ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ କ୍ଷେତ୍ରରେ ପଦପଦବୀ ମଧ୍ୟ ପରମ୍ପରା କ୍ରମରେ ଗତିକରୁଛି। ଆମ ଜୀବନକୁ ସରସସୁନ୍ଦର କରିବାରେ ପୂର୍ବଜମାନେ ମୂଳସ୍ତମ୍ଭ ସ୍ବରୂପ। ପୂର୍ବଜଙ୍କ ଦ୍ୱାରା ଅର୍ଜିତ ଘରବାଡ଼ି, ଧନସମ୍ପତ୍ତି ଇତ୍ୟାଦିକୁ ଆମେ ଖୁବ୍‌ ଯତ୍ନର ସହ ରଖୁଛେ, କିନ୍ତୁ ସେମାନଙ୍କ ଅକ୍ଳାନ୍ତ ପରିଶ୍ରମରେ ସୃଷ୍ଟି ହୋଇଥିବା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱକୁ ଆମେ ହତାଦର କରିଛେ ନିଶ୍ଚୟ। ତାହା ହେଲା ଆମ ପୂର୍ବଜଙ୍କର ଜ୍ଞାନରାଶି: ଯାହା ତାଳପତ୍ର, ଭୁର୍ଜପତ୍ର ଇତ୍ୟାଦି ପୋଥି ମାଧ୍ୟମରେ ସଂରକ୍ଷିତ ହୋଇଥିଲା। ଆମେ ଜାଣିଛେ ଧନ ଅପେକ୍ଷା ଜ୍ଞାନର ମହତ୍ତ୍ୱ ଅଧିକ। କିନ୍ତୁ ଆମେ ସମସ୍ତେ ଧନକୁ ପ୍ରାଧାନ୍ୟ ଦେଇ ଜ୍ଞାନକୁ ଭୁଲିଯାଇଛେ। ଏହାଦ୍ୱାରା ଆମ ପୂର୍ବପୁରୁଷଙ୍କ ପରିଶ୍ରମ ଜନିତ ସୃଷ୍ଟି ହୋଇଥିବା ବୁଦ୍ଧି ବୈଭବକୁ ଆମେ ପ୍ରାୟତଃ ହରାଇସାରିଲେଣି। ଯେଉଁ ବୁଦ୍ଧି ବୈଭବ ତାଳପତ୍ର ପୋଥି ମାଧ୍ୟମରେ ଭାରତୀୟଙ୍କ ଘରେ ଘରେ ଶୋଭା ପାଉଥିଲା। ଏହି ପୋଥି ଲେଖନ ଏବଂ ଏହାର ସୁରକ୍ଷା ଆମ ପୂର୍ବଜମାନଙ୍କ ପାଇଁ ଥିଲା ଅତ୍ୟନ୍ତ କଷ୍ଟକର ବ୍ୟପାର। ନିଜ ଭବିଷ୍ୟତ ପିଢ଼ିର ବିକାଶ ପାଇଁ ସେମାନେ ଏହି କଷ୍ଟକର କାମକୁ ଅତ୍ୟନ୍ତ ଆଗ୍ରହର ସହ କରୁଥିଲେ। ତାଳପତ୍ର ପୋଥିର ଶାସ୍ତ୍ରୀୟ ସଂସ୍କୃତ ନାମ ପାଣ୍ଡୁଲିପି ଅଥବା ମାତୃକା ଭାବରେ ପରିଚିତ। ଏହାକୁ ଗ୍ରୀକ୍‌ ଭାଷାରେ ମାନୁସ୍କ୍ରିପ୍ଟ ବୋଲି କୁହାଯାଏ। ମାନୁ ଅର୍ଥାତ୍‌ ମାନବ ହସ୍ତରେ ଲିଖିତ। ସ୍କ୍ରିପ୍ଟ ଅର୍ଥାତ୍‌ ଲିପି। ପ୍ରାୟତଃ ହସ୍ତଲିଖିତ ଯେକୌଣସି ଲେଖା ଯଦି ୧୦୦ ବର୍ଷରୁ ଅଧିକ ହୁଏ ତାହାକୁ ମାନୁସ୍କ୍ରିପ୍ଟ କୁହାଯାଏ। ତେବେ ପୂର୍ବକାଳରେ କାଗଜ ଏବଂ କଲମର ପ୍ରଚଳନ ନ ଥିବାରୁ ପ୍ରାୟତଃ ତାଳପତ୍ର, ଭୁର୍ଜପତ୍ର କିମ୍ବା ଅଗରୁପତ୍ରରେ ସମସ୍ତ ତଥ୍ୟ ଲିପିବଦ୍ଧ ହୋଇ ରଖାଯାଉଥିଲା। ଏହାଦ୍ୱାରା ଲେଖାଟି ଶହ ଶହ ବର୍ଷ ଧରି ସୁରକ୍ଷିତ ରହିପାରୁଥିଲା।
