ମାଟି ତଳୁ ମିଳିଲା ଲୌହ ସ୍ତମ୍ଭ

କଟକ ଅଫିସ,୩୦ା୧: କଟକ ଯୋବ୍ରାସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟ ପଛପାର୍ଶ୍ୱ ଶନିବାର ଖନନ ସମୟରେ ମାଟି ତଳୁ ମିଳିଛି ବିରାଟ ଲୌହ ସ୍ତମ୍ଭ। ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି । ଏହି ସମୟ ମଧ୍ୟରେ ଉକ୍ତ ସ୍ଥାନରେ ଖନନ ବେଳେ ଲୁହା ସ୍ତମ୍ଭ ଦେଖିବାକୁ ମିଳିଥିଲା। ଏହାପରେ ଉକ୍ତ ସ୍ଥାନରେ ଖୋଳା ବନ୍ଦ କରାଯାଇଥିଲା। ତେବେ ଏହି ସ୍ତମ୍ବ କେଉଁ କାର୍ଯ୍ୟରେ ବ୍ୟବହାର ହେଉଥିଲା ତାହା ଜଣାପଡିନାହିଁ। ଅପରପକ୍ଷେ ସ୍ଥାନୀୟ ଲୋକେ କହିଛନ୍ତି, ପୂର୍ବରୁ ନୌବାଣିଜ୍ୟ ସଂଗ୍ରହାଳୟକୁ ସଂଯୋଗ କରି ଉକ୍ତ ସ୍ଥାନରେ ଏକ କେନାଲ ରହିଥିଲା। ବିଭିନ୍ନ ସ୍ଥାନରୁ ଆସୁଥିବା ବୋଟ୍‌ ଏଠାରେ ମରାମତି ହେଉଥିଲା। ପାଣିର ଶ୍ରୋତରେ ବୋଟ୍‌ଗୁଡିକୁ ଭାସିବାରୁ ତାହାକୁ ରୋକିବା ପାଇଁ ଏହି ଖୁଣ୍ଟରେ ଲୁହା ଝଞ୍ଜିର ସହାୟତାରେ ବନ୍ଧାଯାଉଥିଲା। ଆଉ କେହି ଏହା ବିଶାଳ କ୍ରେନ୍‌ର ଭଗ୍ନାବଶେଷ ବୋଲି କହିଛନ୍ତି। ତେବେ ଉକ୍ତ ସ୍ତମ୍ଭର ପୁନରୁଦ୍ଧାର କରାଯାଇ କୌଣସି ଏକ ସ୍ଥାନରେ ସଂରକ୍ଷିତ କରି ରଖାଯାଉ କିମ୍ବା ସଂଗ୍ରାହାଳୟକୁ ହସ୍ତାନ୍ତର କରାଯାଉ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ା