ବିଗତ ଅନେକ ବର୍ଷ ଧରି ଏହି ସୌରମଣ୍ଡଳରେ ଏଲିଅନଙ୍କ ଉପସ୍ଥିତିକୁ ନେଇ ଅନେକ ବଡ଼ ବଡ଼ ଦାବି କରାଯାଇଛି। ହେଲେ ଏପର୍ଯ୍ୟନ୍ତ ଏହା ଏକ ଅସମାହିତ ପ୍ରଶ୍ନ ହୋଇ ରହିଛି। ସୋଲାର ସିଷ୍ଟମ (ସୌରମଣ୍ଡଳ) ରେ ଏପର୍ଯ୍ୟନ୍ତ କୌଣସି ଏଲିଅନର କୌଣସି ପ୍ରମାଣ ତ ମିଳିନାହିଁ, କିନ୍ତୁ ବୈଜ୍ଞାନିକମାନେ ଏହା ବିଶ୍ୱାସ କରନ୍ତି ଯେ ଆମ ସୌରମଣ୍ଡଳରେ ଜୀବନ ଥାଇପାରେ। ଏହାକୁ ନେଇ ଜ୍ୟୋର୍ତିବିଜ୍ଞାନୀ (ଏଷ୍ଟ୍ରୋନମର) ଟି. ଜୋସେଫ ଡବ୍ଲ୍ୟୁ. ଲାଜିଓ ଏକ ଅଧ୍ୟୟନ କରିଛନ୍ତି। ସେ କହିଛନ୍ତି ଯେ ନିଶ୍ଚିତ ଭାବରେ ଏହା କୁହାଯାଇପାରିବ ନାହିଁ ଯେ ଅନ୍ୟ କୌଣସି ସଭ୍ୟତା ଆମ ସୌରମଣ୍ଡଳକୁ ନିଜର ଗୁପ୍ତଚର ରୋବୋଟ ପଠାଇଛି କି ନାହିଁ।
ଜ୍ୟୋର୍ତିବିଜ୍ଞାନୀ ଟି. ଜୋସେଫ ଡବ୍ଲ୍ୟୁ. ଲାଜିଓଙ୍କ ଅନୁଯାୟୀ, ମଣିଷ ପାଖରେ ଏବେ ଏଭଳି କୌଣସି ଉନ୍ନତ ଜ୍ଞାନକୌଶଳ (ଏଡଭାନ୍ସ ଟେକ୍ନୋଲୋଜି) ନାହିଁ ଯେ ସେ ସମ୍ପୂର୍ଣ୍ଣ ସୌରମଣ୍ଡଳ ଉପରେ ନଜର ରଖିପାରିବ। ସେ କହିଛନ୍ତି ଯେ ମଣିଷ ଏପର୍ଯ୍ୟନ୍ତ ନିଜ ସୌରମଣ୍ଡଳର ଏକ ଅତି ଛୋଟ ଅଂଶକୁ ହିଁ ନିକଟରୁ ଦେଖିଛି। ଅନ୍ୟ ସଭ୍ୟତା ପକ୍ଷରୁ ପଠାଯାଇଥିବା ଗୁପ୍ତଚର ଆମ ଆଖପାଖରେ କେଉଁଠି ବି ଥାଇପାରନ୍ତି, ବାସ୍ ଆମେ ସେମାନଙ୍କୁ ଖୋଜି ପାଇନାହୁଁ।
ରିପୋର୍ଟ ଅନୁଯାୟୀ, ଜ୍ୟୋର୍ତିବିଜ୍ଞାନୀ ଟି. ଜୋସେଫ ଜଣାଇଛନ୍ତି ଯେ ଏଲିଅନଙ୍କ ଗୁପ୍ତଚରଙ୍କ ବିଷୟରେ ଏହି ଚିନ୍ତାଧାରା ସେତିକି ବିଚିତ୍ର କିମ୍ବା କାଳ୍ପନିକ ନୁହେଁ, ଯେତିକି ଶୁଣିବାକୁ ଲାଗେ। ସେ କହିଛନ୍ତି, ‘ମଣିଷ ନିଜେ ଏପର୍ଯ୍ୟନ୍ତ ପାଞ୍ଚଟି ମହାକାଶ ଯାନ ପଠାଇ ସାରିଛି, ଯାହା ଆଗକୁ ଯାଇ ଆମ ସୋଲାର ସିଷ୍ଟମରୁ ବାହାରକୁ ଚାଲିଯିବ। ଏଗୁଡ଼ିକର ନାମ ହେଉଛି ପାୟୋନିୟର୍ ୧୦ ଏବଂ ୧୧, ଭଏଜର ୧ ଏବଂ ୨, ଏବଂ ନ୍ୟୁ ହୋରାଇଜନ୍ସ। ଏଥିରୁ ଏହା ପ୍ରମାଣିତ ହେଉଛି ଯେ ଯଦି କୌଣସି ସଭ୍ୟତା ବୈଷୟିକ ଜ୍ଞାନକୌଶଳ ଦୃଷ୍ଟିରୁ ବହୁତ ଉନ୍ନତ ହୋଇଥାଏ, ତେବେ ସେ ମହାକାଶକୁ ଏଭଳି ଯାନ ପଠାଇପାରିବ, ଯାହା ଗୋଟିଏ ସୌରମଣ୍ଡଳରୁ ଅନ୍ୟ ଏକ ସୌରମଣ୍ଡଳକୁ ଯାଇପାରିବ।’
ଗବେଷଣା ଅନୁଯାୟୀ, ଏଲିଅନ୍ସଙ୍କ ଗୁପ୍ତଚର କିମ୍ବା ସେମାନଙ୍କର ଜ୍ଞାନକୌଶଳ ଆମ ସୌରମଣ୍ଡଳରେ ଚାରୋଟି ଉପାୟରେ ଥାଇପାରେ। ପ୍ରଥମ- ମହାକାଶରେ କୌଣସି ସଙ୍କେତ (ସିଗନାଲ) ନଦେଇ କେବଳ ଭାସୁଥିବା ପ୍ରୋବ୍ସ (ଯାଞ୍ଚ ଯାନ)। ଦ୍ୱିତୀୟ- ସକ୍ରିୟ (ଆକ୍ଟିଭ) ଯାନ ଯାହା ଆଜି ବି କାମ କରୁଛି ଏବଂ ଡାଟା ସଂଗ୍ରହ କରୁଛି। ତୃତୀୟ- ଗ୍ରହ କିମ୍ବା ଚନ୍ଦ୍ରର ପୃଷ୍ଠରେ କ୍ରାଶ (ଦୁର୍ଘଟଣାଗ୍ରସ୍ତ) କିମ୍ବା ଲ୍ୟାଣ୍ଡ ହୋଇଥିବା ପୁରୁଣା ମେଶିନଗୁଡ଼ିକ। ଚତୁର୍ଥ- ଗ୍ରହଗୁଡ଼ିକର ପୃଷ୍ଠରେ ନିର୍ମିିତ ସେମାନଙ୍କର ସ୍ବୟଂଚାଳିତ (ଅଟୋମେଟିକ) ବେସ ବା କେନ୍ଦ୍ର।

