ବରଗଡ଼/ଭେଡ଼େନ,୨୭।୪(ପ୍ରେମାନନ୍ଦ ଖମାରୀ/ହୃଷୀକେଶ ଖମାରୀ): ବରଗଡ଼ ମୁଖ୍ୟ କେନାଲ ସେଚାଞ୍ଚଳ ଚାଷୀଙ୍କ ଜୀବନ ରେଖା। ହୀରାକୁଦ ଜଳଭଣ୍ଡାରରୁ ବାହାରିଥିବା ଏହି କେନାଲ ଉପରେ କେବଳ ବରଗଡ଼ ନୁହେଁ, ପଡ଼ୋଶୀ ସୋନପୁର ଏବଂ ବଲାଙ୍ଗୀର ଜିଲାର ଆଂଶିକ ଚାଷୀ ନିର୍ଭର କରିଥାନ୍ତି। କେନାଲ ପାଣି ଜମିକୁ ମଡ଼ାଇ ଧାନ ଏବଂ ଅଣଧାନ ଫସଲ କରିଥାନ୍ତି। ଏଥର ରବି ଧାନ ଫସଲ ଭଲ ହୋଇଥିଲା। କିନ୍ତୁ କାଳବୈଶାଖୀ ପ୍ରଭାବରେ କେତେକାଂଶରେ ଫସଲ କ୍ଷତିଗ୍ରସ୍ତ ହୋଇଛି। ବାକି ଫସଲରୁ ଭଲ ଅମଳ ପାଇଁ ଚାଷୀମାନେ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ଫସଲର ଯତ୍ନ ନେବା ସହିତ ଖରାତାତି ସହି ନିୟମିତ ଦେଖାରଖା କରୁଛନ୍ତି। କେତେକାଂଶରେ ଧାନ ଫସଲ ପ୍ରାୟତଃ ଅମଳକ୍ଷମ ଅବସ୍ଥାକୁ ଆସି ଯାଇଛି। ହେଲେ ଅନେକାଂଶରେ ଫସଲ ଏବେ ମଧ୍ୟ ଗର୍ଭ ଅବସ୍ଥାରେ ରହିଛି।
ମୁଖ୍ୟତଃ କେନାଲ ତଳିମୁଣ୍ଡରେ ଧାନ ଏଭଳି ଅବସ୍ଥାରେ ରହିଥିବାବେଳେ ଅମଳକ୍ଷମ ଅବସ୍ଥାକୁ ଆସିବା ପାଇଁ ଆଉ ପାଖାପାଖି ୨ସପ୍ତାହ ସମୟ ଲାଗିବ। କିନ୍ତୁ ଆସନ୍ତା ୩୦ତାରିଖ ସନ୍ଧ୍ୟା ୫ଟାରୁ କେନାଲ ପାଣି ଯୋଗାଣ ବନ୍ଦ ରହିବ ବୋଲି କେନାଲ ବିଭାଗ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଦୀର୍ଘ ୨ମାସ ଧରି ପାଣି ଯୋଗାଣ ବନ୍ଦ ରଖିବାକୁ କେନାଲ ବିଭାଗ ନିଷ୍ପତ୍ତି ନେଇଛି। ଏହି ସୂଚନା ପାଇବା ପରେ ଚାଷୀଙ୍କ ମାନସିକ ସ୍ଥିତି ଦୋହଲି ପଡ଼ିଛି। ଏଭଳି ହେଲେ ଗୋଟିଏ ପଟେ ଆଗାମୀ ଖରିଫ ଧାନ ଚାଷକାର୍ଯ୍ୟ ବିଳମ୍ବିତ ହେବ, ତାହା ସ୍ପଷ୍ଟ ହୋଇ ଯାଇଛି। କିନ୍ତୁ ଏବେ ରବି ଧାନ ଫସଲ ଅମଳକ୍ଷମ ଅବସ୍ଥାକୁ ଆସି ନ ଥିବାରୁ ସେହି ଫସଲକୁ କିଭଳି ରକ୍ଷା କରି ଅମଳ କରିବେ, କେନାଲ ତଳିମୁଣ୍ଡ ଚାଷୀଙ୍କୁ ମୁଖ୍ୟତଃ ସେହି ଚିନ୍ତା ଘାରି ବସିଛି।
ଉଦେପୁରର ଚାଷୀ ବିଲ୍କୁଲ୍ ଭରତ ମହାପାତ୍ରଙ୍କ କହିବା ଅନୁସାରେ, ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ୪ ଏକର ଏବଂ କେନାଲ ପାଣି ଦ୍ୱାରା ୩ ଏକର ଜମିରେ ଧାନ ଫସଲ କରିଛି। ଆକାଶଗଙ୍ଗା କିସମର ବିହନରେ ସେହି ଫସଲ କରିଛି। ଫସଲ ତ ଏବେ ଭଲ ରହିଛି। ହେଲେ ୩୦ତାରିଖରୁ କେନାଲ ପାଣି ବନ୍ଦ ହୋଇଗଲେ ମୋର ୩ଏକର ଧାନ ଫସଲରୁ ବିଲକୁଲ ଅମଳ ହୋଇପାରିବ ନାହିଁ।
ସେହିପରି ଉଦେପୁରର ଚାଷୀ ଗିରି ଗୋବର୍ଦ୍ଧନ ଭୋଇ କହିଛନ୍ତି ଯେ, ୨ଏକର ଜମିରେ ଧାନଚାଷ କରିଛି। ତାହା କେନାଲ ପାଣି ଦ୍ୱାରା ହୋଇଛି। ଧାନ ଏବେ ଗର୍ଭଣୀ ଅବସ୍ଥାକୁ ମଧ୍ୟ ଆସି ନାହିଁ। ଧାନଚାଷ ବ୍ୟତୀତ ଆଉ ଅନ୍ୟକିଛି ଜୀବିକା ନାହିଁ। ସେଥିରୁ ଅମଳ ଧାନ ବିକ୍ରିବଟା କରି ପରିବାର ଗୁଜୁରାଣ ମେଣ୍ଟାଇଥାଏ। କେନାଲ ପାଣି ବନ୍ଦ ହୋଇଗଲେ ସବୁ ଫସଲ ଉଜୁଡ଼ି ଯିବ ଏବଂ ପରିବାର ପ୍ରତିପୋଷଣ ମଧ୍ୟ କଷ୍ଟସାଧ୍ୟ ହୋଇ ପଡ଼ିବ।
ଅନ୍ୟପଟେ ଆମ ଅଞ୍ଚଳରେ ଉଭୟ ଉଠା ଜଳସେଚନ ପ୍ରକଳ୍ପ ଏବଂ କେନାଲ ପାଣି ଦ୍ୱାରା ଚାଷକାର୍ଯ୍ୟ କରିଥାଉ। କେନାଲ ପାଣି ଆମ ଅଞ୍ଚଳକୁ ବିଳମ୍ବରେ ଏବଂ କମ୍ ପରିମାଣରେ ଆସିଥାଏ। ଫଳରେ ବିଳମ୍ବରେ ଚାଷକାର୍ଯ୍ୟ ହୋଇଥାଏ। ସେଥିପାଇଁ ଅମଳ ମଧ୍ୟ ବିଳମ୍ବିତ ହୋଇପଡ଼େ। ଏବେ କେନାଲ ପାଣି ବନ୍ଦ ହୋଇଗଲେ ଅଞ୍ଚଳର ୨୦୦ ଏକରରୁ ଊଦ୍ଧର୍ବ ଜମିର ଧାନ ଫସଲ ଧୂଳିସାତ୍ ହୋଇଯିବ ବୋଲି ଚଷୀ ପଦ୍ମନାଭ ପୁରୋହିତ କହିଛନ୍ତି ।
କ୍ଷୀରୋଦ ପ୍ରଧାନଙ୍କ କହିବା ଅନୁସାରେ, କେନାଲ ପାଣି ଉପରେ ନିର୍ଭର କରୁ। ୧୦ଏକର ଜମିରେ ଏଥର ଧାନଚାଷ କରିଛି। ସେଥିମଧ୍ୟରୁ କେତେକ ଗର୍ଭଣୀ ଅବସ୍ଥାକୁ ଆସିଛି ତ ଆଉକିଛି ଗର୍ଭଣୀ ଅବସ୍ଥାକୁ ମଧ୍ୟ ଆସି ନାହିଁ। ଧାନ ଏଭଳି ଅବସ୍ଥାରେ ଥିବାବେଳେ ପର୍ଯ୍ୟାପ୍ତ ପାଣି ଦରକାର। ଏଭଳି ସମୟରେ କେନାଲ ପାଣି ବନ୍ଦ କରାଯିବା ଠିକ୍ ନୁହେଁ। ଅତିକମ୍ରେ ଆଉ ୨ସପ୍ତାହ କେନାଲ ପାଣି ଛଡ଼ାଯାଉ।