୧୧,୨୦୦ କୋଟିର ଅତିରିକ୍ତ ବଜେଟ

ଭୁବନେଶ୍ୱର,୨୧। ୧୧(ବ୍ୟୁରୋ): ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକବର୍ଷ ପାଇଁ ୧୧,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟକୁ ଇଲେକ୍‌ଟ୍ରୋନିକ ମାଧ୍ୟମରେ ଗୃହରେ ଉପସ୍ଥାପନ କରିଛନ୍ତି। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଅତିରିକ୍ତ ବଜେଟରେ ସ୍ବାସ୍ଥ୍ୟ ଓ ଜୀବନ ଜୀବିବାକୁ ସରକାର ଗୁରୁତ୍ୱ ଦେଇଛନ୍ତି।
ସ୍ବାସ୍ଥ୍ୟସେବା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ, ଭିତ୍ତିଭୂମି ଇତ୍ୟାଦିକୁ ପ୍ରାଥମିକତା ଦିଆଯାଇଛି। ଏଥିସହିତ କୋଭିଡ୍‌ ଯୋଦ୍ଧାଙ୍କୁ ସ୍ବତନ୍ତ୍ର ସହାୟତା, ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରୋତ୍ସାହନ, ହସ୍ତତନ୍ତ, ବୟନଶିଳ୍ପ, ମିଶନ ଶକ୍ତି ହିତାଧିକାରୀ, କୃଷି କ୍ଷେତ୍ର ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ବୃହତ୍‌ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କୋଭିଡ୍‌ ଯୋଦ୍ଧାମାନଙ୍କ ପାଇଁ ଅଗ୍ରିମ ଦରମା ଏବଂ ଅନ୍ୟାନ୍ୟ ପ୍ରୋତ୍ସାହନ ରାଶି ବାବଦକୁ ପର୍ଯ୍ୟାପ୍ତ ବ୍ୟୟ
ବରାଦ କରାଯାଇଛି।
କୋଭିଡ୍‌ ମହାମାରୀ କେବଳ ସ୍ବାସ୍ଥ୍ୟ ନୁହେଁ, ଜୀବନ ଜୀବିକା ଓ ରାଜ୍ୟ  ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏହାର ସ୍ପଷ୍ଟ ଝଲକ ଏହି ବଜେଟରେ ଦେଖିବାକୁ ମିଳିଛି। କେନ୍ଦ୍ରୀୟ ଅନୁଦାନ କମିବା ସହ କୋଭିଡ୍‌ ସମୟରେ ରାଜସ୍ବ ହ୍ରାସ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ରାଜ୍ୟ ସରକାର ଋଣ ନ କରି କିମ୍ବା ଲୋକଙ୍କ ଉପରେ ଟିକସ ବୋଝ ନ ଦେଇ ବଜେଟ ପରିଚାଳନା କରିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ୬ ମାସ ଶେଷ ସୁଦ୍ଧା କେନ୍ଦ୍ରୀୟ ଅନୁଦାନ କମି ଯାଇଥିବାରୁ ମୋଟ ରାଜସ୍ବ ପ୍ରାପ୍ତି ପ୍ରାୟ ୬.୫ ପ୍ରତିଶତ ହ୍ରାସ ପାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ମହାମାରୀ ସତ୍ତ୍ୱେ ରାଜ୍ୟର ରାଜସ୍ବ ୧.୭ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ରାଜସ୍ବ ବଳକା ୬ ,୭୯୦ କୋଟି ଟଙ୍କା ଥିବା ବେଳେ ଋଣ ଭାର ରହିଛି ୯୭,୮୨୩ କୋଟି, ଯାହାକି ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୧୬.୪ ପ୍ରତିଶତ ବୋଲି ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ ସୂଚନା ଦେଇଛନ୍ତି।
