ପ୍ରାଚୀନ ବିଜ୍ଞାନର ନୂଆ ସ୍ବରୂପ

ସୌଭାଗ୍ୟ ସୁନ୍ଦରରାୟ

 

ପୁରାତନ ବିଜ୍ଞାନ ଓ ଆଧୁନିକ ବିଜ୍ଞାନ ମଧ୍ୟରେ ପ୍ରଭେଦ ଅନେକ। ପୁରାଣ ଯୁଗର ତଥ୍ୟକୁ ଆଧୁନିକ ବିଜ୍ଞାନ ଏତେଟା ବିଶ୍ୱାସ କରି ନ ଥାଏ। ପ୍ରାଚୀନ ବିଜ୍ଞାନକୁ ଅନ୍ଧବିଶ୍ୱାସ ବୋଲି ମଧ୍ୟ ଆଧୁନିକ ବିଜ୍ଞାନ ଅଭିହିତ କରିଥାଏ। କିନ୍ତୁ ପ୍ରାଚୀନ ବିଜ୍ଞାନର ସୃଷ୍ଟି ତତ୍ତ୍ୱର ଉପାଦାନ ଯେ ଆଧୁନିକ ବିଜ୍ଞାନର ଗବେଷଣାର ଆଧାର ହୋଇପାରୁଛି ତାହା ଆମକୁ ସ୍ବୀକାର କରିବାକୁ ପଡ଼ିବ। ଅତୀତରେ ପଦାର୍ଥ ବିଜ୍ଞାନ ବା କମ୍ପ୍ୟୁଟର ବିଜ୍ଞାନ ନ ଥିଲା, କିନ୍ତୁ ଗଣିତ, ଜ୍ୟୋତିର୍ବିଜ୍ଞାନ ଓ ଭେଷଜ ବିଜ୍ଞାନ ଥିଲା ବୋଲି ଗ୍ରହଣ କରିବାକୁ ହେବ। ଏହାର ରୂପ ଭିନ୍ନ ହୋଇଥାଇପାରେ, କିନ୍ତୁ ମୌଳିକ ଉପାଦାନ ଥିଲା। ପ୍ରାଚୀନ ଶାସ୍ତ୍ରରେ ଥିବା ତଥ୍ୟର ବିବର୍ତ୍ତନରୁ କ୍ରମେ ହିଁ ଆମେ ଆଧୁନିକ ବିଜ୍ଞାନ ପାଇଛେ।
ଅନ୍ତର୍ଜାତୀୟ ଗବେଷଣାତ୍ମକ ପତ୍ରିକା ଫିଜିକ୍ସ ଅଫ୍‌ ଦି ଆର୍ଥ ଆଣ୍ଡ ପ୍ଲାନେଟାରି ଇଣ୍ଟେରିଅରରେ ‘ପାତାଳ ଲୋକ’ ନେଇ ନୂଆ ତଥ୍ୟ ପ୍ରକାଶ ପାଇଛି। ସନ୍ଦର୍ଭ ଲେଖକ ଇଂଲଣ୍ଡ ୟୁନିଭର୍ସିଟିର ଭୂକମ୍ପ ବିଶାରଦ ଜେସିକା ଇରଭିଂ ଦର୍ଶାଇଛନ୍ତି, ଏହା ସମ୍ପୂର୍ଣ୍ଣ ଭାବେ ଏକ ନୂଆ ଲୁକ୍କାୟିତ ବିଶ୍ୱ। ଗବେଷଣାରୁ ଜଣାପଡ଼ିଛି ଯେ, ପୃଥିବୀର କେନ୍ଦ୍ର ଭାଗ କଠିନ ବୋଲି ଆମେ ଯାହା ଜାଣି ଆସିଛେ ତାହା ଠିକ୍‌ ନୁହେଁ। ଏହାର କେନ୍ଦ୍ର ଭାଗ କଠିନ, ବର୍ତ୍ତୃଳାକାର ଏବଂ ଲୌହ ଧାତୁରେ ଗଠିତ ବୋଲି ପୂର୍ବରୁ ଧାରଣା ରହିଆସିଛି। ଏହି କଠିନ ଗୋଲାକାର କ୍ଷେତ୍ରଟି ଲୌହ ଧାତୁର ଏକ ସଂକୋଚନ ପିଣ୍ଡ ଭଳି କୁହାଯାଉଥିଲା। ବର୍ତ୍ତମାନ ଜଣାପଡ଼ୁଛି ଯେ ପୃଥିବୀର କେନ୍ଦ୍ରାଞ୍ଚଳ କେଉଁ ସ୍ଥାନରେ କୋମଳ ତ କେଉଁଠି ଏହା ଟାଣ, ପୁଣି କେଉଁଠି ତରଳ ଅବସ୍ଥାରେ ରହିଛି। ତେବେ ପୃଥିବୀର କେନ୍ଦ୍ରାଞ୍ଚଳ ଏତେ ଉତ୍ତପ୍ତ ଓ ଚାପଯୁକ୍ତ ଯେ ମଣିଷ ବା ଯନ୍ତ୍ର ଦ୍ୱାରା