ଗଞ୍ଜାମ, ୩।୧୦(ବିଦ୍ୟାଧର ସାହୁ ): ଲଘୁଚାପ ଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୭ ବାଲୀ ସାହିର ସନ୍ତୋଷୀ ନାୟକଙ୍କ ଘର ଜରିପାଲ ଓ ଆଜବେଷ୍ଟ ଉଡିଯାଇଥିଲା। ଏନେଇ ଖବର ପ୍ରକାଶ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଜଣାପଡିଛି । ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ପରାମର୍ଶ କ୍ରମେ ସନ୍ତୋଷୀଙ୍କ ପ୍ରାଥମିକ ଥଇଥାନ ନିମନ୍ତେ ପାଲ ପ୍ରଦାନ କରାଯାଇଛି । ପାଲ ପ୍ରଦାନ ବେଳେ ଶତ୍ରୁଜିତ ରାଉଳ, ତହସିଲ କର୍ମଚାରୀ ବର୍ଷା ପ୍ରିୟଦର୍ଶିନୀ ଓ ରଙ୍କନିଧି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପରବର୍ତ୍ତୀ ସମୟରେ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବେ ବୋଲି ତହସିଲଦାର ମିଶ୍ର ସୂଚନା ଦେଇଛନ୍ତି। ଖବର ପ୍ରକାଶ ପାଇବା ପରେ ବିଡିଓ ଅଚ୍ୟୁତାନନ୍ଦ ଯାନୀ, ଏନଏସି ଇଓ ଅପର୍ଣ୍ଣା ଡାଙ୍ଗୁଆଙ୍କ ସହ ଏନେଇ ଆଲୋଚନା କରିଥିବା ଜଣାପଡିଛି । ଏନଏସି ଇଓ ଡାଙ୍ଗୁଆଙ୍କ ନିର୍ଦ୍ଦେଶ କ୍ରମେ ଏନଏସି କର୍ମଚାରୀ ଉତ୍ତମ ବେହେରା ଓ ଟୁଟୁ ମହାପାତ୍ର ୱାର୍ଡ ୭ ବାଲୀ ସାହି ଯାଇ ସନ୍ତୋଷୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି ବୋଲି ସନ୍ତୋଷୀ ଗଣମାଧ୍ୟମକୁ କହିଛନ୍ତି । ଏହା ସହିତ ଖବରପାଇ ଗଞ୍ଜାମ ସହରର ସୁଧୀର କୁମାର ପାଢ଼ୀ, ପୂର୍ବତନ ଉପନଗରପାଳ ନୀଳାଞ୍ଚଳ ବାରିକ, ପ୍ରତୀକ କୁମାର ରାଉଳ, ବିଭୁତି ପଲାଇ ପ୍ରମୁଖ ସନ୍ଧ୍ୟାରେ ସନ୍ତୋଷୀଙ୍କ ସହଯୋଗର ହାତ ବଢ଼ାଇଥିଲେ।


