ଭୋକ ଜ୍ୱାଳାରେ ଆଫ୍‌ଗାନ ଶିଶୁ

କାବୁଲ, ୨୨।୧୧ : ପାଦେ ପାଦେ ବିପଦ। କେତେବେଳେ ବର୍ଷୁଛି ଗୁଳି ତ ଆଉ କେତେବେଳେ ବିସ୍ଫୋରଣ। ସବୁଠି ତ୍ରାହି ତ୍ରାହି ଏବଂ ହା’ ଅନ୍ନର ଚିତ୍କାର। ଆତଙ୍କୀ ଗୋଷ୍ଠୀର କ୍ଷମତା ଲୋଭ ଓ ଏହାକୁ ନେଇ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶ ଭିତରେ ସନ୍ଦିହାନ ଶୈଶବ ଖୋଜୁଛି ମୁକୁଳିବାର ବାଟ। ଆଫ୍‌ଗାନିସ୍ତାନକୁ ତାଲିବାନ କରାୟତ୍ତ କରିବାର ୧୦୦ଦିନ ବିତିବାକୁ ବସିଥିବାବେଳେ ଯୁଦ୍ଧ ବିଭୀଷିକା ମଧ୍ୟରୁ ଜୀବନ ବଞ୍ଚାଇବା ଲାଗି ସଂଘର୍ଷ କରୁଛନ୍ତି ଅବୋଧ ଶିଶୁ ।
ଆଫ୍‌ଗାନିସ୍ତାନରେ ଆରମ୍ଭ ହୋଇଛି ତାଲିବାନ ଶାସନ। ଅଗଷ୍ଟ ୧୫ରେ କାବୁଲ ଦଖଲ କରିବା ପରେ ଅନ୍ଧକାରାଚ୍ଛନ୍ନ ହୋଇପଡ଼ିଛି ୩ କୋଟି ୮୦ ଲକ୍ଷରୁ ଊର୍ଦ୍ଧ୍ୱ ଆଫଗାନ୍‌ଙ୍କ ଭବିଷ୍ୟତ। କ୍ଷମତା ଦଖଲର ପାଖାପାଖି ୧୦୦ ଦିନ ବିତିଯାଇଥିଲେ ବି ତାଲିବାନକୁ ମିଳିନି ମାନ୍ୟତା। ଅନ୍ୟପଟେ ଇସ୍‌ଲାମିକ୍‌ ଷ୍ଟେଟ୍‌ ଅଫ୍‌ ଇରାକ ଆଣ୍ଡ୍‌ ସିରିଆ (ଆଇଏସ୍‌ଆଇଏସ୍‌) ଗୋଷ୍ଠୀ ସହିତ ଲଗାତର ବଢୁଥିବା କନ୍ଦଳ ଏବେ ତାଲିବାନ୍‌ ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି। କୌଣସି ମୁହୂର୍ତ୍ତରେ ତାଲିବାନ କ୍ଷମତା ହରାଇବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ଏସବୁ ଭିତରେ ଦକ୍ଷିଣ ହିଲ୍‌ମାଣ୍ଡ ପ୍ରଦେଶରୁ ଶୈଶବକୁ ନେଇ ଆସିଛି ହୃଦୟବିଦାରକ ଚିତ୍ର। ନାଦ୍‌-ଏ-ଅଲ୍ଲି ସମେତ ଅନେକ ଗଁାରେ ପାଠପଢ଼ା ବଦଳରେ ଶିଶୁଙ୍କୁ ଦିଆଯାଉଛି ଜୀବନ ବଞ୍ଚାଇବାର କୌଶଳ ବିଷୟରେ ପ୍ରଶିକ୍ଷଣ। ଘାତକ ମାରଣାସ୍ତ୍ର, ମିଶାଇଲ ସେଲ୍‌, ଲ୍ୟାଣ୍ଡ୍‌ମାଇନ୍ସ ସହ ସେମାନଙ୍କୁ ପରିଚିତ କରାଯାଉଛି। ସାଧାରଣ ଭାବେ କହିଲେ, ପିଲାମାନେ ସ୍କୁଲରେ ‘ବି’ ଫର୍‌ ବ୍ୟାଟ୍‌ ବଦଳରେ ବୁଲେଟ୍‌ ଏବଂ ‘ଏଲ୍‌’ ଫର୍‌ ଲାୟନ ପରିବର୍ତ୍ତେ ଲ୍ୟାଣ୍ଡମାଇନ୍‌ ବିଷୟରେ ପାଠ ପଢୁଛନ୍ତି।
ତାଲିବାନ୍‌ ଆକ୍ରମଣରେ ଆଫଗାନ୍‌ବାସୀ ତ୍ରାହିତ୍ରାହି ଡାକୁଥିବାବେଳେ ଶେଷ ପର୍ଯ୍ୟନ୍ତ ଲଢ଼ି ବୀରତ୍ୱର ପରାକାଷ୍ଠା ଦେଖାଇଥିଲେ ଦକ୍ଷିଣ ହିଲ୍‌ମାଣ୍ଡ ଅଞ୍ଚଳର ଯୋଦ୍ଧା। ତେବେ ସଶସ୍ତ୍ର ତାଲିବାନ ଆତଙ୍କବାଦୀଙ୍କ ସମ୍ମୁଖୀନ ହୋଇ ନ ପାରି ଶେଷରେ ଘର ଛାଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ ଅନେକେ। ମୋର୍ଟାର ମାଡ଼ରେ ଘରଦ୍ୱାର ଧ୍ୱଂସସ୍ତୂପରେ ପରିଣତ ହୋଇଯାଇଥିବାବେଳେ ଏବେ ପୁଣି ଗଁାମୁହଁା ହୋଇଛନ୍ତି କ୍ଷତିଗ୍ରସ୍ତ। ଜୀବନଜୀବିକାର ପନ୍ଥା ଉଜୁଡ଼ି ଯାଇଥିବାରୁ ସେମାନେ ଏବେ ଦୁର୍ଦ୍ଦିନରେ ଖୋଲା ଆକାଶ ତଳେ ଭାଗ୍ୟକୁ ଆଦରି ପଡ଼ିଛନ୍ତି। ତାଲିବାନୀ ଆତଙ୍କବାଦୀ ରାସ୍ତାରେ ଲ୍ୟାଣ୍ଡମାଇନ୍ସ ଖଞ୍ଜିଥିବା ଆଶଙ୍କା ଜୀବନକୁ ଅଧିକ ଭୀତିତ୍ରସ୍ତ କରିଦେଇଛି। ଦୁର୍ଘଟଣା ଏଡ଼ାଇବାକୁ ବିଭିନ୍ନ ସ୍ଥାନରେ ଏବେ ଖୋଜାଚାଲିଛି ବିସ୍ଫୋରକ। ସୁରକ୍ଷିତ ଅଞ୍ଚଳଗୁଡ଼ିକୁ ଧଳା ପଥର ଏବଂ ବାରୁଦ ସୁଡ଼ଙ୍ଗ ଆଶଙ୍କା ଥିବା ଅଞ୍ଚଳକୁ ଲାଲ୍‌ ପଥର ରଖି ଚିହ୍ନଟ କରାଯାଉଛି। ସୂଚନାଯୋଗ୍ୟ, ୧୯୮୮ରୁ ଅଦ୍ୟାବଧି ଏଭଳି ବାରୁଦ ସୁଡ଼ଙ୍ଗ ବିସ୍ଫୋରଣ ଘଟି ୪୧,୦୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଏବେକାର ସ୍ଥିତି ଏଭଳି ବିସ୍ଫୋରଣଜନିତ ଦୁର୍ଘଟଣା ଆହୁରି ବଢ଼ିଛି।

ଅନାହାର ଯନ୍ତ୍ରଣା

ଆଫ୍‌ଗାନିସ୍ତାନରେ ଗମ୍ଭୀର ହେବାରେ ଲାଗିଛି ମାନବୀୟ ସଙ୍କଟ। ଦୁଇଓଳି ଦି’ ମୁଠା ଖାଇବା ସାଙ୍ଗକୁ ପିଇବା ପାଣି ଲାଗି ଡହଳବିକଳ ହେଉଛନ୍ତି ଲୋକେ, ଯାହା ସେମାନଙ୍କୁ ଅନାହାର ମୃତ୍ୟୁ ଆଡକୁ ଠେଲିଦେଇଛି। ଖାଦ୍ୟାଭାବରୁ ଶିଶୁମାନଙ୍କ ଜୀବନ ଯାଉଛି। ଅନାହାରଜନିତ ରୋଗରେ ପଡ଼ି ଲକ୍ଷାଧିକ ଶିଶୁ କଲବଲ ହେଉଛନ୍ତି। ଦେଶର ଅନେକ ପ୍ରାନ୍ତରେ ଏଭଳି ସମସ୍ୟା ସହିତ ଯୁଝି ହେଉଥିବା ଲୋକଙ୍କ କରୁଣ କାହାଣୀ ସାମ୍ନାକୁ ଆସିବାରେ ଲାଗିଛି। ବିଶ୍ୱ ସମୁଦାୟ ଯୁଦ୍ଧକାଳୀନ ଭିତ୍ତିରେ ଏହି ସମସ୍ୟାର ସମାଧାନ ନ କଲେ ବର୍ଷ ଶେଷ ଆଡ଼କୁ ଛୋଟ ଛୋଟ ଶିଶୁ ମାରାତ୍ମକ କୁପୋଷଣର ଶିକାର ହେବେ। ଅନ୍ତଃରାଷ୍ଟ୍ରୀୟସ୍ତରରେ ସହାୟତା କରୁଥିବା ଏଜେନ୍ସିଗୁଡ଼ିକ ମଧ୍ୟ ଏଥିଲାଗି ସତର୍କ କରାଇ ସାରିଲେଣି।

ବିକ୍ରି ହେଉଛନ୍ତି ଶିଶୁ

ଉଜୁଡ଼ିଯାଇଛି ଜୀବନଜୀବିକା ପନ୍ଥା। ପେଟ ଭର୍ତ୍ତି ଖାଇବା ଯୋଗାଡ଼ କରିବା ମୁସ୍କିଲ। ଏଭଳି ସ୍ଥିତିରେ ନିଜର ସନ୍ତାନଙ୍କୁ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଆଫ୍‌ଗାନ ପରିବାର। ନିକଟରେ ଜଣେ ମା’ ନିଜର ଅବୋଧ ଶିଶୁକୁ ମାତ୍ର ୩୭ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଖବର ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଅବସ୍ଥା ତା’ଠାରୁ ଆହୁରି ଶୋଚନୀୟ। ନିକଟରେ ପଶ୍ଚିମ କାବୁଲର ୮ଜଣ ନାବାଳକ ଜୀବନ ନେଇଯାଇଛି ଭୋକ। ସମ୍ପୃକ୍ତ ପିଲାମାନେ ଛୋଟ ଛୋଟ କାମ କରି ଯେନତେନ ପ୍ରକାରେ ଖାଇବାକୁ ଯୋଗାଡ଼ କରିଦେଉଥିଲେ। ହେଲେ ତାଲିବାନ ଶାସନ ଆରମ୍ଭ ହେବାପରଠାରୁ ଦେଶର ଅର୍ଥନୀତି ରସାତଳଗାମୀ ହୋଇଯାଇଛି। ଶାସନ ବ୍ୟବସ୍ଥାକୁ କରାୟତ୍ତ କରିଥିବା ଆତଙ୍କୀ ଗୋଷ୍ଠୀ ବେଶ୍‌ ଆରାମରେ ରହୁଥିବାବେଳେ ନାଗରିକଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?