ଏହାର ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣ ସମ୍ଭବ ନୁହେଁ। ଏହି ନୂଆ ତଥ୍ୟ ଦ୍ୱାରା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସମ୍ପର୍କରେ ଅନେକ ନୂଆ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି। ସୃଷ୍ଟି ତତ୍ତ୍ୱ କୁହେ, ପୃଥିବୀ ତଳେ ୭ଟି ଭୂବିବର ବା ଭୂଲୋକ ରହିଛି। ଏଗୁଡ଼ିକ ହେଲା ଅତଳ, ବିତଳ, ସୁତଳ, ତଳାତଳ, ମହାତଳ, ରସାତଳ ଓ ପାତାଳ। ପାତାଳ ତଳେ ରୁହନ୍ତି ଅନନ୍ତ ଯେ, ଏ ବ୍ରହ୍ମାଣ୍ଡକୁ ନିଜ ମସ୍ତକରେ ଧାରଣ କରିଛନ୍ତି। ସୁତଳ ହେଉଛି କୁଆଡ଼େ ବିରୋଚନ ପୁତ୍ର ବଳି ମହାରାଜଙ୍କ ନିବାସସ୍ଥଳୀ। ପାତାଳରେ କୁଆଡ଼େ ଭୟଙ୍କର ସର୍ପ ରହିଥାନ୍ତି। ଏ କଥା ପୁରାଣରେ ବର୍ଣ୍ଣିତ। ଏହାର ସତ୍ୟତା କେତେ ତାହା ଆଧୁନିକ ବିଜ୍ଞାନ ଦ୍ୱାରା ପ୍ରମାଣ ହୋଇପାରିବ। କିନ୍ତୁ ପୃଥିବୀର କେନ୍ଦ୍ରାଞ୍ଚଳକୁ ନେଇ ଯେଉଁ ନୂତନ ତଥ୍ୟ ସାମ୍ନାକୁ ଆସିଛି ତାହା ପ୍ରାଚୀନ ସୃଷ୍ଟି ତତ୍ତ୍ୱ ଆଡ଼କୁ ଅଗ୍ରସର ହେଉଥିବା ମନେକରାଯାଉଛି। ବିଶ୍ୱ ବ୍ରହ୍ମାଣ୍ଡର ଆଦି ଓ ଅନ୍ତ ଖୋଜିବା ପାଇଁ ଏକଦା ଶିବ କୁଆଡ଼େ ବ୍ରହ୍ମା ଓ ବିଷ୍ଣୁଙ୍କୁ କହିଥିଲେ। ବିଷ୍ଣୁ ଅନ୍ତ ଖୋଜିବାକୁ ଯାଇ ନିରାଶ ହୋଇ ଫେରିଥିଲେ। କିନ୍ତୁ ବ୍ରହ୍ମା ସୃଷ୍ଟିର ଆଦି ପାଇଥିବା ବିଷୟ ଶିବଙ୍କୁ ଜଣାଇଥିଲେ। ଏହାର ସାକ୍ଷ୍ୟ ସ୍ବରୂପ ସେ କେତକୀକୁ ଶିବଙ୍କ ନିକଟରେ ଉପସ୍ଥାପିତ କରିଥିଲେ। ଏହି ମିଥ୍ୟା ବୟାନ ସମ୍ପର୍କରେ ଶିବ ଜାଣିପାରିଥିଲେ। କେତକୀ ମିଥ୍ୟା ସାକ୍ଷ୍ୟ ପ୍ରଦାନ କରିଥିବାରୁ ଶିବଙ୍କ ଦ୍ୱାରା ଉପେକ୍ଷିତ ହେଲେ। କେବଳ ଗୋଟିଏ ଦିନ ଏହା ଶିବଙ୍କ ନିକଟରେ ଲାଗି ହେବାର ଅନୁମତି ମିଳିଲା। ଏବେ ବିଜ୍ଞାନ ଏହି ଆଦି- ଅନ୍ତ ଖୋଜିବା ଅଭିଯାନରେ ସାମିଲ ହୋଇଛି କହିଲେ ଚଳେ।
ଦିନେ ମଣିଷ ହାତର ଟିପଚିହ୍ନ ଥିଲା ନିରକ୍ଷରତାର ପ୍ରତୀକ। ଟିପଚିହ୍ନ ଉଠାଇ ସମସ୍ତଙ୍କୁ ସାକ୍ଷର କରାଇବା ପାଇଁ ଆରମ୍ଭ ହେଲା ଯୋଜନା। ଏହି ଯୋଜନା ମଧ୍ୟରେ ପୌଢ଼ ଶିକ୍ଷା ମଧ୍ୟ କାର୍ଯ୍ୟକାରୀ ହେଲା। କେହି ଆଙ୍ଗୁଠି ଛାପ ଦେବେ ନାହିଁ। ସମସ୍ତେ ଦସ୍ତଖତ କରିବେ। ମାତ୍ର ୩ ଦଶନ୍ଧି ମଧ୍ୟରେ ଆଙ୍ଗୁଳି ଛାପ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ସଂଯୋଗ ହେଲା। ଏହାର ରୂପାନ୍ତରିତ ନାମ ହେଲା ବାୟୋମେଟ୍ରିକ , ଅର୍ଥାତ୍‌ ଏକ ଯନ୍ତ୍ରରେ ଆଙ୍ଗୁଳି ଟିପିଲେ ଚିହ୍ନ ରହିଯିବ। ଏଇ ଚିହ୍ନରୁ ବ୍ୟକ୍ତିର ପରିଚୟ ମିଳିବା ସହଜ ହୋଇପାରିବ। ସୃଷ୍ଟି ସର୍ଜନା ସମୟରେ ମନୁଷ୍ୟକୁ ଏପରି ଭାବେ ଗଢ଼ାଯାଇଛି ଯେ, ପ୍ରତ୍ୟେକଙ୍କର ଟିପଚିହ୍ନ ସ୍ବତନ୍ତ୍ର। କାହାରି ସହ କାହାର ଏହା ମେଳ ଖାଇ ନ ଥାଏ। ଏହି କାରଣରୁ ଚିହ୍ନଟ ପ୍ରକ୍ରିୟା ପାଇଁ ଏବେ ଏହାର ବ୍ୟାପକ ବ୍ୟବହାର କରାଯାଉଛି। ଏହି ଐଶ୍ୱରିକ ଚମତ୍କାରିତାକୁ ଆଧୁନିକ ବିଜ୍ଞାନ ସ୍ବୀକାର କରିବାର ଆବଶ୍ୟକତା ରହିଛି।
ପୃଥିବୀଠାରୁ ସର୍ବାଧିକ ଦୂରତାରେ ରହିଥିବା ଆମେରିକାର ନାସା ପ୍ରେରିତ ଅନ୍ତରୀକ୍ଷ ଯାନ ଭଏଜର ଆମ ସୌରମଣ୍ଡଳ ବାହାରେ ଥିବା ଅନ୍ତରୀକ୍ଷରେ ଏକ ନିରନ୍ତର ଗୁଣୁଗୁଣୁ ଶବ୍ଦ ସନ୍ଧାନ କରିବାରେ ସମର୍ଥ ହୋଇଛି। ଆମ ସୌରମଣ୍ଡଳ ବାହାରେ ଥିବା ନକ୍ଷତ୍ରଗୁଡ଼ିକ ମଧ୍ୟରେ ଯେଉଁ ଶୂନ୍ୟ ସ୍ଥାନ ରହିଛି ତା’ ମଧ୍ୟରୁ ଏହି ଅଦ୍ଭୁତ କ୍ଷୀଣ ଶବ୍ଦ ଶୁଣାଯାଉଛି ବୋଲି ଗବେଷକମାନେ ମତବ୍ୟକ୍ତ କରୁଛନ୍ତି। ତେବେ ଶବ୍ଦର ବାସ୍ତବ ଉପତ୍ତ୍ତିସ୍ଥଳର ସନ୍ଧାନ ଗବେଷକମାନେ କରିପାରି ନାହାନ୍ତି। ଏଇଠି ମନେପଡ଼େ ଓଡ଼ିଶାର ନେତ୍ରହୀନ ମହିମା ଧର୍ମାବଲମ୍ବୀ ସନ୍ଥକବି ଭୀମ ଭୋଇଙ୍କର ’ଚାଲନ୍ତି ଶୂନ୍ୟେ ଶବଦ, ଅନୁମାନେ ଚିତ୍ତ ଭେଦ’ କବିତା ପଂକ୍ତି। ଭୀମ ଭୋଇ ଥିଲେ ବ୍ରହ୍ମବାଦୀ ତଥା ଶୂନ୍ୟବାଦୀ। ନିଜର ଦିବ୍ୟଶକ୍ତି ଓ ସୂକ୍ଷ୍ମ ଅନୁଭବ ଦ୍ୱାରା ବୋଧହୁଏ ସେ ଏହି ଶୂନ୍ୟ ଶବ୍ଦ କଥା କହିଛନ୍ତି। ସେହିପରି ପୌରାଣିକ ତଥ୍ୟ ଅନୁଯାୟୀ ଧ୍ୟାନସ୍ଥ ଅବସ୍ଥାରେ ଥିବା ବ୍ରହ୍ମାଙ୍କ ହୃଦୟାକାଶରୁ ଏକ ଶବ୍ଦ ବାହାରି ଆସିଲା, ଯାହା ହେଲା ବ୍ରହ୍ମନାଦ। ଏହି ବ୍ରହ୍ମନାଦ ନିରନ୍ତର କର୍ଣ୍ଣ ଗହ୍ବରକୁ ଭେଦକରିଥାଏ। ଭଏଜର ଚିହ୍ନଟ କରିଥିବା ଶବ୍ଦଟିର ପୌରାଣିକ ବ୍ରହ୍ମନାଦ ସହ ସମ୍ପର୍କ ରହିଛି କି ନାହିଁ ସେସମ୍ପର୍କରେ କିଛି ତଥ୍ୟ ନାହିଁ। କିନ୍ତୁ ଭଏଜର ଚିହ୍ନଟ କରିଥିବା ଶବ୍ଦ ଏବଂ ପ୍ରାଚୀନ ଶାସ୍ତ୍ରରେ ଉଲ୍ଲିଖିତ ଶବ୍ଦ ସମ୍ପର୍କରେ ଅଧିକ ଗବେଷଣା କରାଗଲେ ନୂତନ ତଥ୍ୟ ଉନ୍ମୋଚିତ ହୋଇପାରନ୍ତା।
ଅନ୍ୟ ଏକ ଘଟଣାରେ ଶ୍ରୀଲଙ୍କା ସରକାର ଦାବି କରିଛନ୍ତି, ରାବଣ ହେଉଛନ୍ତି ବିଶ୍ୱର ସର୍ବପ୍ରଥମ ବୈମାନିକ। ଶ୍ରୀଲଙ୍କାର ବେସାମରିକ ବିମାନ ଚଳାଚଳ ସଂସ୍ଥା ଉପାଧ୍ୟକ୍ଷ ଶଶୀ ଦାନାତୁଙ୍ଗଙ୍କ କହିବାନୁଯାୟୀ ଏହି ଦାବି ସପକ୍ଷରେ କେତେ ଅକାଟ୍ୟ ତଥ୍ୟ ହସ୍ତଗତ ହୋଇଛି। ପ୍ରାୟ ୫୦୦୦ ବର୍ଷ ତଳେ ରାବଣ ବିମାନ ଚାଳନା କରି ଭାରତ ଭୂଖଣ୍ଡକୁ ଯାଇ ଫେରିଥିଲେ ବୋଲି ଦାବି କରାଯାଇଛି। ଏଥିନେଇ ବିମାନ ଚଳାଚଳ ବିଶେଷଜ୍ଞ, ଐତିହାସିକ, ପ୍ରତ୍ନତତ୍ତ୍ୱବିତ୍‌, ଭୂତତ୍ତ୍ୱବିତ୍‌ ଓ ବୈଜ୍ଞାନିକଙ୍କୁ ନେଇ ଏକ ସମ୍ମିଳନୀ ଶ୍ରୀଲଙ୍କାରେ ଆୟୋଜିତ ହୋଇଯାଇଛି। ଇତିମଧ୍ୟରେ ଶ୍ରୀଲଙ୍କା ସରକାର ପ୍ରଥମ ଶୃଙ୍ଖଳର ଯେଉଁ ଉପଗ୍ରହ ମହାକାଶକୁ ପ୍ରେରଣ କରିଛନ୍ତି ତାହାର ନାମ ‘ରାବଣ’ ରଖିଛନ୍ତି। ରାମାୟଣ କୁହେ, ଏହି ରାବଣ ସୀତାଙ୍କୁ ଅପହରଣ କରି ପୁଷ୍ପକ ଯାନରେ ଲଙ୍କାକୁ ନେଇ ଆସିଥିଲେ। ରାବଣଙ୍କୁ ନିହତ କରିବା ପରେ ଏହି ଯାନରେ ସୀତାଙ୍କୁ ନେଇ ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ର ଅଯୋଧ୍ୟା ଫେରିଥିଲେ। ପୁଷ୍ପକ ବିମାନ ଏକ ଉଡ଼ନ୍ତା ଯାନ। ଏହାର ଉଦ୍ଭାବକ ରାବଣ ବୋଲି ଶ୍ରୀଲଙ୍କା ସରକାର ଦାବି କରିଛନ୍ତି। ଆଧୁନିକ ବିଜ୍ଞାନର ଏହି ଜୟଯାତ୍ରା ପ୍ରଶଂସନୀୟ।
ମୋ-୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri