Categories: ଖେଳ

କର୍ବରଙ୍କୁ ହରାଇ ବିପର୍ଯ୍ୟୟ ଘଟାଇଲେ ଆନେଲିନା

ପ୍ୟାରିସ, ୩୧।୫-ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟ ରବିବାରଠାରୁ ଆରମ୍ଭ ହୋଇଛି। ୩ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଏବଂ ପୂର୍ବତନ ନମ୍ବର ଓ୍ବାନ ଆଞ୍ଜେଲିକ୍‌ କର୍ବରଙ୍କୁ ହରାଇ ମହିଳା ସିଙ୍ଗଲ୍ସରେ ବିପର୍ଯ୍ୟୟ ଘଟାଇଛନ୍ତି ଆନେଲିନା କାଲିନିନା। ଆନେଲିନା ଜଣେ କ୍ୱାଲିଫାୟର ଖେଳାଳି ଏବଂ ପ୍ରଥମଥର ପାଇଁ ଫ୍ରେଞ୍ଚ ଓପନ ଖେଳିବା ସୁଯୋଗ ପାଇଛନ୍ତି। ତେବେ ଏହି ୧୩୯ ର଼୍ୟାଙ୍କପ୍ରାପ୍ତ ୟୁକ୍ରେନ ଟେନିସ ପ୍ରତିଭା ୬-୨, ୬-୪ ସେଟ୍‌ରେ ଜର୍ମାନୀର କର୍ବରଙ୍କୁ ପରାସ୍ତ କରି ପ୍ରଥମ ଦିବସରୁ ହିଁ ବିପର୍ଯ୍ୟୟ ଆରମ୍ଭ କରିଛନ୍ତି। ୨୦୧୬ରେ ଅଷ୍ଟ୍ରେଲିଆନ ଓପନ, ୟୁଏସ୍‌ ଓପନ ଏବଂ ୨୦୧୮ରେ ଓ୍ବିମ୍ବେଲଡନ ଟାଇଟଲ ଜିତିଥିବା କର୍ବର କେବେହେଲେ ଫ୍ରେଞ୍ଚ ଓପନ ଫାଇନାଲରେ ପ୍ରବେଶ କରିପାରି ନାହାନ୍ତି। ସେ ୨୦୧୨ ଓ ୨୦୧୮ରେ ସର୍ବାଧିକ ଫ୍ରେଞ୍ଚ୍‌ ଓପନର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିପାରିଥିଲେ। ମହିଳା ସିଙ୍ଗଲ୍ସର ଅନ୍ୟ ମ୍ୟାଚଗୁଡ଼ିକ ମଧ୍ୟରେ ପେତ୍ରା କ୍ୱିଟୋଭା ୬-୭(୩/୭), ୭-୬(୭/୫), ୬-୧ ସେଟ୍‌ରେ ଗ୍ରିଟ୍‌ ମିନେନ, ଆନାସ୍ତାସିଆ ପାଭ୍‌ଲ୍ୟୁଚେଙ୍କୋଭା ୬-୪, ୬-୦ ସେଟ୍‌ରେ ଖ୍ରିଷ୍ଟିନା ମ୍ୟାକହାଲେ, ନାଓମି ଓସାକା ୬-୪, ୭-୬(୭/୪) ସେଟ୍‌ରେ ପ୍ୟାଟ୍ରିସିଆ ମାରିଆ ଟିଗ୍‌, ଡାନିଏଲ ରୋଜ୍‌ କଲିନ୍ସ ୬-୨, ୪-୬, ୬-୪ ସେଟ୍‌ରେ ଜିୟୁ ଓ୍ବାଙ୍ଗ୍‌ ଏବଂ ଏଲିନା ର଼୍ୟାବକିନା ୬-୪, ୬-୧ ସେଟ୍‌ରେ ଏଲିସା ଜ୍ୟାକମୋଟଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ଫୋଗନିନି, ଅଗୁଟଙ୍କ ବିଜୟ ଅଭିଯାନ
ପୁରୁଷ ସିଙ୍ଗଲ୍ସରେ ଫାବିଓ ଫୋଗନିନି ୬-୪, ୬-୧, ୬-୪ ସେଟ୍‌ରେ ଗ୍ରେଗୋରି ବାରେରେ, ରବର୍ଟୋ ବାଉଟିଷ୍ଟା ଅଗୁଟ ୬-୪, ୬-୪, ୬-୨ ସେଟ୍‌ରେ ମାରିଓ ଭିଲେଲା ମାର୍ଟିନେଜ, ଗୁଇଡୋ ପେଲ୍ଲା ୬-୩, ୭-୬(୭/୪), ୭-୫ ସେଟ୍‌ରେ ଡାନିଏଲ ଇଲାହି ଗଲନ, ମିଓମିର କେକ୍‌ମାନୋଭିଚ୍‌ ୧-୬, ୬-୩, ୬-୪, ୬-୪ ସେଟ୍‌ରେ ଡାନ୍‌ ଇଭାନ୍ସଙ୍କୁ ହରାଇ ଅଭିଯାନ ଆରମ୍ଭ କରିଛନ୍ତି।

Share