ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ

ସଂରକ୍ଷଣ ବ୍ୟବସ୍ଥା ସମାଜରେ ତଳେ ପଡ଼ିଥିବା ଅବହେଳିତ ଓ ଅନଗ୍ରସର ଜାତିସମୂହର କ୍ଷୀପ୍ର ବିକାଶ ପାଇଁ ଉଦ୍ଦିଷ୍ଟ। ଏହା ସମତାଭିତ୍ତିକ ସମାଜ ଗଠନ ଓ ସମାନ ଭାଗୀଦାରି ସୁଯୋଗ ସୃଷ୍ଟିି କରେ। ଏପରି ଏକ ବ୍ୟବସ୍ଥାର ସଫଳତା ସକାରାତ୍ମକ ଆଭିମୁଖ୍ୟ ଉପରେ ନିର୍ଭର କରେ। ଯେଉଁମାନଙ୍କ ହାତରେ ଏହାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ, ସେମାନେ ଆନ୍ତରିକତାର ସହିତ ଏ ଦାୟିତ୍ୱ ପାଳନ କଲେ ଏହାର ସୁଫଳ ଦୃଷ୍ଟିଗୋଚର ହୁଏ। ଅନେକ ସମୟରେ ଦେଖାଯାଏ ଏ ବ୍ୟବସ୍ଥା ଠିକ୍‌ କାର୍ଯ୍ୟକାରୀ ହୁଏ ନାହିଁ। ବିଭିନ୍ନ ଆଳରେ ସଂରକ୍ଷିତ ବର୍ଗଙ୍କୁ ସଂରକ୍ଷଣ ଲାଭ ପାଇବାରୁ ବଞ୍ଚିତ କରାଯାଏ। ଚାକିରି କ୍ଷେତ୍ରରେ ବିଭିନ୍ନ ବର୍ଗର ନିର୍ଦ୍ଧାରିତ ସଂରକ୍ଷଣ ହାରଠାରୁ କମ୍‌ ଆସନ ଦେବା, କାରିଗରି ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ତଦ୍ରୁପ କମ୍‌ ଆସନ ଦେବାର ଅଭିଯୋଗ ଆସିଛି। ଅନେକ ରାଜ୍ୟରେ ଏହା ଏକ ସାଧାରଣ ଘଟଣା। ଉତ୍ତର ଭାରତର ରାଜ୍ୟ ମାନଙ୍କରେ ଏପରି ଘଟଣା ଅଧିକ। ଅନେକ ସମୟରେ ଏହା ପଛରେ ରାଜ୍ୟ ସରକାରଙ୍କ ପ୍ରଚ୍ଛନ୍ନ ହାତ ଥାଏ। ବିରୋଧୀଙ୍କ ମଧ୍ୟ ନୀରବ ସମର୍ଥନ ଥାଏ।
ନିଯୁକ୍ତିରେ ଜାତିଗତ ବାଛବିଚାରର ମୁଖ୍ୟଅସ୍ତ୍ର ସାଜିଛି ‘ନଟ୍‌ ଫାଉଣ୍ଡ ସୁଇଟେବଲ୍‌’(ଏନ୍‌ଏଫ୍‌ଏସ୍‌), ଅର୍ଥାତ୍‌ ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ। ଉଚ୍ଚଶିକ୍ଷା ନିଯୁକ୍ତି କ୍ଷେତ୍ରରେ ଏହା ସ୍ପଷ୍ଟ ପରିଲକ୍ଷିତ ହୁଏ। ଫଳରେ ଅନଗ୍ରସର ବର୍ଗ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗମାନେ ଖୁବକମ୍‌ ସ୍ଥାନରେ ସହଯୋଗୀ ପ୍ରଫେସର ଓ ପ୍ରଫେସର ପଦରେ ଅଛନ୍ତି। ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରୁ ୩୮ଟିରେ ଅଗ୍ରସର ଜାତିର ଲୋକମାନେ ଭିସି ଅଛନ୍ତି, ଅବଶିଷ୍ଟ ୭ଟିରେ ଅନଗ୍ରସର ବର୍ଗର(୧ଟିରେ ଦଳିତ, ୧ଟିରେ ଆଦିବାସୀ ଓ ୫ଟିରେ ଅନ୍ୟାନ୍ୟ ପଛୁଆବର୍ଗର ଲୋକ ରହିଛନ୍ତି)। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରଫେସର ପଦରେ ୬.୯% ଦଳିତ, ୧.୫% ଆଦିବାସୀ ଓ ୪.୧% ଓବିସି ଅଛନ୍ତି। ସହଯୋଗୀ ପ୍ରଫେସର ପଦରେ ମଧ୍ୟ ସମାନ ଅବସ୍ଥା। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବାଦେ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟର ଚିତ୍ର ପାଖାପାଖି ସମାନ। ଉଚ୍ଚଶିକ୍ଷା ନିଯୁକ୍ତି କ୍ଷେତ୍ରରେ ଜାତିଗତ ପାତରଅନ୍ତର କରା ଯାଉଥିବାର ଅଭିଯୋଗ ହୋଇଆସିଛି। ଏହାର ମୁଖ୍ୟ ଅସ୍ତ୍ର ସାଜିଛି ଯୋଗ୍ୟ ପ୍ରାର୍ଥୀର ଅଭାବ ଜନିତ ରିପୋର୍ଟ। ୟୁଜିସି ତଥ୍ୟ ଅନୁଯାୟୀ ପ୍ରଫେସର ପଦରେ ସଂରକ୍ଷିତ ବର୍ଗର ଅନୁମୋଦିତ ପଦରୁ ୮୦% ଓବିସି, ୮୩% ଏସ୍‌ଟି ଓ ୬୪% ଏସ୍‌ସି ଫାଙ୍କା ରହିଛି। ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନରେ ସମାନ ପରିସ୍ଥିତି। ଓଡ଼ିଶାର ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ତଦ୍ରୁପ ଅବସ୍ଥା ଦେଖିବାକୁ ମିଳେ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଚ୍ଚ ପଦପଦବୀ ଚୟନ ପ୍ରକ୍ରିୟାରେ ମଧ୍ୟ ଏନ୍‌ଏଫ୍‌ଏସ୍‌ର ପ୍ରୟୋଗ ହୁଏ। କେନ୍ଦ୍ରୀୟ ନିଯୁକ୍ତି କ୍ଷେତ୍ରରେ ଆଇଏଏସ୍‌ ଓ ଆଇପିଏସ୍‌କୁ ସର୍ବୋଚ୍ଚ ଚାକିରି ଭାବେ ବିବେଚନା କରାଯାଏ। ଏହା ବାଦ୍‌ ଅନ୍ୟାନ୍ୟ ପ୍ରଥମ ଶ୍ରେଣୀ ନିଯୁକ୍ତି ରହିଛି। ସାମ୍ବିଧାନିକ ଭାବେ ଏ ସମସ୍ତ କ୍ଷେତ୍ରରେ ଏସ୍‌ଟିଙ୍କ ପାଇଁ ୭.୫%, ଏସ୍‌ସିଙ୍କ ଲାଗି ୧୫% ଓ ଓବିସିଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିଛି। ହେଲେ ଏଯାଏ ଆଇଏଏସ୍‌ କ୍ଷେତ୍ରରେ ଏସ୍‌ଟିଙ୍କୁ ୧.୨୦%, ଏସ୍‌ସିଙ୍କୁ ୨.୪୨% ଓ ଓବିସିଙ୍କୁ ୪.୩୯% ସ୍ଥାନ ପୂରଣ କରିବାକୁ ଦିଆଯାଇଛି। ସେହିପରି ଆଇପିଏସ୍‌ କ୍ଷେତ୍ରରେ ଏସ୍‌ସି ୩.୦୬%, ଏସ୍‌ଟି ୧.୫୪% ଓ ଓବିସି ୫.୫୦% ସ୍ଥାନରେ ଅଛନ୍ତି। କେନ୍ଦ୍ର ସରକାରଙ୍କ ୮୫ ଜଣ ସଚିବଙ୍କ ମଧ୍ୟରୁ ଜଣେ ଏସ୍‌ସି, ତିନି ଜଣ ଏସ୍‌ଟି ଓ ଓବିସିରୁ କେହି ନାହାନ୍ତି। ଅନ୍ୟ ସମସ୍ତେ ସାଧାରଣ ବର୍ଗର। ଅନ୍ୟାନ୍ୟ ଚାକିରି କ୍ଷେତ୍ରରେ ଏସ୍‌ଟି ଓ ଏସ୍‌ସିମାନେ ନିର୍ଦ୍ଧାରିତ ହାର ପାଖାପାଖି ପ୍ରତିନିଧିତ୍ୱ କରୁଛନ୍ତି, କିନ୍ତୁ ୫୨% ଓବିସି ମାତ୍ର ୧୯.୧୪% ସ୍ଥାନରେ ପ୍ରତିନିଧିତ୍ କରୁଛନ୍ତି। ଆମ ରାଜ୍ୟରେ ସମାନ ଅବସ୍ଥା। ଓଡ଼ିଶା ସରକାର ଏଦିଗରେ ପରିସଂଖ୍ୟାନ ସଂଗ୍ରହ କରି ନାହାନ୍ତି। ଫଳରେ ଏହି ବର୍ଗର ଲୋକମାନେ ଅନ୍ଧାରରେ ଅଛନ୍ତି। ଏଦିଗରେ ତଥ୍ୟ ସାର୍ବଜନୀନ ଭାବେ ଉପଲବ୍ଧ ହେବା ଉଚିତ।
ମହାଭାରତରେ ଗୁରୁ ଦ୍ରୋଣାଚାର୍ଯ୍ୟ ଏକଲବ୍ୟର ଆଙ୍ଗୁଠି କାଟି ତା’ର ମେଧାକୁ ନଷ୍ଟ କରିବା କଥା ସମସ୍ତେ ଜାଣିଛୁ। ତାଙ୍କର ଦୋଷଥିଲା ଯେ ସେ କ୍ଷତ୍ରିୟ ନ ଥିଲେ, ଆଦିବାସୀ ଥିଲେ। ସେ ସମୟରେ ଗୁରୁକୁଳମାନଙ୍କରେ କେବଳ ସବର୍ଣ୍ଣମାନଙ୍କୁ ଶିକ୍ଷାଦାନ ଦିଆଯାଉ ଥିଲା। ରାମାୟଣରେ ଶମ୍ଭୁକ ମୁନୀଙ୍କ ହତ୍ୟା ଅନ୍ୟ ଏକ ଉଦାହରଣ। ତାଙ୍କ ଦୋଷଥିଲା ସେ ଶୂଦ୍ର ଥିଲେ; ଯାହାଙ୍କ ଶିକ୍ଷାଲାଭ କରିବା ଓ ଜ୍ଞାନଚର୍ଚ୍ଚା କରିବା ଅଧିକାର ନ ଥିଲା। ହଜାର ହଜାର ବର୍ଷଧରି ଶୂଦ୍ର/ଅସବର୍ଣ୍ଣମାନଙ୍କୁ ପାଠ ପଢ଼ିବାର ଓ ଜ୍ଞାନଚର୍ଚ୍ଚା କରିବାର ଅଧିକାର ନ ଥିଲା। ଏମାନେ ବେଦ ପଢ଼ିବା ତ ଦୂରର କଥା ଏହାକୁ ଶୁଣିବା ପାଇଁ ମଧ୍ୟ ଯୋଗ୍ୟ ନ ଥିଲେ। ବେଦପାଠ କଲେ ଜିଭ କାଟିଦେବାର ଓ ଶୁଣିଲେ କାନରେ ଗରମ ସୀସା ଢାଳିଦେବାର ବ୍ୟବସ୍ଥା ଥିଲା। ସଂସ୍କୃତକୁ ଦେବଭାଷା କୁହାଯାଉଥିଲା। ଗୋଟିଏ ବର୍ଗର ଲୋକ ଏହା ପଢୁଥିଲେ, ଏହା ସାର୍ବଜନୀନ ନ ଥିଲା। ଏ ସମସ୍ତ ଯୋଗ୍ୟ ପ୍ରାର୍ଥୀର ଅଭାବ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ଥିଲା। ଉଦ୍ଦେଶ୍ୟ ଥିଲା ଗୋଟିଏ ସମାଜକୁ ଏପରି ବଞ୍ଚିତ କରାଯିବ ଯେ ସେମାନଙ୍କ ଭିତରୁ କେହି ଯୋଗ୍ୟ ପ୍ରାର୍ଥୀ ବାହାରିବେ ନାହିଁ। ଫଳରେ ଚୟନ ସମୟରେ ଏମାନେ ପ୍ରତିଯୋଗିତାକୁ ଆସିପାରିବେ ନାହିଁ। ଏହା ଏକ ପରୋକ୍ଷ ପ୍ରକ୍ରିୟା ଏନ୍‌ଏଫ୍‌ଏସ୍‌ର ଯଥାର୍ଥତା ପ୍ରମାଣ ପାଇଁ।
ଯୋଗ୍ୟ ପ୍ରାର୍ଥୀର ଅଭାବ ବା ଏନ୍‌ଏଫ୍‌ଏସ୍‌କୁ ନେଇ ବିବାଦ ତେଜିବାରେ ଲାଗିଛି। ଯୋଗ୍ୟ ପ୍ରାର୍ଥୀ ଚୟନ ବୋର୍ଡରେ ଥିବା ସଦସ୍ୟମାନଙ୍କ ମନରେ ଏକପ୍ରକାର ଧାରଣା ରହିଛି ଯେ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନେ କୋଉ କାମକୁ ନୁହନ୍ତି, ଏମାନେ ଅଯୋଗ୍ୟ। ଅନେକ ସମୟରେ ଜାଣିଶୁଣି ଏମାନଙ୍କୁ ଜଟିଳ ପ୍ରଶ୍ନ କରନ୍ତି । ଏହାବି ଦେଖାଯାଇଛି ଯେ, ସଂରକ୍ଷିତ ବର୍ଗର ପ୍ରାର୍ଥୀମାନେ ଲିଖିତ ପରୀକ୍ଷାରେ ଖୁବ୍‌ ଭଲ ନମ୍ବର ରଖୁଥିବା ବେଳେ ମୌଖିକ ପରୀକ୍ଷାରେ କମ୍‌ ନମ୍ବର ପାଉଛନ୍ତି। ଚୟନକର୍ତ୍ତାମାନଙ୍କ ଏନ୍‌ଏଫ୍‌ଏସ୍‌ ପ୍ରୟୋଗ ପାଇଁ କୌଣସି ପ୍ରତିବନ୍ଧକ ନାହିଁ କିମ୍ବା ଇଚ୍ଛାକୃତ ପ୍ରୟୋଗ ପାଇଁ ଉତ୍ତରଦାୟୀ କରିବାର କୌଣସି ବ୍ୟବସ୍ଥା ନାହିଁ। ଏହାର ପ୍ରୟୋଗ ଅନାୟାସରେ ହୋଇଆସିଛି। ଫଳରେ ସଂରକ୍ଷିତ ବର୍ଗ ସଂରକ୍ଷଣ ହାର ମୁତାବକ ସ୍ଥାନ ପୂରଣ କରିପାରୁ ନାହାନ୍ତି।
ଏହା ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଯେ ପ୍ରଥମେ ଏନ୍‌ଏଫ୍‌ଏସ୍‌ ମାଧ୍ୟମରେ ସଂରକ୍ଷିତ ବର୍ଗର ଆସନକୁ ଫାଙ୍କା ରଖ ଓ ପରେ ଏହି ପଦବୀରେ ସାଧାରଣ ବର୍ଗର ପିଲାଙ୍କୁ ନିଯୁକ୍ତି ଦିଅ। ଏପରି କ୍ଷେତ୍ରରେ ସଂରକ୍ଷଣ ଏକ ପ୍ରହସନରେ ପରିଣତ ହୁଏ। ତେଣୁ ଅନେକ ସଂଗଠନ ଓ ରାଜନେତା ଏନ୍‌ଏଫ୍‌ଏସ୍‌ ବିରୋଧରେ ସ୍ବରଉତ୍ତୋଳନ କରିବା ଆରମ୍ଭ କରିଛନ୍ତି। ଏହାକୁ ହଟାଇ ଦିଆଯାଉ, ମୌଖିକ ପରୀକ୍ଷାକୁ ଉଠାଇ ଦିଆଯାଇ ଲିଖିତ ପରୀକ୍ଷା ଉପରେ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯାଉ ଅଥବା ଚୟନ କମିଟିରେ ସମସ୍ତ ବର୍ଗର ସଂଖ୍ୟାନୁପାତିକ ପ୍ରତିନିଧିତ୍ୱ ରହୁ। ଏହା ସହିତ ଫାଙ୍କା ପଦବୀଗୁଡ଼ିକରେ ସାଧାରଣ ପ୍ରାର୍ଥୀଙ୍କୁ ନିଯୁକ୍ତି ନ ଦେଇ ସଂରକ୍ଷିତ ବର୍ଗ ପାଇଁ ତାହା ଉଦ୍ଦିଷ୍ଟ ରହୁ(ବେକ୍‌ ରୋଲ) ବୋଲି ଦାବି ହେଉଛି। ସମସ୍ତ କ୍ଷେତ୍ରରେ ଉଦ୍ଦିଷ୍ଟ ସଂରକ୍ଷଣ ହାରକୁ ପୂରଣ କରିବାର ପ୍ରୟାସ ହେଲେ ସଂରକ୍ଷଣ ବ୍ୟବସ୍ଥାର ଉପଯୋଗିତା ସ୍ପଷ୍ଟ ଉପଲବ୍ଧି ହୋଇପାରିବ ଓ ଅନଗ୍ରସର ସମାଜ ଆଗକୁ ବଢ଼ିବାର ସୁଯୋଗ ପାଇବ।
ଦର୍ଶନ ବିଭାଗ (ଅବସରପ୍ରାପ୍ତ),
ବାରିପଦା, ମୟୂରଭଞ୍ଜ
ମୋ: ୭୦୦୮୯୭୬୧୮୦

Odisha’s No.1 Odia Daily