
ନୂଆଦିଲ୍ଲୀ,୧୯ା୫: ଏକପଟେ ଚାଇନା ବାଂଲାଦେଶର ଅର୍ଥନୀତିରେ ଗଭୀର ଭାବେ ପ୍ରବେଶ କରୁଛି, ଅନ୍ୟପଟେ ବାଂଲାଦେଶର ଘରୋଇ ବଜାର ଚାଇନା ସାମଗ୍ରୀରେ ପରିପୂର୍ଣ୍ଣ ହୋଇପଡ଼ିଛି। ସାମ୍ପ୍ରତିକ ତଥ୍ୟ ଆଶ୍ଚର୍ଯ୍ୟଜନକ, ବାଂଲାଦେଶର ଏକ ଚତୁର୍ଥାଂଶରୁ ଅଧିକ ଆୟାତ ଏବେ ଚୀନରୁ ହେଉଛି।
ତଥ୍ୟ ଅନୁଯାୟୀ, ୨୦୨୩-୨୪ରେ ବାଂଲାଦେଶ ତା’ର ମୋଟ ଆମଦାନୀର ୨୫ ପ୍ରତିଶତରୁ ଅଧିକ ସାମଗ୍ରୀ ଚାଇନାରୁ ମଗାଇଛି, ଯେତେବେଳେ ଛଅ ବର୍ଷ ପୂର୍ବେ ଏହି ସଂଖ୍ୟା ମାତ୍ର ୨୦ ପ୍ରତିଶତ ପାଖାପାଖି ଥିଲା। ଏହାର ଅର୍ଥ ସ୍ପଷ୍ଟ ଯେ ବାଂଲାଦେଶ ଏବେ ବାଣିଜ୍ୟ ମାମଲାରେ ଚାଇନା ଉପରେ ପୂର୍ବାପେକ୍ଷା ଅଧିକ ନିର୍ଭରଶୀଳ ହେଉଛି।
ଏକପଟେ ଚାଇନାରୁ ଆୟାତ ବୃଦ୍ଧି ପାଇଛି, ଅନ୍ୟପଟେ ଚାଇନାକୁ ବାଂଲାଦେଶର ରପ୍ତାନି ହ୍ରାସ ପାଇଛି। ୨୦୧୮-୧୯ରେ ଚୀନକୁ ବାଂଲାଦେଶର ୨.୧ ପ୍ରତିଶତ ରପ୍ତାନି ହେଉଥିଲା, ଯାହା ୨୦୨୩-୨୪ରେ ହ୍ରାସ ପାଇ ମାତ୍ର ୧.୬ ପ୍ରତିଶତ ହୋଇଛି। ଅର୍ଥାତ୍ ଚାଇନାର ବଜାରରେ ବାଂଲାଦେଶୀ ଉତ୍ପାଦର ଚାହିଦା କମିଛି।
ଅନ୍ୟପଟେ, ଭାରତକୁ ବାଂଲାଦେଶରୁ ହେଉଥିବା ରପ୍ତାନି ବୃଦ୍ଧି ପାଇଛି। ୨୦୧୮-୧୯ରେ ଏହା ୩.୧ ପ୍ରତିଶତ ଥିଲା, ଯାହା ଏବେ ବୃଦ୍ଧି ପାଇ ୩.୫ ପ୍ରତିଶତ ହୋଇଛି। ଏହାର ଅର୍ଥ ଭାରତ-ବାଂଲାଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଏବେ ମଧ୍ୟ ଦୃଢ଼ ରହିଛି। ଯଦିଓ ସାମ୍ପ୍ରତିକ ବୟାନବାଜୀ ଏବଂ ନୂଆ ଆୟାତ ନିଷେଧାଜ୍ଞା ସମ୍ପର୍କରେ ମଧ୍ୟ କିଛି ତିକ୍ତତା ସୃଷ୍ଟି କରିଛି।
ବାଂଲାଦେଶର କପାସ ଆବଶ୍ୟକତାର ଏକ ବଡ଼ ଅଂଶ ଭାରତରୁ ପୂରଣ ହୁଏ। ୨୦୨୩-୨୪ରେ ଭାରତ ବାଂଲାଦେଶକୁ ମୋଟ ୯ ବିଲିୟନ ଡଲାରର ରପ୍ତାନି କରିଛି, ଯେଉଁଥିରୁ ୨୬ ପ୍ରତିଶତ କେବଳ କପାସ ଥିଲା, ଯେତେବେଳେ ୨୦୨୨-୨୩ରେ ଏହି ସଂଖ୍ୟା ୨୦.୨ ପ୍ରତିଶତ ଥିଲା। ଭାରତ ଏବେ ବାଂଲାଦେଶର ମୋଟ କପାସ ଆୟାତର ୩୦ ପ୍ରତିଶତ ଯୋଗାଣ କରୁଛି, ଯାହା ୨୦୧୮-୧୯ରେ ୨୩ ପ୍ରତିଶତ ଥିଲା।
ବାଂଲାଦେଶରୁ ଭାରତ କ’ଣ କିଣୁଛି?
ଭାରତ ବାଂଲାଦେଶରୁ ଯେଉଁ ସାମଗ୍ରୀ କିଣୁଛି, ତା’ ମଧ୍ୟରେ ଏବେ ମଧ୍ୟ ଟେକ୍ସଟାଇଲ, ରେଡିମେଡ ଗାର୍ମେଣ୍ଟସ ଏବଂ କପଡ଼ା ମୁଖ୍ୟ। ଏହି କ୍ଷେତ୍ରଗୁଡ଼ିକ ୨୦୨୩-୨୪ରେ ଭାରତର ବାଂଲାଦେଶରୁ ଆୟାତର ୫୬ ପ୍ରତିଶତ ଅଂଶ ରହିଛି, ଯାହା ପ୍ରାୟ ୨୦୧୮-୧୯ର ୫୭ ପ୍ରତିଶତ ସହ ସମାନ।
କିନ୍ତୁ, ନିକଟରେ ଭାରତ ସରକାର ବାଂଲାଦେଶରୁ ଆୟାତ ଉପରେ ନୂଆ ନିଷେଧାଜ୍ଞା ଲାଗୁ କରିଛନ୍ତି, ଯାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଉପରେ ପ୍ରଭାବ ପକାଇଛି। ସରକାରଙ୍କ ନୂଆ ନିର୍ଦ୍ଦେଶ ଅନୁଯାୟୀ, ରେଡିମେଡ ଗାର୍ମେଣ୍ଟସ ଜାତୀୟ ସାମଗ୍ରୀ ଏବେ କେବଳ ଦୁଇଟି ସାମୁଦ୍ରିକ ବନ୍ଦର ମାଧ୍ୟମରେ ଆସିପାରିବ। ଏହା ଦ୍ୱାରା ମୋଟ ବାଣିଜ୍ୟର ୪୦ ପ୍ରତିଶତ ପ୍ରଭାବିତ ହୋଇଛି।