ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା ପାଇଁ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଗୋଟିଏ ମଞ୍ଚରେ ଉପସ୍ଥିତ ହୋଇ ନ ଥିଲେ। ଏହା ମଧ୍ୟ ଏକ ଅପୂର୍ବ ସଂଯୋଗ ଯେ ଆଜି ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀଙ୍କର ଜନ୍ମଦିବସ। ତାଙ୍କର ଦୀର୍ଘ ନିରାମୟ ଓ କର୍ମଠ ଜୀବନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।
ଗତ କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରକୁ ବାର ବର୍ଷ ପୂରଣ ହୋଇଛି ଏବଂ ଜୁନ୍ ୧୨ ତାରିଖରେ ଓଡ଼ିଶା ସରକାରଙ୍କ ଦ୍ୱିତୀୟ ବର୍ଷ ସଫଳତାର ସହିତ ପୂର୍ଣ୍ଣ ହୋଇଛି। ଏହା ଏକ ସୌଭାଗ୍ୟର ବିଷୟ ଯେ, ସରକାରଙ୍କ ଶପଥ ଗ୍ରହଣ, ପ୍ରଥମ ବର୍ଷ ପୂର୍ତ୍ତି ଏବଂ ଆଜି ଦ୍ୱିତୀୟ ବର୍ଷ ପୂର୍ତ୍ତି ପାଇଁ ଖୋଦ ପ୍ରଧାନମନ୍ତ୍ରୀ ଉପସ୍ଥିତ ଅଛନ୍ତି। ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପ୍ରତି ଭଲପାଇବା ନୁହେଁ, ଏହା ଓଡ଼ିଶା ବିକାଶ ଯାତ୍ରା ମଡେଲର ସଫଳତାର ମୋହର।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଶାସିତ ସରକାରଙ୍କ ଲୋକାଭିମୁଖୀ ନୀତି, ଯୋଜନା କାର୍ଯ୍ୟକ୍ରମ ଫଳରେ ଦେଶରେ ବିକାଶର ଧାରା ପ୍ରବାହିତ ହେଉଛି ଏବଂ ଏହାର ସୁଫଳ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ଜୀବନଶୈଳୀକୁ ଉନ୍ନତି କରିବାରେ ସାହାଯ୍ୟ କରୁଛି। ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ୱରେ ଦେଶରେ ବିକାଶ ସହିତ ବିରାଶତ ଏବଂ ‘ସାଂସ୍କୃତିକ ରାଷ୍ଟ୍ରବାଦ’ର ଏକ ନୂତନ ଧାରା ପ୍ରବାହିତ ହେଉଛି। ଗତ ବାର ବର୍ଷର କଠିନ ପରିଶ୍ରମ ଫଳରେ ଦେଶ କେବଳ ଆର୍ଥିକ ଓ ସାମାଜିକ ସ୍ତରରେ ସଶକ୍ତ ହୋଇନାହିଁ, ଆଜି ଭାରତ ବିଶ୍ୱ ଦରବାରରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ନିକଟରେ ପ୍ରଧାନମନ୍ତ୍ରୀଙ୍କ ସଫଳ ଜି-୭ ରାଷ୍ଟ୍ରସମୂହ ଗସ୍ତ ଏହାର ପ୍ରମାଣ। ପ୍ରଥମ ଥର ପାଇଁ ଦେଶର ବିକାଶ ଓ ଦେଶର ସୁରକ୍ଷା ଏକ ସୁରକ୍ଷିତ ହାତରେ ଅଛି।
ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ଦୁଇବର୍ଷ ପୂର୍ବେ ଆରମ୍ଭ ହୋଇଥିବା ନୂତନ ସରକାର ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଆନ୍ତରିକତାର ସହିତ କାର୍ଯ୍ୟ କରୁଛି। ଗତ ୨୪ ମାସରେ ଆମ ସରକାର ଜନକଲ୍ୟାଣ ଓ ଜନବିଶ୍ୱାସର କେନ୍ଦ୍ରବିନ୍ଦୁରେ ପହଞ୍ଚତ୍ବା ପାଇଁ ଅହରହ ଉଦ୍ୟମ ଜାରିରଖିଛି। ଆମ ‘ଶାସନ-ପ୍ରଶାସନ’ ମଡେଲର କେନ୍ଦ୍ରବିନ୍ଦୁ ହେଉଛନ୍ତି ‘ଓଡ଼ିଶାର ସାଧାରଣ ଜନତା’, ନେତା କି ଅଧିକାରୀ ନୁହେଁ। ତେଣୁ ପ୍ରତ୍ୟେକ ଯୋଜନା, ପ୍ରତ୍ୟେକ କାର୍ଯ୍ୟକ୍ରମ ଏବଂ ପ୍ରତ୍ୟେକ ନୀତି ଓଡ଼ିଶା ତଥା ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ସମର୍ପିତ।
ଯେ କୌଣସି ସରକାର ପାଇଁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପଥର ଉପରେ ଟଣା ଯାଇଥିବା ରେଖା ପରି ହେବା ଉଚିତ। ଏହାକୁ ଦୃଷ୍ଟିରେ ରଖି ଦୁଇ ବର୍ଷ ତଳେ ଆସିଥିବା ନୂତନ ସରକାର ଏହାର ପ୍ରଥମ କ୍ୟାବିନେଟ ବୈଠକରେ ଚାରିଗୋଟି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ, ଯାହା ସଂକଳ୍ପ ପତ୍ରରେ ଉଲ୍ଲେଖ କରାଯାଇଥିଲା। ସେହି ଚାରିଗୋଟି ନିଷ୍ପତ୍ତି ଯେପରିକି ସୁଭଦ୍ରା ଯୋଜନା, ଧାନକ୍ରୟ ପାଇଁ କୁଇଣ୍ଟାଲ ପିଛା ୩,୧୦୦ ଟଙ୍କା ପ୍ରଦାନ କରିବା, ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ଏବଂ ଜଗନ୍ନାଥ ମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିବାରୁ ଆରମ୍ଭ ହୋଇଥିଲା ସମୃଦ୍ଧ ଓଡ଼ିଶା ଗଠନ କରିବାର ପରିକଳ୍ପନା।
ଯେ କୌଣସି ସରକାରଙ୍କ ସଫଳତାର ମାପଦଣ୍ଡ ସରକାରଙ୍କ ଅମଳରେ କରାଯାଇଥିବା ନୂତନ ଯୋଜନା, ନୂତନ କାର୍ଯ୍ୟକ୍ରମକୁ ନେଇ ହେବା ଉଚିତ। ବିକାଶକୁ ରାଜନୈତିକ ଚଷମାରେ ଦେଖିବା ନୁହେଁ। କିନ୍ତୁ ସମ୍ପ୍ରତି ରାଜନୈତିକ ପରିସ୍ଥିତିରେ ଅର୍ଥନୈତିକ ଓ ସାମାଜିକ ବିକାଶ ରାଜନୀତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ତେଣୁ ସରକାରଙ୍କ ବିରୋଧରେ ଆଲୋଚନା ହେବା ସ୍ବାଭାବିକ।
ଗତ ଦୁଇ ବର୍ଷ ହେବ ରାଜ୍ୟ ସରକାର ଓଡ଼ିଶାର ସାଢ଼େ ଚାରିକୋଟି ଲୋକଙ୍କ ବିକାଶ ପାଇଁ ଚରଣବଦ୍ଧ ଯୋଜନା ସହିତ କାର୍ଯ୍ୟ କରୁଛନ୍ତି। ଏହି ପ୍ରଚେଷ୍ଟାର ବୃହତ୍ତର ଲକ୍ଷ୍ୟ ହେଉଛି ଆସନ୍ତା ଏକ ଦଶନ୍ଧିରେ ରାଜ୍ୟକୁ ‘ସମୃଦ୍ଧ ଓଡ଼ିଶା’ରେ ପରିଣତ କରିବା। ଏହି ଲକ୍ଷ୍ୟ ଅନୁସାରେ ୨୦୩୬ ମସିହାରେ ଯେତେବେଳେ ଆମ ରାଜ୍ୟ ସ୍ବତନ୍ତ୍ର ଓଡ଼ିଶା ଗଠନର ଶତବାର୍ଷିକୀ ପାଳନ କରିବ, ଏହା ଭାରତର ପାଞ୍ଚଗୋଟି ଶ୍ରେଷ୍ଠ ବିକଶିତ ରାଜ୍ୟରେ ସ୍ଥାନ ପାଇବ। ଏହି ଦଶ ବର୍ଷ ମଧ୍ୟରେ ରାଜ୍ୟର ଅର୍ଥନୀତି ଆକାରକୁ ୫୦୦ ବିଲିଅନ ଆମେରିକୀୟ ଡଲାରରେ ପରିଣତ କରିବା। ଯଦି ରାଜ୍ୟର ଅଭିବୃଦ୍ଧି ଏହି ସ୍ତରରେ ପହଞ୍ଚିବ, ତେବେ ଯାଇ ବିକାଶର ସୁଫଳ ରାଜ୍ୟର ଶେଷ ପାହାଚରେ ବସିଥିବା ବ୍ୟକ୍ତି ପାଖରେ ପହଞ୍ଚିପାରିବ।
ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର,‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ପ୍ରୟାସ ଏବଂ ସବ୍କା ବିଶ୍ବାସ’ ମନ୍ତ୍ରରେ ଦୀକ୍ଷିତ ହୋଇ ସମାଜର ପ୍ରତ୍ୟେକ ବର୍ଗଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଯୋଜନା ଆରମ୍ଭ ହୋଇଥିଲାା ରାଜ୍ୟ ସରକାରଙ୍କ ବିକାଶ ମଡେଲକୁ ଚାରିଗୋଟି ବୃହତ ପଦକ୍ଷେପରେ ବିଭକ୍ତ କରାଯାଇ ପାରିବ ଯଥା ଜୀବନ ଜୀବିକା, ଭିତ୍ତିଭୂମି, ସଶକ୍ତୀକରଣ ଏବଂ ସମାଜ କଲ୍ୟାଣ। ଗତ ଦୁଇ ବର୍ଷରେ ରାଜ୍ୟ ସରକାର ଏହି ଦିଗରେ ଅନେକ କାର୍ଯ୍ୟ କରିଛନ୍ତି।
ରାଜ୍ୟବାସୀଙ୍କ ପାଇଁ ସବୁଠାରୁ ବଡ ଆହ୍ବାନ ହେଉଛି ଜୀବନ ଜୀବିକା। ଦୁଃଖର ବିଷୟ ୨୪ ବର୍ଷର ତଥାକଥିତ ସୁଶାସନରେ କୃଷକଙ୍କ ଆୟର ସ୍ଥାନ ତାଲିକାରେ ତଳଆଡୁ ଦ୍ୱିତୀୟ ସ୍ଥାନରେ ଥିଲା। ଟଙ୍କାରେ କହିବାକୁ ଗଲେ, କୃଷକ ପରିବାରର ମାସିକ ଆୟ ଥିଲା ମାତ୍ର ୫,୧୧୨ ଟଙ୍କା। ତେଣୁ ଆମ ସରକାରଙ୍କ ଦ୍ୱାରା ନିଆଯାଇଥିବା କୃଷକ ସମୃଦ୍ଧି ଯୋଜନା, ସୁଭଦ୍ରା ଯୋଜନା ଫଳରେ ପ୍ରତି ଚାଷୀଙ୍କ ବାର୍ଷିକ ଆୟରେ ଆଖି ଦୃଶିଆ ଉନ୍ନତି ପରିଲକ୍ଷିତ ହୋଇଛି, କାରଣ ପ୍ରାୟ ପ୍ରତ୍ୟେକ ସୁଭଦ୍ରା ହିତାଧିକାରୀ ହେଉଛନ୍ତି ଚାଷୀ ପରିବାରର। ଆମ ସରକାରଙ୍କ ପାଇଁ ରାଜ୍ୟର ଚାଷୀ କେବଳ ‘କୃଷକ ନୁହନ୍ତି, ସେମାନେ ହେଉଛନ୍ତି ରାଜ୍ୟର ଅନ୍ନଦାତା। ସେଥିପାଇଁ ସରକାର ଗତ ଦୁଇ ବର୍ଷରେ କୃଷି ବଜେଟରେ ରେକର୍ଡ ପରିମାଣର ପ୍ରାବଧାନ କରିଛନ୍ତି।
ଜୀବନ ଜୀବିକା କ୍ଷେତ୍ରରେ ଆଉ ଏକ ବଡ଼ ପରିବର୍ତ୍ତନ ହେଉଛି ଶିଳ୍ପ ବିକାଶ। ଗତବର୍ଷ ଜାନୁଆରୀରେ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶାରୁ ଆରମ୍ଭ ହୋଇଥିବା ଔଦ୍ୟୋଗିକ ବିକାଶ ଆଜି ଏକ ବିପ୍ଳବର ରୂପ ନେଇଛି। ମାତ୍ର ଦେଢ଼ ବର୍ଷ ସମୟ ମଧ୍ୟରେ ଆମ ସରକାର ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଜରିଆରେ ୯ ଲକ୍ଷ ୫୦ହଜାର କୋଟି ଟଙ୍କାର ୪୪୫ ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଯାହାଦ୍ବାରା ୫ ଲକ୍ଷ ୫୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଏହି ସମୟ ମଧ୍ୟରେ ୨ ଲକ୍ଷ ୧୮ ହଜାର କୋଟି ଟଙ୍କା ବ୍ୟୟରେ ୧୧୪ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ଏବଂ ୬୭ ହଜାର କୋଟି ଟଙ୍କାର ୩୪ ଗୋଟି ପ୍ରକଳ୍ପର ଉଦ୍ଘାଟନ କରାଯାଇଛି। କେବଳ ଦେଢ଼ ବର୍ଷରେ ଓଡ଼ିଶାର ୩୨ ହଜାର ଯୁବକ ଯୁବତୀ ନୂତନ ନିଯୁକ୍ତି ପାଇଛନ୍ତି। ଆମ ଶିଳ୍ପ ବିକାଶର ମଡେଲ ହେଉଛି ରାଜ୍ୟର ପ୍ରତ୍ୟେକ ଜିଲାକୁ ଶିଳ୍ପାୟନ କରିବା, କିଛି ନିର୍ଦ୍ଦିଷ୍ଟ ଜିଲା କିମ୍ବା କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନେଇ ନୁହେଁ, ଏହି ମଡେଲର ନୀତି ହେଉଛି ‘ଜନ ସହଭାଗିତା’,‘ଜନ ସଂଘର୍ଷ’ ନୁହେଁ। ଯେ କୌଣସି ରାଜ୍ୟର ଉନ୍ନତି ପାଇଁ ଭିତ୍ତିଭୂମିର ବିକାଶ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, କାରଣ ଭିତ୍ତିଭୂମି ବିକାଶ ହେଲେ ଏହା ରୋଜଗାର ସୃଷ୍ଟି କରିବ, ଅର୍ଥନୈତିକ ଅଭିବୃଦ୍ଧି ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତ ଦୁଇ ବର୍ଷର ବଜେଟରେ ରେକର୍ଡ ପରିମାଣର ପ୍ରାବଧାନ କରୁଛନ୍ତି। ଚଳିତ ବଜେଟରେ ଭିତ୍ତିଭୂମି ନିର୍ମାଣ ପାଇଁ ୭୨,୧୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି, ଯାହା ରାଜ୍ୟ ଜିଡିପିର ୬.୫ ପ୍ରତିଶତ। ଏହି ଅନୁପାତ ସାରା ଦେଶରେ ଓଡ଼ିଶା ପାଇଁ ସର୍ବାଧିକ।
ଏହାର ଫଳ ସ୍ବରୂପ ଆଜି ଓଡ଼ିଶାରେ ରାଜ୍ୟରେ ଦୁଇଟି ଏକପ୍ରେସ ୱେ, ରୋଡ ନେଟୱର୍କ, ଭୁବନେଶର-କଟକ-ପୁରୀ-ପାରାଦୀପ ଆର୍ଥିକ ଅଞ୍ଚଳ, ବନ୍ଦର ବିକାଶ, ସେତୁ, ଅନୁଷ୍ଠାନ ନିର୍ମାଣ ପାଇଁ ଦୁଇ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ନିର୍ମିତ ହେଉଛି। ଏହିସବୁ ପ୍ରକଳ୍ପ ଓଡ଼ିଶାର ଅର୍ଥନୈତିକ ବିକାଶକୁ ତ୍ୱରାନ୍ବିତ କରିବ।
ଦେଶ ସ୍ବାଧୀନ ହେବାର ପ୍ରାୟ ଆଠ ଦଶନ୍ଦି ପରେ ବି ଓଡ଼ିଶାର ଅନେକ ଗ୍ରାମ ସବୁଦିନିଆ ସଡ଼କ, ପାନୀୟ ଜଳ ଏବଂ ବିଜୁଳି ସଂଯୋଗରୁ ବଞ୍ଚିତ। ୨୪ ବର୍ଷର ସୁଶାସନ ପରେ ବି କାହିଁକି ଏହି ମୌଳିକ ସୁବିଧା ଲୋକଙ୍କୁ ଯୋଗାଇ ଦିଆଯାଇ ପାରିଲା ନାହିଁ, ତାହା ଆଜିର ଆଲୋଚ୍ୟ ବିଷୟ ନୁହେଁ। କିନ୍ତୁ ଏହି ଐତିହାସିକ ଭୁଲ୍କୁ ସୁଧାରିବା ପାଇଁ ଆମ ସରକାର ‘ମିଶନ ପାୱାର’ (ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଓ ସଡ଼କ) ଗଠନ କରିଛନ୍ତି। ଆଗାମୀ ୨୦୨୭ ଶେଷ ସୁଦ୍ଧା ଓଡ଼ିଶାର ପ୍ରତି ଗ୍ରାମକୁ ଏହି ମୌଳିକ ସୁବିଧା ଯୋଗାଇବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି।
ନାଗରିକଙ୍କ ପାଇଁ ମୌଳିକ ସୁବିଧା ମଧ୍ୟରେ ସବୁଠାରୁ ସର୍ବାଗ୍ରେ ରହିବ ଶିକ୍ଷା ଓ ସ୍ବାସ୍ଥ୍ୟ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ରାଜନୈତିକ ବିଦ୍ୱେଷ କାରଣରୁ ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ଯୋଜନା ଯେପରିକି ନୂତନ ଶିକ୍ଷା ନୀତି, ୨୦୨୦, ପିଏମ୍ ଶ୍ରୀ ସ୍କୁଲ, ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟବାସୀଙ୍କଠାରୁ ବଞ୍ଚିତ ରଖାଯାଇଥିଲା, ଯାହା ଆମ ସରକାର ଆସିବା ମାତ୍ରେ କାର୍ଯ୍ୟକାରୀ କରିଥିଲେ।
ଶିକ୍ଷାକୁ ବ୍ୟାପକ, ଗୁଣାତ୍ମକ ଏବଂ ସାର୍ବଜନୀନ କରିବା ପାଇଁ ଆମ ସରକାର ‘କେଜି ଟୁ ପିଜି’ ନିଃଶୁଳ୍କ ଶିକ୍ଷା ପାଇଁ ଘୋଷଣା କରିଛନ୍ତି। ଏହାର ଫଳ ସ୍ବରୂପ ରାଜ୍ୟର କୌଣସି ଛାତ୍ରୀଛାତ୍ର ସମ୍ବଳ ଅଭାବରୁ ପାଠ ପଢ଼ାରୁ ବଞ୍ଚିତ ହେବେ ନାହିଁ। ଏପରି ଏକ ଯୋଜନା ପ୍ରଣୟନ କରିବାରେ ବୋଧହୁଏ ସାରା ଭାରତରେ ଓଡ଼ିଶା ପ୍ରଥମ ରାଜ୍ୟ। ଗୁଣାତ୍ମକ ପ୍ରାଥମିକ ଶିକ୍ଷା ପାଇଁ ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶୁଭାରମ୍ଭ କରିଛନ୍ତି। ଅତ୍ୟନ୍ତ ଆଧୁନିକ ଭିତ୍ତିଭୂମିରେ ନିର୍ମିତ ହେଉଥିବା ଏହି ବିଦ୍ୟାଳୟ ସବୁ ପ୍ରାଥମିକ ସ୍ତରରେ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବ। ବର୍ତ୍ତମାନ ସୁଦ୍ଧା ୩୨୨ଟି ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରାଯାଇଛି। ଏହା ବ୍ୟତୀତ ଗତ ଦୁଇ ବର୍ଷରେ ୨୬,୬୧୫ ଜଣ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି।
ଓଡ଼ିଶାକୁ ଉଚ୍ଚ ଶିକ୍ଷା ରାଜଧାନୀ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ତେଣୁ ଦକ୍ଷତା ବିକାଶ ପାଇଁ ରାଜ୍ୟର ଆଇ.ଟି.ଆଇ.ଗୁଡ଼ିକୁ ଉତ୍କର୍ଷ ଅନୁଷ୍ଠାନ ଭାବେ ବିକଶିତ କରଯାଉଛି, ଦକ୍ଷତା ବୃଦ୍ଧି ପାଇଁ ପ୍ରସିଦ୍ଧ ୱାର୍ଲଡ ସ୍କିଲ୍ ସେଣ୍ଟରର ଅଧିକ ଦୁଇଟି କ୍ୟାମ୍ପସ୍ ପ୍ରତିଷ୍ଠା କରାଯିବ। କିନ୍ତୁ ସବୁଠାରୁ ଉଲ୍ଲେଖନୀୟ ନିଷ୍ପତ୍ତି ହେଉଛି, ସାମାଜିକ ଓ ଆର୍ଥିକ ସ୍ତରରେ ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କ ପାଇଁ ମେଡିକାଲ ଓ ବୈଷୟିକ ଶିକ୍ଷା ସଂସ୍ଥାରେ ଆରକ୍ଷଣ ବ୍ୟବସ୍ତାକୁ ମଞ୍ଜୁର କରାଯାଇଛି, ଯେଉଁଥିପାଇଁ ସେମାନେ ଗତ ୭୬ ବର୍ଷ ହେଲା ଅପେକ୍ଷା କରିଥିଲେ। ଏଥିସହିତ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ପାଇଁ ଜନସଂଖ୍ୟାର ଆନୁପାତିକ ହାରରେ ଆରକ୍ଷଣକୁ ବୃଦ୍ଧି କରାଯାଇଛି।
ଆମ ପାଇଁ ‘ମାତୃଶକ୍ତି’ ସଦାସର୍ବଦା ବନ୍ଦନୀୟ। ତେଣୁ ମହିଳା ସଶକ୍ତୀକରଣ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସୁଭଦ୍ରା ଯୋଜନା ପରି ରାଜ୍ୟର ସର୍ବବୃହତ ଜନ କଲ୍ୟାଣକାରୀ ଯୋଜନା ସହିତ ‘ମୁଖମନ୍ତ୍ରୀ କନ୍ୟା ବିବାହ ଯୋଜନା’,‘କନ୍ୟା ସୁମଙ୍ଗଳ ଯୋଜନା’ କାର୍ଯ୍ୟକାରୀ କରାଯାଉଛି, ଯାହା ଗରିବ ପରିବାରର କନ୍ୟା ସନ୍ତାନଙ୍କ ପାଇଁ ବରଦାନ ସଦୃଶ। କେବଳ ମହିଳାଙ୍କ ପାଇଁ ଚଳିତ ରାଜ୍ୟ ବଜେଟରେ ଅନୂ୍ୟନ ୧,୨୨,୭୬୪ କୋଟି ଟଙ୍କା ପ୍ରାବଧାନ କରିଛି, ଯାହା ସାମଗ୍ରିକ ବଜେଟର ୩୯.୬ ପ୍ରତିଶତ। ଏହା ହେଉଛି ରାଜ୍ୟ ସରକାରଙ୍କ ମହିଳା ସଶକ୍ତୀକରଣ ପାଇଁ ପ୍ରତିବଦ୍ଧତା।