ଅତିରିକ୍ତ ବଜେଟରେ ପ୍ରଶାସନିକ ବ୍ୟୟ ବାବଦକୁ ୨,୨୭୩ କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭,୪୩୮ କୋଟି, ବିପର୍ଯ୍ୟୟ ପ୍ରଶମନ ବାବଦକୁ ୧,୪୮୪ କୋଟି ଏବଂ ରାଜ୍ୟ ବଜେଟରୁ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ ହସ୍ତାନ୍ତର ବାବଦରେ ୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ବଜେଟ ପୂର୍ଣ୍ଣାଙ୍ଗ ବଜେଟର ୭.୫ ପ୍ରତିଶତ। ଅତିରିକ୍ତ ବଜେଟରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୬୬.୩୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ଅଟକଳ କରାଯାଇଛି।
କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୨୦୪୧ କୋଟି (୨୭.୪%) ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୧୬୨୭ କୋଟି (୨୧.୮%) ଏବଂ ସ୍କୁଲ ଓ ଗଣଶିକ୍ଷା ପାଇଁ ୪୫୭ କୋଟି (୬.୧%) କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମ ବ୍ୟୟରୁ ମୋଟ ୭,୧୯୯ କୋଟି (୯୭%) ଟଙ୍କା ବିକାଶ ନିମନ୍ତେ ଉଦ୍ଦିଷ୍ଟ ଯୋଜନା ପାଇଁ ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ବଜେଟରେ ୫ଟି ବିଭାଗ ଉପରେ ମୁଖ୍ୟତଃ ଫୋକସ୍‌ କରାଯାଇଛି। ସମୁଦାୟ ବ୍ୟୟ ବରାଦରୁ ଗଣଶିକ୍ଷା ବିଭାଗ ପାଇଁ ୬.୧% ବ୍ୟୟ ବରାଦ କରାଯାଇଥିବା ବେଳେ ଶକ୍ତି ବିଭାଗ ପାଇଁ ୧୨.୮%, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ୧୪.୫%, ସ୍ବାସ୍ଥ୍ୟ ବିଭାଗ ପାଇଁ ୨୧.୮% ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୨୭.୪ ପ୍ରତିଶତ ବ୍ୟୟ ବରାଦ କରାଯାଇଛି।
ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, କୋଭିଡ୍‌ ସଂକ୍ରମଣ ହେବା ପୂର୍ବରୁ ୨୦୨୦ ଫେବୃୟାରୀ ୧୮ରେ ଚଳିତ ଆର୍ଥିକବର୍ଷ ପାଇଁ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯାଇଥିଲା। ସେହି ବଜେଟରେ ନୂତନ ଆଧୁନିକ ଚିକିତ୍ସା ଭିତ୍ତିଭୂମି ନିର୍ମାଣ ସହାୟତାରେ ସ୍ବାସ୍ଥ୍ୟ ସେବାର ପୁନରୁଦ୍ଧାର, ଦକ୍ଷତା ବୃଦ୍ଧି, ପର୍ଯ୍ୟଟନ ବିକାଶ, ଗ୍ରାମୀଣ ଏବଂ ସହରାଞ୍ଚଳ ଉନ୍ନୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ମାତ୍ର କୋଭିଡ୍‌ ମହାମାରୀ ଯୋଗୁ ଲୋକମାନଙ୍କର ଜୀବନ ଜୀବିକାର ସୁରକ୍ଷା ନିମନ୍ତେ ପ୍ରାଥମିକତା ଦିଆଯାଇଛି।
ଗତ ୮ ମାସ ଧରି ମହାମାରୀ ବିରୋଧରେ ସଂଗ୍ରାମ ଜାରି ରହିଛି। ସରକାରଙ୍କର ନିରନ୍ତର ପ୍ରୟାସ ଯୋଗୁ ଜାତୀୟ ତଥା ବିଶ୍ୱ ତୁଳନାରେ ଓଡ଼ିଶାରେ ମୃତ୍ୟୁହାର କମ ରହିବା ସହ ନୂଆ ମାମଲା ସଂଖ୍ୟା ହ୍ରାସ ପାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓଡ଼ିଶାର କୋଭିଡ୍‌ ପରିଚାଳନାକୁ ପ୍ରଶଂସା କରିଛନ୍ତି। କୋଭିଡ୍‌ ସଂକ୍ରମଣର ଅନ୍ୟ ଏକ ଲହରି ଦେଖାଦେଇଥିବାରୁ ଓଡ଼ିଶାରେ ମଧ୍ୟ ଏହାର ସମ୍ଭାବାନକୁ ଏଡ଼ାଇ ଦିଆଯାଇ ନ ପାରେ। ସେଥିପାଇଁ ନିରବଚ୍ଛିନ୍ନ ଭାବେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ଜୀବନ ଓ ଜୀବିକା ସୁରକ୍ଷା ନିମିତ୍ତ ସମସ୍ତ ବଜେଟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି।
କୋଭିଡ୍‌ ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଛି। ଏହାର ପ୍ରଭାବ ରାଜ୍ୟ ରାଜକୋଷ ଉପରେ ମଧ୍ୟ ପଡିଛି। ଲକ୍‌ଡାଉନ୍‌ ଯୋଗୁ ଖର୍ଚ୍ଚର ଧାରା ମଧ୍ୟ ପ୍ରଭାବିତ ହୋଇଛି। ଚଳିତ ଆର୍ଥିକବର୍ଷର କୋଭିଡ୍‌ ସଂକ୍ରମଣ ମାମଲା ହ୍ରାସ ଓ ଧୀରେ ଧୀରେ ଅର୍ଥ ବ୍ୟବସ୍ଥା ଖୋଲିବା ଦ୍ୱାରା ଗତ କିଛି ମାସ ମଧ୍ୟରେ ରାଜସ୍ବ ପ୍ରାପ୍ତିରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକ ଋଣ କରିବା ଉପରେ ନିର୍ଭରଶୀଳତାକୁ କମ୍‌ କରିବା ପାଇଁ ବକେୟା ରାଜସ୍ବ ଆଦାୟ ଏବଂ ସମ୍ବଳ ପ୍ରତ୍ୟାବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ଅର୍ଥ ବ୍ୟବସ୍ଥାର ପୁନରୁଦ୍ଧାର ନିମିତ୍ତ ପ୍ରାଥମିକତା କ୍ଷେତ୍ରଗୁଡ଼ିକ ଉପରେ ଅଧିକ ଖର୍ଚ୍ଚ ପାଇଁ ପ୍ରୟାସ ଜାରି ରହିଛି । ଅର୍ଥ ବ୍ୟବସ୍ଥା ଓ ସମ୍ବଳ ଉପରେ ମହାମାରୀର ପ୍ରଭାବ ସତ୍ତ୍ୱେ ପ୍ରାଥମିକତା କ୍ଷେତ୍ର ତଥା ଜନସାଧାରଣଙ୍କ ଜୀବନ ଓ ଜୀବିକାର ସୁରକ୍ଷା ନିମିତ୍ତ ଖର୍ଚ୍ଚରେ କୌଣସି ସାଲିସ କରାଯିବ ନାହିଁ। ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଅଧିନିମୟମ (ଏଫ୍‌ଆରବିଏମ୍‌) ମାନଦଣ୍ଡ ହାସଲ ପାଇଁ ଉଦ୍ୟମ କରାଯିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି: ଅଣ୍ଟା ଭିଡିଲେଣି ବିଡିଓ, କହିଲେ ଏଥର ମଞ୍ଚ ଦୁଲୁକିବ…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବକୁ ନେଇ ଜିଲା ତଥା ଜଲା ବାହାରେ ଉତ୍କଣ୍ଠା ବଢିଛି। ଶୀତ ମହୋତ୍ସବ ଦାରିଙ୍ଗବାଡି...

ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ, ଚାଲିଗଲା ୧୦ ଜଣଙ୍କ ଜୀବନ

କେପଟାଉନ୍‌,୨୧ା୧୨: ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ ହୋଇଛି। ଫଳରେ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିବାବେଳେ ପୋଲିସ ଛାନ୍‌ଭିନ୍‌...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri