ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଅନ୍ୟତମ। ଏହା କେବଳ ଏକ ବୈଷୟିକ ମାଧ୍ୟମ ନୁହେଁ ବରଂ ଏକ ବିଶାଳ ଜ୍ଞାନକୋଷ, ଯେଉଁଥିରେ ବିଜ୍ଞାନଠାରୁ ଆରମ୍ଭକରି କଳା, ବାଣିଜ୍ୟ ଏବଂ ପ୍ରଶାସନ ତଥା ସମାଜର ସମସ୍ତ ବିଷୟରେ ଏହାର ପ୍ରଭାବ ଅନୁଭୂତ ହେଉଛି। କିନ୍ତୁ ଯେତେବେଳେ ଆମେ ଓଡ଼ିଆ ସାହିତ୍ୟ ଏବଂ ଭାଷା ପରିପ୍ରେକ୍ଷୀରେ ଏହି ବୈଷୟିକ ପ୍ରଗତିକୁ ଅନୁଧ୍ୟାନକରୁ, ସେତେବେଳେ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସେ। ବିଶ୍ୱର ଅନ୍ୟ ପ୍ରମୁଖ ଭାଷାଗୁଡ଼ିକ ଏହା ସହ ଖାପଖୁଆଇ ଆଗକୁ ବଢ଼ିଛନ୍ତି, ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାହାର ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଏଆଇ ଏକ ସାହାଯ୍ୟକାରୀ ବନ୍ଧୁ ହେବା ପରିବର୍ତ୍ତେ ଏବେ ଏକ ବିଭ୍ରାନ୍ତକାରୀ ଶକ୍ତି ଭାବେ ଉଭାହୋଇଛି।
ବର୍ତ୍ତମାନ ସମୟରେ ଏଆଇର ବିଭିନ୍ନ ପ୍ଲାଟ୍ଫର୍ମ ବ୍ୟବହାରକରି ଯଦି କେହି ଓଡ଼ିଆ ସାହିତ୍ୟର କୌଣସି ବିଶେଷ କୃତୀ କିମ୍ବା ସ୍ରଷ୍ଟାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ତାଙ୍କୁ ଅନେକ ଭୁଲ୍ ସୂଚନାର ସାମ୍ନା କରିବାକୁ ପଡ଼ୁଛି। ଏହାର କାରଣ ହେଉଛି ଏଆଇ ମଡେଲଗୁଡ଼ିକ ଯେଉଁ ତଥ୍ୟାଧାର ବା ଡାଟାସେଟ୍ ଉପରେ ପ୍ରଶିକ୍ଷିତ, ସେଥିରେ ଓଡ଼ିଆ ଭାଷାର ଠିକ୍ ଏବଂ ପ୍ରାମାଣିକ ସାହିତି୍ୟକ ତଥ୍ୟର ଅଭାବ ରହିଛି। ପରିଣାମ ସ୍ବରୂପ, ଏଆଇ ଜଣେ ଲେଖକଙ୍କ କୃତିକୁ ଅନ୍ୟ ଜଣଙ୍କ ନାମରେ ନାମିତକରେ କିମ୍ବା ଐତିହାସିକ ଘଟଣାବଳୀକୁ ଭୁଲ୍ ଭାବରେ ଉପସ୍ଥାପନ କରେ। ସାରଳା ଦାସଙ୍କଠାରୁ ଆରମ୍ଭକରି ଆଧୁନିକ ଯୁଗର ଅନେକ ବରପୁତ୍ରଙ୍କ ସୃଷ୍ଟି ସମ୍ଭାରକୁ ଏଆଇ ଏପଟ ସେପଟ କରି ଉପସ୍ଥାପନ କରୁଛି। ଏହି ତ୍ରୁଟିପୂର୍ଣ୍ଣ ସୂଚନା କେବଳ ବ୍ୟକ୍ତିଗତ ସ୍ତରରେ ସୀମିତ ନୁହେଁ, ବରଂ ଏହା ସାମଗ୍ରିକ ଭାବେ ଓଡ଼ିଆ ସାହିତ୍ୟର ପ୍ରାମାଣିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଏହି ସମସ୍ୟାର ପ୍ରଭାବ କେବଳ ଇଣ୍ଟରନେଟ୍ ଦୁନିଆରେ ସୀମିତ ନାହିଁ, ବରଂ ଏହା ଆମର ବାସ୍ତବ ସାମାଜିକ ଜୀବନକୁ ପ୍ରଭାବିତ କରୁଛି। ବର୍ତ୍ତମାନ ସମୟରେ ଅନେକ ସାଧାରଣ ସଭା ଓ କାର୍ଯ୍ୟକ୍ରମରେ ତତ୍କ୍ଷଣାତ ତଥ୍ୟ ପାଇବା ପାଇଁ ଉପସ୍ଥାପକମାନେ ବକ୍ତାମାନଙ୍କ ସମ୍ପର୍କରେ କୌଣସି ପୁସ୍ତକ କିମ୍ବା ପ୍ରାମାଣିକ ଦଲିଲ୍ ପଢ଼ିବା ପରିବର୍ତ୍ତେ ଏହାର ସାହାରା ନେଉଛନ୍ତି । ଫଳରେ ମଞ୍ଚ ଉପରେ ଯେଉଁ ପରିଚୟ ପ୍ରଦାନ କରାଯାଉଛି, ସେଥିମଧ୍ୟରୁ ପ୍ରାୟ ୭୦ ଭାଗ ତଥ୍ୟ ଭୁଲ୍ ରହୁଛି। ଏହାଦ୍ୱାରା ମଞ୍ଚର ଗରିମା ହ୍ରାସ ପାଇବା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ପ୍ରତି ମଧ୍ୟ ଅସମ୍ମାନ ପ୍ରଦର୍ଶନ କରାଯାଉଛି
ଚିନ୍ତାଜନକ ବିଷୟ ହେଉଛି ଯୁବପିଢ଼ିଙ୍କ ମାନସିକତା। ଯୁବ ଲେଖକମାନେ ନିଜର ଭାବନାକୁ ଶବ୍ଦରେ ରୂପାନ୍ତରିତ କରିବା ପରିବର୍ତ୍ତେ ଏଆଇ ମାଧ୍ୟମରେ ଲେଖାଗୁଡ଼ିକ ପ୍ରସ୍ତୁତକରି ବିଭିନ୍ନ ସାମାଜିକ ଗଣମାଧ୍ୟମ ଓ ପତ୍ରପତ୍ରିକାରେ ପ୍ରକାଶ କରୁଛନ୍ତି। ଏହି ଲେଖାଗୁଡ଼ିକରେ ବ୍ୟାକରଣଗତ ତ୍ରୁଟି ରହିବା ସହ ଓଡ଼ିଆ ସାହିତ୍ୟର ତଥ୍ୟଗୁଡ଼ିକ ମଧ୍ୟ ଅନେକ ସମୟରେ ଭୁଲ୍ ଥାଏ। ଜଣେ ନୂଆ ପାଠକ ଯିଏ ଓଡ଼ିଆ ସାହିତ୍ୟ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି, ସେ ଏହି ଭୁଲ୍ ତଥ୍ୟକୁ ସତ୍ୟ ବୋଲି ମାନିନେଉଛି। ଏହାଦ୍ୱାରା ଓଡ଼ିଆ ସାହିତ୍ୟର ଠିକ୍ ଇତିହାସ ଓ ପରମ୍ପରା ଧୀରେ ଧୀରେ ବିକୃତ ହେବାରେ ଲାଗିଛି। ଏହାର ମୂଳ କାରଣ ହେଉଛି ଡିଜିଟାଲ ଦୁନିଆରେ ଓଡ଼ିଆ ଭାଷାର ଦୁର୍ବଳ ଉପସ୍ଥିତି। ଏଆଇ ସେହି ତଥ୍ୟକୁ ପରଷିଥାଏ ଯାହା ଇଣ୍ଟରନେଟ୍ରେ ଉପଲବ୍ଧ। ଯେପର୍ଯ୍ୟନ୍ତ ଓଡ଼ିଆ ଭାଷାର ପ୍ରାମାଣିକ ପୁସ୍ତକ, ପ୍ରବନ୍ଧ ଓ ସାହିତି୍ୟକ କୃତିଗୁଡ଼ିକ ଡିଜିଟାଲ ରୂପ ନେଇ ଇଣ୍ଟରନେଟ୍ ଦୁନିଆରେ ଉପଲବ୍ଧ ନ ହୋଇଛି, ସେପର୍ଯ୍ୟନ୍ତ ଏଆଇ ଠିକ୍ ତଥ୍ୟ ପ୍ରଦାନ କରିପାରିବ ନାହିଁ। ଅନ୍ୟ ଭାଷାଗୁଡ଼ିକ ନିଜର ସାହିତ୍ୟକୁ ବହୁଳ ଭାବରେ ଡିଜିଟାଇଜ କରିଥିବା ବେଳେ ଆମେ ଏହି ଦୌଡ଼ରେ ପଛରେ ପଡ଼ିଯାଇଛୁ।
ଏଆଇର ଭୁଲ୍ ତଥ୍ୟର ଜାଲରୁ ଓଡ଼ିଆ ସାହିତ୍ୟକୁ ମୁକ୍ତରଖିବା ପାଇଁ ଆମକୁ ମୌଳିକ ସର୍ଜନା ଓ ଠିକ୍ ଡାଟା ପ୍ରସ୍ତୁତି ଉପରେ ଗୁରୁତ୍ୱଦେବାକୁ ହେବ। ଓଡ଼ିଆ ସାହିତ୍ୟର ସୁରକ୍ଷା ଓ ଶୁଦ୍ଧତା ବଜାୟ ରଖିବା ଆଜିର ସମୟର ସବୁଠାରୁ ବଡ଼ ଆବଶ୍ୟକତା। ଯଦି ଆମେ ଏବେଠାରୁ ସଜାଗ ନ ହେବା, ତେବେ ଆଗାମୀ ଦିନରେ ଓଡ଼ିଆ ସାହିତ୍ୟର ସ୍ବତନ୍ତ୍ର ପରିଚୟ ଏହି କୃତ୍ରିମ ବୁଦ୍ଧିମତ୍ତାରେ ହଜିଯିବା ସମ୍ଭାବନା ରହିଛି।
ନିଶିକାନ୍ତ ବଳ
ମୋ: ୬୩୭୧୯୫୯୩୩୬