ଆସୁନାହାନ୍ତି ଅଙ୍ଗନଓ୍ବାଡି କର୍ମୀ, କେନ୍ଦ୍ରରେ ତାଲା

ନାଉଗାଁ,୧୬।୧୦(ସ୍ବ.ପ୍ର.): ଛୋଟ ଛୋଟ ପିଲାମାନଙ୍କୁ ବିଦ୍ୟାଳୟମୁଖୀ କରିବା ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନାରେ ଅଙ୍ଗନଓ୍ବାଡି କେନ୍ଦ୍ରସବୁ ଖୋଲାଯାଇଛି। ଏହି କେନ୍ଦ୍ରଗୁଡ଼ିକୁ ତଦାରଖ କରିବା ପାଇଁ ସୁପରଭାଇଜର ରହିଥିବାବେଳେ ସିଡିପିଓ ମଧ୍ୟ ରହିଛନ୍ତି। କିନ୍ତୁ ନାଉଗାଁ ବ୍ଲକରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକ ଠିକ୍‌ ଭାବେ ତଦାରଖ ହେଉ ନ ଥିବା ଜଣାପଡ଼ିଛି। ଏହାର ସୁଯୋଗ ନେଇ ଅଙ୍ଗନଓ୍ବାଡି କର୍ମୀମାନେ କେନ୍ଦ୍ରକୁ ଆସୁନାହାନ୍ତି। ଫଳରେ ବହୁ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହୁଛି। ଏହାର ଜ୍ୱଳନ୍ତ ଉଦାହରଣ ନାଉଗାଁ ବ୍ଳକ ରୋହିଆ ପଞ୍ଚାୟତର ରୋହିଆ-ଖ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦେଖିବାକୁ ମିଳିଛି। ଏହି କେନ୍ଦ୍ରରେ ନିଯୁକ୍ତ ଅଙ୍ଗନଓ୍ବାଡି କର୍ମୀ ଦୀର୍ଘଦିନ ହେବ କେନ୍ଦ୍ରକୁ ଆସୁ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। କେନ୍ଦ୍ରରେ ତାଲା ପଡ଼ିଥିବାରୁ କେତେ ପିଲା ରହିଛନ୍ତି, ସେମାନଙ୍କୁ ମଧ୍ୟାହ୍ନ ଭୋଜନ, ଛତୁଆ ଆଦି କିପରି ପ୍ରଦାନ କରାଯାଉଛି ତାହାର ଠିକ୍‌ ତଥ୍ୟ ମିଳିପାରିନାହିଁ। ଅଙ୍ଗନଓ୍ବାଡି କେନ୍ଦ୍ରରେ ଯେ କେବଳ ଛୋଟପିଲାଙ୍କୁ ନାଚ ଗୀତ ମାଧ୍ୟମରେ ପାଠ ପଢାଯାଏ ତାହା ନୁହେଁ, ଗର୍ଭବତୀ, ପ୍ରସୂତି ଓ ଶିଶୁମାନଙ୍କ ପାଇଁ ବିଭିନ୍ନ ସଚେତନାମୂଳକ କାର୍ଯ୍ୟକ୍ରମ କରାଯାଏ। ମାତ୍ର କେନ୍ଦ୍ର ବନ୍ଦ ରହିବା ଯୋଗୁ ଏହା ଅଧୀନରେ ଥିବା ପରିବାର ଉକ୍ତ ସେବାରୁ ଏକପ୍ରକାର ବଞ୍ଚତ୍ତ ହେଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ କେନ୍ଦ୍ରରେ ନିଯୁକ୍ତି ପାଇଥିବା ଅଙ୍ଗନଓ୍ବାଡି କର୍ମୀ ରେଣୁବାଳା ସ୍ବାଇଁ ଓ ସିଡିପିଓଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ମୋବାଇଲ୍‌ ଫୋନ୍‌ ଉଠାଇ ନ ଥିଲେ। ଏ ବିଷୟରେ ଡିଏସ୍‌ଡବ୍ଳ୍ୟୁ ସ୍ବର୍ଣ୍ଣମଞ୍ଜରୀ ମହାନ୍ତି କହିଛନ୍ତି, ସିଡିପିଓ ଓ ସଂପୃକ୍ତ ସୁପରଭାଇଜରଙ୍କ ସହ କଥା ହେବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ।