ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ରାଜ୍ୟ ବାହାରକୁ ନେଇଯାଇଥିବା ଜଣାପଡ଼ିଛି। ପାଇକମାଳ ଥାନା କେସ ନମ୍ବର ୫୭/୨୬ ଅନୁସାରେ, ନାବାଳିକା ଜଣକ ନିଜ ଗାଁରୁ ଆସି ରଣଜିତପୁର ସ୍ଥିତ ନିଜ ନାନୀଙ୍କ ଘରେ ରହୁଥିଲେ। ଗତ ୯ ତାରିଖ ଦିନ ସେହି ଗ୍ରାମର ଦେବାର୍ଚ୍ଚନ ଦିଶ୍ରୀ (୨୨) ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରଥମେ ବରଗଡ଼ ଏବଂ ପରେ ତାମିଲନାଡୁକୁ ଅପହରଣ କରି ନେଇଯାଇଥିଲା।
ଅଭିଯୁକ୍ତ ଜଣଙ୍କ ନାବାଳିକାଙ୍କୁ ସାତ ଦିନ ଧରି ସେଠାରେ ରଖିବା ପରେ ୧୭ ତାରିଖରେ ପୁଣି ଗାଁକୁ ଆଣି ଛାଡ଼ି ଦେଇଥିଲେ। ଏହି ବିଷୟରେ କାହାକୁ କିଛି କହିଲେ ଜୀବନରୁ ମାରିଦେବାକୁ ସେ ନାବାଳିକାଙ୍କୁ ଧମକ ମଧ୍ୟ ଦେଇଥିଲେ। ମାତ୍ର ନାବାଳିକା ଜଣଙ୍କ ସାହସ ସଞ୍ଚୟ କରି ନିଜ ବାପାଙ୍କୁ ସବୁ କଥା ଜଣାଇବା ପରେ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।
ଅଭିଯୋଗ ପାଇବା ପରେ ପାଇକମାଳ ପୋଲିସ ତତ୍ପରତା ଦେଖାଇ ଘଟଣାର ତଦନ୍ତ କରିଥିଲା ଏବଂ ଅଭିଯୁକ୍ତ ଦେବାର୍ଚ୍ଚନକୁ ଗିରଫ କରିଥିଲା। ଉଭୟ ନାବାଳିକା ଓ ଅଭିଯୁକ୍ତଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି। ଏହାପରେ ଅଭିଯୁକ୍ତଙ୍କୁ ପୋସ୍କୋ (POCSO) କୋର୍ଟକୁ ପଠାଯାଇଛି। ପଦ୍ମପୁର ଏସ୍ଡିପିଓ (SDPO) ପାଣ୍ଡବ ଶବର ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛନ୍ତି ବୋଲି ସୂଚନା ମିଳିଛି।

