ପଟ୍ଟାଙ୍ଗି, ୨୮।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ଜିଲ୍ଲା ପରିଷଦ (ZPTC) ଏବଂ ସମିତି ସଭ୍ୟ (MPTC) ନିର୍ବାଚନର ମତଦାନ ଓ ଗଣନା ତାରିଖରେ ପରିବର୍ତ୍ତନ କରାଯାଇଛି। ସେହିପରି ଅନ୍ୟପଟେ ଓଡ଼ିଶା ସୀମାନ୍ତ କୋଟିଆ ପଞ୍ଚାୟତର ଦୁଇଜଣ ବ୍ୟକ୍ତି ଉକ୍ତ ଆନ୍ଧ୍ର ନିର୍ବାଚନ ପାଇଁ ମନୋନୀତ ହୋଇ ପ୍ରାର୍ଥୀ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ ଅଧିକାରୀ ଅନିଲ୍ ଚନ୍ଦ୍ର ପୁନେଥାଙ୍କ ଦ୍ୱାରା ଜାରି ନୋଟିଫିକେସନ୍ (ଚିଠି ନଂ: ୯୦୫/ଏସଇସି-ବି୧/୨୦୨୬) ଅନୁସାରେ, ପୂର୍ବରୁ ନଭେମ୍ବର ୩ ତାରିଖରେ ହେବାକୁ ଥିବା ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନକୁ ଘୁଞ୍ଚାଯାଇ ନଭେମ୍ବର ୫ ତାରିଖରେ କରାଯିବ। ସେହିପରି ପୂର୍ବ ନିର୍ଦ୍ଧାରିତ ଭୋଟ୍ ଗଣତି ତାରିଖକୁ ନଭେମ୍ବର ୫ ବଦଳରେ ୭ ତାରିଖକୁ ଘୁଞ୍ଚାଯାଇଛି।
ପୌର ନିର୍ବାଚନର ଭୋଟ୍ ଗଣନା ନଭେମ୍ବର ୩ ତାରିଖରେ ହେଉଥିବାରୁ, ସେହି ଦିନ ଗୋଟିଏ ସମୟରେ ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ କରିବା ସମ୍ଭବ ନ ଥିଲା। ଏହି ପରିଚାଳନାଗତ ସମସ୍ୟାକୁ ଦୃଷ୍ଟିରେ ରଖି ନିର୍ବାଚନ ତାରିଖ ଘୁଞ୍ଚାଯାଇଥିବା ନୋଟିଫିକେସନ୍ରୁ ସ୍ପଷ୍ଟ ହୋଇଛି।
ଆନ୍ଧ୍ର ନିର୍ବାଚନ ପାଇଁ ଗତ ଅକ୍ଟୋବର ୨୧ରୁ ୨୩ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ଏଥିମଧ୍ୟରୁ ଓଡ଼ିଶାର କୋଟିଆ ପଞ୍ଚାୟତର ଦୁଇଜଣ ବ୍ୟକ୍ତି ମନୋନୀତ ହୋଇଛନ୍ତି:
ଚିରଞ୍ଜିବୀ ତଡାଙ୍ଗୀ (ଉପରସେମ୍ବି ଗ୍ରାମ): ତେଲୁଗୁ ଦେଶମ୍ ପାର୍ଟି (TDP) ପ୍ରାର୍ଥୀ ଭାବେ ‘ସାଇକେଲ’ ଚିହ୍ନ ପାଇଛନ୍ତି।
କାନ୍ ପୁରୀ ମାଝୀ (ନେରିଡିବାଲସା ଗ୍ରାମ): YSR କଂଗ୍ରେସ ପାର୍ଟି (YSRCP) ପ୍ରାର୍ଥୀ ଭାବେ ‘ପଙ୍ଖା’ ଚିହ୍ନ ପାଇଛନ୍ତି।
ଆନ୍ଧ୍ରର ଏହି ନିର୍ବାଚନୀ ଗତିବିଧିକୁ ନେଇ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ରରେ ଚଳଚଞ୍ଚଳତା ପ୍ରକାଶ ପାଇଛି। କୋଟିଆ ପଞ୍ଚାୟତରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ପ୍ରତିଦିନ ସରକାରୀ ଅଧିକାରୀ ଏବଂ ବିଭିନ୍ନ ରାଜନୈତିକ ଦଳମାନଙ୍କର ନେତାମାନେ ଗସ୍ତ ଜାରି ରଖିଛନ୍ତି।