ବିଶ୍ୱରେ ଅରାଜକତା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଏବଂ ଇରାନ ମଧ୍ୟରେ ଅବ୍ୟବସ୍ଥିତ କୂଟନୀତି ଜାରି ରହିଛି। ଏଥିରୁ ବିଶ୍ୱ ବ୍ୟାପାରକୁ ବୁଝିବା ଅସମ୍ଭବ ବୋଲି ଅନେକେ ମନେକରୁଛନ୍ତି। କିନ୍ତୁ ଯଦି ସାମାନ୍ୟ ପଛକୁ ଫେରିଯାଇ ଘଟଣାଗୁଡ଼ିକୁ ଅନୁଧ୍ୟାନ କରିବା, ତେବେ ବୁଝିପାରିବା ଯେ ଏବେ ବିଶ୍ୱରେ ଜାରି ରହିଥିବା ପ୍ରମୁଖ ସଂଘର୍ଷଗୁଡ଼ିକ ଗୋଟିଏ ସୂତ୍ରରେ ବନ୍ଧା। ଏବର ଚାରିଟି ପ୍ରମୁଖ ବିଶ୍ୱ ଉତ୍ତେଜନାର ମୂଳ କାରଣ ଅନେକ ଦଶକ ଧରି ଚାଲିଆସୁଥିବା ଐତିହାସିକ ପ୍ରକ୍ରିୟାସହ ଜଡ଼ିତ। ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କ୍ରେମ୍‌ଲିନର ଅସନ୍ତୋଷ ଓ ଅସୁରକ୍ଷାବୋଧରୁ ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୀର୍ଘଦିନ ଧରି ସ୍ପଷ୍ଟ କରିଆସୁଥିଲେ ଯେ, ସେ ୟୁକ୍ରେନର ସ୍ବାଧୀନତା କିମ୍ବା ପାଶ୍ଚାତ୍ୟ ସହ ତାହାର ରଣନୀତିକ ସମ୍ପର୍କକୁ ଘୃଣା କରନ୍ତି। ୧୯୯୦ ଦଶକରେ ପୂର୍ବତନ ଆମେରିକୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ବିଗନିଏଭ ବ୍ରେଜିନସ୍କି ସତର୍କ କରିଥିଲେ ଯେ, ୟୁକ୍ରେନ ବିନା ରୁଷିଆ ଏକ ସାମ୍ରାଜ୍ୟ ହୋଇ ରହିପାରିବ ନାହିଁ। ଏହାର ଅର୍ଥ ହେଲା, ୟୁକ୍ରେନ୍‌କୁ ପୁଣି ନିଜ ନିୟନ୍ତ୍ରଣକୁ ଆଣିପାରିଲେ ରୁଷିଆ ପୁନର୍ବାର ମହାଶକ୍ତି ହୋଇପାରିବ। ସମସ୍ତ ଘଟଣା ଏହି ଐତିହାସିକ ଆକାଂକ୍ଷାରୁ ଉତ୍ପନ୍ନ। ଏଥିପାଇଁ ଅରାଜକତାର ସିଦ୍ଧାନ୍ତ କିମ୍ବା ମନୋବିଶ୍ଳେଷଣର ଆବଶ୍ୟକତା ନାହିଁ। ଏହି ଯୁଦ୍ଧଟି କେବଳ ଏକ ସାମ୍ରାଜ୍ୟ ପରବର୍ତ୍ତୀ ଶକ୍ତି ଭାବରେ ନିଜର ସ୍ଥିତିକୁ ସ୍ବୀକାର ନ କରିବା ପାଇଁ ରୁଷିଆର ଦୃଢ଼ ନିଷ୍ପତ୍ତିର ପରିଣାମ।
