
କାବୁଲ,୨୮।୮:ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବାର ପ୍ରାୟ ଏକ ବର୍ଷ ପରେ ଦେଶର ସିନେମା ଘର ଖୋଲିବାକୁ ଯାଉଛି। କିନ୍ତୁ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବାକୁ ଥିବା ଶୋ’ରେ ମହିଳାଙ୍କ ଭୂମିକା ବହୁତ କମ ରହିବ। ଗତ ବର୍ଷ ଅଗଷ୍ଟ ମାସରେ ତାଲିବାନ ଆଫଗାନିସ୍ତାନକୁ କବ୍ଜା କରିଥିଲା। ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ସରକାର ଦେଶରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛି। ବିଶେଷକରି ମହିଳାଙ୍କ ପ୍ରତି ତାଲିବାନର ମନୋଭାବ ପୁରୁଣା ଭଳି ସମାନ ରହିଛି।
ସୂଚନାଯୋଗ୍ୟ, ୩୭ଟି ଫିଲ୍ମ ଏବଂ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପାଇଁ ଧାଡିରେ ରହିଛି। ଆଟିଫା ମହମ୍ମଦୀ ଏକମାତ୍ର ମହିଳା ଅଭିନେତ୍ରୀ, ଯିଏକି ନିକଟରେ ନିର୍ମିତ ଏକ ଫିଲ୍ମରେ ଅଭିନୟ କରିଛନ୍ତି।
ତାଲିବାନ ସରକାର ଗତ ମାସରେ ଘୋଷଣା କରିଥିଲେ ଯେ, ଯଦି ଆବଶ୍ୟକ ନ ହୁଏ ତେବେ ମହିଳା ଓ ଝିଅମାନେ ଘରୁ ବାହାରକୁ ଯିବା ଉଚିତ୍ ନୁହେଁ। ଯଦି ସେମାନେ ବାହାରକୁ ଯାଉଛନ୍ତି, ତେବେ ସମଗ୍ର ଶରୀରକୁ କେବଳ ଆଚ୍ଛାଦିତ କରାଯିବା ଉଚିତ।