ଭୁବନେଶ୍ୱର,୨୭।୧୧: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ପାଇଁ ବଡ଼ ଖୁସି ଖବର ଆସିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଅଙ୍ଗନବାଡ଼ି କର୍ମଚାରୀମାନଙ୍କର ମାସିକ ପାରିଶ୍ରମିକ ସହିତ ଅବସରକାଳୀନ ଏବଂ ମୃତ୍ୟୁକାଳୀନ ସହାୟତା ରାଶିରେ ବଡ଼ ଧରଣର ବୃଦ୍ଧି କରାଯାଇଛି। ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।
ନୂତନ ନିଷ୍ପତ୍ତି ଅନୁଯାୟୀ, ଏଣିକି ଅଙ୍ଗନବାଡ଼ି କର୍ମୀମାନଙ୍କୁ ମାସିକ ୧୨ ହଜାର ଟଙ୍କା ମିଳିବାକୁ ଥିବାବେଳେ ସହାୟିକାମାନଙ୍କର ମାସିକ ଦରମା ୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ କର୍ମୀମାନେ ମାସିକ ୧୦ ହଜାର ଟଙ୍କା ପାଉଥିବା ବେଳେ ସହାୟିକାମାନେ ୫ ହଜାର ଟଙ୍କା ପାଉଥିଲେ। ଦୀର୍ଘଦିନ ଧରି ଦରମା ବୃଦ୍ଧି ଦାବି କରି ଆସୁଥିବା କର୍ମଚାରୀମାନଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି।
କେବଳ ମାସିକ ଦରମା ନୁହେଁ, ବରଂ ସାମାଜିକ ସୁରକ୍ଷା ସହାୟତା ରାଶିକୁ ମଧ୍ୟ ରାଜ୍ୟ ସରକାର ବଢ଼ାଇଛନ୍ତି। ମୃତ୍ୟୁକାଳୀନ ସହାୟତା ରାଶିକୁ ୨ ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇ ୪ ଲକ୍ଷ ଟଙ୍କା କରାଯାଇଛି। ସେହିପରି କର୍ମୀଙ୍କ ଅବସରକାଳୀନ ସହାୟତା ରାଶି ୧ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ସହାୟିକାଙ୍କ ଅବସରକାଳୀନ ସହାୟତା ରାଶି ୫୦ ହଜାର ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କାକୁ ବଢ଼ାଯାଇଛି।
ଏହି ଘୋଷଣା ପରେ ଆନ୍ଦୋଳନରୁ ଓହରି ତୁରନ୍ତ ନିଜ ନିଜ କାର୍ଯ୍ୟରେ ଯୋଗଦେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ଅନୁରୋଧ କରିଛନ୍ତି।