ଭୁବନେଶ୍ୱର, ୩୦।୭: ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଚାପଗ୍ରସ୍ତ ହୋଇ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଦିଲ୍ଲୀରୁ ବାହାରି ସକାଳ ୧୧ଟାରେ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ। ତେବେ ଏହି ସମୟରେ ବୁଧବାର ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀ ଏବଂ ଭାଜପା ସାଂସଦଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଏବେ ଏହି ବୈଠକ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି।
ବୈଠକକୁ ନେଇ ନିଜେ ଧର୍ମେନ୍ଦ୍ର ପ୍ରଧାନ ଏକ୍ସରେ ଶେୟାର କରି ଲେଖିଛନ୍ତି, ଓଡ଼ିଶାର ବିକାଶମୂଳକ କାର୍ଯ୍ୟ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀ ଓ ଆମ ଦଳର ସାଂସଦମାନଙ୍କ ସହ ଆଲୋଚନା ହୋଇଛି।
ଓଡ଼ିଶାର ବିକାଶମୂଳକ କାର୍ଯ୍ୟ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀ ଓ ଆମ ଦଳର ସାଂସଦମାନଙ୍କ ସହ ଆଲୋଚନା ହେଲା । pic.twitter.com/v79eUGEJdM
— Dharmendra Pradhan (@dpradhanbjp) July 29, 2026
ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବରିଷ୍ଠ ନେତା ଭାବେ ଦଳୀୟ ସଂଗଠନରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେଉଁ ଦାୟିତ୍ୱ ମିଳିବ, ତାହା ଏବେ କହିବା କଷ୍ଟକର। ୨୦୨୨ର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସେ ନିର୍ବାଚନ ପ୍ରଭାରୀ ଭାବେ ଭାଜପାକୁ ପୁଣି କ୍ଷମତାକୁ ଫେରାଇବାରେ ଭୂମିକା ନେଇଥିଲେ। ଏପରି ସ୍ଥିତିରେ ୨୦୨୭ ଉତ୍ତର ପ୍ରଦେଶ ନିର୍ବାଚନର ଦାୟିତ୍ୱ ପୁଣି ତାଙ୍କୁ ଦିଆଯାଇପାରେ କି, ସେନେଇ ଚର୍ଚ୍ଚା ଚାଲିଛି। ଏହା ସହ କିଛି ମାସ ପରେ ପୁଣି କେନ୍ଦ୍ର ମନ୍ତ୍ରିମଣ୍ଡଳକୁ ଫେରିପାରନ୍ତି ବୋଲି ବିଶ୍ଳେଷକମାନେ କହୁଛନ୍ତି। ଅନେକ ବିଶ୍ଳେଷକଙ୍କ ମତରେ, ଧର୍ମେନ୍ଦ୍ର ପ୍ରଧାନଙ୍କର ଓଡ଼ିଶା ରାଜନୀତିକୁ ପୁଣି ଫେରିବାର ସମ୍ଭାବନା ମଧ୍ୟ ରହିଛି। ଅର୍ଥାତ୍ ରାଜ୍ୟର ସର୍ବୋଚ୍ଚ ପଦ ପାଇଁ ତାଙ୍କ ନାମ ବିଚାରକୁ ଆସିପାରେ। ଏହା ମଧ୍ୟ ତାଙ୍କ ପାଇଁ ଏକ ସମ୍ଭାବ୍ୟ ବିକଳ୍ପ ହୋଇପାରେ। ଏବେ ଦେଖିବାକୁ ବାକି ରହିଲା, ଭାଜପା ଧର୍ମେନ୍ଦ୍ର ପ୍ରଧାନଙ୍କୁ କେଉଁ ଭୂମିକାରେ ଏବଂ କେଉଁଠି ରାଜନୈତିକ ଭାବେ ବ୍ୟବହାର କରୁଛି।