ବୁଝି ବିଚାରି କାର୍ଯ୍ୟ କଲେ…

ବୈକୁଣ୍ଠନାଥ ମିଶ୍ର

 

ପୁରାଣ ଓ ଇତିହାସଠାରୁ ଆରମ୍ଭକରି ସାମ୍ପ୍ରତିକ ସମୟ ପର୍ଯ୍ୟନ୍ତ କିଛି ଅବିମୃଶ୍ୟକାରୀ ବ୍ୟକ୍ତି ବିଶେଷ ସ୍ବକୀୟ ଭ୍ରମିତ ମତକୁ ଶ୍ରେଷ୍ଠରୂପେ ପ୍ରତିପାଦିତ କରିବା ଦୃଷ୍ଟାନ୍ତର ଅଭାବ ନାହିଁ। ମହାଭାରତରେ ଦୁର୍ଯ୍ୟୋଧନ ଏକ ବଳିଷ୍ଠ ଉଦାହରଣ। ଗୁରୁ, ଗୁରୁଜନଙ୍କ ଉପଦେଶକୁ ପ୍ରତ୍ୟାଖ୍ୟାନ କରି ନିଜସ୍ବ ମତକୁ ଠିକ୍‌ ବୋଲି ସାବ୍ୟସ୍ତ କରିବାରେ ଏତେ ବ୍ୟଗ୍ରହୋଇ ଉଠିଲା ଯେ ସେ ତା’ର ବିନାଶ ମାର୍ଗକୁ ସୁଗମ କରିଦେଲା। ଏପରି କି ଶାନ୍ତିଦୂତ ରୂପେ ଆସିଥିବା ଶ୍ରୀକୃଷ୍ଣଙ୍କୁ ବନ୍ଦୀ କରିବାକୁ ନିର୍ଦ୍ଦେଶ ଦେବାକୁ ପଛାଇ ନ ଥିଲା। ଇତିହାସରେ ମଧ୍ୟ ଅନେକ ଦୃଷ୍ଟାନ୍ତ ପ୍ରଣିଧାନଯୋଗ୍ୟ। ମୋଗଲ ସମ୍ରାଟ ଆଉରଙ୍ଗଜେବ୍‌ ନିଜ ଉଗ୍ର ଚିନ୍ତାଧାରା ଉପରେ ଏତେ ନିବିଷ୍ଟ ଥିଲେ ଯେ ‘ଜିଜିୟା’ କର ଉଚ୍ଛେଦ ପାଇଁ ନିବେଦନ କରିବାକୁ ଆସିଥିବା ଶତାଧିକ ବ୍ରାହ୍ମଣଙ୍କୁ ଅଶ୍ୱ ଚଢ଼ାଇ ହତ୍ୟା କରିବାକୁ ପଛାଇ ନ ଥିଲେ। ରାଜପରିବାରର ବିଜ୍ଞ ପଣ୍ଡିତଙ୍କ ଉପଦେଶକୁ ତାଚ୍ଛଲ୍ୟରେ ଉଡ଼ାଇ ଦେଇ ନିଜ ଚିନ୍ତାଧାରା ଓ ନିଜେ ନେଇଥିବା ପଦକ୍ଷେପ ଅତ୍ୟନ୍ତ ନିର୍ଭୁଲ ବୋଲି ପ୍ରମାଣ କରିଦେଲେ। ଏସବୁ ଦୃଷ୍ଟାନ୍ତ ଆମକୁ ଗୋଟିଏ କଥା ସୂଚିତ କରାଇ ଦେଉଛି ଯେ ମଣିଷ ନିଜକୁ ବଳବାନ ବୋଲି ଯେତେ ଆସ୍ପର୍ଦ୍ଧା କରୁଥିଲେ ମଧ୍ୟ ସେ ଯେ ସମୟ ଚକ୍ରର ଘୂର୍ଣ୍ଣନରେ ଦିନେ ଦଳିତ ମଥିତ ହୋଇଯିବ ଏପରି ଚିନ୍ତା ତା’ ମନୋରାଜ୍ୟକୁ ଉଦ୍‌ବେଳିତ କରି ନ ଥାଏ। ବର୍ତ୍ତମାନ ସମୟରେ ମଧ୍ୟ ଆମେ ଏପରି ବ୍ୟକ୍ତିବିଶେଷଙ୍କୁ ପ୍ରତ୍ୟହ ଦେଖୁଛୁ ଓ ଅନିଚ୍ଛା ସତ୍ତ୍ୱେ ତାଙ୍କ କାର୍ଯ୍ୟଧାରାକୁ ସହ୍ୟ କରିବାକୁ ବାଧ୍ୟ ହେଉଛୁ।
ବେଳେବେଳେ ଶାସନଡୋରିକୁ ନିଜ ଆୟତ୍ତରେ ରଖିଥିବା ନେତୃମଣ୍ଡଳୀ ସେମାନଙ୍କ ଅବିମୃଶ୍ୟକାରିତା ପାଇଁ ଲୋକଚକ୍ଷୁରେ ନିନ୍ଦିତ ହୁଅନ୍ତି। ୧୯୭୫ ଜୁନ୍‌ ୨୫ ତାରିଖରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଘୋଷିତ ହୋଇଥିଲା ଜରୁରୀ ପରିସ୍ଥିତି। ସଂକୀର୍ଣ୍ଣ ସ୍ବାର୍ଥ ସିଦ୍ଧିକୁ ପ୍ରାଧାନ୍ୟ ଦେଇ ଶାସନର ନିରଙ୍କୁଶ କ୍ଷମତା ଜାବୋଡି ଧରିବା ଥିଲା ଜରୁରୀ ପରିସ୍ଥିତି ଉଦ୍‌ଘୋଷଣାର ମୂଳ କାରଣ। ତାଙ୍କର ଏକ ଭୁଲ ପାଇଁ ଯେତେବେଳେ ସେ କ୍ଷମତାରୁ ଅପସୃତ ହେବା ନିଶ୍ଚିତ ବୋଲି ଅନୁଭବ କଲେ, ସେ ଦେଶରେ ଜାତୀୟ ଜରୁରିକାଳୀନ ପରିସ୍ଥିତି ଜାରିକରି ନିଜକୁ ଏକଚ୍ଛତ୍ର ଶାସକ ହିସାବରେ ପ୍ରତିଷ୍ଠିତ କଲେ। ଏପରି କି ପରମ୍ପରାକୁ ଜଳାଞ୍ଜଳି ଦେଇ ସର୍ବୋଚ୍ଚ ନ୍ୟାୟାଳୟର ତିନିଜଣ ବିଚାରପତିଙ୍କ ବରିଷ୍ଠତାକୁ ଉପେକ୍ଷା କରି ନିଜକୁ ସୁହାଇଲାଭଳି ଜଣେ କନିଷ୍ଠ ବିଚାରପତିଙ୍କୁ ପ୍ରଧାନ ବିଚାରପତି ଆସନରେ ଅଧିଷ୍ଠିତ କରାଇଲେ। ଦେଶର ଶାସନ ବ୍ୟବସ୍ଥାରେ ସୃଷ୍ଟି ହେଲା ଭୀଷଣ ଅରାଜକତା। ଦମନଲୀଳା ସ୍ବରୂପ ବିରୋଧୀ ନେତାମାନଙ୍କୁ କାରାରୁଦ୍ଧ କରାଗଲା। ଦୀର୍ଘ ୧୯ ମାସ ଧରି ଦେଶରେ ଜରୁରୀ ପରିସ୍ଥିତି ବଳବତ୍ତର ରହିଲା। ଭାରତରେ ଗଣତନ୍ତ୍ରକୁ ହତ୍ୟା କରାଗଲା ବୋଲି ଏକ ବୈଶ୍ୱିକ ଧାରଣା ସୃଷ୍ଟି ହେଲା। ଜଣେ ବ୍ୟକ୍ତିଙ୍କର ଅବିଚାରିତ କାର୍ଯ୍ୟଧାରା ଯୋଗୁ କଂଗ୍ରେସ ଭଳି ଏକ ପ୍ରାଚୀନ ରାଜନୈତିକ ଦଳ ଘୋର ସଙ୍କଟର ସମ୍ମୁଖୀନ ହେଲା। ସେପରି ପରିସ୍ଥିତି ଆଉ କେବେ ଭାରତରେ ଉପୁଜି ନ ଥିଲେ ମଧ୍ୟ ସମୟେ ସମୟେ କିଛି ନେତାଙ୍କର ଅବିମୃଶ୍ୟକାରୀ ପଦକ୍ଷେପ ଦେଶବାସୀଙ୍କୁ ଭୋଗ କରିବାକୁ ପଡୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରୀକରଣ ପଦକ୍ଷେପର ଔଚିତ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟିହେଲା। ଦେଶରୁ ଦୁର୍ନୀତି ହଟିବ, କଳାଧନ ଲୋପପାଇବ, ନକଲି ନୋଟ କାରବାରରେ ପୂର୍ଣ୍ଣଚ୍ଛେଦ ପଡିବ, ସନ୍ତ୍ରାସବାଦୀଙ୍କୁ ଅବୈଧ ଅର୍ଥଚାଲଣ ବନ୍ଦହେବ, ଟିକସ ଫାଙ୍କିବା ଅସହଜ ହେବ, ଧନୀର ନିଦ୍ରା ହଜିଯିବ ଓ ଗରିବ ସୁଖନିଦ୍ରା ଯିବାଭଳି ଶ୍ରୁତି ମଧୁରବାଣୀ ଦେଶବାସୀଙ୍କୁ ଦେଲା ଏକ ଦୁଃସହ ଯନ୍ତ୍ରଣା। ନୋଟ ବଦଳ ପ୍ରକ୍ରିୟାରେ ସବୁଠାରୁ ଦୁଃସ୍ଥିତିର ସମ୍ମୁଖୀନ ହେଲେ କ୍ଷୁଦ୍ର ବ୍ୟବସାୟୀଙ୍କ ସହ ସାଧାରଣ ଜନତା। ଅଚଳ ନୋଟ ବଦଳ ପ୍ରକ୍ରିୟାରେ ବ୍ୟାଙ୍କମାନଙ୍କରେ ଅସମ୍ଭବ ଭିଡକୁ ସମ୍ଭାଳି ନ ପାରି ଶହେରୁ ଊଦ୍ଧର୍‌ବ ନିରୀହ ଲୋକଙ୍କର ପ୍ରାଣହାନି ଘଟିଲା। ଆଜିର ଦିନରେ ଆଶ୍ଚର୍ଯ୍ୟର କଥା ଏହି ଯେ ବିପୁଳ ମୂଲ୍ୟର ଛପା ହୋଇଥିବା ଦୁଇହଜାର ଟଙ୍କିଆ ନୋଟ ଆଉ ବଜାରରେ ଦୃଶ୍ୟ ହେଉନାହିଁ। ସାଧାରଣ ଲୋକେ କହିବାକୁ ଲାଗିଲେଣି ଯେ ଉକ୍ତ ନାଲିନୋଟ ଆଉ ସାଧାରଣଙ୍କ ହାତ ପାହାନ୍ତାରେ ନାହିଁ। ଏହା କଳାଧନର ରୂପନେଇ ଅସାଧୁଙ୍କ ଆଲମାରିରେ ସାଇତା ହେଲାଣି। ବିମୁଦ୍ରୀକରଣ ବିପକ୍ଷରେ ଦାଏର ହୋଇଥିବା ୫୮ଟି କେସ୍‌କୁ ସର୍ବୋଚ୍ଚ ନ୍ୟାୟାଳୟର ଏକ ପାଞ୍ଚଜଣିଆ ଖଣ୍ଡପୀଠ ବିଚାର କରି ୪:୧ ରାୟରେ କହିଛନ୍ତି, ବିମୁଦ୍ରୀକରଣ ସରକାରଙ୍କର ଏକ ନିର୍ଭୁଲ ପଦକ୍ଷେପ। ଉକ୍ତ ଖଣ୍ଡପୀଠର ଏକମାତ୍ର ମହିଳା ବିଚାରପତି ବି.ଭି. ନାଗରତ୍ନା ମତ ଦେଇଛନ୍ତି ଯେ ବିମୁଦ୍ରୀକରଣ ଏକ ଭୁଲ ଓ ଅଗଣତାନ୍ତ୍ରିକ ନିଷ୍ପତ୍ତି। ତାଙ୍କ ମତରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାର୍ଲାମେଣ୍ଟ ଓ ମନ୍ତ୍ରୀ ପରିଷଦର ବିନାନୁମୋଦନରେ ନିଆଯିବା ଆଦୈା ଉଚିତ ହୋଇନାହିଁ। ଯଦିଓ ଜଷ୍ଟିସ୍‌ ନାଗରତ୍ନାଙ୍କ ମତରେ କୌଣସି ପ୍ରାସଙ୍ଗିକତା ନାହିଁ, ଯେହେତୁ ଏହା ସଂଖ୍ୟାଗରିଷ୍ଠଙ୍କ ମତ ନୁହେଁ, ତଥାପି ଭାରତର ଅଗଣିତ ବ୍ୟକ୍ତି ଜଷ୍ଟିସ୍‌ ନାଗରତ୍ନାଙ୍କ ସହ ଏକମତ, ଏଥିରେ ସନ୍ଦେହ ନାହିଁ।
ଏହି ପରିପ୍ରେକ୍ଷୀରେ ଏକ ପ୍ରାଚୀନ ଘଟଣାର ଦୃଷ୍ଟାନ୍ତ ଆଲୋଚନା ସାପେକ୍ଷ। ପ୍ରାଚୀନ ‘ତକ୍ଷଶିଳା’ ଏକ ପ୍ରସିଦ୍ଧ ଶିକ୍ଷାକେନ୍ଦ୍ର ହିସାବରେ ଦେଶ ବିଦେଶରେ ତା’ର ଗରିମା ପ୍ରକଟ କରିଥିଲା। ରାଜା ‘ତକ୍ଷ‘ଙ୍କ ନାମାନୁସାରେ ଉକ୍ତ ସ୍ଥାନ ତକ୍ଷଶିଳା ରୂପେ ବିଦିତ ଥିଲା। ଥରେ ରାଜା ତକ୍ଷ ତାଙ୍କର ଏକ ସନ୍ଦେହ ମୋଚନ ପାଇଁ ବିଶ୍ୱବିଦ୍ୟାଳୟର ସମସ୍ତ ପ୍ରାଜ୍ଞ, ବିଦ୍ୱାନ ପଣ୍ଡିତମାନଙ୍କର ପରାମର୍ଶ ଲୋଡିଲେ। ସନ୍ଦେହଟି ହେଲା – ଜୀବନରେ ସଫଳତା ପ୍ରାପ୍ତି ନିମନ୍ତେ ସର୍ବୋତ୍ତମ ମାର୍ଗଟି କ’ଣ ? ବିଶ୍ୱବିଦ୍ୟାଳୟର ସବୁଠାରୁ ବିଜ୍ଞ ପଣ୍ଡିତ ‘ଋଷିନିଦାଘ’ଙ୍କ ଉପରେ ଉକ୍ତ ସମସ୍ୟା ସମାଧାନର ଦାୟିତ୍ୱ ନ୍ୟସ୍ତ କରାଗଲା। ବହୁ ଭାବିଚିନ୍ତି ‘ନିଦାଘ’ କହିଲେ, ଜଣେ ବ୍ୟକ୍ତି କୌଣସି କାର୍ଯ୍ୟ କରିବା ପୂର୍ବରୁ ନିଜର କଳ୍ପନା ଶକ୍ତିକୁ ପ୍ରସାରିତ କରି ଏକ ନିର୍ଦ୍ଧାରିତ ସିଦ୍ଧାନ୍ତରେ ଉପନୀତ ହେବ। ଉକ୍ତ ସିଦ୍ଧାନ୍ତକୁ ରୂପାୟିତ କରିବା ପୂର୍ବରୁ ପଣ୍ଡିତଜନଙ୍କ ଉପଦେଶ ଓ ପରାମର୍ଶ ଗ୍ରହଣ କରିବ। ଯଦି କଳ୍ପିତ କାର୍ଯ୍ୟଟି ଅମଙ୍ଗଳଦାୟକ ଓ ଜନକଲ୍ୟାଣର ପରିପନ୍ଥୀ ବୋଲି ବିବେଚିତ ହୁଏ, ତେବେ ସେଭଳି କାର୍ଯ୍ୟ ବା ନିଷ୍ପତ୍ତିରୁ ବିରତ ରହିବା ଉଚିତ। ଏଠାରେ ଏତିକି କୁହାଯାଇପାରେ ଯେ କଳ୍ପିତ ଭାବନାର ଔଚିତ୍ୟକୁ ସିଦ୍ଧ କରିବାକୁ ହେବ। ପଣ୍ଡିତ ନିଦାଘ ଏକଥା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ଯେ ରାଜନେତା, ଶାସକ, ପ୍ରଶାସକ ଓ ଶାସନ ସହ ଜଡିତ ସମସ୍ତ ବ୍ୟକ୍ତିବିଶେଷ, ଯେତେ ଉଚ୍ଚ ପଦପଦବୀରେ ଭୂଷିତ ହୋଇଥାନ୍ତୁ ନା କାହିଁକି ନିଜ ଇଚ୍ଛାକୁ ଅନ୍ୟ ଉପରେ ଲଦିଦେବା ଭଳି ପ୍ରୟାସକୁ ପରିହାର କରିବା ଉଚିତ। ଉଚ୍ଚ ପଦାଧିକାରୀ ସମସ୍ତ ନକାରାମତ୍କ ଚିନ୍ତାଧାରାରୁ ଦୂରେଇ ଯାଇ କେବଳ ସକାରାମତ୍କ ଓ ବହୁଜନହିତାୟ ଭଳି ଭାବନାକୁ ଉପଯୁକ୍ତ ବିଚାର ଆଲୋଚନା ମାଧ୍ୟମରେ ରୂପାୟିତ କରିବା ବିଧେୟ।
ପୁରାଣ ହେଉ, ଇତିହାସ ହେଉ ଅବା ଆଧୁନିକ ଯୁଗର ଘଟଣାବଳୀ ହେଉ, ଯେଉଁଠି ପ୍ରାଜ୍ଞ, ଗୁରୁ, ଗୁରୁଜନ ଏପରିକି ହିତୈଷୀ ଓ ଶୁଭେଚ୍ଛୁଙ୍କ ପରାମର୍ଶକୁ ଉପେକ୍ଷା କରାଯାଇଛି କିମ୍ବା ସେମାନଙ୍କୁ ଅନ୍ଧକାରରେ ରଖି ସ୍ବୟଂକ୍ରିୟ ନିଷ୍ପତ୍ତି ନିଆଯାଇଛି, ତାହା ଅହିତକର ପଦକ୍ଷେପ ବୋଲି ପ୍ରମାଣିତ ହୋଇଛି। ତେଣୁ ‘ବୁଝି ବିଚାରି କାର୍ଯ୍ୟ କଲେ ପ୍ରମାଦ ନ ପଡ଼ଇ ଭଲେ’।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri