Categories: ଖେଳ

ସେପ୍ଟେମ୍ବର ୨ରେ ଏଆଇଏଫ୍‌ଏଫ୍‌ ନିର୍ବାଚନ

ନୂଆଦିଲ୍ଲୀ,୨୪।୮(ପି.ଟି): କମିଟି ଅଫ୍‌ ଆଡମିନିଷ୍ଟ୍ରେଟର୍ସ(ସିଓଏ)କୁ ରଦ୍ଦ କରାଯିବା ପରେ ଭାରତୀୟ ଫୁଟବଲ ସଂଘ (ଏଆଇଏଫ୍‌ଏଫ୍‌) ପକ୍ଷରୁ ଏହାର ସଂଶୋଧିତ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ସୋମବାର ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଉମେଶ ସିହ୍ନା ଓ ତାପସ ଭଟ୍ଟାଚାର୍ଯ୍ୟଙ୍କୁ ରିଟର୍ନିଂ ଅଫିସର ନିଯୁକ୍ତ କରିଥିବା ବେଳେ ଆସନ୍ତା ଗୁରୁବାରଠାରୁ ନାମାଙ୍କନ ଆରମ୍ଭ ହେବ। ଗୁରୁବାରରୁ ଶନିବାର ଯାଏ ନାମାଙ୍କନ ଦାଖଲର ସମୟ ରହିଛି। ରବିବାର ପ୍ରାର୍ଥତ୍ପତ୍ରଗୁଡିକର ବୈଧତା ଯାଞ୍ଚ ହେବ। ଏହା ପରେ ବୈଧ ଥିବା ନାମାଙ୍କନ ପ୍ରତ୍ୟାହାର ପାଇଁ ଅଗଷ୍ଟ ୨୯ ତାରିଖକୁ ଧାର୍ଯ୍ୟ କରାଯାଇଛି। ଅଗଷ୍ଟ ୩୦ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଏଆଇଏଫ୍‌ଏଫ୍‌ ଓ୍ବେବ୍‌ସାଇଟରେ ଉଲ୍ଲେଖ କରାଯିବ। ସେପ୍ଟେମ୍ବର ୨ ତାରିଖରେ ଭୋଟ ଗ୍ରହଣ ହେବା ସହିତ ସମାନ ଦିନରେ କିମ୍ବା ୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଏହା ସହିତ ଏଆଇଏଫ୍‌ଏଫ୍‌ ଉପରୁ ବାସନ୍ଦାଦେଶ ହଟାଇବା ପାଇଁ ଫିଫା ନିକଟରେ ଆବେଦନ କରାଯାଇଛି। ସିଓଏ ଏବଂ ସୁପ୍ରିମକୋର୍ଟଙ୍କୁ ତୃତୀୟ ପକ୍ଷ ଭାବରେ ବିବେଚନା କରି ଏଆଇଏଫଏଫ୍‌କୁ ବ୍ୟାନ କରିଥିଲା ଫିଫା। ଏହାପରେ ସିଓଏ ହାତରୁ ଦୈନନ୍ଦିନ ପରିଚାଳନା ଭାର ଛଡାଇ ନିଆଯାଇ ଏଆଇଏଫଏଫ୍‌ କାର୍ଯ୍ୟକାରୀ ସମ୍ପାଦକ ସୁନନ୍ଦୋ ଧରଙ୍କୁ ପ୍ରଦାନ କରାଯାଇଛି।

Share