ରାୟ ୪୦ ଜଣ ପୋଲିସ ଓ ୨୫ ଜଣ ଆଦିବାସୀ ଗୁରୁତର ଆହତ ହୋଇଥିବା ବେଳେ, ଠିକ୍ ଏହି ସମୟରେ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି (S.O. 1983(E), ତାରିଖ ୨୧ ଏପ୍ରିଲ ୨୦୨୬) ଅଞ୍ଚଳବାସୀଙ୍କ କ୍ରୋଧକୁ ଆହୁରି ବଢ଼ାଇ ଦେଇଛି। ଟିକିରି ଷ୍ଟେସନରୁ କୁଟ୍ରୁମାଳି ଓ ସିଜିମାଳି ବକ୍ସାଇଟ୍ ଖଣି ପର୍ଯ୍ୟନ୍ତ ଏକ ‘ସ୍ପେଶାଲ ରେଳ ପ୍ରକଳ୍ପ’କୁ ମଞ୍ଜୁରୀ ମିଳିଛି, ଯାହା ସ୍ପଷ୍ଟ କରୁଛି ଯେ ସରକାର ଓ କମ୍ପାନୀ କେବଳ ଖଣିଜ ଲୁଟ୍କୁ ହିଁ ପ୍ରାଥମିକତା ଦେଉଛନ୍ତି।
ସରକାରୀ ସୂଚନା ମୁତାବକ, ପ୍ରାୟ ୧,୧୫୧.୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ୪୯ କିଲୋମିଟର ରେଳପଥ ମାଧ୍ୟମରେ ସିଜିମାଳି ଓ କୁଟ୍ରୁମାଳିରୁ କୋଟି କୋଟି ଟନ ବକ୍ସାଇଟ୍ ବୋହିନେବା ପାଇଁ ଯୋଜନା ହୋଇଛି। ବେଦାନ୍ତ ଏବଂ ଆଦାନୀ ଗ୍ରୁପ୍ ପରି ବୃହତ ଶିଳ୍ପ ସଂସ୍ଥାମାନେ ରାୟଗଡ଼ା ଓ କଳାହାଣ୍ଡିର ପାହାଡ଼କୁ ଖୋଳିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ, କାଶୀପୁର ଓ ଥୁଆମୂଳ ରାମପୁରର ହଜାର ହଜାର ଆଦିବାସୀ ପରିବାର ନିଜର ଭିଟାମାଟି ଓ ଜୀବିକା ହରାଇବା ଭୟରେ ଥରୁଛନ୍ତି। ପୂର୍ବରୁ ବାଫ୍ଲାମାଳି ଖଣିରୁ ଉତ୍କଳ ଆଲୁମିନା କମ୍ପାନୀ ଅଜସ୍ର ଲାଭ ପାଇଥିଲେ ମଧ୍ୟ ସ୍ଥାନୀୟ ରାୟଗଡ଼ା ଓ କଳାହାଣ୍ଡିବାସୀଙ୍କୁ କେବଳ ପ୍ରଦୂଷଣ ଓ ଦୁଃଖ ହିଁ ମିଳିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପୂର୍ବଘାଟ ପର୍ବତମାଳାର ଜୈବ-ବିବିଧତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ଅଞ୍ଚଳର ବାରମାସୀ ଝରଣାଗୁଡ଼ିକ ଶୁଖିଯିବ, ଯାହା ଉଭୟ ରାୟଗଡ଼ା ଓ କଳାହାଣ୍ଡିର ଚାଷ ଏବଂ ପାନୀୟ ଜଳ ଉପରେ ମାରାତ୍ମକ ପ୍ରଭାବ ପକାଇବ। ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁଟ୍ରୁମାଳି ପ୍ରକଳ୍ପ ପାଇଁ ଆସନ୍ତା ୧୨.୦୫.୨୦୨୬ ରିଖରେ ଜନଶୁଣାଣି ଧାର୍ଯ୍ୟ ହୋଇଛି। ମାତ୍ର ଲୋକଙ୍କ ପ୍ରଶ୍ନ ହେଉଛି—ଯଦି ପୋଲିସ ବଳରେ ସରକାର ଲୋକଙ୍କ ସ୍ୱରକୁ ଦମନ କରି କରିଡର ନିର୍ମାଣ କରିବେ, ତେବେ ଏହି ଜନଶୁଣାଣିର ମୂଲ୍ୟ କ’ଣ?
ସରକାରୀ ଖାତାରେ ଏହା ରାଜସ୍ୱ ବୃଦ୍ଧି ଓ ରେଳ ସଂଯୋଗୀକରଣର ଏକ ବଡ଼ ସଫଳତା ହୋଇପାରେ, କିନ୍ତୁ ସାଧାରଣ ଜନତାଙ୍କ ପାଇଁ ଏହା ସେମାନଙ୍କ ଅସ୍ତିତ୍ୱ ଉପରେ ଶକ୍ତ ଆଘାତ। ରାୟଗଡ଼ା ଓ କଳାହାଣ୍ଡିର ଆଦିବାସୀମାନେ ନିଜର ‘ମାଁ ମାଳି ମାଟି’କୁ ବଞ୍ଚାଇବା ପାଇଁ ଏବେ ଏକଜୁଟ୍ ହୋଇଛନ୍ତି। ବିକାଶ ଏମିତି ହେବା ଉଚିତ୍ ଯାହା ମଣିଷର ହକ୍କୁ ଦଳିଦେବ ନାହିଁ। କମ୍ପାନୀର ମୁନାଫା ଅପେକ୍ଷା ସ୍ଥାନୀୟ ଲୋକଙ୍କ ସ୍ୱାଭିମାନ ଓ ପରିବେଶର ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ସରକାର ତୁରନ୍ତ ଦୁଇ ଜିଲାର ପ୍ରଭାବିତ ଜନତାଙ୍କ ସହ ଆଲୋଚନା କରି ଏକ ସମ୍ମାନଜନକ ସମାଧାନର ପନ୍ଥା ବାହାର ନକଲେ, ଆଗାମୀ ଦିନରେ ଏହି ଅଞ୍ଚଳରେ ଏକ ବୃହତ ଗଣ-ବିସ୍ଫୋରଣ ଘଟିବା ନିଶ୍ଚିତ।

