ଆବାସ: ଅନୁକମ୍ପା ନା ଅଧିକାର

ଅକ୍ଷୟ କୁମାର ମିଶ୍ର

ମଣିଷ ସାଧାରଣ ଭାବରେ ବଞ୍ଚି ରହିବା ପାଇଁ ତିନୋଟି ମୌଳିକ ଆବଶ୍ୟକତା ଲୋଡ଼ା। ସେଗୁଡ଼ିକ ହେଲା ଖାଦ୍ୟ, ବସ୍ତ୍ର, ବାସଗୃହ। ପରିବର୍ତ୍ତିତ ସମୟରେ ଶିକ୍ଷା ଓ ସ୍ବାସ୍ଥ୍ୟ ମଧ୍ୟ ମୌଳିକ ଅଧିକାର ବୋଲି ଗ୍ରହଣ କରାଗଲାଣି। ଗୋଟିଏ ଜନମଙ୍ଗଳ ରାଷ୍ଟ୍ରରେ ଏହି ଅଧିକାରଗୁଡ଼ିକ ମଣିଷ ନିକଟରେ ଉପଲବ୍ଧ କରାଇବା ଶାସକ ଶ୍ରେଣୀର ଦାୟିତ୍ୱ। ଏହା ହିଁ ଆମ ସମ୍ବିଧାନରେ ଲିପିବଦ୍ଧ। ଧାରା ୨୧ ଅନୁଯାୟୀ ପ୍ରତ୍ୟେକ ମଣିଷ ସମ୍ମାନର ସହିତ ବଞ୍ଚିବା ତା’ର ଅଧିକାର, କାହାର ଅନୁଗ୍ରହ କିମ୍ବା ଅନୁକମ୍ପା ନୁହେଁ। କିନ୍ତୁ ଅଭିଯୋଗ ହୁଏ ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ପରେ ଏହି ଅଧିକାରଗୁଡ଼ିକ ସବୁ ମଣିଷ ନିକଟରେ ପହଞ୍ଚିପାରିଲା ନାହିଁ। ତେବେ ଏହି ଆଲେଖ୍ୟରେ ବାସଗୃହ ସମ୍ପର୍କରେ ଆଲୋଚନା କରିବା। ବାସଗୃହ ହେଉଛି ଏକ ସର୍ବନିମ୍ନ ଆବଶ୍ୟକତା। ଏହା ପୂରଣ କରିବା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଏକ ବାଧ୍ୟ ବାଧକତା ବୋଲି ବିଚାର ହୁଏ। ଏହାକୁ ଆଖି୍‌ଆଗରେ ରଖି ୧୮୮୫ରେ ତତ୍କାଳୀନ ସରକାର ଗୃହହୀନ ତଥା ସାମାଜିକ ଓ ଆର୍ଥିକ ଅନଗ୍ରସର ଲୋକଙ୍କୁ ମାଗଣାରେ ଘର ଯୋଗାଇବା ପାଇଁ ଇନ୍ଦିରା ଆବାସ ଯୋଜନା ପ୍ରଣୟନ କରିଥିଲେ; ଯେଉଁଥିରେ ହିତାଧିକାରୀଙ୍କୁ ୧୨୦୦୦ ଟଙ୍କା ଦେବାର ବ୍ୟବସ୍ଥା ଥିଲା। ଏହି ଅର୍ଥର ୭୫ପ୍ରତିଶତ କେନ୍ଦ୍ର ଓ ୨୫ ପ୍ରତିଶତ ରାଜ୍ୟ ସରକାର ଦେଉଥିଲେ। କ୍ରମେ ଅନୁଦାନ ରାଶି ବୃଦ୍ଧି କରାଯାଇ୨୦୧୪ ବେଳକୁ ବଢ଼ି ସତୁରି ହଜାରରେ ପହଞ୍ଚିଥିଲା। ୨୦୧୫ରେ ଏହି ଯୋଜନାର ନାମ ପରିବର୍ତ୍ତନ ହୋଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଗଲା। ଅନୁଦାନ ରାଶି ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କା ହେଲା। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥ ରାଶିର ପରିମାଣ ହେଲା ୬୦:୪୦। ୨୦୧୧ ଆର୍ଥିକ ଜନଗଣନା ଆଧାରରେ ହିତାଧିକାରୀ ଚୟନ କରାଯିବ ବୋଲି ନୂତନ ନିୟମ ହେଲା। ଅର୍ଥାତ୍‌ ପୂବରୁ ପଲ୍ଲିସଭା ଜରିଆରେ ଯେଉଁ ନାମ ଆସିଥିଲା ଏବଂ ଗ୍ରାମସଭା ଯେଉଁ ତାଲିକାରେ ମୋହର ମାରିଥିଲା ତାହା ରଦ୍ଦ ହୋଇଗଲା। ସରକାରୀ କର୍ମଚାରୀମାନେ ଘରଘର ବୁଲି ଯେଉଁ ରିପୋର୍ଟ ପ୍ରସ୍ତୁତ କରିଥିଲେ ତାକୁ ଆଧାର ରୂପେ ନେଇ ଆବେଦନ କରିଥିବା ଲୋକଙ୍କ ଭିତରୁ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ ହେଲା ଓ ଗ୍ରାମସଭା ଏଥିରେ ମୋହର ଲଗାଇବାର ବ୍ୟବସ୍ଥା ହେଲା। ତା’ପରେ ଆରମ୍ଭ ହୋଇଗଲା ଆରୋପ ପ୍ରତ୍ୟାରୋପ। ମୁଖ୍ୟ ବିରୋଧୀ ଦଳର ସାଂସଦମାନେ ଅନିୟମିତତା ବିରୋଧରେ ପାର୍ଲାମେଣ୍ଟରେ ସ୍ବରୋତ୍ତୋଳନ କଲେ। ଆରମ୍ଭ ହେଲା ତଦନ୍ତ। ଜଣାପଡ଼ିଲା ଆବାସ ବଣ୍ଟନରେ ଅନିୟମିତତା ହୋଇଛି। କିନ୍ତୁ ସତ କହିବାକୁ ଗଲେ ଏହି ଦୁର୍ନୀତି ଯେ କେବଳ ଆମ ରାଜ୍ୟରେ ହେଉଛି ତାହା ନୁହେଁ, ଊଣା ଅଧିକେ ସବୁ ରାଜ୍ୟରେ ଏହି ସମସ୍ୟା ଅଛି।
ରାଜ୍ୟ ସରକାରଙ୍କ କହିବା କଥା ହେଲା ଯେତିକି ଆବାସ ପାଇଁ ପ୍ରସ୍ତାବ ଯାଉଛି ତାହା ମିଳୁନାହିଁ। ଦୁଇ ବର୍ଷରୁ ଊର୍ଦ୍ଧ୍ୱ କାଳ ହେଲା କେନ୍ଦ୍ର ସରକାରଙ୍କ ଆବାସ ଯୋଜନା ଶୀତଳ ଭଣ୍ଡାରରେ ଥିଲା। ଏହା ସତ୍ତ୍ୱେ ୩୧ ଲକ୍ଷରୁ ଊର୍ଦ୍ଧ୍ୱ ଆବାସ ନିର୍ମାଣ କାର୍ଯ୍ୟ ଏହି ଛଅ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହୋଇସାରିଛି ଓ ଏଥିପାଇଁ ପ୍ରଶଂସା ପତ୍ର ମଧ୍ୟ ମିଳିଛି। ରାଜ୍ୟ ସରକାର ନିଜସ୍ବ ଭାବେ ବିଜୁ ପକ୍କାଘର ଯୋଜନା, ପକ୍କାଘର ଯୋଜନା (ଖଣି ଅଞ୍ଚଳରେ) ଏବଂ ନିର୍ମାଣ ଶ୍ରମିକ ଆବାସ ଯୋଜନା ନାମରେ ତିନୋଟି ଯୋଜନା ପ୍ରଣୟନ କରିଛନ୍ତି। ଅଧୁନା ଆଉ ଏକ କଳି ଆରମ୍ଭ ହୋଇଛି। କେନ୍ଦ୍ର ସରକାରରେ ଥିବା ଦଳର ଅଭିଯୋଗ କେନ୍ଦ୍ରର ଟଙ୍କାରେ ଯେଉଁ ଯୋଜନା ଚାଲିଛି ତାହା ସମ୍ପୂର୍ଣ୍ଣ ହେବା ପରେ ତାକୁ ବିଜୁ ଯୋଜନା କହି ରାଜ୍ୟ ସରକାର ସେଥିରେ ମୋହର ମାରି ଦେଉଛନ୍ତି। ରାଜ୍ୟ ସରକାର ଏହାକୁ ଖଣ୍ଡନ କରିବା ସହିତ ସିଂହ ଭାଗ ଅର୍ଥ ରାଜ୍ୟର ବୋଲି ଦାବି କରୁଛନ୍ତି। କିନ୍ତୁ ଭୁଲିଯିବା ଉଚିତ ନୁହେଁ, ଏ ଅର୍ଥ କେଉଁ ରାଜନୈତିକ ଦଳର ନୁହେଁ। ଏ ଅର୍ଥ ସାଧାରଣ ଜନତାଙ୍କର। ଜନସାଧାରଣ ପ୍ରତିଦିନ ଯେଉଁ ଟିକସ ଦେଉଛନ୍ତି ତାକୁ ନେଇ କଳି କରିବା ବିରାଡିର ପିଠା କଳି ସହିତ ସମାନ। ଜନସାଧାରଣଙ୍କଠାରୁ ନେଇ ତାକୁ ପୁଣି ସେମାନଙ୍କୁ ଦେଇ ଦାତାପଣ ବୋଲାଇବା ରାଜନୈତିକ ଦେବାଳିଆ। ମନେରଖିବା ଉଚିତ ଏହା ଦାନ ନୁହେଁ, କାହାର ଅନୁକମ୍ପା ନୁହେଁ, ଏହା ଅଧିକାର।
ଆବାସ ଆବଣ୍ଟନ କ୍ଷେତ୍ରରେ ଆନ୍ତରିକତା କମ୍‌, ରାଜନୀତି ବେଶି ଏକଥା ଅତ୍ୟନ୍ତ ସ୍ପଷ୍ଟ। ୧୯୮୫ରୁ ୨୦୨୩ ମସିହା ଦୀର୍ଘ ୩୭ ବର୍ଷ ଧରି ଗୋଟିଏ ଯୋଜନା ଚାଲିଛି। ଏହା ପରେ ଦେଖାଯାଉଛି ଲକ୍ଷ ଲକ୍ଷ ଲୋକଙ୍କର ଆଦୌ ଘର ନାହିଁ। ବସଷ୍ଟାଣ୍ଡ, ଷ୍ଟେଶନ, ରାସ୍ତାକଡ଼ର ଖୋଲା ଆକାଶ ତଳେ ଅତି ଦୟନୀୟ ଅବସ୍ଥାରେ ଏମାନେ ଜୀବନ ବିତାଉଛନ୍ତି। ପ୍ରଶ୍ନ ଆସେ ଆଉ କେତେ ବର୍ଷ ଲାଗିବ ବାସଗୃହ ଭଳି ମୌଳିକ ଅଧିକାରଟି ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ? ଯିଏ ଯାହାକୁ ଯେତେ ଦୋଷାରୋପ କରୁନା କାହିଁକି ସେତେଦିନ ଯାଏ ଏହି ସମସ୍ୟା ଅସମାହିତ ହୋଇ ରହିଥିବ, ଯେ ପର୍ଯ୍ୟନ୍ତ ଆମେ ନିଜକୁ ରାଜନୈତିକ ଫାଇଦାଠାରୁ ଦୂରେଇ ରଖି ନ ପାରିବା। ଦଳମତ ନିର୍ବିଶେଷରେ ଯଦି ସମସ୍ତଙ୍କୁ ଆପଣେଇ ନେଇପାରିବା ନାହିଁ ତେବେ କାହାର ପୁଷ ମାସ ତ କାହା ପାଇଁ ସର୍ବନାଶ ହେବା ସାର ହେବ। ପୁନଶ୍ଚ ହିତାଧିକାରୀ ଚୟନ କ୍ଷେତ୍ରରେ ଥିବା ତ୍ରୁଟିଗୁଡ଼ିକୁ ସଂଶୋଧନ ନ କରିବା ଯାଏ ଯୋଜନା ବାଟବଣା ହେବ ହିଁ ହେବ। ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନ ପାଇଁ ଯେଉଁ ସବୁ ପ୍ରାବଧାନ ଅଛି ସେଗୁଡ଼ିକୁ ଦେଖିଲେ ମନେହୁଏ ସୂର୍ଯ୍ୟ ଚନ୍ଦ୍ର ଥିବା ଯାଏ ବୋଧହୁଏ ଦେଶରେ କିଛି ଲୋକଙ୍କର କଚା ଘର ଥିବ। ଯଦି ମାଛ ଧରା ଡଙ୍ଗା, ତିନି ଚକିଆ ଯାନ, ମୋଟର ସାଇକେଲ, ଚାରି ଚକିଆ ଗାଡ଼ି ଏପରି କି କୃଷି ଯନ୍ତ୍ରାଂଶ, ଫ୍ରିଜ, ପାଞ୍ଚ ଏକର ଜଳସେଚିତ ଜମି ଥିଲେ, ପରିବାରର ମାସିକ ଆୟ ଦଶ ହଜାର ଟଙ୍କା ହୋଇଥିଲେ, ପରିବାରର କେହି ପ୍ରଫେଶନାଲ ଟିକସ ଦେଉଥିଲେ ଆବାସ ମିଳିବ ନାହିଁ, ଝୁମ୍ପୁଡି ଘରେ ରହୁଥିଲେ ମଧ୍ୟ। ଗୋଟିଏ ପଟେ ଏହି ସବୁ ସର୍ତ୍ତ ଅନ୍ୟ ପଟେ କେହି କଚା ଘରେ ରହିବେ ନାହିଁ ବୋଲି ଘୋଷଣା ପ୍ରହସନ ନା ରାଜନୈତିକ ହଟଚମଟ ବୁଝିବା କଷ୍ଟସାଧ୍ୟ।
ଇଟା, ଲୁହାଛଡ଼, ସିମେଣ୍ଟର ମୂଲ୍ୟ ବୃଦ୍ଧି ପାଉଥିବା ବେଳେ ଆବାସ ଯୋଜନାରେ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କାରେ କେତେ ବଡ଼ ପକ୍କା ଘର ନିର୍ମାଣ ହୋଇପାରିବ ତାହା କାହାକୁ ଅଜଣା? ଏ ପର୍ଯ୍ୟନ୍ତ କେହି ଭାବିଲେ ନାହିଁ ଏକ ବଖରା ଘରେ ପିଲାମାନେ ପଢ଼ିବେ କେଉଁଠି, ଅନ୍ୟମାନେ ରହିବେ କେଉଁଠି? ଘରର ଆସବାବପତ୍ର ରହିବ କେଉଁଠି? ତଥାପି ଆବାସ ଯୋଜନାର ତାଲିକାରେ ନିଜ ନାଆଁଟିକୁ ସ୍ଥାନିତ କରିବା ପାଇଁ ଯେଉଁ ଲମ୍ବା ଲାଇନ ଲାଗିଛି ତାହା ଆମ ଲୋକଙ୍କ ଅର୍ଥନୈତିକ ଅବସ୍ଥାର ଅସଲ ଚିତ୍ରକୁ ତୋଳି ଧରୁଛି। ଆଉ ପ୍ରକୃତ ହିତାଧିକାରୀ ହୋଇ ମଧ୍ୟ ଏଥିରୁ ବହୁ ଲୋକ ବାରମ୍ବାର ବାଦ ପଡ଼ିବା ଆମ ବ୍ୟବସ୍ଥାର ତ୍ରୁଟିକୁ ପର୍ଦ୍ଦାଫାଶ କରୁଛି।
ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ, ଓଷ୍ଟା
ମୋ- ୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri