ଶିକ୍ଷାଦାନରେ ବିକଳ୍ପ

ସତ୍ୟବ୍ରତ ବାରିକ

କରୋନା ଭାଇରସର ଛାଇ ଯେତେ ଲମ୍ବା ହୋଇଚାଲିଛି ସେହି ମାତ୍ରାରେ ଏହା ଆମର ବ୍ୟକ୍ତି ଓ ସାମୂହିକ ଜୀବନକୁ ଯଥାର୍ଥ ଭାବେ ପୁନଃସଂଗଠିତ କରିବାକୁ ଏବଂ ବିକଳ୍ପ ଖୋଜିବାକୁ ବାଧ୍ୟ କରିଛି। ତିନିମାସରୁ ବେଶି ଶିକ୍ଷାନୁଷ୍ଠାନ ଫାଟକରେ ତାଲା, ପିଲାଙ୍କର ପାଠପଢା ବନ୍ଦ, ପୁଣି ଆଗକୁ ବି ଅନିଶ୍ଚିତତା ଲାଗି ରହିବ। ଯେଉଁ ପ୍ରକାର ଶିକ୍ଷାଦାନର ଧାରା ଓ ପରମ୍ପରା ସହ ଆମେ ଅଭ୍ୟସ୍ତ ଥିଲୁ ତାହା ନିଷ୍କ୍ରିୟ ହୋଇଯାଇଛି। ଶିକ୍ଷାନୁଷ୍ଠାନ, ଶିକ୍ଷକ ଓ ଶିକ୍ଷାର୍ଥୀ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ତେଣୁ ଆଜି ବିକଳ୍ପ ଖୋଜିବାର ସମୟ।
ଶିକ୍ଷା ବିଭାଗ ତରଫରୁ ହ୍ବାଟ୍ସଆପ ଓ ଦୂରଦର୍ଶନ ଯୋଗେ ଚାଲିଥିବା ଶିକ୍ଷାଦାନ ପ୍ରଭାବୀ ହୋଇପାରୁନାହିଁ ବୋଲି ପ୍ରତିକ୍ରିୟାମାନ ପ୍ରକାଶ ପାଇବାରେ ଲାଗିଛି। ପ୍ରଥମତଃ ଆପ୍‌ ମାଧ୍ୟମରେ ଅନ୍‌ଲାଇନ ପାଠପଢ଼ା ଓଡ଼ିଶାର ୫୦ଲକ୍ଷ ପାଖାପାଖି ସରକାରୀ ସ୍କୁଲର ପିଲାମାନଙ୍କ ପାଖରେ ପହଞ୍ଚିବା ସମ୍ଭବନୁହେଁ, କାରଣ ଅଧିକାଂଶ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ କିମ୍ବା ବ୍ୟାଟେରି ଚାର୍ଜ କରିବା ସାମର୍ଥ୍ୟ ନାହିଁ। ତେଣୁ ମାତ୍ର ୧୫ରୁ ୨୦ ପ୍ରତିଶତ ପିଲା ଏହାର ସୁବିଧା ନେଇପାରୁଛନ୍ତି। ଦ୍ୱିତୀୟତଃ, ସ୍ବଚ୍ଛଳ ପରିବାର ତାଙ୍କ ପିଲାଙ୍କୁ ଯଦିଓ ସ୍ମାର୍ଟଫୋନ, ଟାବ୍‌ଲେଟ ବା ଲାପ୍‌ଟପ ଯୋଗାଇଦେଇଛନ୍ତି ମନ ଓ ଆଖି ଉପରେ ଏହାର କୁପ୍ରଭାବ ରହିଛି। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଜରିଆରେ ସପ୍ତାହକୁ ପାଞ୍ଚଦିନ, ଦିନକୁ ଦୁଇଟି କ୍ଲାସ କେବଳ ଦଶମ ଓ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରସାରିତ ହେଉଛି। ଏହା ମଧ୍ୟ ସମୁଦ୍ରକୁ ଶଙ୍ଖେ। ବେସରକାରୀ ନାମୀଦାମୀ ଇଂଲିଶ ମିଡିୟମ ସ୍କୁଲ ପିଲା ଅନ୍‌-ଲାଇନ ପାଠପଢା ମାଧ୍ୟମରେ ଏହି ସମୟର ଉପଯୋଗ କରୁଛନ୍ତି। ଲକ୍ଷ ଲକ୍ଷ ଅଭାବୀ ଘରର ପିଲା ଶିକ୍ଷା ଅଧିକାର ଅଭିଯାନ ଡାକରାରେ ସ୍କୁଲରେ ଯୋଗଦେଇଥିଲେ ହେଁ ସରକାର ସେମାନଙ୍କ ସମସ୍ୟାକୁ ଗୁରୁତ୍ୱ ନ ଦେଲା ପରି ଜଣାପଡୁଛି।
ବର୍ତ୍ତମାନ ଯେତେ ପର୍ଯ୍ୟନ୍ତ ସ୍କୁଲ ଫାଟକ ଖୋଲିନାହିଁ ରେଡିଓ ଓ ଟେଲିଭିଜନ ଚାନେଲ ମାଧ୍ୟମରେ ପାଠଦାନ ହିଁ ପ୍ରକୃଷ୍ଟ ବିକଳ୍ପ। ଏଥିରେ ଇଣ୍ଟରନେଟ ଆବଶ୍ୟକ ନାହିଁ। କେବଳ ଦୂରଦର୍ଶନ କେନ୍ଦ୍ର କାହିଁକି, ରାଜ୍ୟରେ କାର୍ଯ୍ୟରତ ବଛାବଛା ଘରୋଇ ଟିଭି ଚାନେଲ ଓ ରେଡିଓ କେନ୍ଦ୍ରଗୁଡିକୁ ନିୟୋଜନ କରି ଖାଲି ଗୋଟିଏ ଦୁଇଟି ଶ୍ରେଣୀ ନୁହେଁ, ସରକାରୀ ସ୍କୁଲର ସବୁଶ୍ରେଣୀ ଏପରି କି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଗଣମାଧ୍ୟମରେ ସମ୍ଭବ। ଏହା ସମ୍ଭବ ବୋଲି କେରଳ ସରକାର କାମରେ କରି ଦେଖାଉଛନ୍ତି।
ଜରୁରିକାଳୀନ ପରିସ୍ଥିତିରେ କରୋନାର ପ୍ରତିରୋଧ ପାଇଁ ଯେପରି ଦୃଢ଼ ପଦକ୍ଷେପମାନ ନେଉଛନ୍ତି, ସେହିପରି ପିଲାଙ୍କ ଶିକ୍ଷାର ଗୁରୁତ୍ୱ ଉପଲବ୍ଧି କରି ସମସ୍ତ ଟିଭି ଓ ରେଡିଓ କେନ୍ଦ୍ରଗୁଡିକୁ ଦିନରେ ଚାରି ପାଞ୍ଚଘଣ୍ଟା କେବଳ ପାଠ୍ୟବସ୍ତୁ ସମ୍ବଳିତ କାର୍ଯ୍ୟକ୍ରମ ପ୍ରସାରଣ ନିମନ୍ତେ ନିୟୋଜିତ କରିପାରିବେ। ଅଭୂତପୂର୍ବ ପରିସ୍ଥିତିରେ ସ୍ବାସ୍ଥ୍ୟବିଭାଗ ଅନ୍ୟବିଭାଗର ସମ୍ବଳ ଓ ସୁଯୋଗ ଯେପରି ଯୋଜନାବଦ୍ଧ ଭାବେ ସଂକ୍ରମଣ ରୋକିବାରେ ବ୍ୟବହାର କରୁଛନ୍ତି, ସେମିତି ଶିକ୍ଷା ବିଭାଗ ମଧ୍ୟ ଏକ ଜରୁରୀ କାର୍ଯ୍ୟନିର୍ବାହୀ ଦଳ ଗଠନ କରି ବିଷୟଭିତ୍ତିକ ପାଠ୍ୟଦାନର ଭିଡିଓ, ଅଡିଓ ରେକର୍ଡମାନ ପ୍ରସ୍ତୁତ କରିପାରିବ। ଟିଭିରେ ସିଧାସଳଖ ଅଭିଜ୍ଞ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଦ୍ୱାରା ଲାଇଭ ପାଠଦାନ ବେଶ୍‌ ଆକର୍ଷଣୀୟ ହେବ। ବିପର୍ଯ୍ୟୟ ସମୟରେ ଯେଉଁ କାମଟି ଅତି ଜରୁରୀ ତାହାକୁ ଅଗ୍ରାଧିକାର ଦିଆଯାଏ। ସରକାର ଇଚ୍ଛାକଲେ ବେସରକାରୀ ଟିଭି ଚାନେଲଗୁଡ଼ିକର ପ୍ରସାରଣ ସମୟକୁ ଅଧିଗ୍ରହଣ କରିପାରିବେ। ଶିକ୍ଷାଦାନ ପ୍ରସାରଣ ସମୟରେ, (ଉଦାହରଣ ସ୍ବରୂପ ସକାଳ ୯ଟାରୁ ୧୨ଟା, ଅପରାହ୍ଣ ୩ଟାରୁ ୬ଟା) ସମସ୍ତ ଚାନେଲରେ ମନୋରଞ୍ଜନ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ବନ୍ଦ ହେବ; ଫଳତଃ ଘରେ ରହି ଅଧ୍ୟୟନ କରୁଥିବା ପିଲାମାନଙ୍କ ଧ୍ୟାନଭ୍ରଷ୍ଟ ହେବନାହିଁ। ପରିବାର ମଧ୍ୟ ଏ ପ୍ରତି ସଚେତନ ରହିବେ।
ଯୋଜନା ପ୍ରକ୍ରିୟାରେ ଅତି ପରିଚିତ ସ୍ବଟ (SWOT) ବିଶ୍ଳେଷଣ, ଅର୍ଥାତ ସମ୍ବଳ, ଗତିରୋଧ, ସୁଯୋଗ ଓ ଆପଦ ଆଦି ବିଚାରକୁ ନିଆଯାଏ। ସମ୍ବଳ ଓ ସୁଯୋଗ କଥା ପୂର୍ବରୁ ଉଲ୍ଲେଖ କରାଯାଇଛି। ଗତିରୋଧ ଓ ଆପଦ (weakness, threat) ବିଚାରକୁ ଆଣିଲେ ଦେଖିପାରିବା ଅନଲାଇନ ଶିକ୍ଷାଦାନରେ ଅନେକ ପ୍ରତିବନ୍ଧକ ଥାଏ, ଯେମିତି ସୀମିତ ସମୟ, ବୈଦ୍ୟୁତିକ ବ୍ୟାଘାତ ତଥା ଦ୍ୱିପାକ୍ଷିକ ବାର୍ତ୍ତା ବିନିମୟରେ ବିଘ୍ନ। ତେଣୁ ଶୈକ୍ଷିକ ଲକ୍ଷ୍ୟଗୁଡିକର ସୀମା ଓ ସମ୍ଭାବନା ବିଷୟରେ ଆମେ ମୂଳରୁ ସ୍ପଷ୍ଟ ହୋଇଯିବା। ଟିଭି ଓ ରେଡିଓର ନିର୍ଦ୍ଦିଷ୍ଟ ଉପାଦେୟତା ଅନୁଯାୟୀ ନିର୍ଦ୍ଧାରିତ ପାଠ୍ୟପ୍ରସଙ୍ଗକୁ ପ୍ରାଞ୍ଜଳଭାବେ ଉପସ୍ଥାପନ କରାଯାଇପାରିବ; ପ୍ରସଙ୍ଗଟିର ସାରମର୍ମ, ମୁଖ୍ୟଜ୍ଞାନ-ଅଂଶ, କୌଶଳ ଓ ମୂଲ୍ୟବୋଧମାନ ଶିକ୍ଷକ ବୁଝାଇ ଦେଇପାରିବେ। ପ୍ରଶ୍ନ-ଉତ୍ତର ପ୍ରକ୍ରିୟା ଏକପାଖିଆ ଯୋଗାଯୋଗ ବ୍ୟବସ୍ଥାରେ ଅସମ୍ଭବ। ଏହାର ଭରଣା ପାଇଁ ହ୍ବାଟ୍ସଆପ ଓ ଫୋନ କନଫରେନସିଂ ଜରିଆରେ ସ୍ଥାନୀୟ ଶିକ୍ଷକମାନେ ସହାୟତା ଯୋଗାଇ ଦେଇପାରିବେ। ଟିଭି ଓ ରେଡିଓ ମାଧ୍ୟମରେ ଯେଉଁମାତ୍ରାରେ ଓ ଯେଉଁ ଗୁଣବତ୍ତା ସହିତ ଶିକ୍ଷାଦାନ ଓ ଗ୍ରହଣ ସମ୍ଭବ ହେବ, ତାହା କେବଳ ହ୍ବାଟ୍ସଆପ୍‌ ବା ଜୁମ୍‌ରେ ସମ୍ଭବ ନୁହେଁ। କାରଣ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ ନାହିଁ, ସବୁ ସ୍ଥାନରେ ନେଟୱର୍କ ଆଶାନୁରୂପ କ୍ରିୟାଶୀଳ ନୁହେଁ, ତଥା କେବଳ ଗୁଡ଼ାଏ ପାଠ୍ୟ ସାମଗ୍ରୀ ବିତରଣ କରିଦେଲେ ପିଲାଏ ପଢିପକାଇବେ, ଏହା ଭାବିବା ଭୁଲ୍‌।
ମନୋରଞ୍ଜନ ଚାନେଲଗୁଡିକ ଆପଣା ଢ଼ଙ୍ଗରେ ଦର୍ଶକ ଓ ଶ୍ରୋତାଙ୍କୁ ଆକର୍ଷଣ କରିବା ପାଇଁ ଫୋନ-ଇନ୍‌ ଓ ଚିଠିପତ୍ର କାର୍ଯ୍ୟକ୍ରମ ଆୟୋଜନ କରନ୍ତି। ଚିଠିପତ୍ର ସ୍ଥାନରେ ଏବେ ହ୍ବାଟ୍ସଆପ୍‌ ଓ ଚାଟିଂ, ଅତିବେଗଗାମୀ ଯୋଗାଯୋଗ ମାଧ୍ୟମ, ଯାହାକୁ ଆମେ ଶିକ୍ଷଣ ଧାରାରେ ପ୍ରଶ୍ନ-ଉତ୍ତର ଏବଂ ସନ୍ଦେହ ଦୂରୀକରଣ ପାଇଁ ଉପଯୋଗ କରିପାରିବା। ପ୍ରଶ୍ନ ଓ ସନ୍ଦେହର ସମାଧାନ ପାଇଁ ଖବରକାଗଜମାନେ ମଧ୍ୟ ଶିକ୍ଷକମାନଙ୍କ ସହାୟତାରେ ଯଥୋଚିତ ଭୂମିକା ନିର୍ବାହ କରିପାରିବେ। ସର୍ବୋପରି ଶିକ୍ଷାବିଭାଗ ଏ ସମସ୍ତ କାର୍ଯ୍ୟର ସମନ୍ବୟ ପାଇଁ ମୁଖ୍ୟ କେନ୍ଦ୍ର ହୋଇପାରନ୍ତା।
ପାଶ୍ଚାତ୍ୟର ବିକଶିତ ସମାଜରେ କମ୍ପ୍ୟୁଟର ଓ ଇଣ୍ଟରନେଟ ମାଧ୍ୟମରେ ଘରେ ବସି ପିଲାମାନେ ଅନେକ ଜ୍ଞାନ ହାସଲ କରନ୍ତି। ଶିକ୍ଷାର ଦୂରଗାମୀ ଲକ୍ଷ୍ୟ ବିଚାରରେ ତାହାକୁ ଖୁବ୍‌ ଉତ୍କୃଷ୍ଟ ଓ ଆଦର୍ଶ ବୋଲି ବିବେଚନା କରି ନ ପାରୁ, ମାତ୍ର ଜ୍ଞାନାର୍ଜନ ପାଇଁ ନିୟୋଜିତ ସେହି ପରମ୍ପରା ଆମ ସମାଜରେ ଏଯାଏ ତିଆରି ହୋଇନାହିଁ। କିନ୍ତୁ ବିପତ୍ତିକାଳରେ, ଯେତେବେଳେ ଘରେ ରହିବା ପିଲାଙ୍କ ପାଇଁ ନିରାପଦ ମଣୁଛୁ, ସେତେବେଳେ ସେମାନଙ୍କୁ ସୀମିତ ଶିକ୍ଷାପ୍ରଦାନ ପାଇଁ ବର୍ତ୍ତମାନ ସର୍ବୋତ୍କୃଷ୍ଟ ମାଧ୍ୟମ ଟିଭି ଓ ରେଡିଓ। ନାଚ, ଗୀତ, ସିରିଏଲ, ପ୍ରହସନ, ମଜା, ମଜଲିସରୁ କିଛି ଅଂଶକାଟି ବର୍ତ୍ତମାନ ଆମ ପିଲାଙ୍କ ଜ୍ଞାନ, କୌଶଳ, ନୈତିକତା ଓ ଚେତନାର ବିକାଶରେ ବ୍ୟବହାର କରାଯାଇପାରିବ।
ପୂର୍ବତନ ନିର୍ଦ୍ଦେଶକ,
ରାଜ୍ୟ ଜନଶିକ୍ଷା ସାଧନକେନ୍ଦ୍ର,
ମୋ- ୯୯୩୮୦୦୯୧୮୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri