ମନ ଅଧୀନରେ କର୍ମ

ମୌସୁମୀ ପରିଡ଼ା

ଯେପରି କର୍ମ, ମଣିଷର ବର୍ତ୍ତମାନ ଓ ଭବିଷ୍ୟତକୁ ନିୟନ୍ତ୍ରଣ କରେ; ସେହିପରି ଚିନ୍ତା ଓ ଚେତନା କର୍ମକୁ ନିୟନ୍ତ୍ରଣ କରନ୍ତି। ଏହି ଚିନ୍ତା ଓ ଚେତନା ପାରିପାର୍ଶ୍ୱିକ ଅବସ୍ଥା, ସମାଜ, ଶିକ୍ଷା ଓ ବ୍ୟକ୍ତିର ବିବେକ ଦ୍ୱାରା ପ୍ରଭାବିତ ହୁଏ। କେବେକେବେ ମଣିଷର ବ୍ୟକ୍ତିସତ୍ତା ତା’ର ଚେତନାର ପରିସରକୁ ବ୍ୟାପକ ଓ ରୁଦ୍ଧିମନ୍ତ କରି ରଖିଥାଏ। ଫଳରେ ତା’ ଉପରେ ସ୍ଥିତିର ବିଶେଷ ପ୍ରଭାବ ପଡ଼େନାହିଁ। ପଡ଼ିିଲେ ମଧ୍ୟ ତାହା ବେଶି ସମୟ ଧରି ବ୍ୟକ୍ତିକୁ ଆକ୍ରାନ୍ତ କରିପାରେନାହିଁ। ଯାହାର ବ୍ୟକ୍ତିସତ୍ତା ଯେତେ ଉନ୍ନତ, ତା’ର ଚିନ୍ତା, ଚେତନା ସେତେ ସମୃଦ୍ଧ। ମୁନିଋଷି ଓ ମହାନ୍‌ ଲୋକମାନେ ସେଥିପାଇଁ ଦିଗ୍‌ଦ୍ରଷ୍ଟା ଓ ଦୂରଦୃଷ୍ଟିସମ୍ପନ୍ନ।
ଏହି ଚେତନାଟି ଖୁବ୍‌ ସୂକ୍ଷ୍ମ, କିନ୍ତୁ ମଣିଷକୁ କବଳିତ କରି ରଖିଥାଏ ଯାବଜ୍ଜୀବନ। ଏହା ମଣିଷର ଅନ୍ତର୍ନିହିତ ଗୁଣ ଦ୍ୱାରା ବିକଶିତ ହୁଏ। ସାଧାରଣ ମଣିଷ ପରି ଦୃଶ୍ୟମାନ ହେଉଥିବା ବ୍ୟକ୍ତିଙ୍କଠାରେ ଅସାଧାରଣ ଗୁଣ ଥାଏ। ଚିରାଚରିତ ଲୋଭ ମୋହ ମାୟାରେ ଜଡ଼ିତ ଥାଇ ସୁଦ୍ଧା ସେମାନେ ଭିନ୍ନ ମନେହୁଅନ୍ତି। ଯେପରି ରାଜା ଦଶରଥ ଓ ରାଜର୍ଷି ଜନକ ଉଭୟ ରାଜା ଥିଲେ ମଧ୍ୟ ବ୍ୟକ୍ତିସତ୍ତା ରାଜର୍ଷି ଜନକଙ୍କଠାରେ ଉନ୍ନତ ଓ ପରିପକ୍ୱ ପରିଲକ୍ଷିତ ହୁଏ। ରାଜଗାଦି ଏକ ଅତୁଟ ମୋହ, ସମ୍ମୋହନ। ଏହାକୁ ଅକ୍ତିଆର କରିବାକୁ କେତେ ରକ୍ତପାତ, ଅଭିସନ୍ଧି, ଉପତ୍ୀଡ଼ନ, ଅପହରଣ! ଅଥଚ ରାଜା ଦଶରଥ ଓ ଜନକ ଉଭୟ ନିଜ ନିଜ ଦୃଷ୍ଟିକୋଣରୁ ଭିନ୍ନ ତଥା ଅଭିଜ୍ଞ ଓ ପ୍ରଜାନୁରଞ୍ଜକ ଥିଲେ। ସେମାନଙ୍କ କାର୍ଯ୍ୟଶୈଳୀ ସେମାନଙ୍କୁ ଅମର କରି ରଖିଛି। ଦଶରଥଙ୍କଠାରେ ସାଂସାରିକ ମୋହ ରାଜା ଜନକଙ୍କଠାରୁ ଅଧିକ ଥିବାରୁ ସେ ମୋହାସକ୍ତ ହୋଇ କୈକେୟୀଙ୍କ ପାଖେ ପ୍ରତିଜ୍ଞା କରିଥିଲେ, ଯାହାକୁ ଭିତ୍ତି କରି ରାମ ବନବାସ, ସୀତା ଚୋରି ଓ ଅନ୍ୟାନ୍ୟ ପ୍ରସଙ୍ଗ ଯୋଡ଼ି ହୋଇଥିଲା। ରାଜା ଜନକ ପ୍ରଜାପାଳକ ଥିଲେ ମଧ୍ୟ ଋଷିସମ ଉଚ୍ଚ ଚେତନାଭିମୁଖୀ ହୋଇଥିବାରୁ ସେ ରାଜର୍ଷି ଥିଲେ। ସୀତା, ମାଣ୍ଡବୀ, ଉର୍ମିଳା ଓ ଶ୍ରୁତିକୀର୍ତ୍ତି ଏହି ଚାରିକନ୍ୟା ତାଙ୍କ ଶିକ୍ଷା ଓ ସଂସ୍କାରର ଦୃଷ୍ଟାନ୍ତ।
ମଣିଷ ନିଜ ଶିକ୍ଷା, ସଂସ୍କାର, ବୁଦ୍ଧି ଓ ବିବେକ ଅନୁଯାୟୀ ନିଜକୁ ଯେଉଁ ମାର୍ଗରେ ପରିଚାଳିତ କରେ, ସେହି ଦୃଷ୍ଟିଭଙ୍ଗୀ ତା’ ଭିତରେ ପ୍ରତିଫଳିତ ହୁଏ। ସେଥିପାଇଁ ଜଣେ ଚୋରି କରେ, ଜଣେ ଦାନ କରେ। ଜଣେ ହତ୍ୟାକାରୀ ଭାବେ କୁଖ୍ୟାତ ହୁଏ ତ ଆଉ ଜଣେ ସାଧୁ ଭାବେ ସୁଖ୍ୟାତି ଅର୍ଜନ କରେ। ମଣିଷଠାରେ ନାନା ଭାବ ପ୍ରକଟିତ ହୁଏ, କାରଣ ତା’ର ଜୀବନ ପ୍ରବାହ ବିଭିନ୍ନ ପରିବେଶ ମଧ୍ୟ ଦେଇ ଗତିକରେ ବୋଲି। ଉତ୍‌ଥାନ ପତନ ଦେଇ ସେ ବଞ୍ଚେ। ସେହି ଅନୁସାରେ ତା’ ମନ ମଧ୍ୟ ସଙ୍କୁଚିତ ଓ ବିକଶିତ ହୁଏ।
ଖୁବ୍‌ କମ୍‌ ବ୍ୟକ୍ତି ଥାଆନ୍ତି, ଯେଉଁମାନଙ୍କ ମନ ସହଜେ ପ୍ରଭାବିତ ହୁଏ ନାହିଁ। ସୁଖ ପରି ଦୁଃଖକଷ୍ଟ ଜୀବନର ଅକାଟ୍ୟ ଅଂଶ ଭାବି ସେମାନେ କାଳାତିପାତ କରନ୍ତି। କିନ୍ତୁ ସର୍ବାଧିକ ଲୋକ ସହଜେ ଆମତ୍ସଂଯମ ହରାଇଦିଅନ୍ତି ହତୋତ୍ସାହିତ ହୋଇ। ସେମାନଙ୍କ ଭିତରେ ଆବେଗ ସମୁଦ୍ରର ଲହରି ପରି ଅହରହ ଉଦ୍‌ବେଳିତ ହେଉଥାଏ। ସାମୟିକ ମୋହମାୟାରେ କବଳିତ ହୋଇ ହିତାହିତ ଜ୍ଞାନ ହରାଇଦିଅନ୍ତି ଏମାନେ। ସେଥିପାଇଁ ଠିକ୍‌ ଭୁଲ୍‌, କରଣୀୟ, ଅକରଣୀୟ ଭିତରେ ସେମାନେ ଝୁଲିରହନ୍ତି ସର୍ବଦା। ନା ଭଲ ଚିନ୍ତା କରିପାରନ୍ତି ନା ଭଲ କର୍ମ କରିବାକୁ ଇଚ୍ଛା କରନ୍ତି। ଫଳରେ ସେମାନଙ୍କ ମନର ରୁଗ୍‌ଣତା ବିକଶିତ ହୁଏ। ଫଳରେ ପରଶ୍ରୀକାତରତା, ହିଂସା, ଈର୍ଷା, ଅହଙ୍କାର ମନରେ ବସା ବାନ୍ଧି ବ୍ୟକ୍ତିର ଭଲଗୁଣକୁ ନୂ୍ୟନ କରିଦିଏ। ପ୍ରତ୍ୟେକ ମଣିଷ ଭିତରେ ସଦ୍ଭାବନା ସହିତ ସତ୍‌ମଣିଷଟିଏ ଲୁଚି ରହିଥାଏ। କିଛି ସମୟ ପାଇଁ ମନକୁ ଆସି ପୁଣି ଲିଭିଯାଏ। ପାରିପାର୍ଶ୍ୱିକ ସ୍ଥିତି ମଣିଷକୁ ପବନ ପରି ଉଡ଼ାଇନିଏ, ପାଣି ପରି ଚହଲାଇଦିଏ, ସମୁଦ୍ର ପରି ବି ବୁଡ଼ାଇଦିଏ। ମଣିଷକୁ ସବୁବେଳେ ଦୁର୍ବଳ ଓ ଅସହାୟ କରେ। ସ୍ଥିତିଠାରୁ ଊର୍ଦ୍ଧ୍ୱରେ ରହି ଚିନ୍ତା କରିବା ଜମାରୁ ସହଜ ନୁହେଁ, ଏହା ମଧ୍ୟ ଗୋଟେ ପ୍ରକାରର ସାଧନା। ମନକୁ ଆୟତ୍ତ କରି ନ ପାରିଲେ ବିଭିନ୍ନ ସମୟରେ ବିପର୍ଯ୍ୟସ୍ତ ହେବାକୁ ପଡ଼େ।
ମାଟିରେ ପାଣି ଓ ସୂର୍ଯ୍ୟକିରଣ ପଡ଼ିଲେ ବୀଜ ଅଙ୍କୁରିତ ହେବାର ସମ୍ଭାବନା ଥାଏ। ପ୍ରତିଟି ଆବଶ୍ୟକ ଜିନିଷ ସମତୁଲ ଭାବେ ନ ମିଳିଲେ ଗଛଟିଏ ଠିକ୍‌ରେ ବଢ଼ିପାରେନା। ବିଭିନ୍ନ ଜାଗାର ସମାନ ଫଳ ବିଭିନ୍ନ ଆକୃତି ଓ ପ୍ରକୃତିର ହୋଇଥାଏ। କିଛି ତ ଭିନ୍ନତା ଥାଏ। ଠିକ୍‌ ସେହିପରି ମଣିଷର ମନ, ଯାହା ସମସ୍ତଙ୍କଠାରେ ସମାନ ପରିଲକ୍ଷିତ ହୁଏ ନାହିଁ। ଗୋଟେ ମାଆର ପିଲାମାନେ ମଧ୍ୟ ବିଭିନ୍ନ ପ୍ରକୃତିର। ତେଣୁ ମଣିଷମାନେ ସ୍ଥୂଳ ଓ ସୂକ୍ଷ୍ମଭାବେ ପ୍ରତ୍ୟେକଙ୍କଠାରୁ ଭିନ୍ନ। ମଣିଷ ଭିତରର ଭିନ୍ନତା ଅଦ୍ଭୁତ ନୁହେଁ, ପ୍ରକୃତିର ସମସ୍ତ ଜୀବଙ୍କଠାରେ ଏହା ପ୍ରତିଫଳିତ। କିନ୍ତୁ ହିଂସ୍ରତା ବେଶି ପ୍ରକଟିତ ହେଲେ ତା’ ଭିତରେ ମାନବୀୟ ଗୁଣ ମରିଯାଏ। ମଣିଷପଣିଆ ପାଇଁ ମଣିଷ ଓ ପଶୁପକ୍ଷୀ ଭିନ୍ନ। ଯଦି ମଣିଷ, ମଣିଷ ପରି ନ ହୋଇ ପଶୁ ପରି ବ୍ୟବହାର କରେ, ତେବେ ତା’ ଭିତରର କମନୀୟତା ହଜିଯାଏ। କୌଣସି ସ୍ଥଳେ ସେ ନିଜର ସ୍ବାଭାବିକତା ହରାଇବା ଉଚିତ ନୁହେଁ। ମଣିଷଟିଏ ସାଧୁସନ୍ଥ ପରି ନ ହେଉ, କିନ୍ତୁ ମଣିଷ ପରି ହେଉ। କାହାକୁ କଷ୍ଟଦେବା ବା ପ୍ରତିଶୋଧପରାୟଣତାର ବଶବର୍ତ୍ତୀ ହୋଇ କାହାର କ୍ଷତି ଘଟାଇବା ମାନବିକତାର ପରିଚୟ ନୁହେଁ। ଜ୍ଞାନଶୂନ୍ୟ ହୋଇ କାହାକୁ ଖରାପ ବ୍ୟବହାର କରିବା ମଧ୍ୟ ଶୋଭନୀୟ ନୁହେଁ। ପଶୁ ମଧ୍ୟ ନିଜ ପେଟ ପାଇଁ ହିଂସ୍ର ହୋଇଥାଏ, ଅନ୍ୟଥା ନୁହେଁ। ଅନେକ ଲୋକ ନିଜ ଅହଙ୍କାରରେ ଭୁଲିଯାଆନ୍ତି ଯେ ସେମାନଙ୍କ ଉପରେ କିଛି ଅଦୃଶ୍ୟ ଶକ୍ତି ରହିଛି, ଯେ ନିରୀକ୍ଷଣ କରୁଛି ପ୍ରତିଟି କ୍ରିୟାକୁ। କେହି ସେ ଚକ୍ରରୁ ମୁକୁଳି ପାରିନାହାନ୍ତି କି ପାରିବେନି।
ଗଁା ଗହଳିରେ ପ୍ରବାଦଟିଏ ଅଛି- ଯେ ପର ପାଇଁ ଗାତ ଖୋଳିବ, ସେ ଆଗ ସେ ଗାତରେ ପଡ଼ିବ। ନିଉଟନ୍‌ଙ୍କ ଅନୁସାରେ, ପ୍ରତିଟି କ୍ରିୟାର ସମାନ ଓ ବିପରୀତ ପ୍ରତିକ୍ରିୟା ଥାଏ। ବନ୍ଧୁକରୁ ଗୁଳି ଫୁଟେଇଲାବେଳେ ପଛକୁ ଧକ୍କା ଖାଇବାକୁ ହୁଏ। ସେହିପରି ଆମେ କରୁଥିବା ମନ୍ଦ କର୍ମ, ମନ୍ଦ ଚିନ୍ତାର ପୁଣି ସମାନ ଓ ବିପରୀତ କ୍ରିୟା ରହିବା ସ୍ବାଭାବିକ। ହୁଏତ ସେ ପ୍ରତିକ୍ରିୟା ଅନ୍ୟ ପ୍ରକାରେ ବା ଅନ୍ୟ ସମୟରେ ଆସିପାରେ। ଆସିବାଟା ନିଧାର୍ଯ୍ୟ। ନିଜକୁ ଖୁସି ଦେଉଥିବା କଥା ଯଦି ଅନ୍ୟକୁ କ୍ଷତି ଦେଉଥିବ, ତେବେ ତାହା ଖୁସି ନୁହେଁ। ଏହା କୌଣସି ପ୍ରତିଯୋଗିତା ପାଇଁ ପ୍ରଜୁଯ୍ୟ ନୁହେଁ।
ମଣିଷ ଜନ୍ମ ଅନେକ ତପସ୍ୟା ପରେ ମିଳେ ବୋଲି କଥିତ ଅଛି। ଏ ଦିବ୍ୟତାକୁ ନଷ୍ଟ କରି ହିଂସ୍ରତା, ନୃଶଂସତା ଭିତରେ ଛନ୍ଦି ପଶୁତୁଲ୍ୟ ହେବା ମଣିଷକୁ ଶୋଭାପାଏନି। ଅନ୍ୟର କ୍ଷତି କରି ମିଳୁଥିବା ଆନନ୍ଦ ପୈଶାଚିକ ଆନନ୍ଦ। ନିଜକୁ ବଡ଼ ବୋଲାଇବା ପାଇଁ ଅନ୍ୟକୁ ନୁଆଇଁବା ମଧ୍ୟ ନିର୍ମମତାର ଅନ୍ୟତମ ଝଲକ। ଏ ସବୁର ପ୍ରତିକ୍ରିୟା ଅଛି। ଆଜି ନ ହେଲେ କାଲି, କାଲି ନ ହେଲେ ଆଉ କୌଣସି ଦିନ ସେ ପ୍ରତିକ୍ରିୟା ନିଶ୍ଚିତ ଅନୁଭୂତ ହେବ। ପ୍ରକୃତିର ବିଧାନ ତ ସେହିପରି। ଏଣୁ ମଣିଷ କେବଳ ମଣିଷ ହୋଇ ରହୁ, ଯଦି ଦେବତା ହେବା ଅସମ୍ଭବ; କିନ୍ତୁ ପଶୁ ପାଲଟି ନ ଯାଉ। ଅନ୍ୟଥା ତା’ର ପ୍ରତିକ୍ରିୟା ଭୋଗ କରିବାକୁ ହେବ।
ମୋ: ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri