ଥାନାର ଦ୍ୱାରସ୍ଥ ହେଲେ ଅନୁଭବ

କଟକ ଅଫିସ,୧୬।୧୦: ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି । ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମ ଏବଂ ଫେସ୍‌ବୁକ୍‌ରେ ତାଙ୍କ ନାମରେ ନକଲି ଆକାଉଣ୍ଟ ଖୋଲାଯିବା ନେଇ ସେ କଟକ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗରେ ଅନୁଭବ ଦର୍ଶାଇଛନ୍ତି, ଇନ୍‌ଷ୍ଟାଗ୍ରାମରେ ତାଙ୍କ ନାମରେ କେହି ଫେକ୍‌ ଆକାଉଣ୍ଟ ଖୋଲି ଲୋକଙ୍କୁ ଚାନ୍ଦା ମାଗୁଛନ୍ତି। ଏହି ପ୍ରୋଫାଇଲ୍‌ର ୧ ଲକ୍ଷ ୯୪ ହଜାର ଫଲୋଅର ଅଛନ୍ତି। ଉକ୍ତ ବ୍ୟକ୍ତି ତାଙ୍କୁ ବ୍ଲକ କରି ଦେଇଥିବାରୁ ସେ କୌଣସି ପୋଷ୍ଟ ଦେଖିପାରୁ ନାହାନ୍ତି। ଏହା ସହିତ ଫେସ୍‌ବୁକ୍‌ରେ ମଧ୍ୟ ତାଙ୍କ ନାମରେ ଏକ ଫେକ୍‌ ଆକାଉଣ୍ଟ ଖୋଲା ଯାଇଥିବା ସେ ଦର୍ଶାଇଛନ୍ତି। ତୁରନ୍ତ ଉକ୍ତ ଫେକ ଆକାଉଣ୍ଟ ଗୁଡ଼ିକୁ ବନ୍ଦ କରିବା ସହ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁଭବ ଦର୍ଶାଇଛନ୍ତି।