ଦ୍ୱିତୀୟ ଉତ୍ତେଜନାର କେନ୍ଦ୍ର ତାଇୱାନ, ଯାହା ବିଶ୍ୱସ୍ତରୀୟ ବିନାଶର ସମ୍ଭାବନା ବହନ କରୁଛି। ଏଠାରେ ମଧ୍ୟ କୋରିଆ ଯୁଦ୍ଧ ସମୟରୁ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ। ସେହି ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ତାଇୱାନ ଏବଂ ଦକ୍ଷିଣ କୋରିଆ ଉଭୟଙ୍କୁ ନିଜର ସୁରକ୍ଷା ବଳୟ ମଧ୍ୟକୁ ଆଣିଥିଲା। ଚାଇନାର ମାଓ ଜେଡଙ୍ଗ ନିଜେ ଏଥିରେ ସାମିଲ ହେବାକୁ ପଛାଉଥିଲେ, କାରଣ ସେ ଆଶଙ୍କା କରୁଥିଲେ ଯେ ଉପଦ୍ୱୀପରେ ଏକ ଯୁଦ୍ଧ ତାଙ୍କୁ ତାଇୱାନ ଜୟ କରିବା ଯୋଜନାରୁ ବିଚ୍ୟୁତ କରିଦେବ। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଆମେରିକାର ସେଭେନ ଫ୍ଲିଟ ନୌସେନାର ହସ୍ତକ୍ଷେପ ଯୋଗୁ କୋରିଆ ଯୁଦ୍ଧ ଶେଷ ହେବା ପରିବର୍ତ୍ତେ ଲମ୍ବା ସମୟ ଧରି ଚାଲିଲା ଏବଂ ସ୍ଥିତିକୁ ଯଥାବତ୍‌ ସ୍ଥିର ରଖିଦେଲା।
ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ତାଇୱାନକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ଥିବା ରଣନୀତିକ ଅସ୍ପଷ୍ଟତାକୁ ସାରା ବିଶ୍ୱ ଏବେ ଦେଖୁଛି। ଚାଇନା ଚାହୁଁଛି ଯେ ଆମେରିକା ଏହି ଦ୍ୱୀପର ସ୍ବାଧୀନତାକୁ ବିରୋଧ କରେ ବୋଲି ଓପଚାରିକ ଭାବେ ଘୋଷଣା କରୁ। ଅନ୍ୟପକ୍ଷରେ ଆମେରିକା ଏହି ଦ୍ୱୀପର ସୁରକ୍ଷା ପାଇଁ କ’ଣ କରିବ ତାହା କହୁନାହିଁ। ଏହି ଅସ୍ପଷ୍ଟତା ହୁଏତ ଅଧିକ ସମୟ ରହିନପାରେ। ଟ୍ରମ୍ପ୍‌ ତାଇୱାନକୁ ସମର୍ଥନ କରିବା ପାଇଁ ଆମେରିକାର ପ୍ରତିବଦ୍ଧତାକୁ ପ୍ରତ୍ୟାଖ୍ୟାନ କରିପାରନ୍ତି କିମ୍ବା ଚାଇନା ଶେଷରେ ଏହି ଦ୍ୱୀପକୁ ଅବରୋଧ କରି ଆମେରିକାକୁ ପଦକ୍ଷେପ ନେବା ପାଇଁ ବାଧ୍ୟ କରିପାରେ। କିନ୍ତୁ ଆମେ ଏପର୍ଯ୍ୟନ୍ତ ସେହି ସ୍ଥିତିରେ ପହଞ୍ଚତ୍ ନାହୁଁ। ଯଦି ବି ସେପରି ହୁଏ, ଏହାକୁ ଅଯୁକ୍ତିକର ବୋଲି କୁହାଯିବ ନାହିଁ। ଏହାର ଅର୍ଥ ନୁହେଁ ଯେ ବିପଦ ନାହିଁ।
ମଧ୍ୟପ୍ରାଚ୍ୟ କ୍ଷେତ୍ରରେ ସମାନ କଥା ପ୍ରଯୁଜ୍ୟ। ଇସ୍ରାଏଲ-ପାଲେଷ୍ଟାଇନ୍‌ ସଂଘର୍ଷ ଏବଂ ଆମେରିକା-ଇସ୍ରାଏଲ ବନାମ ଇରାନ ବିବାଦ ଭୟାବହ ପରିଣାମ ସୃଷ୍ଟି କରିଛି। ଉଲ୍ଲେଖନୀୟ ଯେ, ବିବାଦର ସମାଧାନ କେବଳ ଭୂଖଣ୍ଡର କିଛି ଅଂଶ ବଦଳରେ ହୋଇପାରିବ ଏବଂ ସ୍ଥାୟୀ ଶାନ୍ତି ସ୍ଥାପନ ସମ୍ଭବ। ଏହା ବି ବହୁଦିନରୁ ଜଣାଅଛିି। କିନ୍ତୁ ସେହି ସମାଧାନ ସମ୍ଭବ ହେଉନାହିଁ। ସଂଘର୍ଷ ଆହୁରି ହିଂସ୍ର ଓ ଭୟାବହ ହୋଇଛି। ଇରାନ ସହିତ ଯୁଦ୍ଧର ମୂଳ କାରଣ ହେଉଛି ଦଶନ୍ଧି ପୂର୍ବେ ଘଟିଥିବା ୧୯୭୯ ବିପ୍ଳବ। ପାଶ୍ଚାତ୍ୟ ଦେଶଗୁଡ଼ିକର ପ୍ରତ୍ୟକ୍ଷ ବିରୋଧକୁ ନେଇ ଇସ୍‌ଲାମିକ ରିପବ୍ଲିକ ପ୍ରତିଷ୍ଠା ହୋଇଥିଲା, ଯାହାକି ଏଭଳି ପରିସ୍ଥିତି ସୃଷ୍ଟି କରିଛି। ଏହି ବିବାଦର ମୂଳ ରୂପରେଖ ବଦଳି ନାହିଁ। ଇରାନ ବିଶେଷକରି ଇସ୍ରାଏଲ, ଆମେରିକା ଏବଂ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକର କ୍ଷତି କରି ଆଞ୍ଚଳିକ ସ୍ତରରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି। ଫଳରେ ସେମାନେ ଇରାନର କ୍ଷମତା ହ୍ରାସ କରିବା ଲାଗି ଲାଗିପଡ଼ିଛନ୍ତି। ଯେଉଁ ସମୟ ମଧ୍ୟରେ ଇସ୍‌ଲାମିକ ରିପବ୍ଲିକ ଆଣବିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା, ସେହି ସମୟରୁ ଅନେକ ଦଶନ୍ଧି ଧରି ଏହି ବିବାଦ ଚାଲିଛି। ତେବେ ଓବାମାଙ୍କ ପ୍ରଶାସନ ୨୦୧୫ରେ ଜଏଣ୍ଟ କମ୍ପ୍ରିହେନ୍‌ସିଭ୍‌ ପ୍ଲାନ ଅଫ୍‌ ଆକ୍ସନ (ଜେସିପିଓଏ) ମାଧ୍ୟମରେ ଆଣବିକ ସମସ୍ୟାର ସମାଧାନ କରିଥିଲେ। ହେଲେ ବ୍ୟାପକ ଆଞ୍ଚଳିକ ସୁରକ୍ଷା ସମସ୍ୟାର ସମାଧାନ ନ କରି ଅନ୍ତର୍ଜାତୀୟ ଆଣବିକ ନିରୀକ୍ଷଣକାରୀଙ୍କୁ ଇରାନର ପ୍ରତିଷ୍ଠାନଗୁଡ଼ିକରେ ଯାଞ୍ଚ କରିବା ପାଇଁ ସୁଯୋଗ ଦେଇଥିଲା। ଟ୍ରମ୍ପ୍‌ ୨୦୧୮ରେ ଜେସିପିଓଏକୁ ବାତିଲ କରିଦେଇଥିଲେ।
ଏହି ସମସ୍ତ ଘଟଣା ଦର୍ଶାଏ ଯେ, ଯାହାକୁ ବିଶେଷଜ୍ଞମାନେ ବିଶୃଙ୍ଖଳା ବୋଲି ବର୍ଣ୍ଣନା କରନ୍ତି, ତାହା ପ୍ରକୃତରେ ବହୁ ଦିନରୁ ଦାନା ବାନ୍ଧୁଥିବା ଘଟଣାବଳୀର ଚୂଡ଼ାନ୍ତ ରୂପ। ଏହା ଏଭଳି ଏକ ସମୟରେ ଆସିଛି, ଯେତେବେଳେ ଅନ୍ତର୍ଜାତୀୟ ବ୍ୟବସ୍ଥା ଭୂ-ରାଜନୈତିକ ଝଟକାଗୁଡ଼ିକୁ ରୋକିବା କିମ୍ବା ପ୍ରଶମିତ କରିବାକୁ ଆଉ ସମର୍ଥ ନୁହେଁ। ଆମ ପାଖରେ ଆଉ ପୂର୍ବଭଳି ସଂସ୍ଥାଗତ ସ୍ଥିରତା ରକ୍ଷା କରିବାର ବ୍ୟବସ୍ଥା ନାହିଁ ଏବଂ ଏଥିପାଇଁ ଟ୍ରମ୍ପ୍‌ ଅନେକାଂଶରେ ଦାୟୀ। ଆଜିର ପରିସ୍ଥିତି ଏକ ବ୍ୟାପକ ସାମ୍ରାଜ୍ୟବାଦୀ ପରିବର୍ତ୍ତନକୁ ପ୍ରତିଫଳିତ କରେ। ଆମେରିକାରୁ କ୍ଷମତା ଏବେ ଚାଇନା ଆଡ଼କୁ ଗତି କରିବାରେ ଲାଗିଛି। ଏହି ପରିବର୍ତ୍ତନ ପ୍ରତି ଆମେରିକାର ପ୍ରତିକ୍ରିୟା ରଣନୈତିକ ଦୃଷ୍ଟିରୁ ଅସଙ୍ଗତ। ଚାଇନା ସହିତ ଏକ ବୁଝାମଣା ଟ୍ରମ୍ପ୍‌ ଚାହୁଁଥିବା ମନେହୁଏ, ଏପରିକି ତାଇୱାନକୁ ଛାଡ଼ିଦେବାକୁ ମଧ୍ୟ ସେ ପ୍ରସ୍ତୁତ ହୋଇପାରନ୍ତି। କିନ୍ତୁ ଟ୍ରମ୍ପ୍‌ଙ୍କ ଭଳି ଅସ୍ଥିର ଏବଂ ପ୍ରଭାବଶାଳୀ ରାଷ୍ଟ୍ରପତି ମଧ୍ୟ ଅନ୍ୟ ଦିଗକୁ ଗତି କରିପାରନ୍ତି, ଯିଏ କି ତାଇୱାନକୁ ଏଭଳି ଭାବେ ଆପଣେଇପାରନ୍ତି, ଯାହା ଚାଇନାକୁ ଉତ୍ତେଜିତ କରିବ।
ଏହି ସମୟରେ ଚାଇନା ନିଜର ରଣନୀତିକୁ ଅସ୍ପଷ୍ଟ ରଖିଆସିଛି। ଏହା ନିଜର ଶକ୍ତି ଅନୁରୂପ ଏକ ବୃହତ୍‌ ଅନ୍ତର୍ଜାତୀୟ ଭୂମିକା ଗ୍ରହଣ କରିବାକୁ ଚାହୁଁଛି। କିନ୍ତୁ ଅନ୍ତର୍ଜାତୀୟ ମେଣ୍ଟ ଗଠନ କରିବାର କଠିନ ପରିଶ୍ରମ କରିବାକୁ ଏହା ଚାହଁୁନାହିଁ। ଯେତେବେଳେ ଚାଇନା ଅନ୍ତର୍ଜାତୀୟ ନିୟମଗୁଡ଼ିକୁ ଅବମାନନା କରେ, ସେତେବେଳେ (ଦକ୍ଷିଣ ଚାଇନା ସାଗରକୁ ବାଦ୍‌ ଦେଲେ) ଏହା କେବେ ବି ସ୍ପଷ୍ଟ ବା ପ୍ରକାଶ୍ୟ ଭାବରେ ଏପରି କରେ ନାହିଁ। ଚାଇନାର ବିନା ସମର୍ଥନରେ ୟୁକ୍ରେନରେ ରୁଷିଆ ନିଜର ଯୁଦ୍ଧ ଜାରି ରଖିପାରିବ ନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ, ପୁଟିନ୍‌ଙ୍କୁ ସମର୍ଥନ କରିବା ଅଯୌକ୍ତିକ। ଚାଇନା ପାଶ୍ଚାତ୍ୟ ଦେଶଗୁଡ଼ିକୁ ଦୁର୍ବଳ କରିବାର ଏକ ମାଧ୍ୟମ ଭାବରେ ରୁଷିଆ ସମର୍ଥନ କରୁଛି ଏବଂ ସମାନ ଯୁକ୍ତି ଏହାର ଇରାନ ସହିତ ଥିବା ସମ୍ପର୍କ କ୍ଷେତ୍ରରେ ମଧ୍ୟ ଲାଗୁ କରିଛି।
ଅଧିକ ବିପଜ୍ଜନକ ସଂଘର୍ଷରେ ଅନେକେ ଘୋଷଣା କରୁଛନ୍ତି ଯେ, ଅନ୍ତର୍ଜାତୀୟ ବ୍ୟବସ୍ଥା ଆଉ ନାହିଁ। କିନ୍ତୁ ବାସ୍ତବତା ଅଧିକ ସୂକ୍ଷ୍ମ। ଉଦାହରଣ ସ୍ବରୂପ, ଟ୍ରମ୍ପ୍‌ଙ୍କ ଆମଦାନୀ ଶୁଳ୍କ ନେଇ ଅନିଶ୍ଚିତତା ସତ୍ତ୍ୱେ ମଧ୍ୟ ବିଶ୍ୱ ବାଣିଜ୍ୟ ବୃଦ୍ଧି ପାଉଛି। ଯୋଗାଣ ଓ ମୂଲ୍ୟ ଶୃଙ୍ଖଳା ଭାଙ୍ଗିପଡ଼ୁନାହିଁ; ବରଂ ସେଗୁଡ଼ିକ ନୂଆ ଢାଞ୍ଚାରେ ପୁନର୍ଗଠିତ ହେଉଛି।
ଯଦି ଆଜିର ବିଶ୍ୱ ଆମକୁ ଅବ୍ୟବସ୍ଥିତ ପରି ଲାଗୁଛି, ତାହାର କାରଣ ହେଉଛି ଆମ ପାଖରେ ଏହାକୁ ସମାଧାନ କରିବା ପାଇଁ ଯଥେଷ୍ଟ ଉପାୟ ନାହିଁ। ତେଣୁ ନୂଆ ଅଜଣା ପଥ ଖୋଜିବା ପୂର୍ବରୁ ଆମେ ପ୍ରଥମେ ଅନ୍ତର୍ଜାତୀୟ ରାଜନୀତିକୁ ପୁଣିଥରେ ବୁଝି ତା’ ଉପରେ ଗୁରୁତ୍ୱ ଦେବା ଉଚିତ।

ଜାକି ଲାଇଦି

ପୂର୍ବତନ ସ୍ବତନ୍ତ୍ର ପରାମର୍ଶଦାତା,
ହାଇ ରିପ୍ରେଜେଣ୍ଟେଟଭ୍‌ ଅଫ ଦି
ୟୁରୋପିଆନ ୟୁନିୟନ ଫର ଫରେନ୍‌ ଆଫେୟାସ

 

Dharitri – Odisha’s No.1 Odia Daily