ଆଜି ଆମର ଆଲୋଚକ ପଚାରୁଛନ୍ତି ଯେ, ‘ଡବଲ ଇଞ୍ଜିନ ସରକାର’ରେ ଓଡ଼ିଶା ପାଇଲା କ’ଣ? ଏହାର ଉତ୍ତର ହେଉଛି ଯେ, ଗତ ଦୁଇ ବର୍ଷରେ ରାଜ୍ୟରେ କେନ୍ଦ୍ର ସରକାରଙ୍କ ସହାୟତାରେ ୯୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ, ୩୦ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପ, ୫ ହଜାର କୋଟି ଟଙ୍କାର ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଆର୍ଥିକ ଅଞ୍ଚଳ ତଥା ନକ୍ସଲ ଓ ମାଓବାଦୀ ହିଂସା ମୁକ୍ତ ଓଡ଼ିଶା ହେଉଛି ଡବଲ ଇଞ୍ଜିନ ସରକାର ଡବଲ ଉପଲବ୍ଧି।
ଓଡ଼ିଆ ଅସ୍ମିତା ବିନା ବିକାଶ ଅସମ୍ପୂର୍ଣ୍ଣ। ତେଣୁ ଓଡ଼ିଆ ଅସ୍ମିତାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ପ୍ରଥମ କ୍ୟାବିନେଟରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜଗନ୍ନାଥ ମନ୍ଦିରର ବିକାଶ ସହିତ ପୁରୀଠାରେ ଏକ ବିଶ୍ୱସ୍ତରୀୟ ମ୍ୟୁଜିୟମ ଓ ଲାଇବ୍ରେରି ନିର୍ମାଣ, ରାଜ୍ୟର ମୁଖ୍ୟ ମଠ ମନ୍ଦିରର ବିକାଶ ଓ ଉନ୍ନତୀକରଣ ଏହି ପ୍ରତିବଦ୍ଧତାର ପରିଚାୟକ। ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଓଡ଼ିଆ ଅସ୍ମିତାର ଅଭିନ୍ନ ଅଂଶ। ତେଣୁ ସରକାରୀ କାର୍ଯ୍ୟରେ ଓଡ଼ଆ ଭାଷାକୁ ବହୁଳ ଭାବେ ବ୍ୟବହାର କରିବା ପାଇଁ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ଯାହାର ଫଳ ଶାସନ-ପ୍ରଶାସନରେ ଦେଖିବାକୁ ମିଳୁଛି। ଏହାଦ୍ବାରା ସାଧାରଣ ଜନତା ସରକାରଙ୍କ ନିକଟତର ହୋଇପାରୁଛି।
ଆମ ସରକାର ହେଉଛି ଲୋକଙ୍କ ସରକାର। ତେଣୁ ଲୋକଙ୍କ ସ୍ବର ଶୁଣିବା ପାଇଁ ୧୩ ବର୍ଷ ଧରି ଖାଲି ପଡ଼ିଥିବା ମୁଖ୍ୟମନ୍ତ୍ରୀ ଜନଶୁଣାଣି ପ୍ରକୋଷ୍ଠ ପୁଣିଥରେ ଚଳ ଚଞ୍ଚଳ ହୋଇଉଠିଛି। ଏହି ଦୁଇ ବର୍ଷରେ ସୋମବାର ଦିନ ଅନୁଷ୍ଠିତ ହେଉଥିବା ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ମାଧ୍ୟମରେ ଗତ ୨ ବର୍ଷ ମଧ୍ୟରେ ମୋଟ ୧୪ ହଜାର ୬୫୧ଟି ଅଭିଯୋଗ ଗ୍ରହଣ କରାଯାଇ ୯୫ ପ୍ରତିଶତ ସମାଧାନ କରାଯାଇଛି । ଗତ ୨ ବର୍ଷରେ ଓଡ଼ିଶା ସରକାରଙ୍କ ଦ୍ୱାରା ମୋଟ ୧୫ଟି ନିଯୁକ୍ତି ମେଳା ମାଧ୍ୟମରେ ୨୭ଟି ବିଭାଗର ୪୪ ହଜାର ୧୨୮ଟି ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି ।
ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହି ପ୍ରକ୍ରିୟା କ୍ରିୟାନ୍ବୟନ କରିବା ବେଳେ କିଛି ତ୍ରୁଟି ବିଚ୍ୟୁତି ରହିଯାଇପାରେ। କିନ୍ତୁ ପୂର୍ବ ସରକାରମାନଙ୍କ ପରି ତାକୁ ଅଣଦେଖା କରିବା ପରିବର୍ତ୍ତେ, ସେସବୁ ତ୍ରୁଟିବିଚ୍ୟୁତିକୁ ସ୍ବୀକାର କରି ସଂଶୋଧନ କରିବା ହେଉଛି ସୁଶାସନ। ଆମ ସରକାରଙ୍କ ୨୪ ମାସର କାର୍ଯ୍ୟକାଳକୁ ପୂର୍ବ ସରକାରଙ୍କ ୨୪ ବର୍ଷିଆ ଶାସନ ସହ ତୁଳନା କରୁଛନ୍ତି। ଏହା ହିଁ ଆମ ସରକାରଙ୍କ ସବୁଠାରୁ ବଡ଼ ସଫଳତା। କାରଣ ଆମର ଅଲୋଚକ ବି ସରକାରଙ୍କ ଜନମଙ୍ଗଳକାରୀ ଯୋଜନାର ସୁଫଳକୁ ସ୍ବୀକାର କରିବା ସହିତ କାର୍ଯ୍ୟାନ୍ବୟନକୁ ଅଧିକ ପ୍ରଭାବୀ କରିବା ପାଇଁ ଆଶା କରୁଛନ୍ତି। ଆଗାମୀ ଦିନରେ ଆମେ ଅଧିକ ପ୍ରତିବଦ୍ଧତା ସହିତ ଏହାକୁ ପୂରଣ କରିବୁ।
ସଂକଳ୍ପରୁ ସିଦ୍ଧି ରାସ୍ତାରେ ସାଢ଼େ ଚାରିକୋଟି ଓଡ଼ିଆ ମୋର ସହଯାତ୍ରୀ। ଯଦି ଆମେ ପ୍ରତ୍ୟେକ ଓଡ଼ିଆ ଆମର ବିକାଶ ଯାତ୍ରାରେ ସାମିଲହୋଇ ସମସ୍ତେ ଏକମନ ଏକପ୍ରାଣରେ ପାଦେ ପାଦେ ଚାଲିବା ତାହେଲେ ଆମେ ମିଳିତଭାବେ ସାଢ଼େ ଚାରିକୋଟି ପାଦ ଆଗକୁ ବଢ଼ିବା। ମୋଦୀ ମନ୍ତ୍ର ହେଉଛି ଜନଭାଗୀଦାରି। ରାଷ୍ଟ୍ର ନିର୍ମାଣ ପାଇଁ ଏହି ଜନ ସହଭାଗିତା ଅପରିହାର୍ଯ୍ୟ। ସମୃଦ୍ଧ ଓଡ଼ିଶାର ନିର୍ମାଣ ପାଇଁ ଭିତ୍ତିଭୂମିର ସ୍ଥାପନା କରାଯାଇ ସାରିଛି। ବର୍ତ୍ତମାନ ଏହା ଉପରେ ବିକାଶର ସୌଧ ନିର୍ମିତ ହେଉଛି। ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ମିଳିତ ସହଯୋଗରେ ନିର୍ମାଣ ହେବ ସଶକ୍ତ ଓ ବିକଶିତ ଓଡ଼ିଶା।
ମୋହନ ଚରଣ ମାଝୀ
ଜୟ ଜଗନ୍ନାଥ
ମୁଖ୍ୟମନ୍ତ୍ରୀ, ଓଡ଼ିଶା