ଅତି ପ୍ରବଳ ବର୍ଷା ଆଶଙ୍କା: କଳାହାଣ୍ଡି ଜିଲାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

ଭବାନୀପାଟଣା, ୨୮।୧୦(ଉତ୍ତମ କୁମାର ଦାଶ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗର ଏହି ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ଦେଇ ଗୁରୁବାର (କାଲି) ଜିଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।

ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କଳାହାଣ୍ଡି ଜିଲା ଶିକ୍ଷା ଅଧିକାରୀ (DEO) କାର୍ଯ୍ୟାଳୟ ପକ୍ଷରୁ ବୁଧବାର ପତ୍ର ସଂଖ୍ୟା (ନଂ-୭୬୬୭) ଜାରି କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ଜିଲାରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସମେତ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଆଜି ବନ୍ଦ ରହିବ।

ତେବେ ଏହି ଛୁଟି କେବଳ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଯୁଜ୍ୟ ହେବ। ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ନିୟମିତ ଭାବେ ବିଦ୍ୟାଳୟକୁ ଆସି ସେମାନଙ୍କର ବାକି ରହିଥିବା ସରକାରୀ କାର୍ଯ୍ୟଗୁଡ଼ିକୁ ସମ୍ପାଦନ କରିବେ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Dharitri – Odisha’s No.1 Odia Daily

Share