Categories: ଖେଳ

ରାଜସ୍ଥାନ ରୟାଲ୍ସ କ୍ୟାମ୍ପ ଛାଡ଼ିଲେ ଆଣ୍ଡ୍ର୍ୟୁ ଟାଇ

ମୁମ୍ବାଇ, ୨୬ା୪ (ପି.ଟି.)-ଅଷ୍ଟ୍ରେଲିଆ ପେସ୍‌ ବୋଲର ଆଣ୍ଡ୍ର୍ୟୁ ଟାଇ ଚତୁର୍ଥ ବିଦେଶୀ ଖେଳାଳି ହିସାବରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରିଯାଇଛନ୍ତି। ବ୍ୟକ୍ତିଗତ କାରଣରୁ ନିଜ ଦେଶକୁ ଫେରିଯାଉଛନ୍ତି ବୋଲି ସେ ଦର୍ଶାଇଛନ୍ତି। ପୂର୍ବରୁ ଇଂଲଣ୍ଡର ଜୋଫ୍ରା ଆର୍ଚର (ହାତରେ ଅସ୍ତ୍ରୋପଚାର), ବେନ୍‌ ଷ୍ଟୋକ୍ସ (ଆଙ୍ଗୁଠି ହାଡ଼ ଭାଙ୍ଗି ଯାଇଥିବାରୁ) ଏବଂ ଲିଆମ ଲିଭିଙ୍ଗଷ୍ଟୋନ୍‌ (ବାୟୋ-ବବଲ ଜନିତ ବିଷାଦ) ଏହି ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଛାଡ଼ି ନିଜ ଦେଶକୁ ଚାଲିଯାଇଛନ୍ତି। ଟାଇ ରବିବାର ସକାଳେ ସ୍ବଦେଶ ଫେରିଛନ୍ତି। ଅଷ୍ଟ୍ରେଲୀୟ ପେସ୍‌ ବୋଲର ଯଦି କୌଣସି ସହାୟତା ଲୋଡନ୍ତି ତାଙ୍କୁ ଯୋଗାଇ ଦିଆଯିବ ବୋଲି ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ୍‌ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି। ଅସ୍ତ୍ରୋପଚାର ଯୋଗୁ ଆର୍ଚର ତାଙ୍କ ଦଳରେ ଯୋଗଦାନ କରିପାରି ନାହାନ୍ତି। ଷ୍ଟୋକ୍ସ ପ୍ରାରମ୍ଭରେ ଇଞ୍ଜୁରି ସମସ୍ୟାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ଲିଭିଙ୍ଗଷ୍ଟୋନ୍‌ ବାୟୋ-ବବଲରେ ଅବସ୍ଥାନ କରିବା ଅତ୍ୟନ୍ତ କଷ୍ଟଦାୟକ ବୋଲି ଦର୍ଶାଇ ଗୋଟିଏ ହେଲେ ମ୍ୟାଚ ଖେଳି ନ ଥିଲେ। ୩୪ବର୍ଷୀୟ ଟାଇ ଅଷ୍ଟ୍ରେଲିଆ ତରଫରୁ ୭ ଅନ୍ତର୍ଜାତୀୟ ଦିନିକିଆ ଓ ୨୮ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ଟୁର୍ନାମେଣ୍ଟର ଚଳିତ ସଂସ୍କରଣରେ ସେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ଖେଳିବା ସୁଯୋଗ ପାଇନାହାନ୍ତି। ସେ ତାଙ୍କ ଗତ ମ୍ୟାଚ ଫେବୃୟାରୀରେ ସିଡ୍‌ନୀ ସିକ୍ସର୍ସ ବିପକ୍ଷରେ ପର୍ଥ ସ୍କର୍ଚର୍ସ ତରଫରୁ ଖେଳିଥିଲେ।

Share