ତାଳପତ୍ରକୁ ବିଶେଷ ଉପାୟରେ ଶୋଧନକରି ଲେଖିବା ଯୋଗ୍ୟ କରାଯାଏ। କାରଣ ପତ୍ର କୋମଳ ନ ହେଲେ ଏହା ଲେଖିବା ବେଳେ ଫାଟିଯାଏ। ତେଣୁ ତାଳପତ୍ର ସଂଗ୍ରହକରି ୭ଦିନ ପର୍ଯ୍ୟନ୍ତ ସାମାନ୍ୟ ଉଷୁମ ପାଣିରେ ବୁଡ଼ାଇ ରଖାଯାଏ। ଏହାପରେ ଖରାରେ ଶୁଖାଇ ଏକ ସ୍ବତନ୍ତ୍ର ଘର୍ଷଣ ପଥରରେ ପତ୍ରଗୁଡିକ ଘଷାଯାଇ ମସୃଣ କରାଯାଏ। ଏହାପରେ ସମାନ ଆକାରର କଟାଯାଇ ଲେଖିବାପାଇଁ ବ୍ୟବହାର କରାଯାଏ। ଏହି ତାଳପତ୍ର ଶ୍ରୀତାଳ ଏବଂ ଖରତାଳ ଭେଦରେ ୨ ପ୍ରକାର। ଶ୍ରୀତାଳ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ ଲେଖିବାପାଇଁ ବ୍ୟବହୃତ ହୁଏ। ଏହା ମୃଦୁ ସ୍ବଭାବଯୁକ୍ତ, ପତ୍ର ଦୃଢ଼ ଏବଂ ଅନେକ ବର୍ଷ ରହିପାରେ। ଖରତାଳର ପତ୍ର ଅସମାନ ଏବଂ ପତ୍ର ଫାଟିଯିବା ଭୟ ରହେ। ତାଳପତ୍ର ପ୍ରସ୍ତୁତ ହୋଇଗଲାପରେ ଲୌହନିର୍ମିତ ଏକ ସରୁ ଦଣ୍ଡରେ ଲେଖାଯାଏ। ଏହାକୁ ଲେଖନୀ କୁହାଯାଏ। ଯେପରି ବିବିଧ ପ୍ରକାର କଲମ ଠିକ୍‌ ସେହିଭଳି ଲେଖନୀ ମଧ୍ୟ ବିବିଧ ପ୍ରକାରର। ସରୁ ମୁନଯୁକ୍ତ, ମୋଟା ମୁନଯୁକ୍ତ ଇତ୍ୟାଦି। ପ୍ରସ୍ତରରେ ଯେଉଁଭଳି ଖୋଦେଇ କରାଯାଇ ଲେଖାଯାଏ ଠିକ୍‌ ସେହିଭଳି ତାଳପତ୍ରରେ ଅତ୍ୟନ୍ତ ଜାଗରୁକତାର ସହ ଲେଖାଯାଏ। ଲେଖକଙ୍କୁ ଲିପିକ କୁହାଯାଏ। ଲେଖି ସାରିଲା ପରେ ଶୁଖିଲା କଜ୍ଜଳରେ ତାଳପତ୍ରକୁ ଲେପନ କରାଯାଏ। ଏହାଦ୍ୱାରା ଅକ୍ଷରଗୁଡିକ ସ୍ପଷ୍ଟ ଦେଖାଯାଏ। ତାଳପତ୍ରଗୁଡିକ ଲେଖିବାଯୋଗ୍ୟ ହେଲେ ପାଣ୍ଡୁର ବର୍ଣ୍ଣ ଦେଖାଯାଏ। ଏହା ଉପରେ କଜ୍ଜଳ ଲେପନ କରାଯାଉଥିବାରୁ ଏହାକୁ ପାଣ୍ଡୁଲିପି କୁହାଯାଏ। ଗୋଟିଏ ଗ୍ରନ୍ଥର ଲେଖା ସରିବା ପରେ ପୋଥି ଶେଷ ଭାଗରେ ପୁଷ୍ପିକା ବା ବିଭିନ୍ନ ପୁଷ୍ପ,ଲତା ଇତ୍ୟାଦି ଚିତ୍ରରେ ଚିତ୍ରିତ କରାଯାଏ। ଏଥିରେ କବିଙ୍କର ନାମ ତଥା ବିଷୟ ସମ୍ବନ୍ଧ ବିଶେଷ ଜ୍ଞାନ ରହିଥାଏ।
ଲେଖା ସରିବା ପରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ପୋଥିବନ୍ଧା। ପୋଥିରେ ପତ୍ର ମଝିରେ ଗୋଟିଏ କଣା ଥାଏ ତଥା କିଛି ପୋଥିରେ ଦୁଇ ପାର୍ଶ୍ୱରେ ଦୁଇଟି କଣା ଥାଏ। ଯେଉଁ କଣା ପୋଥି ଲେଖା ପୂର୍ବରୁ କରାଯାଇଥାଏ। ଲେଖା ସରିଲେ ମୋଟା ସୂତା ଦ୍ୱାରା ପୋଥିକୁ ଦୃଢ଼ ଭାବରେ ବନ୍ଧାଯାଏ। କାରଣ ପୋଥି ଭିତରେ ପାଣି,ପବନ ପଶିଲେ ସେଗୁଡିକ ନଷ୍ଟ ହୋଇଯାଏ। ପୋଥି ସୁରକ୍ଷା ବିଷୟରେ ସଂସ୍କୃତ ଶ୍ଲୋକ କୁହେ -ତୈଳାଦ୍‌ ରକ୍ଷେତ୍‌, ଜଳାଦ୍‌ ରକ୍ଷେତ୍‌। ରକ୍ଷେଚ୍ଚ ଶିଥୀଳ ବନ୍ଧନା। ମୂର୍ଖ ହସ୍ତେ ନ ଦାତବ୍ୟଂ ଏବଂ ବଦତି ପୁସ୍ତକମ୍‌। ଅର୍ଥାତ୍‌ ପୋଥିକୁ ତେଲ, ଜଳ ଏବଂ ଶିଥୀଳ ବନ୍ଧନରୁ ରକ୍ଷା କରାଯିବ ତଥା ମୂର୍ଖ ବ୍ୟକ୍ତି ହସ୍ତରେ ପୋଥି ଦେବନାହିଁ। ଓଡ଼ିଶା, ଦକ୍ଷିଣ ଭାରତ, ସିଂହଳ,ବର୍ମା ପ୍ରଭୃତି ସ୍ଥାନରେ ତାଳଗଛର ପ୍ରାବଲ୍ୟରୁ ପ୍ରଚୁର ପରିମାଣରେ ତାଳପତ୍ର ପୋଥି ଦୃଷ୍ଟିଗୋଚର ହୁଏ। କିନ୍ତୁ ଅରୁଣାଚଳ ପ୍ରଦେଶ, ଆସାମ ପ୍ରଭୃତି ସ୍ଥାନରେ ଅଗରୁ ଗଛର ଛାଲିରେ ନିର୍ମିତ ପୋଥି ଦେଖାଯାଏ। ଏହା ଅତ୍ୟନ୍ତ ସୂକ୍ଷ୍ମ ଏବଂ ମୁନିଆ ବାଉଁଶ ଲେଖନୀରେ ପୋଥି ଲେଖାଯିବା ସହ ସୁନ୍ଦର କାରୁକାର୍ଯ୍ୟ ବିମଣ୍ଡିତ। ଠିକ୍‌ ସେହିଭଳି ହିମାଳୟ ପାର୍ଶ୍ୱବର୍ତ୍ତୀ ସ୍ଥାନରେ ଭୁର୍ଜଗଛର ବଳ୍କଳରେ ପୋଥି ଲେଖାଯାଏ। ଏହାକୁ ଭୁର୍ଜପତ୍ର କୁହାଯାଏ। ଏହା ମଧ୍ୟ ଅତ୍ୟନ୍ତ ସୂକ୍ଷ୍ଣ ଏବଂ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରେ। ସେଥିପାଇଁ କଶ୍ମୀର, କାଶୀ, ହିମାଚଳ ପ୍ରଦେଶ ପ୍ରଭୃତି ସ୍ଥାନରେ ଅନେକ ଦୁର୍ମୂଲ୍ୟ ପୋଥି ଲେଖାଯାଉଥିଲା , ଯାହା ଅଳ୍ପ ପରିମାଣରେ ସୁରକ୍ଷିତ ଅଛି। ଏହି ପୋଥି ହିଁ ପ୍ରମାଣିତ କରିପାରିଥିଲା ଭାରତ ହେଉଛି ଗଣିତର ଶୂନ୍ୟ ଅଙ୍କର ଉଦ୍ଭାବକ ବୋଲି। ଏହିଭଳି ବିଜ୍ଞାନ, ଆୟୁର୍ବେଦ, ସାହିତ୍ୟ,ଦର୍ଶନ ଇତ୍ୟାଦି ତତ୍ତ୍ୱ ପୋଥିରେ ସୁରକ୍ଷିତ ହୋଇ ରହିଥିଲା। ପ୍ରାଚୀନ ପୋଥିଗୁଡିକ ପ୍ରାୟତଃ ଶାରଦା, ବ୍ରାହ୍ମୀ, ଗ୍ରନ୍ଥ ଏବଂ ସଂସ୍କୃତ ଲିପିରେ ଲେଖାଯାଉଥିଲା। ପରବର୍ତ୍ତୀ ସମୟରେ ଆଞ୍ଚଳିକ ଭାଷାର ବିକାଶ ହେବାରୁ ଉକ୍ତ ଭାଷାରେ ପୋଥି ଲେଖାଗଲା।
ପୋଥି ଲେଖି ସାରିବା ପରେ ପୋଥିର ସୁରକ୍ଷା ଥିଲା ଅନ୍ୟ ଏକ ଗୁରୁଦାୟିତ୍ୱ। ପ୍ରତିବର୍ଷ ତୂଳିକା ମାଧ୍ୟମରେ ପୋଥିରୁ ଧୂଳି ଝଡ଼ାଯାଏ ଏବଂ ନିମ୍ବ ତଥା ଶିମ୍ବପତ୍ରର ରସ ମାଧ୍ୟମରେ ପତ୍ରଗୁଡିକ ଲେପ ଦେଇ ଅଳ୍ପ ଖରାରେ ୨/୩ ଦିନ ଶୁଖାଯାଏ। ଏହାଦ୍ୱାରା ପୋଥି ସୁରକ୍ଷିତ ରହିବା ସହ ଅକ୍ଷର ସ୍ପଷ୍ଟ ଦେଖାଯାଏ। ବର୍ତ୍ତମାନ ସଂଗ୍ରହାଳୟରେ ତୂଳିକାରେ ଧୂଳି ସଫାକରି ସ୍ପିରିଟ୍‌ ମାଧ୍ୟମରେ ପୋଥିକୁ ପୋଛାଯାଉଛି। ଏହାଦ୍ୱାରା କୀଟ ଲାଗିବେ ନାହିଁ। ପତ୍ରଗୁଡିକୁ ମୃଦୁ କରିବା ପାଇଁ ଲେମନ ଗ୍ରାସ ତେଲ ଅଥବା ନୀଳଗିରି ତେଲରେ ପୋଛାଯାଉଛି। ଏହାପରେ ପୁନଃ ବନ୍ଧନ କରାଯାଏ। ଅନେକ ପୋଥି ମୃଗଛାଲରେ ବନ୍ଧାହୋଇଥାଏ। ତାହା ଗୋଲ୍ଡେନ୍‌ ନଟ୍‌ ବନ୍ଧନ ବୋଲି ଆଧୁନିକ ଭାଷାରେ କୁହାଯାଏ। ଏହି ମୃଗଛାଲର ସୁରକ୍ଷା ମଧ୍ୟ କରାଯାଏ। ଏହିଭଳି ଭାବରେ ଆମର ପୂର୍ବ ପୁରୁଷମାନେ ଅତ୍ୟନ୍ତ ପରିଶ୍ରମକରି ସାଇତି ରଖିଥିବା ଦୁର୍ମୂଲ୍ୟ ରତ୍ନ ସବୁ ସତେ ଯେମିତି ଆଜି ଆମ ପାଇଁ ମୂଲ୍ୟହୀନ ହୋଇଯାଇଛି।

ପ୍ର.ଭାରତ ଭୂଷଣ ରଥ
ଉପ ନିର୍ଦ୍ଦେଶକ, ଦୂରଶିକ୍ଷା ନିର୍ଦ୍ଦେଶାଳୟ, ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି, ଆନ୍ଧ୍ରପ୍ରଦେଶ
ମୋ: ୮୮୯୭୪୨୬୨୪୩