Categories: ଖେଳ

ଆଇଟିଏଫ୍‌ ଡବଲ୍ସ ଟାଇଟଲ ଜିତିଲେ ଅଙ୍କିତା

ଦୁବାଇ, ୧୪ା୧୨ (ପି.ଟି.)-ଭାରତୀୟ ଟପ୍‌ ଟେନିସ ଖେଳାଳି ଅଙ୍କିତା ରାଇନା ମହାମାରୀରେ ପ୍ରଭାବିତ ୨୦୨୦ ସିଜନରେ ତାଙ୍କର ତୃତୀୟ ଡବଲ୍ସ ଟାଇଟଲ ହାସଲ କରିଛନ୍ତି। ଏକାଟରିନ୍‌ ଗୋର୍‌ଗଜ୍‌ଙ୍କ ସହିତ ସେ ଏଠାରେ ଅଲ୍‌ ହାବ୍‌ତୁର ଚ୍ୟାଲେଞ୍ଜ ପ୍ରତିଯୋଗିତା ଜିତିଛନ୍ତି। ଅଣସିଡ୍‌ ଇଣ୍ଡୋ-ଜର୍ଜିଆନ୍‌ ଯୋଡ଼ି ୧୦୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଏହି ହାର୍ଡକୋର୍ଟ ଇଭେଣ୍ଟର ଫାଇନାଲରେ ସ୍ପେନ୍‌ ଓ ସ୍ଲୋଭାକିଆନ ଯୋଡ଼ି ଆଲିଓନା ବୋଲସୋଭା ଜାଡୋଇନୋଭ୍‌ ଏବଂ କାଜା ଜୁଭାନଙ୍କୁ ୬-୩, ୩-୬, ୧୦-୬ରେ ହରାଇ ଦେଇଛନ୍ତି। ଅଙ୍କିତାଙ୍କ ପାଇଁ ଏହାଥିଲା ସିଜନର ୪ର୍ଥ ଫାଇନାଲ। ସେ ଜିତିଥିବା ଅନ୍ୟ ଦୁଇଟି ଟାଇଟଲର ପୁରସ୍କାର ରାଶି ୨୫,୦୦୦ ଆମେରିକୀୟ ଡଲାର ରହିଥିବାରୁ ଏଠାରେ ସେ ତୁଳନାରେ ବଡ଼ ଟ୍ରଫି ହାସଲ କରିଛନ୍ତି। ଚଳିତବର୍ଷ ଫେବୃୟାରୀରେ ଅଙ୍କିତା ତିନୋଟି ପ୍ରତିଯୋଗିତାରେ ଫାଇନାଲକୁ ଉନ୍ନୀତ ହୋଇଥିଲେ। ବିବିଏନ୍‌ ସ୍କୁଫ୍ସଙ୍କୁ ସାଥୀ କରି ନୋନ୍ଥାବୁରି (ଥାଇଲାଣ୍ଡ)ରେ କ୍ରମାଗତ ଦୁଇଟି ଟାଇଟଲ ଜିତିଥିବା ବେଳେ ନିଜ ଦେଶର ସ୍ନେହାଲ ମାନେଙ୍କୁ ସାଥୀ କରି ସେ ଯୋଧପୁରଠାରେ ରନର୍ସଅପ୍‌ ହୋଇଥିଲେ। କରେନା ଯୋଗୁ ଦୀର୍ଘଦିନ ପରେ ଟେନିସକୁ ସଫଳ ପ୍ରତ୍ୟାବର୍ତ୍ତନ କରିପାରିଥିବାରୁ ସେ ଖୁବ୍‌ ଆନନ୍ଦିତ ବୋଲି ଅଙ୍କିତା କହିଛନ୍ତି।

Share