ଜୋତା ଦୋକାନର ପିଲାଟିକୁ ମୋ ପାଇଁ ଜୋତା ଦେଖେଇବାକୁ କହିଛି କି ନାହିଁ ମତେ ସାମାନ୍ୟ ଠେଲିଦେଇ ଜଣେ ଯୁବତୀ ଏବଂ ତାଙ୍କ ମାଆ ଭିତରକୁ ପଶିଆସିଲେ। ଆଗ ତାଙ୍କ ମାଆ ପାଇଁ ଜୋତା ଦେଖେଇବାକୁ ଝିଅଟି କହିବାରୁ ପିଲାଟି ମତେ ଚାହିଁଲା। ତାଙ୍କ କଥା ଆଗ ବୁଝିବାକୁ ମୁଁ ଈଶାରା କରି ଜଣେଇବାରୁ ପିଲାଟି ସେ ଦୁହିଁଙ୍କୁ ବସିବାକୁ କହି ମାଡାମଙ୍କ ପାଇଁ ଜୋତା ଆଣି ଆସିଲା। ଝିଅଟି କହିଲା, ‘ମୋ ମାଆ ପାଞ୍ଚ ହଜାର ଟଙ୍କାରୁ ତଳକୁ ଚପଲ ପିନ୍ଧନ୍ତିନି। ଲୋକଙ୍କ ଷ୍ଟାଣ୍ଡାର୍ଡ ଦେଖି ସେ ଅନୁସାରେ ଜୋତା ତ ଦେଖାଅ।’ ବେକରେ ଝୁଲେଇଥିବା ମୁଁ ପିନ୍ଧିଥିବା ଢିଲା ଟି-ଶାର୍ଟ ଓ ଅଲୱେଦର ଚପଲ ଉପରେ ଆଖି ବୁଲେଇଆଣି ମାଡାମ ପିଲାଟିକୁ କହିଲେ, ‘ଲୋକଙ୍କର ବେଶଭୂଷା ଦେଖି ତାଙ୍କ ଷ୍ଟାଣ୍ଡାର୍ଡ ଅନୁମାନ କରିବା ଶିଖ।’ ବିଚରାଟି ମୁଣ୍ଡ ହଲେଇଦେଇ ମାଡାମଙ୍କ ସେବାରେ ଲାଗିଗଲା। ପ୍ରାୟ ଅଧଘଣ୍ଟାଏର କସରତ ପରେ ମାତ୍ର ବାର ହଜାର ଟଙ୍କାର ଜୋତା ହଳେରେ କୌଣସିପ୍ରକାରେ ଚଳେଇନେଇ ମାଆ ଝିଅ ଗଲାପରେ ପିଲାଟି ମତେ ବିଳମ୍ବ ପାଇଁ କ୍ଷମା ମାଗିବା ସହିତ ମୋର ଧୈର୍ଯ୍ୟକୁ ପ୍ରଶଂସା କରିବାକୁ ଭୁଲିଲାନି। ସେ ମାଡାମଙ୍କଠାରୁ ମୁହଁ ଲୁଚେଇ ଏତେ ସମୟ ଧରି ଗୋଟେ କୋଣରେ ଠିଆ ହେଇଥିବା ମୋ ବନ୍ଧୁ ଜଣକ ଏବେ ବାହାରି ଆସି ଦୀର୍ଘଶ୍ବାସଟିଏ ଛାଡ଼ି କହିଲେ, ‘ମଣିଷ ବଞ୍ଚିଗଲା ଜାଣ।’
ମୋର ଆଶ୍ଚର୍ଯ୍ୟ ମୁଦ୍ରା ଦେଖି ବନ୍ଧୁ କହିଲେ, ‘ଗପଟେ ଶୁଣ। ଅତ୍ୟନ୍ତ ଦାରିଦ୍ର୍ୟରେ ଥିବା ଗୋଟେ ଦମ୍ପତି ତାଳ ଚୋରିକରି ଗୁଜୁରାଣ ମେଣ୍ଟଉଥିଲେ। ସ୍ବାମୀଟି ଗଛରେ ଚଢ଼ି ତାଳ ତୋଳୁଥିବା ବେଳେ ତାକୁ କୌଣସି କାରଣରୁ ସୁରକ୍ଷିତ ସଂଗ୍ରହ କରିବାପାଇଁ ସ୍ତ୍ରୀଟି ତଳେ ପିଠି ପତେଇଦେଇ ତାଳ ମାଡହେବାର କଷ୍ଟ ସହିନେଇ ତାକୁ ନିଜ ପତ୍ର କୁଡ଼ିଆକୁ ନେଇ ଖାଦ୍ୟ ଭାବରେ ବ୍ୟବହାର କରନ୍ତି। ନିଜ ରାଜ୍ୟରେ ଏତେ ଦାରିଦ୍ର୍ୟରେ ଥିବା ଦମ୍ପତିଙ୍କୁ ହଠାତ ଆବିଷ୍କାର କଲାପରେ ରାଜା ସେ ଲୋକଟିକୁ ଦରବାରରେ କାମ ଯୋଗାଇଦେଲେ। ନିଜର ଧୂର୍ତ୍ତ ଅଥଚ ତୀକ୍ଷ୍ଣ ବୁଦ୍ଧି ବଳରେ ଲୋକଟି କିଛିଦିନ ମଧ୍ୟରେ ପତ୍ର କୁଡ଼ିଆ ଜାଗାରେ ଏକ ସୁଦୃଶ୍ୟ ଅଟ୍ଟାଳିକା ତିଆରି କରେଇଦେଲା। ଏକଥା ଅଚାନକ ଜାଣିବା ପରେ ରାଜା ଲୋକଟିଠାରୁ ରୋଜଗାରର ରହସ୍ୟ ଭେଦକରି ତା’ର ବୁଦ୍ଧିକୁ ତାରିଫ କରି ତାକୁ ମନ୍ତ୍ରୀ ପଦ ପ୍ରଦାନ କଲେ। ପଦଭାର ଗ୍ରହଣ କଲାପରେ ଅଭିନନ୍ଦନ ସୂତ୍ରରେ ପାଇଥିବା ବିଶାଳ ଫୁଲମାଳଟିଏ ନେଇ ପଲଙ୍କର ତୂଳୀତଳ୍ପ ଶେଯରେ ଶୋଇଥିବା ତା’ ସ୍ତ୍ରୀ ଉପରେ ଯେତେବେଳେ ସେ ପକେଇଦେଲା, ଯନ୍ତ୍ରଣାଭରା ସ୍ବରରେ ସ୍ତ୍ରୀଟି କହିଲା, ‘ ଆଃ, ମାଳଟା ଆସ୍ତେ ପକଉନ! କେତେ କାଟୁଚି!’ ହଠାତ ଅବାକ ପାଲଟିଯାଇଥିବା ଲୋକଟା ମନେମନେ କହିଲା – ଅନାଲୋ ସଜନୀ ବାଳକାଳକୁ, ପିଠି ଦେଇଥିଲୁ ତାଳ ମୂଳକୁ।’
ଗପଟିର ତାତ୍ପର୍ଯ୍ୟ ଓ ପ୍ରାସଙ୍ଗିକତା ବୁଝେଇବାକୁ ଯାଇ ବନ୍ଧୁ କହିଲେ, ”ଏ ମହିଳା ହଉଚି ଆମ ଗାଁ ରମା ସାର୍ଙ୍କ ଝିଅ। ପାଞ୍ଚ ପିଲାଙ୍କ ସହ ଗୋଟେ ବଡ଼ ପରିବାର ଚଳେଇବାର କଷ୍ଟ ଭିତରେ ସାର୍ଙ୍କ ଭଳି ଜଣେ ସାଦାସିଧା ଲୋକ ପିଲାଙ୍କୁ ଯଥାକଥା ଚଳେଇ କେବଳ ପାଠ ପଢ଼େଇ ମଣିଷ କରିବାରେ ଲାଗିପଡ଼ିଥିଲେ। ଭଲରେ ଖାଇବାକୁ କି ପିନ୍ଧିବାକୁ ପାଉ ନ ଥିବା ଏ ଝିଅ କେତେ ବଡ଼ ହେବାଯାଏ ବିନା ଚପଲରେ ବି ସ୍କୁଲ ଯାଉଥିବା ମୋର ମନେ ଅଛି। ଏମିତି କି ସେ ବାହା ହେବାର ଅନେକ ଦିନ ପର୍ଯ୍ୟନ୍ତ ମଧ୍ୟ ତା’ର ପରିସ୍ଥିତି ଖରାପ ଥିଲା ବୋଲି ରମା ସାର୍ ମନଦୁଃଖ କରୁଥିବା ମୁଁ ଜାଣିଛି। ଭଗବାନଙ୍କ ଆଶୀର୍ବାଦରୁ କେମିତି ସୁଖ ଭୋଗିଲେ ଯେ ମାଆ ଝିଅଙ୍କ ଅହଙ୍କାର ଦେଖ। କଥାକଥାକେ ନିଜର ଧନଦୌଲତ ବିଷୟରେ ବଡ଼ିମା ଦେଖେଇ ଯେମିତି ହେଲେ କିଛି କହିବାରେ ମାହିର“।
ବନ୍ଧୁଙ୍କ କଥା ଅଧାରୁ କହିଲି, ”ବୁଝିଲ, ଯୋଗ୍ୟତା ନ ଥାଇ ଜଣେ ଉଚ୍ଚ ପଦରେ ଆସୀନ ହେଲେ କିମ୍ବା ଆଶାତୀତ ସଫଳତା ହାସଲ କଲେ ପ୍ରାୟତଃ ଏ ପ୍ରକାର ଅହଙ୍କାର ସୃଷ୍ଟି ହୋଇଥାଏ; ଯେମିତି ରୁଖା ଉପରେ ଚଢ଼ିବା ପରେ ପିମ୍ପୁଡ଼ି କ୍ଷେତ୍ରରେ ଘଟେ। ଖୁବ୍ କମ୍ ଲୋକ ଆଶା କରୁ ନ ଥିବା ସମୃଦ୍ଧି ପାଇଲା ପରେ ମଧ୍ୟ ବିନମ୍ର ରହିଥାନ୍ତି। ଆମେ ଛୋଟବେଳୁ ଦେଖିଚୁ ଆର୍ଥିକ ଦୁଃସ୍ଥିତି ସହ ବାପାବୋଉ କେମିତି ସଙ୍ଘର୍ଷ କରୁଥିଲେ; ପାଞ୍ଚ ଟଙ୍କା ବଞ୍ଚେଇବା ପାଇଁ ବାପା ଦଶ କିଲୋମିଟର ବି ଚାଲିଚାଲି ଯାଉଥିଲେ। ରୋଜଗାର ଯେତେ ବି ଥାଉନା କାହିଁକି ଆବଶ୍ୟକ ନ ଥିଲେ ବା କେବଳ ଦେଖେଇ ହେବା ପାଇଁ ଆଦୌ ଟଙ୍କା ଖର୍ଚ୍ଚ ନ କରିବାକୁ ବାପା ସବୁବେଳେ ପରାମର୍ଶ ଦେଉଥିଲେ। ଟଙ୍କାଟିଏ ରୋଜଗାର କରିବାପାଇଁ ପ୍ରକୃତ କଷ୍ଟ କରିଥିଲେ ହିଁ ଟଙ୍କାର ମୂଲ୍ୟ ବୁଝିହୁଏ। ଯେତେ ଉପରକୁ ଉଠିଲେ ବି ଜଣେ ଯଦି ନିଜ ମୂଳ ଅବସ୍ଥା ବିଷୟରେ ସଚେତନ ରହେ ତେବେ ତା’ ଭିତରେ ବିନୟ ଭାବ ରହିବ, ମଣିଷପଣିଆ ରହିବ। ନଚେତ ଧନ ଗର୍ବରେ ଅନ୍ଧ ଅମଣିଷ ବୋଲି ସମସ୍ତେ ଭର୍ତ୍ସନା କରିବେ।“
”ଏ ମହିଳା ଜଣକ ତ ସେଇଥିରୁ ଗୋଟିଏ। ସମାଜରେ ତାଙ୍କର ଏକମାତ୍ର ପରିଚୟ ହଉଛି ତାଙ୍କ ଧନ। ଥ୍ରୀ ଇଡିଅଟ୍ସ ସିନେମାର ଫୋର୍ଥ ଇଡିଅଟ ପରି କଥାକଥାକେ ସେ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷର ଦାମ୍ ସେ ନିଶ୍ଚୟ ଜଣେଇବ। ମା’ ଗୁଣସବୁ ଝିଅ ଛଡେଇ ଆଣିଚି। ଦି ଜଣଯାକ ଚପଲ ବିଷୟରେ ବି କେମିତି ଫୁଟାଣିଆ କଥା କହିଲେ! କେହି ହୁଏତ ମୁହଁରେ କହୁ ନ ଥିବେ, କିନ୍ତୁ ଆମ ଗାଁର ଅଧିକାଂଶ ପିଲା ତାଙ୍କୁ ଦେଖିଲେ ଆଭଏଡ କରିବାକୁ ଚେଷ୍ଟା କରନ୍ତି। ତାଙ୍କର ସମ୍ପର୍କୀୟଙ୍କ ଭିତରୁ ଅନେକ ତାଙ୍କୁ ପସନ୍ଦ ବି କରନ୍ତିନି। ଆଜି ମୋ ସହ ଦେଖା ହୋଇଥିଲେ ମୋ ମୁଣ୍ଡଟା ଖାଇଥାନ୍ତା। ରକ୍ଷା ପାଇଗଲି।“
ଆମ କଥା ଶୁଣି ପିଲାଟି କହିଲା, ‘ସାର୍, ଭଗବାନ କାହାର ଗର୍ବ ସହନ୍ତିନି।’ ସେ ଆଉ କିଛି କହିବା ଆଗରୁ ମୁଁ ତାକୁ ମୋ ଜୋତା କଥା ମନେପକେଇ ଦେବାରୁ ମତେ ଟିକେ ନିରେଖି ଚାହିଁ କହିଲା, ‘କୋଉ ଷ୍ଟାଣ୍ଡାର୍ଡର ଦେବି? କ’ଣ ଅନାଲୋ ସଜନୀ?’ ମୁଁ ହସି ଦେଇ କହିଲି,‘ମୋର ଷ୍ଟାଣ୍ଡାର୍ଡ ଏବେ ବି ସେୟା ଅଛି।’
ଅଧ୍ୟାପକ, ଇଂଲିଶ୍ ବିଭାଗ
ନିଆଳି ମହାବିଦ୍ୟାଳୟ, ନିଆଳି
ମୋ: ୯୮୬୧୩୪୫୬୫୮