ଭୁବନେଶ୍ୱର,୧୪।୭(ସୁନିତ୍ ମିଶ୍ର): ରାଜନୈତିକ କାର୍ଯ୍ୟକ୍ରମରେ ଛୋଟ ପିଲାମାନଙ୍କୁ ସାମିଲ କରାଯିବା ନେଇ ରାଜ୍ୟ ରାଜନୀତି ଜୋର୍ ଧରିବାରେ ଲାଗିଛି। ସୋମବାର ବିଜେଡିର ଏକ ମହିଳା ପ୍ରତିନିଧି ଦଳ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ରଙ୍କୁ ଭେଟି ଭାଜପା ବିରୋଧରେ ଅଭିଯୋଗ କରିଛି। ବିଜେଡି କହିଛି, ଗତ ରବିବାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଭାଜପାରେ ଯୋଗ ଦେଲେ। ସିଏ ଯେଉଁ ଶୋଭାଯାତ୍ରା ଆଣିକି ଆସିଲେ ଏବଂ ଯେଉଁଠି ମିଶ୍ରଣ ପର୍ବ ହେଲା ସେଠାରେ ଛୋଟ ପିଲାମାନେ ସାମିଲ ଥିଲେ। ସେହି ପିଲାମାନଙ୍କୁ ଶାସକ ଦଳର ଟୋପି, ଉତ୍ତରୀୟ ମଧ୍ୟ ପିନ୍ଧାଯିବା ସହିତ ପ୍ଲାକାର୍ଡ ଓ ବ୍ୟାନର ହାତରେ ଧରାଇ ଦିଆଯାଇଥିଲା। ଛୋଟ ପିଲାମାନଙ୍କୁ ଭାଜପା ରାଜନୈତିକ କାର୍ଯ୍ୟରେ ବ୍ୟବହାର କରୁଛି। ତେଣୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଆୟୋଗ ଏହି ଘଟଣାରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି। ଏହି କାର୍ଯ୍ୟକ୍ରମରେ ଯେଉଁ ବଡ଼ ନେତାମାନେ ଥିଲେ ଏବଂ ପ୍ରଭାତ ବିଶ୍ୱାଳଙ୍କୁ ନୋଟିସ୍ ଜାରି କରିବା ଲାଗି ଆୟୋଗ ନିକଟରେ ବିଜେଡି ପ୍ରତିନିଧି ଦଳ ଦାବି କରିଛି। ଭାଜପା ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛିି। ଝାରସୁଗୁଡ଼ାରେ ଛୋଟ ପିଲାମାନଙ୍କୁ ନେଇ ଯେଉଁଭଳି ଆନ୍ଦୋଳନ କରୁଥିଲେ ସେଥିରେ ଦୋଷ ସ୍ବୀକାର କରି ରାଜ୍ୟବାସୀଙ୍କୁ ବିଜେଡି କ୍ଷମା ମାଗୁ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ବିଜୁ ଛାତ୍ର ଜନତା ଦଳ ସଭାପତି ଈପ୍ସିତା ସାହୁଙ୍କ ନେତୃତ୍ୱରେ ଝାରସୁଗୁଡ଼ାଠାରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଆନ୍ଦୋଳନ କରାଯାଉଥିଲା। ଏହି କାର୍ଯ୍ୟକ୍ରମରେ ସ୍କୁଲ ପୋଷାକ ପରିଧାନ କରିଥିବା ଛୋଟ ପିଲାମାନେ ସେଥିରେ ସାମିଲ ଥିବା ନଜରକୁ ଆସିଥିଲା, ତାହାକୁ ନେଇ ଭାଜପା ପକ୍ଷରୁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ସେହି ଘଟଣାରେ ଅଧ୍ୟକ୍ଷା ବବିତା ପାତ୍ର ନିର୍ଦ୍ଦେଶ ଦେଇଥିଲେ, ବିଜେଡି ନେତାଙ୍କୁ ନୋଟିସ୍ ପଠାଯିବ। ନୋଟିସ୍ ପହଞ୍ଚିବାର ୭ ଦିନ ଭିତରେ ପ୍ରଶାସନ ଆକ୍ସନ ଟେକେନ ରିପୋର୍ଟ ଜଣାଉ। ବବିତା ପାତ୍ର ଆହୁରି କହିଛନ୍ତି, ସାମାଜିକ ଗଣମାଧ୍ୟମରେ ନଜରକୁ ଆସିଥିଲ। ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତ୍ରୀମାନେ ନାଚୁଥିଲେ ଏବଂ ସେଠାରେ କୁଶପୁତ୍ତଳିକାରେ ନିଆଁ ଲାଗିଥିବା ବେଳେ ପିଲାମାନେ ସ୍କୁଲ ଡ୍ରେସ୍ ପିନ୍ଧି ଥିଲେ। ତେଣୁ କମିଶନ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇ ସାରିଛି।