ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳର ୩୬ରୁ ଊଦ୍ଧର୍ବ ବୁଦ୍ଧିଜୀବୀ, ପୂର୍ବତନ ପରିଚାଳନା କମିଟିର ସଦସ୍ୟ, ପୂର୍ବତନ ମହାବିଦ୍ୟାଳୟ କର୍ମଚାରୀଙ୍କ ସହ ସ୍ଥାନୀୟ ଲୋକେ ଉପ ଜିଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉମାଶଙ୍କର ଦଳେଇଙ୍କୁ ଦାବିପତ୍ର ପ୍ରଦାନ କରଛନ୍ତି। ଘଟଣାର ନିରପେକ୍ଷ ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି।
ଅଭିଯୋଗ ଅନୁଯାୟୀ, ମହାବିଦ୍ୟାଳୟରେ ଯୁକ୍ତ ୨ କଳା, ବିଜ୍ଞାନ, ଧନ୍ଦାମୂଳକ ପାଠ୍ୟକ୍ରମ ସହ ଯୁକ୍ତ ୩ କଳା, ବିଜ୍ଞାନରେ ୨ ହଜାରରୁ ଊଦ୍ଧର୍ବ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ବାର୍ଷିକ ରିଆଡ୍ମିସନରେ ୮ଲକ୍ଷ ଓ ଆଡ୍ମିଶନରେ ୧୩ ଲକ୍ଷ ଟଙ୍କା ଆୟ ହୋଇଥିଲା। ଏହାବ୍ୟତୀତ ଭିତ୍ତିଭୂମିର ବିକାଶ ପାଇଁ ଉଚ୍ଚଶିକ୍ଷା ବିଭାଗ ସହ ବିଭିନ୍ନ ବିଭାଗରୁ ସରକାରୀ ଗ୍ରାଣ୍ଟ ଆସିଥାଏ। ଅଧ୍ୟକ୍ଷା ଜ୍ୟୋତ୍ସ୍ନା ମଞ୍ଜରୀ ତ୍ରିପାଠୀଙ୍କ ସମୟରେ ବଳକା ଥିବା ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସହ ୨୦୨୧ ରୁ ୨୦୨୬ ୫ବର୍ଷର ଆୟ ପାଖାପାଖି ୫ କୋଟି ୬୦ଲକ୍ଷ ଟଙ୍କା ସହ ହିସାବ ବହିର୍ଭୂତ ବିଭିନ୍ନ ସରକାରୀ ଗ୍ରାଣ୍ଟରେ ବ୍ୟାପକ ଅନିୟମିତତା ହୋଇଛି। ଗୃହ ନିର୍ମାଣ, ବିଜ୍ଞାନାଗାର, ଲାଇବ୍ରେରି, ଏନ୍ଏସ୍ଏସ୍ ଓ ଏନ୍ସିସି, କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ, ଛାତ୍ରୀନିବାସ ଓ ପାଠ୍ୟ ଉପକରଣ କିଣିରେ ମିଛ ବିଲ୍ ଓ ଭାଉଚର କରାଯାଇଥିବା ଅଭିଯୋଗ ହୋଇଛିି। ନୂତନ ଗେଟ୍ ପାଇଁ ତରବରିଆ ଭାବେ ୭ ଲକ୍ଷ ଟଙ୍କା ଖର୍ଚ୍ଚ ସହ ସଫେଇ ପାଇଁ ୭ ଲକ୍ଷ, ପାଣି ପାଇପ, ଖେଳପଡ଼ିଆ, ଅନିୟମିତ ବିଦ୍ୟୁତକରଣ ପାଇଁ ପ୍ରଦତ୍ତ ଅର୍ଥରେ ହେରଫେର ହୋଇଛି। ଅନ୍ୟପକ୍ଷେ ମହାବିଦ୍ୟାଳୟର ଜଣେ କର୍ମଚାରୀଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତାରେ କଲେଜର ସରକାରୀ ଅର୍ଥ ରଖାଯାଇଛି। ସେହିପରି ଛାତ୍ରୀନିବାସରେ ରହୁଥିବା ଅନ୍ତେବାସୀଙ୍କଠାରୁ ହଷ୍ଟେଲ ଫି ଆଦାୟ କରାଯାଉଥିବା ବେଳେ ବିଦ୍ୟୁତ୍ ବିଲ୍ କଲେଜ ଫଣ୍ଡରୁ ପୈଠ କରାଯାଉଛି। ନିୟମିତ ମହାବିଦ୍ୟାଳୟକୁ ଆସୁ ନ ଥିବା କର୍ମଚାରୀଙ୍କୁ ମାସିକ ଦରମା ପ୍ରଦାନ କରାଯାଉଛି। ଏ ନେଇ ଉପଜିଲାପାଳ, ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଓ କେନ୍ଦୁଝର ଜିଲାପାଳଙ୍କୁ ଦାବିପତ୍ର ପ୍ରେରଣ କରାଯାଇଛି। ପୂର୍ବତନ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ସାହୁଙ୍କ ୫ ବର୍ଷର କାର୍ଯ୍ୟକାଳର ସମସ୍ତ ଅର୍ଥ ଦେଣନେଣକୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହୋଇଛି। ସହଯୋଗ କରିଥିବା କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତକରି ଦଣ୍ଡବିଧାନ ସହ ସରକାରୀ ଅର୍ଥ ଆଦାୟ କରିବାକୁ ଦାବି ହୋଇଛି। ଏଥିସହ ସରକାରଙ୍କ ନୂତନ ନୀତି ଅନୁଯାୟୀ ଛାତ୍ରୀଛାତ୍ରଙ୍କ କଲେଜ ଫି’ ଛାଡ଼ ସହ କଲେଜର ଜମା ରାଶି ତୋସରପାତ ହୋଇଥିବାରୁ ମହାବିଦ୍ୟାଳୟ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା ଦାବିପତ୍ରରେ ଦର୍ଶାଯାଇଛି। ନୂତନ ଅଧ୍ୟକ୍ଷ ଦାୟିତ୍ୱ ନେଇଥିବା ଜଗନ୍ନାଥ ନାଏକ ଠିକା ଅଧ୍ୟାପକ ନିଯୁକ୍ତି, ଅଣଅନୁଦାନପ୍ରାପ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ଦରମା ପ୍ରଦାନ ଭଳି ବିଭିନ୍ନ ଦାୟିତ୍ୱ ତୁଲାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ପରିଚାଳନାଗତ ସଙ୍କଟ ସୃଷ୍ଟି ହୋଇଛି। ଏଥିସହ ୨୦୨୪ରୁ ପରିଚାଳନା କମିଟି ଗଠନ ହୋଇ ନ ଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ଉପଜିଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତି ଉମାଶଙ୍କର ଦଳେଇ କହିଛନ୍ତି, ପୂର୍ବତନ କଲେଜ ଅଧ୍ୟକ୍ଷ ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଛି। ତାଙ୍କ ପେନ୍ସନକୁ ହୋଲ୍ଡଅପ୍ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ଓ ସରକାରଙ୍କ ସହ ପରାମର୍ଶକରି ଦୁର୍ନୀତିର ତଦନ୍ତ କରାଯିବ। ପ୍ରଥମେ ଗେଷ୍ଟ ଫାକଲ୍ଟିଜ ନିଯୁକ୍ତି ପରେ ସେଦିଗରେ କାର୍ଯ୍ୟ କରାଯିବ। ପୂର୍ବତନ ପାଟଣା କଲେଜ ଅଧ୍ୟକ୍ଷା ଡ. ଜ୍ୟୋତ୍ସ୍ନା ମଞ୍ଜରୀ ତ୍ରିପାଠୀ କହିଛନ୍ତି, ୨୦୧୯ ଫେବୃଆରୀରୁ ୨୦୨୧ମେ ପର୍ଯ୍ୟନ୍ତ ସେ ଅଧ୍ୟକ୍ଷା ରହିଥିଲେ। କ୍ଷମତା ହସ୍ତାନ୍ତର କରିବା ବେଳେ ୧ କୋଟିରୁ ଊଦ୍ଧର୍ବ ପାଣ୍ଠି ହସ୍ତାନ୍ତର କରିଥିଲେ। ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତ କହିଛନ୍ତି, ୯ଟି ପୋଷ୍ଟ ଫାଙ୍କା ପଡ଼ିଛି। ଅଗଷ୍ଟ ୧ରୁ ସେ ଚାର୍ଜ ନେଇଛନ୍ତି। ସମ୍ବଳ ଅଭାବରୁ ମ୍ୟାନେଜମେଣ୍ଟ ରଖିଥିବା ଅଧ୍ୟାପିକା, ଅଧ୍ୟାପକ ଓ ଅଣ ଶିକ୍ଷକ କର୍ମଚାରୀଙ୍କୁ ଦରମା ଦେବା ସମ୍ଭବ ହେଉନାହିଁ। ହିମ୍ସ ମାଧ୍ୟମରେ ନୂତନ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେଲେ ଶିକ୍ଷାଦାନ ବ୍ୟବସ୍ଥିତ ହେବ। ସେ ଚାର୍ଜ ନେବା ପରେ ଯୁକ୍ତ ୩ରେ ୨୦ହଜାର ୯୧୭ ଓ ଯୁକ୍ତ ୨ରେ ୧ ଲକ୍ଷ ୨ହଜାର ୯୯୭ଟଙ୍କା ମାତ୍ର ରହିଥିଲା। ପୂର୍ବତନ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ସାହୁ କହିଛନ୍ତି, ଭିଜିଲାନ୍ସ, ସିବିଆଇ, ଇଡି ଯାହା ତଦନ୍ତ କରିବା କଥା କରାନ୍ତୁ। ୩୫ବର୍ଷର ଚାକିରି ସମୟରେ କଲେଜ ଟଙ୍କାରୁ ପାଣି ଗ୍ଲାସ୍ କି ବିସ୍କୁଟ୍ ଖଣ୍ଡେ ଖାଇନାହିଁ। ତାଙ୍କ ସମୟରେ ପିଲାଙ୍କଠାରୁ ଆଦାୟ ହେଉଥିବା ୬୦ପ୍ରତିଶତ ଟଙ୍କା ଠିକା ଓ ମ୍ୟାନେଜମେଣ୍ଟର ଟିଚିଂ ଅନ୍ ଟିଚିଂଙ୍କ ଦରମା ବାବଦରେ ଖର୍ଚ୍ଚ ହୋଇଛି। ମାସକୁ ୪୦ ହଜାର ଟଙ୍କା ଇଲେକ୍ଟ୍ରି ବିଲ୍, ଦରମା ଓ ଇପିଏଫ୍ ବାବଦକୁ ଖର୍ଚ୍ଚ ହେଉଥିଲା। ତାଙ୍କ ସମୟରେ ହଷ୍ଟେଲ, ଏକାଡେମୀ ହଲ୍, ସାଇକେଲ ଷ୍ଟାଣ୍ଡ, ଲାବବ୍ରେରି ଆଦି କାର୍ଯ୍ୟ ହୋଇଛି। ତାଙ୍କ କାର୍ଯ୍ୟକାଳ ୩ ବର୍ଷର ଅଡିଟ୍ ସରିଛି। ୨ବର୍ଷର ବାକି ଅଛି। ରିକଭରି ବାହାରିଲେ ସେ ଦେବାକୁ ପ୍ରସ୍ତୁତ, ଏଥିପାଇଁ ମାଜିଷ୍ଟ୍ରେଟ୍ଙ୍କ ପାଖରେ ଏଗ୍ରିମେଣ୍ଟ କରିଛନ୍ତି।

