ଭାରତରେ ବାର୍ଦ୍ଧକ୍ୟ ସମସ୍ୟା

ଇଂ. ମାୟାଧର ସ୍ବାଇଁ

 

ଭାରତରେ ହାରାହାରି ଆୟୁଷ କ୍ରମଶଃ ବୃଦ୍ଧି ପାଉଛି। ଦେଶରେ ସ୍ବାସ୍ଥ୍ୟସେବାର ଉନ୍ନତି ହେଉଛି ଏହାର ପ୍ରମୁଖ କାରଣ। ବର୍ତ୍ତମାନ ଜଣେ ଭାରତୀୟଙ୍କ ହାରାହାରି ଆୟୁଷ ହେଉଛି ୬୯.୮ ବର୍ଷ। ଅବଶ୍ୟ ଏହା ଅନ୍ୟ କେତେକ ଜନବହୁଳ ରାଷ୍ଟ୍ରଠାରୁ କମ୍‌। ବିଶ୍ୱ ବ୍ୟାଙ୍କ ଆକଳନ ଅନୁଯାୟୀ ୫ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୨୯ ଦେଶ ମଧ୍ୟରେ ୨୦୨୦ରେ ଭାରତ ହାରାହାରି ଆୟୁଷରେ ୨୧ ସ୍ଥାନରେ ଥିଲା। ଜାପାନ ଏଥିରେ ଶୀର୍ଷ ସ୍ଥାନରେ ଥିଲା ଏବଂ ଜଣେ ଜାପାନ ଅଧିବାସୀଙ୍କର ହାରାହାରି ଆୟୁଷ ହେଉଛି ୮୪.୬ ବର୍ଷ। ଏହା ପଛକୁ ୮୩.୪ ବର୍ଷରେ ଦ୍ୱିତୀୟ ସ୍ଥାନରେ ଦକ୍ଷିଣ କୋରିଆ ଅଛି।
ତଥାପି ଉଭୟ ପୁରୁଷ ଓ ମହିଳାମାନଙ୍କ କ୍ଷେତ୍ରରେ ଭାରତରେ ହାରାହାରି ଆୟୁଷ ପ୍ରତିବର୍ଷ ବଢ଼ୁଛି। ସରକାରୀ ତଥ୍ୟ ଅନୁଯାୟୀ ୧୯୭୦-୭୫ ଏବଂ ୨୦୧୪-୧୮ ମଧ୍ୟରେ ପୁରୁଷମାନଙ୍କର ହାରାହାରି ଆୟୁଷ ୫୧ ବର୍ଷରୁ ୬୮ ବର୍ଷକୁ ବୃଦ୍ଧି ପାଇଛି ଏବଂ ଏହି ସମୟରେ ମହିଳାମାନଙ୍କର ହାରାହାରି ଆୟୁଷ ୪୯ ବର୍ଷରୁ ୭୧ ବର୍ଷକୁ ବଢ଼ିଛି। ଭାରତରେ ହାରାହାରି ଭାବେ ମହିଳାମାନେ ପୁରୁଷମାନଙ୍କଠାରୁ ଅଧିକ ବର୍ଷ ବଞ୍ଚତ୍ଥାଆନ୍ତି। ୧୯୯୧-୯୫ଠାରୁ ଏହି ଧାରା ରହି ଆସିଛି। ଅନ୍ୟ ଏକ ପରିସଂଖ୍ୟାନ ହେଉଛି ଯେ, ଭାରତର ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କର ହାରାହାରି ଆୟୁଷ ୭୩ ବର୍ଷ ହୋଇଥିବା ବେଳେ ଗ୍ରାମାଞ୍ଚଳ ପାଇଁ ୬୮ ବର୍ଷ। ବୋଧହୁଏ ସହରରେ ଉତ୍ତମ ସ୍ବାସ୍ଥ୍ୟସେବା ହେଉଛି ଏହାର କାରଣ।
ହାରାହାରି ଆୟୁଷ ବୃଦ୍ଧି ସହିତ ଭାରତରେ ଜନ୍ମହାର ହ୍ରାସ ପାଉଛି। ଫଳରେ ଦେଶରେ ବୟସ୍କ (୬୦ ବର୍ଷରୁ ଅଧିକ) ମାନଙ୍କର ପ୍ରତିଶତ ବଢ଼ୁଛି। ୨୦୧୧ରେ ଭାରତରେ ବୟସ୍କ ନାଗରିକମାନଙ୍କର ସଂଖ୍ୟା ୧୦୪ ନିୟୁତ ଥିଲା ଏବଂ ଏହା ମୋଟ ଜନସଂଖ୍ୟାର ପ୍ରାୟ ୧୦ ପ୍ରତିଶତ ଥିଲା। ସରକାରୀ ଆକଳନ ଅନୁଯାୟୀ ୨୦୩୧ ସୁଦ୍ଧା ସେମାନଙ୍କର ସଂଖ୍ୟା ୧୯୪ ନିୟୁତ ହୋଇଯାଇଥିବ ଏବଂ ଏହା ମୋଟ ଜନସଂଖ୍ୟାର ୧୩.୧ ପ୍ରତିଶତ ହେବ। ପୁନଶ୍ଚ ୨୦୬୧ ବେଳକୁ ଭାରତରେ ବୟସ୍କମାନଙ୍କର ସଂଖ୍ୟା ୪୪୧ ନିୟୁତ ହେବା ଅନୁମାନ କରାଯାଉଛି ଏବଂ ସେତେବେଳେ ମୋଟ ଲୋକସଂଖ୍ୟାର ଏକ ଚତୁର୍ଥାଂଶ ବୟସ୍କ ହେବେ।
ବୟସ୍କ ନାଗରିକମାନଙ୍କର ପ୍ରତିଶତ ବୃଦ୍ଧି ପାଇଲେ ଦେଶରେ ଜିଡିପି (ମୋଟ ଘରୋଇ ଉତ୍ପାଦ) ପ୍ରଭାବିତ ହେବ। କାରଣ ଅଧିକାଂଶ ବୟସ୍କ ବ୍ୟକ୍ତି ରୋଜଗାରକ୍ଷମ ହୋଇ ନ ଥାଆନ୍ତି। ଏଥିଯୋଗୁ ବୟସ୍କମାନେ ଆର୍ଥିକ ଭାବେ ଅନ୍ୟମାନଙ୍କ ଉପରେ ନିର୍ଭର ହୋଇଥାଆନ୍ତି। ଅବଶ୍ୟ କେତେଜଣ ବୟସ୍କ ବ୍ୟକ୍ତି ଚାକିରି କରୁଛନ୍ତି। ମାତ୍ର ସେମାନଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି। ଉଦାହରଣ ସ୍ବରୂପ, ୨୦୧୧-୧୨ରେ ୬୦ରୁ ୬୪ ବର୍ଷର ବ୍ୟକ୍ତିଙ୍କ ମଧ୍ୟରୁ ୪୯.୩ ପ୍ରତିଶତ ଚାକିରି କରିଥିବା ବେଳେ ୨୦୧୮-୧୯ ମସିହାରେ ଏହା ୪୦.୯ ପ୍ରତିଶତକୁ ଖସି ଆସିଥିଲା। ସେହିପରି ୬୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ୨୮.୯ ପ୍ରତିଶତରୁ ୨୧.୨ ପ୍ରତିଶତକୁ ହ୍ରାସ ପାଇଛି। ଏହାର ଅର୍ଥ ହେଉଛି ସେମାନଙ୍କୁ ବିକଳ୍ପ ରୋଜଗାର ଉତ୍ସ ଉପରେ ନିର୍ଭର କରିବାକୁ ପଡ଼ିବ। ଏକ ବିକଳ୍ପ ଉତ୍ସ ହେଉଛି ସାମାଜିକ ନିରାପତ୍ତା, ଯାହା ପେନ୍‌ସନ ଆକାରରେ ମିଳିଥାଏ। ମାତ୍ର ଚାକିରିଆମାନଙ୍କୁ ମିଳୁଥିବା ପେନ୍‌ସନ ପରିମାଣ ଯଥେଷ୍ଟ ହେଉଥିବା ବେଳେ ଅଣ-ଚାକିରିଆମାନଙ୍କୁ ସରକାର ପ୍ରଦାନ କରୁଥିବା ବାର୍ଦ୍ଧକ୍ୟ ଭତ୍ତା ନାମକୁମାତ୍ର। ଅଧିକାଂଶ ଭାରତୀୟ ରୋଜଗାରକ୍ଷମ ଥିବା ଅବସ୍ଥାରେ ବୃଦ୍ଧାବସ୍ଥା ପାଇଁ ଅର୍ଥ ସଞ୍ଚୟ ପାଇଁ ଚିନ୍ତା କରି ନ ଥାଆନ୍ତି। ୨୦୧୬ରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଦେଶର ମାତ୍ର ୧୩ ପ୍ରତିଶତ ଲୋକ ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରିଥାଆନ୍ତି।
ଦେଶର ବୟସ୍କ ନାଗରିକମାନଙ୍କ ପାଇଁ ସ୍ବାସ୍ଥ୍ୟସେବା ଅନ୍ୟ ଏକ ସମସ୍ୟା। ବୟସ ବୃଦ୍ଧି ସହିତ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଦୁର୍ବଳ ହୋଇଯାଏ ଏବଂ ଶରୀରର ରୋଗ ପ୍ରତିଷେଧକ ଶକ୍ତି କମ୍‌ ହୋଇଯାଏ। ଏଣୁ ଦେଶରେ ଅଧିକ ସ୍ବାସ୍ଥ୍ୟସେବାର ବ୍ୟବସ୍ଥା କରିବାକୁ ପଡ଼ିବ। ଅଧିକାଂଶ ବୟସ୍କ ବ୍ୟକ୍ତି ଉଚ୍ଚ ରକ୍ତଚାପ ଓ ରକ୍ତ ଶର୍କରା ରୋଗରେ ପୀଡ଼ିତ ଏବଂ ଏଥିପାଇଁ ସେମାନଙ୍କୁ ନିୟମିତ ଔଷଧ ନେବାକୁ ପଡ଼ିଥାଏ। ଅର୍ଦ୍ଧାଧିକ ବୟସ୍କ ବ୍ୟକ୍ତି ସେମାନଙ୍କର ପିଲାମାନଙ୍କ ସହିତ ରହିଥା’ନ୍ତି। ଏଣୁ ସେମାନଙ୍କର ଯତ୍ନ ନେବା ପାଇଁ ପିଲାମାନଙ୍କର ଦାୟିତ୍ୱ ବଢ଼ିଯାଏ। ପୁନଶ୍ଚ ଆଜିକାଲି ଅଧିକାଂଶ ଲୋକଙ୍କର ଏକ କିମ୍ବା ଦୁଇ ସନ୍ତାନ ଏବଂ ସେମାନେ ଘରଠାରୁ ଦୂରରେ କାର୍ଯ୍ୟ କରୁଥିବାରୁ ପିତାମାତାଙ୍କର ଯତ୍ନ ନେବାରେ ଅସୁବିଧା ହୋଇଥାଏ। କେବଳ ଟଙ୍କା ପଠାଇଦେଲେ ସେମାନଙ୍କର ଯତ୍ନ ଠିକ୍‌ ଭାବେ ହେବ ନାହିଁ। ଦେଖାଯାଇଛି ଯେ, ଅନେକ ସନ୍ତାନ ବହୁ ଦିନ ଧରି ପିତାମାତାଙ୍କୁ ଦେଖାକରିବାକୁ ଆସୁ ନ ଥିବାରୁ ଏହା ସେମାନଙ୍କୁ ମାନସିକ ଭାବରେ ଅଶାନ୍ତି ଦେଉଛି। ଆଜିକାଲି ଏହା ଅନେକ ମାତ୍ରାରେ ଦେଖାଦେଉଛି। ସେଥିପାଇଁ ଅବଶ୍ୟ ବୃଦ୍ଧାଶ୍ରମ ସଂଖ୍ୟା ଦେଶରେ ବୃଦ୍ଧି ପାଇଛି। ସରକାରୀ ଓ ବେସରକାରୀ ସ୍ତରରେ ଏହା ସ୍ଥାପିତ ହୋଇ ବୃଦ୍ଧାବୃଦ୍ଧଙ୍କର ସେବା ଓ ଯତ୍ନ ନିଆଯାଉଛି। ଏହା ସେମାନଙ୍କୁ ଆଶ୍ରୟ ଦେବା ସହ ଖାଦ୍ୟ ଓ ଚିକିତ୍ସା ସୁବିଧା ଦେଉଥିଲେ ମଧ୍ୟ ସେମାନେ ମାନସିକ ସ୍ତରରେ ଶାନ୍ତି ପାଇପାରୁ ନାହାନ୍ତି।
୨୦୨୧ରେ ସମଗ୍ର ଭାରତରେ ୧୦.୧ ପ୍ରତିଶତ ବରିଷ୍ଠ ନାଗରିକ ଥିବା ବେଳେ ରାଜ୍ୟଗୁଡ଼ିକରେ ଅନେକ ପାର୍ଥକ୍ୟ ଦେଖାଯାଏ। ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଏହି ପ୍ରତିଶତ ହେଉଛି ଅଧିକ। କେରଳରେ ସର୍ବାଧିକ ୧୬.୫% ବରିଷ୍ଠ ନାଗରିକ ଥିବା ବେଳେ ତାମିଲନାଡୁରେ ୧୩.୬%, ହିମାଚଳ ପ୍ରଦେଶରେ ୧୩.୧%, ଆନ୍ଧ୍ରରେ ୧୨.୪%, କର୍ନାଟକରେ ୧୧.୫% ଏବଂ ଓଡ଼ିଶାରେ ୧୧.୮% ବୟସ୍କ ବ୍ୟକ୍ତି ଅଛନ୍ତି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାର ବରିଷ୍ଠ ନାଗରିକମାନଙ୍କ ପାଇଁ ଅନେକ ସୁବିଧା ପ୍ରଦାନ କରୁଛନ୍ତି। ରେଳ ଓ ବସ୍‌ ଯାତ୍ରାରେ ରିହାତି ଓ ଆୟକରରେ ରିହାତି ସହିତ ସ୍ବାସ୍ଥ୍ୟସେବା ପାଇଁ ସ୍ବାସ୍ଥ୍ୟବୀମା, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆଦି କାର୍ଯ୍ୟ କରୁଛି। ସର୍ବୋପରି ସେମାନଙ୍କୁ ସମ୍ମାନର ସହ ରଖିବା ହେଉଛି ଦେଶର ସମସ୍ତ ନାଗରିକଙ୍କର କର୍ତ୍ତବ୍ୟ।
ଲକ୍ଷ୍ମୀବିହାର,ଭୁବନେଶ୍ୱର
ମୋ:୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?