ଓ୍ବାଶିଂଟନ୍ ,୧୦ା୩: ଇରାନ-ଆମେରିକା ଯୁଦ୍ଧ ସୋମବାର ସୁଦ୍ଧା ୧୦ ଦିନ ଅତିକ୍ରମ କରିଛି। ପଛକୁ ହଟିବାକୁ କୌଣସି ପକ୍ଷ ରାଜି ନଥିବାରୁ ଦିନକୁ ଦିନ ଯୁଦ୍ଧ ପ୍ରକୋପ ବଢି ଚାଲିଛି। ରବିବାର ଇସ୍ରାଏଲ ତେହରାନ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ରହିଥିବା ପ୍ରମୁଖ ତୈଳ ଡିପୋଗୁଡିକ ଉପରେ ଘନ ଘନ ବୋମାମାଡ଼ କରିବା ପରେ ସୋମବାର ମଧ୍ୟ ଆକ୍ରମଣ ଆହୁରି ଜୋର୍ଦାର କରିଛି। ଆଗକୁ ଇରାନକୁ ଆହୁରି ଭୟଙ୍କର ସ୍ଥିତି ସାମ୍ନା କରିବାକୁ ପଡ଼ିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସୋମବାର ଧମକ ଦେଇଛନ୍ତି। ଆମେରିକା ପକ୍ଷରୁ ମଧ୍ୟ ଇରାନର ବହୁ ସାମରିକ ଏବଂ ପ୍ରମୁଖ ଭିତ୍ତିଭୂମି ଉପରେ ଆକ୍ରମଣ କରାଯାଇଛି। ଇରାନ ସମଗ୍ର ବିଶ୍ୱକୁ ବନ୍ଧକ ରଖିବାକୁ ଉଦ୍ୟମ କରୁଛି ବୋଲି ଆମେରିକା ବହିର୍ବ୍ୟାପାର ସଚିବ ମାର୍କେ ରୁବିଓ କହିଛନ୍ତି। ସେପଟେ ଇରାନ ମଧ୍ୟ ଉପସାଗରୀୟ ଦେଶଗୁଡିକରେ ଆକ୍ରମଣ ଜୋର୍ଦାର କରିଛି। ଇରାନ ବିରୋଧରେ କେତେକ ଇସଲାମିକ୍ ରାଷ୍ଟ୍ର ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି। ବିଶେଷକରି ମୋଜ୍ତାବା ଖାମେନେଇଙ୍କୁ ଇରାନର ନୂଆନେତା ଭାବେ ନିଯୁକ୍ତ କରାଯିବା ପରେ ଇରାନ ଉପସାଗରୀୟ ଦେଶଗୁଡିକ ବିରୋଧରେ ଆକ୍ରମଣକୁ ଆହୁରି ଜୋରଦାର କରିଛି।
ଏହା ମଧ୍ୟରେ ଆମେରିକାର ଦୈନିକ ଯୁଦ୍ଧ ଖର୍ଚ୍ଚକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଇରାନ ବିପକ୍ଷ ଯୁଦ୍ଧରେ ଆମେରିକା ଦୈନିକ ୮୯୧ ନିୟୁତ ଡଲାର ବା ଭାରତୀୟ ମୁଦ୍ରାରେ ୮୨୨୦ କୋଟି ଟଙ୍କା ଖର୍ଚ୍ଚ କରୁଛି ବୋଲି ଜଣାପଡ଼ିଛି। ଯାହାକି ଭାରତର ବାର୍ଷିକ ମହାକାଶ ଗବେଷଣା ବଜେଟଠାରୁ ଅଧିକ। ଫେବୃଆରୀ ୨୮ରେ ଆମେରିକା ଇରାନ ଉପରେ ଆକ୍ରମଣ କରିବା ପରେ ବର୍ତ୍ତମାନ ସୁଦ୍ଧା ୬ ବିଲିୟନ ଡଲାର ବା ୫୫,୩୫୦ କୋଟି ଟଙ୍କା ଖର୍ଚ୍ଚ କରିସାରିଥିବା କୁହାଯାଇଛି। ଯୁଦ୍ଧ ଖର୍ଚ୍ଚକୁ ନେଇ ପେଣ୍ଟାଗନ୍ ଆମେରିକା କଂଗ୍ରେସକୁ ଏହି ତଥ୍ୟ ଦେଇଛି।

