ପାରଳାଖେମୁଣ୍ଡି,୯ା୯: ଗଜପତି ଜିଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ଆଇନଗତ ଅଡ଼ୁଆ ଆହୁରି ବଢ଼ିଯାଇଛି। କୋର୍ଟରେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପାଇଁ ବିଦ୍ୟାଭାରତୀ ଯେଉଁ ଆବେଦନ କରିଥିଲେ ତାହାକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ହାଇକୋର୍ଟଙ୍କ ଏହି ବଡ଼ ନିଷ୍ପତ୍ତି ପରେ ବିଦ୍ୟାଭାରତୀଙ୍କ ଗିରଫଦାରୀ ଆଶଙ୍କା ଆହୁରି ଘନେଇବାରେ ଲାଗିଛି।
ଟ୍ରାଏଲ କୋର୍ଟରେ ବ୍ୟକ୍ତିଗତ ଉପସ୍ଥିତିରୁ ଛାଡ଼ ଓ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସେ ଦାଖଲ କରିଥିବା CRLMC ଆବେଦନକୁ ଖାରଜ କରିଛନ୍ତି କୋର୍ଟ। ଏଥିସହ ଆସନ୍ତା ଅକ୍ଟୋବର ୧ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି SDJM କୋର୍ଟରେ ହାଜର ହେବାକୁ ବିଦ୍ୟାଭାରତୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତେବେ ନିମ୍ନ ଅଦାଲତରେ ହାଜର ହେବା ପରେ ସେ ନିମ୍ନ ଅଦାଲତ ଏହା ପରେ ଜିଲା ଦୌରା ଜଜ କୋର୍ଟରେ ଜାମିନ ପାଇଁ ଆବେଦନ କରି ପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୧ ମସିହାରେ ପାରଳାଖେମୁଣ୍ଡି ଥାନାରେ ରୁଜୁ ହୋଇଥିବା ମାମଲାରେ ପ୍ରଥମେ ୩୦୨ ଏବଂ ୧୨୦-ବି ଆଇପିସି ଧାରାରେ ମାମଲା ରୁଜୁ ହୋଇଥିଲା। ତଦନ୍ତ ପରେ କ୍ରାଇମବ୍ରାଞ୍ଚ୍ ବିଦ୍ୟାଭାରତୀଙ୍କ ବିରୋଧରେ ୩୦୪-ଏ ଧାରାରେ ଚାର୍ଜସିଟ୍ ଦାଖଲ କରିଥିଲା। କିନ୍ତୁ ପୋଲିସର ଚାର୍ଜସିଟ୍ରେ ୩୦୨ ଧାରା ନଥିବାରୁ ଅଭିଯୋଗକାରୀ ଅଭିରାମ ମହାପାତ୍ର ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିଥିଲେ। ଏହା ଉପରେ ତଦନ୍ତ ପରେ SDJM କୋର୍ଟ ୧୨ ଏପ୍ରିଲ୍ ୨୦୨୩ରେ ବିଦ୍ୟାଭାରତୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ୩୦୨/୧୨୦-ବି ଧାରାରେ କଗ୍ନିଜାନ୍ସ ନେଇଥିଲେ। ଯାହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଵିଦ୍ୟାଭାରତୀ। ଏହା ପୂର୍ବରୁ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ। ପରେ ସେ ଗିରଫ ମଧ୍ୟ ହୋଇଥିଲେ। ତେବେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ନିୟମିତ କୋର୍ଟରେ ହାଜର ହେବାରୁ ଛାଡ଼ ପାଇଁ ବିଦ୍ୟାଭାରତୀ ଆବେଦନ କରିଥିଲେ। ୨୦୨୧ ଜୁଲାଇ ୧୧ରେ ଘଟିଥିଲା ଏକ ଲୋମ ଟାଙ୍କୁରା ଘଟଣା। ପାରଳାଖେମୁଣ୍ଡିସ୍ଥିତ ନିଜ ସରକାରୀ ବାସଭବନରେ ଏସିଏଫ୍ ସୌମ୍ୟରଞ୍ଜନ ଗୁରୁତର ଭାବେ ପୋଡି ହୋଇ ଯାଇଥିଲେ। ଜୁଲାଇ ୧୩ରେ ଚିକିତ୍ସାଧୀନ ଅବସ୍ଥାରେ କଟକରେ ତାଙ୍କର ମୃତ୍ୟୁ ହେଲା। ଘଟଣାକୁ ନେଇ ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ମାମଲାର ତଦନ୍ତ ହୋଇଥିଲା।ଏହି ମାମଲାରେ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଗିରଫ ହୋଇସାରିଛନ୍ତି।