ଭତ୍ତା ଅପେକ୍ଷାର ଅନ୍ତ ହେଉନି

ରାସୋଳ, ୨୫।୮(ଡି.ଏନ୍‌.ଏ.): ୩୦ବର୍ଷ ତଳେ ସ୍ବାମୀ ହାତ ଛାଡ଼ି ଦେବା ପରେ ମୂଲମଜୁରି ଲାଗି ଦୁଇ ପୁଅଙ୍କୁ ବଡ଼ କଷ୍ଟରେ କରିଥିଲେ ମଣିଷ। ଦଇବ ଦଣ୍ଡ ଦେଲା। ଅକାଳରେ ଚାଲିଗଲେ ବଡ଼ପୁଅ। ସାନପୁଅ ନିଜ ପରିବାର କଥା ଦେଖିଲେ। ଏବେ ଏକା ଏକା ଜୀବନ। ସେଥିରେ ଦାଉ ସାଧିଛି ବାତରୋଗ। ବଙ୍କେଇ ଯାଇଛି ଦୁଇ ଗୋଡ଼। ଆଉ ଆଗ ପରି ଖଟିପାରୁନାହାନ୍ତି। ସକାଳ ହେଲେ କେମିତି ପେଟ ପୂରିବ ସେହି ଚିନ୍ତାରେ ଦିନ କଟୁଛି। ଦୀର୍ଘ ୮ବର୍ଷ ହେଲା ଦିବ୍ୟାଙ୍ଗ ଭତ୍ତା ପାଇଁ ଦୌଡୁଥିବାବେଳେ ଆବଶ୍ୟକ କାଗଜପତ୍ର ହୋଇପାରୁ ନ ଥିବାରୁ ସରକାରୀ ଯୋଜନାରୁ ବଞ୍ଚତ୍ତ ହୋଇ ଦୁର୍ଦ୍ଦିନରେ ଦିନ ବିତାଉଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବୁହାଳିପାଳ ପଞ୍ଚାୟତ ବାଙ୍କଟିଆ ଗ୍ରାମର ୭୦ ବର୍ଷୀୟା ରସେଇ ଗୋଚ୍ଛାୟତ।
ରସେଇଙ୍କ କହିବା କଥା, ତାଙ୍କର ବିବାହ ସଦର ବ୍ଲକ ଓସ୍ତପାଳ ଗ୍ରାମରେ ହୋଇଥିଲା। ଦୁଇ ପୁଅ ଜନ୍ମ ପରେ ସ୍ବାମୀ ତାଙ୍କୁ ଘରୁ ତଡ଼ିଦେଲେ। ଏହାପରେ ସେ ଦୁଇ ଛୁଆଙ୍କୁ ଧରି ଚାଲିଆସିଲେ ବାପଘର ବାଙ୍କଟିଆକୁ। ସରକାରୀ ଅଧିକାରୀଙ୍କୁ ନିବେଦନ ପରେ ବଡ଼କଷ୍ଟରେ ତାଙ୍କ ପାଇଁ ମଞ୍ଜୁର ହୋଇଛି ମାତ୍ର ୫ କେଜି ଚାଉଳ। ସେତକ ସମ୍ବଳରେ ଚଳିବା କଷ୍ଟକର ହୋଇପଡୁଛି। ଔଷଧ କିଣିପାରୁନାହାନ୍ତି। ଦିବ୍ୟାଙ୍ଗ ଭତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲାର ପଦସ୍ଥ ଅଧିକାରୀଙ୍କୁ ଗୁହାରି କରିଛନ୍ତି। ତେବେ ଦିବ୍ୟାଙ୍ଗ ପ୍ରମାଣପତ୍ର ଏବଂ ସ୍ବାମୀ ପରିତ୍ୟକ୍ତା ବୋଲି ଆବଶ୍ୟକ କାଗଜପତ୍ର ହୋଇପାରୁ ନ ଥିବାରୁ ତାଙ୍କୁ ସବୁଠି ନିରାଶ ହେବାକୁ ପଡ଼ିଛି। ସରକାର ଗରିବଙ୍କ ପାଇଁ ଏତେ ସବୁ ଯୋଜନା କରିଥିବାବେଳେ ୮ବର୍ଷ ହେଲା ଜଣେ ସ୍ବାମୀ ପରିତ୍ୟକ୍ତା ଦିବ୍ୟାଙ୍ଗ ମହିଳା ଭତ୍ତା ପାଇଁ ବାରଦୁଆର ହେବା ସାମାଜିକ ସୁରକ୍ଷା ଯୋଜନାର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସଂକ୍ରାନ୍ତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଦୀନେଶ ସାମଲ କୁହନ୍ତି, ମହିଳା ଜଣକ ଆବଶ୍ୟକ କାଗଜପତ୍ର ଦାଖଲ କରିନାହାନ୍ତି। ତେଣୁ ତାଙ୍କର ଆବେଦନପତ୍ର ଫେରି ଆସିଛି। ତାଙ୍କର ଦିବ୍ୟାଙ୍ଗ ସାର୍ଟିଫିକେଟ କରାଯିବା ଲାଗି ପଦକ୍ଷେପ ନିଆଯାଉଛି। ଏହାପରେ ତାଙ୍କୁ ଭତ୍ତା ମିଳିବ ବୋଲି ପିଇଓ ପ୍ରତିଶ୍ରୁତି ଦେଇଛନ୍ତି।